ପାର୍ବଣ
ପାର୍ବଣ
ବାପାଙ୍କ ଠାରୁ ଖବର ପାଇ ରୁନି ଶାଶୁଘରୁ ଅଟୋ କରି ପିଲା ଦୁହିଁଙ୍କୁ ନେଇ ବାହାରି ପଡିଛି ବାପଘର ଅଭିମୁଖେ । ଅନେକ ଦିନ ପରେ ବାପାଙ୍କ ସ୍ଵରରେ ଉତ୍ସାହ ଅନୁଭବ କରିଥିଲା । ବାପା ଏତେ ଖୁସିରେ ଥିଲେ ଯେ, ଭୁଲିଗଲେ ରୁନି ତା ଶାଶୁଘରେ ଅଛି ବୋଲି । ଘରୁ ଗୋଡ଼ କାଢିବା କଣ କମ୍ କଥା ଗୋଟେ ବୋହୂଟେ ପାଇଁ । ପୁଣି ବାପଘରକୁ. . . I ସେ ବାପାଙ୍କ ଆଗ୍ରହରେ ଭଟ୍ଟା ପକାଇବାକୁ ଚେଷ୍ଟା କଲାନି । ରୁନିକୁ ଘରକୁ ନେବାକୁ ହେଲେ ତା' ବାପାଙ୍କୁ ତା' ଶାଶୁ, ଶ୍ୱଶୁର ଓ ତାଙ୍କ ଜ୍ୱାଇଁଙ୍କଠାରୁ ଅନୁମତି ନେବାକୁ ହୁଏ । ଏଥର ବୋଧେ ଆଗ୍ରାହାତିଶଯ୍ୟରେ ଏ ସବୁ ସୌଜନ୍ୟତା ଭୂଲିଯାଇଛନ୍ତି । ତା' ଛଡ଼ା ରୁନି ବି ଏବେ ବାର ବର୍ଷର ବୋହୂ ହେଲାଣି, ତାର କଣ କିଛି ସ୍ଵାଧୀନତା ନାହିଁ, ନିଜ ବାପଘରକୁ ଯିବା ପାଇଁ ସେ ନିଜେ ବି ତ ସମସ୍ତଙ୍କଠାରୁ ଅନୁମତି ନେଇପାରିବ । ଏଇଆ ଭାବି ସେ ବାହାରି ପଡିଛି । ସ୍ୱାଭାବିକ ଭାବେ ସମସ୍ତଙ୍କର ମୁହଁ ଟିକେ ଓହଳି ପଡିଛି, ତଥାପି କେହି ବାରଣ କରି ନାହାନ୍ତି । ଦଶହରା ସମୟ । ଘରେ କେତେ କାମ । ସାନ ଯାଆ ଉପରେ ଦାୟିତ୍ଵ ନ୍ୟସ୍ତ କରିଦେଇ ଆସିଛି ।
ଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇ ଆସୁଥାଏ । ବାପାବୋଉ ଦୁହେଁ ଦାଣ୍ଡ ପିଣ୍ଡାରେ ଅପେକ୍ଷା କରୁଥିଲେ । ଅଟୋରୁ ଓହ୍ଲଉ ଓହ୍ଲଉ ବାପା ଦି ପିଲାଙ୍କୁ ଦି କାଖରେ ଧରି ଘରକୁ ନେଇଗଲେ । ବୋଉର ଦାନ୍ତ ଲୁଚୁ ନ ଥାଏ ଖୁସିରେ । ଅନ୍ୟ ବେଳେ ସେ ଶାଶୁ ଘରୁ ଆସି ପହଞ୍ଚିଲେ ବୋଉ କାନ୍ଦେ , ଫେରିଲା ବେଳେ ଆହୁରି ବେଶୀ କାନ୍ଦେ ।
