Priyadarshini Samantray

Drama Others

4.5  

Priyadarshini Samantray

Drama Others

ଆତ୍ମ ବିଶ୍ଳେଷଣର ବର୍ଷ ୨୦୨୦

ଆତ୍ମ ବିଶ୍ଳେଷଣର ବର୍ଷ ୨୦୨୦

5 mins
195



               ସମୟର ଗତି ବଡ଼ ବିଚିତ୍ର । ମଣିଷ ସବୁବେଳେ ସମୟ ସହିତ ତାଳ ଦେଇ ଚାଲିବାକୁ ଚେଷ୍ଟିତ , କିନ୍ତୁ ସମୟ ସାବଲୀଳ ହେଲେ ତ । ସମୟ ତ ରଙ୍ଗ ବଦଳାଏ, କେବେ ପୁଣି ନିଜକୁ ଦୋହରାଏ । କେତେବେଳେ ଶାନ୍ତ ସରଳ ନଦୀଟି ପରି ଗୋଟିଏ ଧାରାରେ ବୋହିଯାଏ ତ କେତେବେଳେ ଅଶାନ୍ତି ନଈ ବଢି ପରି ସବୁ କିଛି ବୁହାଇ ନିଏ । ଯେତେ ପ୍ରଜ୍ଞାବାନ ହେଲେ ମଧ୍ୟ ମଣିଷ ସବୁବେଳେ ସମୟ ପାଖେ ହାରିଛି ।

            ଜୀବନରେ ବେଶ୍ କିଛି ରଙ୍ଗ ଦେଖି ସାରିଲିଣି ସମୟର । ସବୁବେଳେ ନିଜକୁ ପ୍ରସ୍ତୁତ କରେ ଯେତେ ଖରାପ ସମୟ ଆସିଲେ ତାକୁ ସାମ୍ନା କରିବାକୁ । ଜୀବନର ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହିଁ ହେବ, ନଚେତ୍ ଏ ମଣିଷ ଦେହ ଲଭି ଲାଭ କଣ ! ହେଲେ ଜୀବନରେ ବେଳେ ବେଳେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନପତ୍ର ଆସେ । ମାନେ ପୁରା ଆଉଟ୍ ଅଫ୍ ସିଲାବସ୍ । ଠିକ୍ ଯେମିତି ଏହି ୨୦୨୦ ମସିହା । ପ୍ରକୃତରେ ଅଭାବନୀୟ ଥିଲା ଏ ବର୍ଷଟି । ହଠାତ୍‌ ଯେମିତି ସମୟ ସ୍ଥିର ହେଇ ଯାଇଥିଲା । ଆଉ ମୋ ମୁଣ୍ଡ ବି । କିଛି ଭାବି ପାରୁ ନ ଥିଲି କଣ ହେଲା ଆଉ କଣ ହେବ । ପରେ ପରେ ନିଜକୁ ପ୍ରକୃତିସ୍ଥ କରି ଆଗ ଘରେ ରାସନ ଓ ପରିବା ମହଜୁଦ୍ କରିବାରେ ଲାଗି ପଡିଲି ଅନ୍ୟ ସମସ୍ତଙ୍କ ପରି । ଏକ ଅଘୋଷିତ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଇଥିଲା, ଆଉ ଶତୃଟି ଅଦୃଶ୍ୟ ଥିଲା । ସେଇଟା ନା' ସୁଦ୍ଧା ନେବାକୁ ଇଚ୍ଛା ହେଉନି । ଗୁଡାଏ ଘାଣ୍ଟି ଲାଣି ବର୍ଷସାରା । ପ୍ରଥମେ ପ୍ରଥମେ ଆମେ ଜାଣି ପାରିଲୁନି ଯେ ଏ ସବୁ ଆମରି କୃତ କର୍ମର ଫଳ ।

