ଅରୁନ୍ଧତୀ ଜେନା

Tragedy Others

3  

ଅରୁନ୍ଧତୀ ଜେନା

Tragedy Others

ଆତ୍ମା ର ବୟାନ

ଆତ୍ମା ର ବୟାନ

3 mins
49


"ଆତ୍ମା ର ବୟାନ" , କାହାଣୀର ନାମଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ଆହୁରି ରହସ୍ଯ ଜନକ ସେହି ଝିଅଟିର ମୃତ୍ୟୁ। ପ୍ରଥମାଷ୍ଟମୀ ଦିନ ଥାଏ। ଜୁହୀ ଘରର ବଡ଼ ଝିଅ। ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ସାଇକେଲ୍ ରେ କୋଉ ସାଙ୍ଗ ଘରକୁ ବାହାରିଗଲା। ସାଙ୍ଗର ଘର ତା ଘରଠାରୁ ୨କି.ମି ଦୂର। ସାଙ୍ଗ ଘରେ ଖାଇପିଇ ଦିନ ୩ ଟା ବେଳେ ଘରକୁ ଫେରିଆସିଲା। ମା' କହିଲେ ଆଲୋ ଜୁହୀ ତୋକ ଖରାବେଳ ଟାରେ ଆସିଲୁ କାହିଁକି? ଖରା କମିଗଲା ପରେ ଆସିଥିଲେ କ'ଣ ସୃଷ୍ଟି ଧ୍ବଂସ ହେଇଯାଉଥିଲା। ଜୁହୀ କହିଲା ଓହୋ ମା' ଆସି ଗଲିଣି ତ କ'ଣ ଫେରିଯିବିକି? ମା' କହିଲେ ଆଲୋ ହୁଣ୍ଡୀ ମୁଁ କ'ଣ ସେୟା କହିଲି। ହଉ ଯା ଟିକେ ଶୋଇ ପଡେ। ସଂଧ୍ଯା ସମୟ ହେବାରୁ ମା' କହିଲେ ଜୁହୀ ଟିକେ ସଂଧ୍ଯାବତୀ ଜାଳିଦେ ତୁଳସୀ ଚଉଁରାରେ। ମୁଁ କାଞ୍ଜିଗୋଳା ପୂଜା ପାଇଁ ବ୍ଯସ୍ତ ଅଛି।