ରୁନି ବାପାଙ୍କ ଗୌରଚରଣ ଦାସ । ହେଡ୍ କ୍ଲର୍କ ଭାବେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଚାକିରୀ । ଅବସର ପରେ ଭୁବନେଶ୍ୱରରେ ଘର ଖଣ୍ଡେ କରିଛନ୍ତି । ଗାଁରେ ଘର ତୋଳିବାକୁ ଇଚ୍ଛା ଥିଲେ ବି, ଦି ପୁଅଙ୍କ ଇଚ୍ଛା ଅନୁସାରେ ରାଜଧାନୀରେ ଘର କଲେ । ଭାବିଥିଲେ ପିଲାମାନେ ଯେଉଁଠି ଚାକିରୀ କଲେ ବି ଭୁବନେଶ୍ୱର ଯିବା ଆସିବା ପାଇଁ ସୁବିଧା ଥିବାରୁ ସବୁବେଳେ ଘରକୁ ଆସୁଥିବେ । ବଡ଼ ପୁଅ ବିଜୁ ହାଇଦ୍ରାବାଦରେ ରହେ । ବାହାଘର ପରେ ବର୍ଷରେ ଥରେ କି ଦି ଥର ସ୍ତ୍ରୀ ପିଲାଙ୍କୁ ନେଇ ଆସେ । ସାନ ପୁଅ ଅଜୁ ଅହମଦାବାଦରେ । ପାଞ୍ଚବର୍ଷ ତଳେ ଅଣ ଓଡ଼ିଆ ଝିଅକୁ ଲଭ୍ ମ୍ୟାରେଜ୍ କରିଛି । ବାହାଘର ପରେ ପାଞ୍ଚ ଛଅ ଥର ମାତ୍ର ଆସିଥିବ ବାପା ବୋଉଙ୍କୁ ଦେଖିବାକୁ । ସାନ ବୋହୂ ଆସେନି । ତିନି ବର୍ଷ ତଳେ ପୁଅଟେ ହେଲା । ବାପା ବୋଉ ଯାଇ ଦେଖି ଆସିଲେ । ଏ ଯାଏଁ ସାନ ନାତି ତା' ନିଜ ଘରେ ପାଦ ଦେଇନି ବୋଲି ଭାରି ମନ ଦୁଃଖ ।
ଏଥିର ଦି ଭାଇ ଖବର ଦେଇଛନ୍ତି ଦୁର୍ଗାପୂଜାରେ ଘରକୁ ଆସିବେ । ସେଥିପାଇଁ ଘରେ ଉତ୍ସବର ବାତାବରଣ । ବୋଉ ତ ବିଛଣା ଧରି ନେଇଥିଲା, ଅଥଚ ପୁଅ ବୋହୂ ନାତି ନାତୁଣୀଙ୍କୁ ଦେଖିବା ଆଶାରେ ତା' ଗୋଡ଼ ତଳେ ଲାଗୁନି । ବାପା ପୂର୍ବ ପରି ଚଳ ଚଞ୍ଚଳ । ଲୋକ ଲଗେଇ ଦି ପୁଅଙ୍କ ବିଖରାକୁ ସଫା କରି ସଜେଇ ଦେଇଛନ୍ତି । ଚିଠା ବନେଇଛନ୍ତି, କଣ ସବୁ ପରିବା ଫଳ ଆଉ ରାସନ ଆସିବ । କୋଉ ଦେକାନରୁ ସମସ୍ତଙ୍କର ଲୁଗାପଟା କିଣା ହେବ ତାହା ମଧ୍ୟ ସ୍ଥିର ହୋଇସାରିଛି । ଗାଆଁ ଜମିରୁ ନୂଆ ଚାଉଳ ଆସିଛି । ପିଲାମାନଙ୍କ ସାଙ୍ଗରେ ଏଥିର ନୂଆ ଖିଆ ହେବ । ପୂରା ପରିବାର ଗାଆଁକୁ ଯାଇ ଇଷ୍ଟଦେବୀଙ୍କ ପାଖେ ଦଶମୀପୂଜା କରିବେ । ନାତିନାତୁଣୀମାନେ ବାପାଙ୍କ ଜନ୍ମମାଟି ଦେଖିବେ । ଏମିତି କେତେ ଯୋଜନା ବନା ସରିଥିଲା । ଏଥିର ତାହାହେଲେ ପାର୍ବଣଟା ଜମିବ ।
ରାତି ପାହିଲେ ଅଷ୍ଟମୀ । ପିଲାମାନେ ପହଞ୍ଚୁ ପହଞ୍ଚୁ ବାରଟା ଗୋଟାଏ ହେବ । ତା ପୂର୍ବରୁ ଅଷ୍ଟମୀ ବ୍ରତ ପୂଜା ମଣ୍ଡପରେ ସାରି ଦେଇ ଆସିବାକୁ ରୁନି ଓ ତା' ବୋଉଙ୍କୁ ଦାସ ବାବୁ ତାଗିଦ କଲେ । ରୁନି ଶୋଇବାକୁ ଯାଇଥାଏ, ଦେଖିଲା ବୋଉ ଗୋଟେ ଚଟି ଖାତାରେ କଣ ଗାରୋଉଚି । ପଚାରିବାରୁ କହିଲା, ଅଜୁ ବିଜୁଙ୍କର ମନ ପସନ୍ଦର ଖାଇବା ସବୁ କୋଉ ଦିନ କଣ ବନା ହେବ, ତାକୁ ଲେଖୁଛି । ମନେ ମନେ ହସିଲା ରୁନି । ଯାହା ହେଉ, ଏତେ ଦିନେ ବାପା ବୋଉଙ୍କ ଏକଲା ପଣ ଦୂର ହେବ । ଏଥର ସେ ଭାଇମାନଙ୍କୁ ନିଶ୍ଚୟ କହିବ, ତମ ଦି ଜଣଙ୍କ ଭିତରୁ କେହି ଆସି ଏଠି ଚାକିରୀ କରି ବାପା ବୋଉଙ୍କ ପାଖେ ରୁହ ନ ହେଲେ, ସେମାନଙ୍କୁ ନିଜ ପାଖକୁ ନେଇଯାଅ । ସେମାନଙ୍କୁ ଏମିତି ଝୁରି ହେଉଥିବାର ସେ ଆଉ ଦେଖି ପାରୁନି ।
ଭୋରରୁ ରୁନିର ନିଦ ଭାଙ୍ଗିବା ବେଳକୁ ବାପା ବୋଉ ଯେଝା କାମରେ ଲାଗି ଯାଇଥିଲେ । ବୋଧହୁଏ ରାତିରେ ନିଦ ହେଇନି କାହାକୁ । ଦାଣ୍ଡ ଦୁଆରେ ଫୁଲମାଳ ଆଉ ଆମ୍ବ ପତ୍ର ତୋରଣ ଲାଗି ସାରିଥାଏ । ଏ ସବୁ ପ୍ରସ୍ତୁତି ଖାଲି ଦୁର୍ଗା ମାଆଙ୍କ ସ୍ଵାଗତ ପାଇଁ ନ ଥିଲା, ଦାସ ବାବୁଙ୍କ ପୁଅ ନାତିଙ୍କ ପାଇଁ ମଧ୍ୟ ଥିଲା । ପିଲାମାନଙ୍କ ସଙ୍ଗ ଖୁସି ପାଇବା ଆଶାର ଭରା ନଈରେ ବୃଦ୍ଧ ମାଆ ବାପା ଭାସି ଚାଲି ଥାଆନ୍ତି ।
ମାଆ ଝିଅ ଅଷ୍ଟମୀ ପୂଜା ସାରି ତରବରକି ଘରକୁ ଫେରି ଦେଖିଲେ, ଅଜୁ, ବିଜୁ ଓ ଦାସ ବାବୁ ଦାଣ୍ଡ ଘରେ ବସିଛନ୍ତି । ପରିବେଶ ଗମ୍ଭୀର ଜଣାପଡୁଥାଏ । ସକାଳର ଉତ୍ସାହ ଉଭେଇ ଯାଇଥାଏ ଦାସବାବୁଙ୍କ ମୁହଁରୁ । ଦି ପୁଅ ଏକା ଆସିଛନ୍ତି । ସ୍ତ୍ରୀ ପିଲା ଆସିନାହାନ୍ତି । ପିଲାମାନେ ତାଙ୍କ ମାମୁଁ ଘରକୁ ଯାଇଛନ୍ତି । ପାର୍ବଣଟା ଆଉ ସେତେଟା ପ୍ରୀତିକର ନ ଥାଏ ।