       ଏ ବର୍ଷ କେତେ ନୂଆ ନୂଆ ଶବ୍ଦ ସବୁ ଯୋଗ ହେଲା ଶବ୍ଦକୋଷରେ ଯେମିତି, ଲକ୍ ଡାଉନ୍, ସଟ୍ ଡାଉନ୍ , କ୍ୱାରେଣ୍ଟାଇନ୍, ଆଇସୋଲେସନ୍ , ସୋସିଆଲ୍‌ ଡିଷ୍ଟାନ୍ସିଙ୍ଗ ଆହୁରି କେତେ କଣ । ପିଲାମାନଙ୍କର ସ୍କୁଲ୍ ବନ୍ଦ, ସ୍ୱାମୀଙ୍କର ଅଫିସ୍ ବନ୍ଦ କେବଳ ମୁଁ ହିଁ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ଥିଲି । ବରଂ କହିବାକୁ ଗଲେ ଟିକେ ବେଶୀ ଚାପରେ ଥିଲି । ଗୋଟେ ପଟେ ଅଜଣା ଅଶୁଣା ଭୂତାଣୁର ଭୟ ଆଉ ଗୋଟେ ପଟେ ଘରେ ମନୋରଞ୍ଜନର ପରିବେଶ । ଖାଇବା ପିଇବା ପୂରା ଦମ୍ ରେ ଚାଲିଥାଏ । ମୋର କାମ ବଢିଯାଇଥିଲା । ସକାଳୁ ରାତି ଯାଏ ରୋଷେଇ ଘରେ ଥାଇ ସମସ୍ତଙ୍କର ଫର୍ମାଇସ୍ ପୁରା କରିବାରେ ଲାଗି ପଡ଼ିଥିଲି । ଚିଡ଼ି ମିଡ଼ି ଲାଗୁଥାଏ । ଏ ପରିସ୍ଥିତିରେ ନିଆଁରେ ଘିଅ ଢାଳିବା କାମଟି କରିଥିଲା ସୋସିଆଲ୍ ମିଡ଼ିଆରେ ଆସୁଥିବା ମଜାଦାର ଭିଡ଼ିଓ ଗୁଡ଼ିକ । ଯେଉଁଥିରେ ସ୍ୱାମୀମାନେ ଲକ୍ ଡାଉନ୍ ରେ ଘରର କାମ ସବୁ କରୁଥାଆନ୍ତି । ମୁଁ ମୋ ସ୍ଵାମୀଙ୍କ ଠାରୁ କୌଣସି ପ୍ରକାରର ସାହାଯ୍ୟ ପାଉ ନ ଥିବା ରୁ ସବୁବେଳେ ଖାଲି ଗର ଗର ହେବାରେ ଲାଗିଲି । ପିଲାମାନଙ୍କ ଆଗରେ ନା କିଛି ମନ ଖୋଲି କହି ହେଉଥାଏ ନା ଚୁପ୍ ରହି ହେଉଥାଏ । ଯେତେବେଳେ ଆଉ ସମ୍ଭାଳି ହେଲାନି, ଆରମ୍ଭ ହେଲା ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା । ଆଉ ପିଲାମାନଙ୍କ ଉପସ୍ଥିତିକୁ ଖାତିର ନ ଥିଲା । ତା ପରେ ଆଠ ଦିନ ମୁହଁ ଫୁଲା ଫୁଲି । ପିଲାମାନଙ୍କ ମାଧ୍ୟମରେ ଯାହା ଜରୁରୀ କଥାବାର୍ତ୍ତା । ଲକ୍ ଡାଉନ୍‌ର ଅବଧି ହଟିବ କଣ ଧିରେ ଧିରେ ବଢିବାକୁ ଲାଗିଥାଏ । କିଛିଦିନ କଥାବାର୍ତ୍ତା ବନ୍ଦ ହେବା ପରେ , ପୁଣି ଜୀବନ ଓ ପରିସ୍ଥିତିକୁ ନେଇ କିଛି ସକାରାତ୍ମକ ଚିନ୍ତା କରିବାକୁ ଭାବିଲି । ସେମିତିରେ ତ ମନୁ ମାନେ ମୋ ସ୍ୱାମୀଙ୍କର କମ୍ପାନୀ ଚାକିରୀ , ସକାଳୁ ଗଲେ ରାତିରେ ଆସନ୍ତି । ଆମେ ବେଶୀ ସମୟ ଏକାଠି ବିତାଇ ପାରୁନା । ଆମ ପ୍ରଧାନମନ୍ତ୍ରୀ କହିବା ପରି ଆପଦାକୁ ଅବସରରେ ବଦଳାଇବା ପାଇଁ ଭାବିଲି । ପିଲା ଓ ସ୍ୱାମୀଙ୍କ ସାଙ୍ଗରେ କିଛି ମୂଲ୍ୟବାନ ସମୟ ବା କ୍ବାଲିଟି ଟାଇମ୍ ଅତିବାହିତ କରିବା ପାଇଁ ଚିନ୍ତା କଲି । ସମସ୍ତଙ୍କର ଆଗ୍ରହ ଅନୁଯାୟୀ ଫୋନ୍‌ରେ ଲୁଡ଼ୁ ଖେଳିବା ପ୍ରସ୍ତାବଟି ଗୃହୀତ ହେଲା । ଆମେ ଚାରିଜଣ ଦୁଇଟି ଟିମ୍ ହେଇ ଖେଳୁ । କେତେବେଳେ ମାଆ -ପୁଅ ଆଉ ବାପ-ଝିଅ ଟିମ୍ ତ ଆଉ କେତେବେଳେ ବାପ-ପୁଅ ଆଉ ମାଆ -ଝିଅଙ୍କ ର ଟିମ୍ ହୁଏ । ଜିଣିବା ଟିମ୍ ଖୁବ୍ ଉତ୍ସାହିତ ହୋଇ ହାରିବା ଟିମ୍ କୁ ନାନା ଅଙ୍ଗଭଙ୍ଗୀ ଦେଖାଇ ଚିଡାଇବାରେ ଲାଗି ଯାଆନ୍ତି । ଏମିତି ଗେଲରେ ଗେଲରେ କେତେବେଳେ ଯେ ତେଲ ବାହାରି ଯିବ ସେ କଥା ଠଉରେଇ ପାରିନ ଥିଲି । ଆଗ ଆଗ ସବୁ ଠିକ୍ ଠାକ୍ ଚାଲିଲା, ଧିରେ ଧିରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଲା । ଏବେ ଖେଳ ଆଉ ଖେଳ ଭଳି ନଥିଲା । ସାମାନ୍ୟ ଲୁଡୁ ଖେଳଟାରେ ହାର୍ ଜିତ୍ ମନୁଙ୍କ ପାଇଁ ଏବେ ସମ୍ମାନର ପ୍ରଶ୍ନ ହେଇଯାଇଥିଲା । ଯଦି କେବେ ତାଙ୍କ ଯୋଡିଦାର ପିଲାଟି ଭୂଲ୍ ଗୋଟି ଚାଳନା କରିଦେଉଥିଲା , ସେ ଭୀଷଣ ରାଗି ଯାଉଥିଲେ । ଖୁବ୍ ଜୋର୍ ରେ ପାଟି କରୁଥିଲେ । ପିଲାଟି ଡରି ଯାଇ କାନ୍ଦି ପକାଉଥିଲା । ଏଥିର ମୁଁ ଧିରେ ଧିରେ ଖେଳ ବନ୍ଦ କରିବାକୁ ଚାହୁଁଥିଲି । ଆଗ ଭଳି ଆଉ ବେଶୀ ଖେଳୁ ନ ଥିଲୁ । ମୋ ପୁଅ ଜିଦ୍‌ କରେ ଖୋଳିବା ପାଇଁ ବୋଲି, ଦିନରେ ଥରେ କି ଦି ଥର ଖେଳୁ । ମନୁ ଜିତିଲେ ସବୁ ଠିକ୍ କିନ୍ତୁ ହାରିଗଲେ ତାଙ୍କ ମୁଡ୍ ଖରାପ ।