ଜୁହୀ ବହୁତ କଷ୍ଟରେ ପୂଜା ସାରି କହିଲା ମା' ଦେଖିଲୁ ମୋ ବେକ ମୁଣ୍ଡା କାହିଁକି ଏତେ ଭାରି ଲାଗୁଛି, ମୁଣ୍ଡ ଉପରକୁ ଉଠେଇ ପାରୁନି। ମା' କହିଲେ ତାତି ଏତେ ଯେ ଖଇ ଫୁଟିଯିବ ଯେମିତି, ତୋତେ ଏତେ ଜ୍ୱର କହିନୁ କାହିଁକି? ଓହୋ ମା' ବ୍ୟସ୍ତ ହଅନା।ବାପାଙ୍କୁ ଫୋନ୍ କରି କହିଦେ ହାଟରୁ ଆସିଲା ବେଳେ ଔଷଧ ଆଣି ଦେବେ। ଏ କ'ଣ ଦୁଇ ଦିନ ହେଇଗଲା। ଜ୍ୱର ଓହ୍ଲେଇବାର ନାଁ ନଉନି। ମା', ବାପା ବ୍ୟସ୍ତ ହୋଇପଡୁଛନ୍ତି। ପଡିଶାର ବୁଢୀ ଆଈ କହିଲା ତାକୁ ଟିକେ ନେଇ ରହିମ୍ ପାଖେ ଝାଡ଼ି ଆଣେ। କାଳେ ଡାହାଣି ଖାଇଥିବ। ତା'ର ବାପା ଏସବୁରେ ବିଶ୍ବାସ କରନ୍ତି ନାହିଁ। ହେଲେ ବଡର ସମ୍ମାନ ରକ୍ଷା କରି ତାକୁ ନେଇ କି ଗଲେ ରହିମ୍ ପାଖକୁ। ରହିମ୍ ଜଣେ ଭଲ ଗୁଣିଆ। ଜୁହୀର ବାପା କହିଲେ ରହିମ୍ ଟିକେ ଜୁହୀକୁ ଝାଡ଼ି ଦିଅ। ରହିମ୍ ଗୋଟେ ଆସନରେ ଜୁହୀକୁ ବସାଇଲା। ନିଜେ ଆଖି ବନ୍ଦ କରି କ'ଣ ଗୁଡେ ମନ୍ତ୍ର ଗାଇ ଜୁହୀ ଉପରକୁ ଅଭିମନ୍ତ୍ରିତ ଜଳ ଛିଞ୍ଚି କହିଲା, କୁହ ଏବେ। ତୁମେ କିଏ? ଜୁହୀ ଶରୀରକୁ ବଶ କାହିଁକି କରିଛ? ମୁଁ ତାଙ୍କ ପାଖ ଗାଁ ଅବନି ପ୍ରଧାନ ଝିଅ । ଅଲଗା ଜାତିର ପୁଅକୁ ଭଲପାଇବା ମୋ ପାଇଁ କାଳ ଯମ ସାଜିଥିଲା। ଜୁହୀ ର ବାପା କହିଲେ ତୋ ଦେହ ଭଲ ନଥିଲା। ତୁ ତ କେଉଁ ଅଜଣା ବେମାରୀ ରେ ମରିଯାଇଛୁ ବୋଲି ତୋ ବାପା କହୁଥିବା ର ମୁଁ ଶୁଣିଛି। ନାଁ ସବୁ ମିଛ। ମୁଁ ବେମାରୀରେ ମରି ନଥିଲି ବରଂ ମୋର ଶରୀରକୁ କଟୁରୀରେ ହାଣି ଦେଇଥିଲେ ମୋ ବାପା, ଭାଇ। ଆମ ଗାଁକୁ ଯାଇ ଦେଖିବ ବାରି ପଛପଟ ସେ ଲାଲ୍ କୋଠରୀକୁ। ଏବେ ବି ସେ କୋଠରୀରେ ମୋ ରକ୍ତର ଅନେକ ଦାଗ ଦେଖିବାକୁ ପାଇବ। ସେ ଲାଲ୍ କୋଠରୀରେ ମୋ ଆର୍ତ୍ତଚିତ୍କାର, ମୋ କାହାଣୀ ଲିପିବଦ୍ଧ ହୋଇ ରହିଛି। ମୋ ବାପା ପୋଲିସ୍ କୁ ପଇସା ଦେଇ ହତ୍ଯାକୁ ବେମାରୀରେ ମୃତ୍ୟୁର ରୂପ ଦେଇଛନ୍ତି। ନିଜ ଝିଅକୁ ମାରିଦେଲେ ଅନ୍ୟ ଜାତିରେ ବାହା ହେଲେ ସମାଜ କ'ଣ କହିବ ବୋଲି। ଏ କଥା ସବୁ ସତ କି ମିଛ ଆମେ ତ ଜାଣିନୁ, ହେଲେ କହ ଜୁହୀ ଦେହରେ କାହିଁକି ପ୍ରବେଶ କରିଛୁ? ପ୍ରଥମାଷ୍ଟମୀ ଦିନ ସେ ନୂଆ ପୋଷାକ ପିନ୍ଧି ୩ଟା ବେଳେ ସାଇକେଲ୍ ରେ ଫେରିଥିଲା ମଶାଣି ପାଖ ରାସ୍ତା ଦେଇ। ମୁଁ ତା ସହ ଏମିତି ଚାଲିଆସିଥିଲି। ଏତେ ଲୋକ ଯାଇଥିବେ, ତାଙ୍କ ସହ ନ ଯାଇ ଜୁହୀ ସହ କାହିଁକି ଆସିଲୁ? ଉତ୍ତର ରେ କହିଲା ଜାଣିନି ମୋର ମନ ହେଲା ମୁଁ ଚାଲିଆସିଥିଲି। ରହିମ୍ କହିଲା ଏବେ ଏଇ ମନ୍ଦାର ଫୁଲକୁ ଚାଲି ଆସେ ଆଉ ସଂଗେ ସଂଗେ ସେ ମନ୍ଦାର ଫୁଲକୁ ଗୋଟେ କାଚ ବୋତଲରେ ଭରି ଦେଲା। କାଚ ବୋତଲ ଭିତରେ ମନ୍ଦାର ଫୁଲଟା ଯେମିତି ଡେଉଁଥିଲା। ତା ପରେ ଜୁହୀ ଅଚେତ ହେଇଗଲା। ତାକୁ ପାଣି ଛିଞ୍ଚିବାରୁ ସେ ଉଠିଲା। ଜ୍ୱର ଛାଡି ଯାଇଥିଲା ଆଉ ପଚାରୁଥିଲା ବାପା ଆମେ ଏବେ କେଉଁଠି? ରହିମ୍ କହିଲା ଝିଅ ବ୍ୟସ୍ତ ହଅନି। ନେ ଏଇ ତାବିଜକୁ ଡାହାଣ ହାତରେ ବାନ୍ଧିନେ, ଦେଖିବୁ ଆଉ କେହି ତୋ ଶରୀରରେ ପ୍ରବେଶ କରିବେନି। ଆଉ ଜୁହୀର ବାପାଙ୍କୁ କହିଲା ଏଇ କାଚ ବୋତଲକୁ ନେଇ ଏମିତି ଯାଗାରେ ପୋତିବ ଯେଉଁଠି କେବେ ମଇଁଷୀ ମାନଙ୍କ ଖୋଜ ପଡିବନି। ନହେଲେ ସେ ସେଠୁ ଯଦି ଥରେ ବାହାରିଯାଏ ତାକୁ ସମ୍ଭାଳିବା ମୋ ପକ୍ଷେ କଷ୍ଟକର ହୋଇପଡିବ।ଜୁହୀର ବାପା ରାଜମିସ୍ତ୍ରୀ। ସେ ଭୁବନେଶ୍ଵରରେ ଜଣଙ୍କର ଘରକାମ କରୁଥିଲେ। ସେ କାଚ ବୋତଲକୁ ନେଇ ସେହି ଲୋକର ଘରେ ପୋତି ତା ଉପରେ ଟାଇଲ୍ ଚଢେଇ ଦେଇଥିଲେ। ହେଲେ ଭାବିଲେ ସେ ଝିଅ କହିବା ହିସାବରେ ତା ଘର ଆଡେ ଟିକେ ବୁଲି ଆସିବେ। ଝିଅ କହିବା କଥା ସତ କି ମିଛ ସେ ଜାଣି ପାରିନଥିଲେ ହେଲେ ବାରି ପଛପଟେ ଏକ ବନ୍ଦ କୋଠରୀକୁ ଦେଖିଲେ ଯେଉଁଠି ଗୋଟେ ବଡ଼ ତାଲା ପଡିଥିଲା। ଆଉ ପଡୋଶୀମାନଙ୍କ ଠୁ ଶୁଣିଲେ ସବୁ ରାତିରେ ଉକ୍ତ କୋଠରୀରୁ ଗୋଟେ ଝିଅର ଆର୍ତ୍ତଚିତ୍କାର ଆଉ କାନ୍ଦିବାର ଆବାଜ୍ ଆସେ। ଜୁହୀର ବାପାଙ୍କର ଆଖିରେ ଲୁହ ଜକେଇ ଆସୁଥିଲା। ଭାବୁଥିଲେ ସାମାନ୍ଯ ରାଜମିସ୍ତ୍ରୀ ସିଏ। ସେ ଝିଅ କୁ କ'ଣ ନ୍ଯାୟ ଦେଇପାରିବେ। କ'ଣ ସାକ୍ଷୀ ଅଛି ତାଙ୍କ ପାଖରେ, ଏଇ ଆତ୍ମା ର ବୟାନ। ଆଉ କିଏ ବିଶ୍ବାସ କରିବ କି ସେ ନିରୀହ ଝିଅର ହତ୍ଯାକାରୀ ତା'ର ଅତି ନିଜର ଲୋକମାନେ ବୋଲି।



Rate this content
Log in

Similar oriya story from Tragedy