ଘରେ ପୁଅ ଝିଅ , ଝିଅ ଙ୍କ ପିଲା ଦୁହେଁ ଥିଲେ ବି ଅଭାବ ବୋଧ ଅନେକ ରହିଯାଇଥାଏ । ମଣିଷର ସବୁ ଆଶା ଯେ ପୁରା ହେବ ସେମିତି ତ କିଛି ଧରାବନ୍ଧା ନିୟମ ନାହିଁ । ରୁନି ବୋଉ ଆଖି ପୋଛି ପୋଛି ପୁଅଙ୍କୁ ଖାଇବା ପରଷି ଦେଉଥାଏ । ତାଙ୍କ ଦେହ ପା କଥା ପଚାରି ବୁଝୁଥାଏ । ହେଲେ କାଇଁ ପୁଅମାନେ ତ ମାଆ ଦେହ କଥା ପଚାରିଲେନି ! ମାଆ ସେମାନଙ୍କୁ ଝୁରି ଝୁରି ବିଛଣା ଲଗା ହେଇଯାଇଥିଲା, ସେ କଥା କଣ ସେମାନେ ଜାଣନ୍ତିନି ।
ରୁନି ଖୁଣ୍ଟଟା ପରି ଠିଆ ହେଇ ବର୍ତ୍ତମାନ ଓ ଅତୀତକୁ ଘାଣ୍ଟୁ ଥାଏ । ବାପା ଦି ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ, ସବୁ ସ୍ନେହ ପ୍ରେମ ଓଜାଡ଼ି ଦେଇଥିଲେ । ଅବଶ୍ୟ ଝିଅକୁ ଯେ ହତାଦର କରିଥିଲେ, କହି ହେବନି, କିନ୍ତୁ ପ୍ଲସ୍ ଟୁ ପରେ ତା ପଢ଼ାରେ ଡୋରି ବନ୍ଧା ହେଲା । କିଛି ଦିନ ଘର କାମ ତା' ପରେ ବାହାଘର । ବାସ୍ ଝିଅ ପାଇଁ ସମସ୍ତ ଦାୟିତ୍ୱ ସାରି ଦେଇଥିଲେ । ପୂଜାପୂଜିରେ ଝିଅ ଜ୍ୱାଇଁଙ୍କି ସଂଖୋଳି ଆଣି ନୂଆ ଲୁଗାପଟା ଦେଇ ନିଜ କର୍ତ୍ତବ୍ୟ ସମ୍ପାଦନା କରିଥାଆନ୍ତି । ରୁନି ଅନେକ ଥର ବାପାବୋଉଙ୍କୁ ନିଜ ଘରକୁ ନେବାପାଇଁ କହିଛି । ଶାଶୁ ଘର ହେଲେ କଣ ହେଲା, ନିଜ ବାପା ମାଆଙ୍କ ପ୍ରତି ତାର ବି ତ କିଛି କର୍ତବ୍ୟ ଅଛି। ବାପା ବୋଉଙ୍କର ଏମିତି ଏକା ଏକା ଉଦାସ ରହିବା ତାକୁ କଷ୍ଟ ଦିଏ । ହେଲେ ବାପା ବୋଉ ଝିଅ ଘରେ ରହିବା କଥା କଳ୍ପନା ସୁଦ୍ଧା କରନ୍ତିନି । ଦି ଦି ଟା ପୁଅ ଜନ୍ମ କରି ସେମାନେ ଝିଅ ଘରେ ରହିବେ ! ପୁଅମାନଙ୍କର ସମ୍ମାନ ତଳେ ପକାଇବେ !