                ଦିନେ ରାତିରେ ଖେଳିବା ସମୟରେ ଆମେ ମାଆ -ଝିଅ ବାଜି ଜିତିଥିଲୁ । ଖେଳ ବନ୍ଦ କରି ଶୋଇବାକୁ ଚାହୁଁଥିଲୁ । ମୋ ସ୍ୱାମୀ ହାରିଲେ ତାଙ୍କୁ ନିଦ ହୁଏ ନି , ସେଥିପାଇଁ ସେ ଆଉ ଗୋଟିଏ ବାଜି ଖେଳିବା ପାଇଁ ଜିଦ୍‌ ଧରିଲେ । ଏ ବାଜି ଟା ସେ ଜିତିଯାଇଥିଲେ କଥା ସରିଥାଆନ୍ତା । ସେ ଆରାମ୍ ରେ ଶୋଇ ଯାଇଥାଆନ୍ତେ । କିନ୍ତୁ ଏ ଲୁଡ଼ୁ ଗୋଟି ତ କାହା ମନର ଭାବନା ବା ବେଦନାକୁ ବୁଝେନା ନା, ସେ ତା'ର ଫୋନ୍‌ ରେ ଗୋଟିଏ ଜାଗାରେ ହିଁ ଘିରି ଘରି ଘୂରୁ ଥାଏ । ତାଙ୍କ ଭାଗ୍ୟ ଖରାପ୍ ଥିଲା କି ଆମର କେଜାଣି ସେ ପୁଣି ହାରିଗଲେ । ବାସ୍ . . . ଫୋନ୍‌ଟିକୁ ଉଠାଇ ତଳେ କଚାଡ଼ି ଦେଲେ । ସେଇଟା ତାଙ୍କରି ନୂଆ ଫୋନ୍‌ ଥିଲା । ପନ୍ଦର ଦିନ ତଳେ କୋଡିଏ ହଜାର ଟଙ୍କା ଦେଇ କିଣିଥିଲେ । ମୁଁ ଓ ପୁଅ,ଝିଅ ଆମେ ତିନି ଜଣ ହତବାକ୍ ହେଇ ଚାହିଁ ରହିଥିଲୁ । ଖୁବ୍ ଭୟ ବୀତ ହେଇଯାଇଥିଲେ ପିଲା ଦୁହେଁ । ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ନିଜ ଭୟକୁ ଲୁଚାଇ ସେମାନଙ୍କୁ ନେଇ ଶୋଇବାକୁ ଗଲି ଆର ରୁମ୍ କୁ । କିଛି ନ ହେଲା ପରି ମୁଁ ସେମାନଙ୍କ ସହ କଥାବାର୍ତ୍ତା କଲି । ରାତିରେ କିନ୍ତୁ ମୋତେ ନିଦ ହେଲାନି । ସେହି ରାତିରେ ହିଁ ମୁଁ ଠିକ୍ କରିନେଲି ଜୀବନରେ କେବେ ମନୁଙ୍କ ସହ କୌଣସି ବି ଖେଳ ଖେଳି ବିନି । ତା' ପରେ ପୁଣି ପନ୍ଦର ଦିନ ଯାଏ କଥା ବାର୍ତ୍ତା ବନ୍ଦ, ମୁହଁ ଫୁଲା ଫୁଲି । ଯଦିଓ ସେ ନିଜର ଭୂଲ୍ ବୁଝିପାରିଥିଲେ , କିଛି କହିଲେନି । କହିଥାଆନ୍ତେ ବା କିପରି ତାଙ୍କର ମେଲ୍‌ ଇଗୋ ବା ଅହଂ ଆଘାତ ପ୍ରାପ୍ତ ହେଇଥାଆନ୍ତା ନା । ମୁଁ କିଛି ଦିନ ଯାଏଁ ମାନସିକ ଦୁଃଶ୍ଚିନ୍ତାରେ ରହିଲି । ପିଲାମାନେ ବି ଘରେ ରହି ରହି ଭାରୀ ଦୁଃଖୀ ଥିଲେ । ମନୁଙ୍କର ଅଫିସ୍ ଖୋଲି ଯାଇଥିଲା । କମ୍ପାନୀ ତରଫରୁ ପ୍ରଶାସନ ପାଖରୁ ସ୍ୱତନ୍ତ୍ର ଅନୁମତି ଅଣାଯାଇ କାମ ଆରମ୍ଭ ହେଇଥିଲା ।

        ବର୍ତ୍ତମାନ ଓ ଭବିଷ୍ୟତ କଥା ଭାବି ଲାଗୁଥାଏ ଯେମିତି ମୁଁ ଅବସାଦ ଆଡକୁ ଗତି କରୁଛି । ହଁ ଏଇ କରୋନା କାଳରେ ହିଁ ବହୁ ପୁରୁଣା ସାଙ୍ଗମାନଙ୍କ ସହ ପୁଣି ସମ୍ପର୍କ ସ୍ଥାପନ ହେଲା । ପିଲାମାନଙ୍କ ସହ ମିଶି କିଛି ନୂଆ ତଥା ସୃଜନଶୀଳ କାର୍ଯ୍ୟ ପ୍ରତି ମନ ବଳାଇଲି । କିଛି ଶିକ୍ଷା ମୁଁ ସେମାନଙ୍କୁ ଦେଲି ଓ ନିଜେ ମଧ୍ୟ ବହୁତ କିଛି ଶିଖିଲି ସେମାନଙ୍କ ଠାରୁ । ଏହାର ପରିଣତି ହେଲା ମୁଁ ଏବେ ନିଜ ମନର ଭାବ କୁ ଶବ୍ଦରେ ପ୍ରକାଶ କରିବା କିଛି କିଛି ଶିଖି ଯାଇଛି । ଅର୍ଥାତ୍ ଏବେ ଜଣେ ପାଠିକାରୁ ଜଣେ ଲେଖିକା ହେବାର ପଥରେ ଅଗ୍ରସର ହେଉଛି ।

         ସବୁ ଜିନିଷର ଦୁଇଟି ପାର୍ଶ୍ଵ ଥାଏ ____ ଭଲ ଓ ଖରାପ । କରୋନା ବୈଶ୍ଵିକ ମହାମାରୀ ଆମ ଜୀବନ ଯାତ୍ରାକୁ ଯଦିଓ କିଛି ସମୟ ପାଇଁ ଠପ୍ କରିଦେଇଛି , ଆମକୁ ଯଥେଷ୍ଟ ଅବକାଶ ଦେଇଛି ନିଜକୁ ବିଶ୍ଳେଷଣ କରିବା ପାଇଁ । ନିଜକୁ ନୂତନ ରୂପେ ଆବିଷ୍କାର କରିବା ପାଇଁ ।


Rate this content
Log in

Similar oriya story from Drama