ସେହି ଦିନ ରାତିରେ ହିଁ ଦି ଭାଇ ନିଜ ଆସିବାର ଅଭିପ୍ରାୟ ଜଣାଇଲେ । ବିଜୁ ହାଇଦ୍ରାବାଦ ଓ ଅଜୁ ଅହମଦାବାଦରେ ଫ୍ଲାଟ କିଣିବେ । ସେଥିପାଇଁ ଦରକାର ମୋଟା ଅଙ୍କର ଅର୍ଥରାଶି । ଆଉ ଦୁହେଁ ଫୋନରେ କଥାବାର୍ତ୍ତା ହେଇ ଏହାର ସମାଧାନ କରିସାରିଥିଲେ । ଆସିଥିଲେ ଖାଲି ବାପାଙ୍କୁ ନିଷ୍ପତି ଶୁଣାଇବା ପାଇଁ । ଗାଆଁ ଜମି ଓ ଭୁବନେଶ୍ୱର ଘର ବିକିବାଟା ହେଉଛି ସେମାନଙ୍କର ଶେଷ ନିଷ୍ପତି । କେହି ବାପା ବୋଉଙ୍କ କଥା ତ କିଛି କହିଲେନି । ଆଉ ଚୁପ୍ ହେଇ ରହିପାରିଲାନି ରୁନି। ପଚାରିଦେଲା, "ଆଉ ବାପା ବୋଉ କୋଉଠି ରହିବେ ?" ବଡ ପୁଅ କହିଲା, "ଗାଆଁରେ ଯେଉଁ ଘର ଖାଲି ପଡିଛି ସେଇଠି । ସେମାନେ କଣ ବାହାର ଜାଗାରେ ଚଳି ପାରିବେ ।" ମାନେ ବାପା ବୋଉଙ୍କୁ ସେମାନେ ନିଜ ପାଖକୁ ନେବେନି । ବା8. . . ର ତୁମ ପୁଅପଣିଆ । ବାପା ମାଆଙ୍କର ପୁଅ ମୋହ ପ୍ରତି ଏକ ଶକ୍ତ ଚାପୁଡ଼ା ବାଜିଲା । ଯେଉଁଘରେ ଆଜି ସକାଳ ପର୍ଯ୍ୟନ୍ତ ଦଶହରାର ହର୍ଷ ଉଲ୍ଲାସର ପରିବେଶ ଥିଲା, ବର୍ତ୍ତମାନ ଏତେ ଲୋକଙ୍କ ଉପସ୍ଥିତିରେ ବି ନିର୍ଜନତା ବିରାଜମାନ ଥିଲା ।
ମାଆ ଝିଅ ଦୁହେଁ ସକାଳୁ ଉପବାସରେ ଥିଲେ । କେତେ ବୁଝାସୁଝା ପରେ ରୁନି ମାଆକୁ ତାର ଶାଗୁ ଚକଟା ଟିକେ ଖୁଆଇ ଦେଇଥିଲା । ଦାସ ବାବୁ ତାଙ୍କର ଚୌକିରେ ବସି ଉପରକୁ ଚାହିଁ ରହିଥାଆନ୍ତି । ପାଟିରେ ତାଙ୍କର ଶବ୍ଦ ନ ଥାଏ । ମୁଣ୍ଡରେ ବି ବୋଧ ହୁଏ ଭାବିବାକୁ ବି କିଛି ନଥାଏ ।
ନବମୀ ଦିନ ଅଜୁ ବିଜୁ କିଛି ଲୋକଙ୍କୁ ଆଣି ଘରଦ୍ଵାର ଦେଖାଇଲେ । ଉପର ବେଳା ଗାଆଁକୁ ବି ଗଲେ ଜମି ମପା ମପି ପାଇଁ । ଆଜି ଦିନକରେ ହିଁ ଏ ସବୁ କାମ ସାରିବାକୁ ପଡିବ । ଆସନ୍ତା କାଲି ଦୁହିଁଙ୍କର ରିଟର୍ଣ୍ଣ ଟିକେଟ୍ ହେଇଛି । ବାକି କାମ ସବୁ ଅନ୍ ଲାଇନ୍ ହେଇଯିବ ।
ବାପାଙ୍କର ଗୁରୁ ଗମ୍ଭୀର ଚାହାଣୀ ଦେଖି ଭୟ ପାଇ ଯାଇଥିଲା ରୁନି । ବାପା କିଛି ତ ଗୋଟେ ଚିନ୍ତା କରୁଥାଆନ୍ତି । ଉପର ବେଳା ସେ ଘରୁ କୁଆଡେ ଚାଲିଯାଇଥିଲେ । ସଞ୍ଜବେଳକୁ ସେ ଫେରି ସମସ୍ତଙ୍କୁ ପାଖକୁ ଡାକିଲେ । ଓକିଲଙ୍କ ପାଖରୁ ସେ ନିଜ ୱିଲ୍ ବନାଇ ଆଣିଥିଲେ । ସେ ନିଜର ସମସ୍ତ ସମ୍ପତ୍ତି ଦି ପୁଅ ଓ ଝିଅଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିଲେ ।ପୁଅଙ୍କର ମନ ଉଣା ହେଲା, କିନ୍ତୁ ଦାସ ବାବୁ ନିଜର ଶେଷ ନିଷ୍ପତ୍ତି ଶୁଣାଇ ଦେଇଥିଲେ ।
ଦଶହରା ଦିନ ସହରରେ ଖୁବ୍ ଗହଳି ଲାଗିଥାଏ । ମାଆଙ୍କର ବିଦାୟ ବେଳା ଉପନୀତ । ଘଣ୍ଟ କରତାଳରେ ଉଚ୍ଛୁଳି ପଡୁଛି ଚଉଦିଗ । ପୁଅ ଦୁହେଁ ସକାଳୁ ଏୟାରପୋର୍ଟ ବାହାରି ଯାଇଥିଲେ । ଝିଅ ନାତିନାତୁଣୀଙ୍କ ପାଇଁ ନୂଆ ଲୁଗା, ମିଠା, ସବୁର ବନ୍ଦୋବସ୍ତ ସହ ଗାଡ଼ିଟିଏ ବୁଝା ସରିଥିଲା, ସେମାନଙ୍କୁ ତାଙ୍କ ଘରେ ପହଞ୍ଚାଇବା ପାଇଁ । ପୁଅମାନେ ଯିବା ପୂର୍ବରୁ ଥରେ ବି ବାପା ବୋଉଙ୍କ କଥା ପଚାରି ବୁଝିଲେନି । ରୁନି ବାଷ୍ପରୋଧ କଣ୍ଠରେ ପଚାରିଲା, "ବାପା ତୁମେ ଦୁହେଁ କଣ ଗାଆଁରେ ରହିବ ?" ବାପା ତା' ହାତକୁ ଖଣ୍ଡେ କାଗଜ ବଢାଇ ଦେଲେ । ରୁନି ଦେଖି ଚମକି ପଡିଲା । ଏକ ବୃଦ୍ଧାଶ୍ରମର ଆବେଦନ ପତ୍ର I ବାପା ନିଜର ସମସ୍ତ ପେନସନ୍ ସେଠାରେ ଦେଇ ବୋଉକୁ ନେଇ ସେଇଠି ରହିବେ । ଜଗତ ମାତାଙ୍କର ବିଜୟାଦଶମୀରେ ମାତା ପିତାଙ୍କର ପରାଜୟ.........
