Priyadarshini Samantray

Drama Romance Others

4.5  

Priyadarshini Samantray

Drama Romance Others

ଏକ ନିଆରା ସମ୍ପର୍କ

ଏକ ନିଆରା ସମ୍ପର୍କ

6 mins
242



      ଦିନ ତିନିଟାରେ ସମୟ ମିଳିଲା ସୁପ୍ରୀତିକୁ ବେଡ୍‌ ଉପରେ ଟିକେ ଗଡ଼ି ପଡ଼ିବାକୁ । ଭୋର୍ ରୁ ଏ ଯାଏ ବେଡ୍‌ରୁମ୍ ରେ ପଶିବାକୁ ବି ଫୁର୍ ସତ୍ ନାହିଁ । ଶାଶୁ, ସ୍ୱାମୀ , ଝିଅ , ଯାଆ , ଦେଢଶୁର, ଦିଅରଙ୍କୁ ନେଇ ବଡ଼ ପରିବାର ତା'ର । ସେଥିରେ ପୁଣି କୁଣିଆ ମଇତ୍ର, ସାହି ପଡ଼ିଶାଙ୍କ ଯିବା ଆସିବା ଲାଗିଥିବ | ଚା' ସସ୍‌ପେନ୍‌ ତ ଚୁଲିରେ ବସିଥିବ ସେମିତି ସକାଳୁ ରାତି ଯାଏ । ଏଇ ଖରାବେଳେ ଖାଇ ସାରିବା ପରେ ଟିକେ ବିଶ୍ରାମ ନେବାକୁ ସମୟ ମିଳେ । ସ୍ୱାମୀ ନିଜ ସୋ ରୁମ୍ ରେ ଆଉ ଝିଅ ସ୍କୁଲ୍ ରେ ଥାଏ । ଏ ସମୟ ତକ ତା'ର ଏକାନ୍ତ ନିଜସ୍ଵ ।

  

      କେତେ ଶୀଘ୍ର ସେ ଝିଅରୁ ବୋହୂଟିଏ ହେବାର ଯାତ୍ରାରେ ବଡ଼ ବଡ଼ ପାଦ ପକେଇ ମାଡ଼ି ଚାଲିଛି, ଏ କଥା ଭାବିଲେ ସେ ନିଜେ ବି ଆଶ୍ଚର୍ଯ୍ୟ ହୁଏ । ବାହାଘର ଠିକ୍ ହେବା ପରେ ନିଜ ଶାଶୁ ଘର, ଜୀବନସାଥୀ, ଏ ସବୁକୁ ନେଇ ଯେଉଁ ସଂଶୟ , ଦ୍ଵିଧା , ଭୟ, ସଂକୋଚ, ଉତ୍ସୁକତା ଆଦି ଥିଲା, ସେ ସବୁ କେତେବେଳେ କେଉଁ ମୁହୂର୍ତ୍ତରେ ମିଳାଇ ଗଲା, ସେ ନିଜେ ବି ଜାଣିପାରିଲାନି । ଏତେ ବଡ଼ ପରିବାରରେ ଏତେ ଶୀଘ୍ର ସେ ନିଜକୁ ମିଶେଇ ଦେଇଥିଲା ଯେମିତି ପାଣିରେ ଚିନି । ଆଜିକାଲି ତ ତା' ବୋଉ ବି ଅଭିମାନ କରି କୁହେ, " ତୁ ଆମକୁ ଭୁଲି ଗଲୁ " । ସବୁ ଝିଅ ମାନେ ହିଁ ସେମିତି । ଟିକେ ସ୍ନେହ, ଶ୍ରଦ୍ଧା ପାଇଲେ ଖୁବ୍ ଶୀଘ୍ର ନିଜକୁ ସବୁ ପରିସ୍ଥିତିରେ ଖାପ ଖୁଆଇ ନେବେ । ଏହା ନିଶ୍ଚିତ ରୂପେ ଏକ ଈଶ୍ଵର ଦତ୍ତ କଳା ।


    ଆଜି ବି ସେହିପରି ଏକ ନିଛାଟିଆ ଖରାବେଳେ ଖଟ ଉପରେ ଶୋଇ ରହି ଫେସବୁକ ଦେଖୁଥିଲା । ହଠାତ୍ ଉଠି ବସି ପଡିଲା । ଏ କ'ଣ . . . . ପ୍ରଭାତ୍‌ ଙ୍କର ଫ୍ରେଣ୍ଡ request ? ଭଲ ଭାବେ ପ୍ରୋଫାଇଲଟିକୁ ଦେଖିଲା ସୁପ୍ରୀତି । ହଁ ପନ୍ଦର ବର୍ଷ ପରେ ବି ସେ ଠିକ୍ ଚିହ୍ନି ପାରୁଛି । କିଛି ସମୟ ପାଇଁ ସତେ ଯେପରି ତା'ର ସ୍ପନ୍ଦନ ଚଳତ୍ ଶକ୍ତି ହୀନ ହେଇଗଲା । କିଏ ଯେମିତି ତାକୁ ପଛକୁ ପଛକୁ ଟାଣି ନେଉଛି ହାତ ଧରି । ଧୀର ପାଣିରେ କିଏ ଯେମିତି ଟେକାଟିଏ ଫିଙ୍ଗି ଦେଇଛି । 


        ଆଦ୍ୟ କୈଶୋରରୁ ଜାଣେ ସେ ପ୍ରଭାତଙ୍କୁ ଆଉ ତାଙ୍କ ପରିବାରକୁ । ତା' ବଡ଼ ଭଉଣୀ ଓ ପ୍ରଭାତଙ୍କ ବଡ଼ ଭାଇଙ୍କର ବିବାହ ପ୍ରସ୍ଥାବରୁ ଆରମ୍ଭ ଚିହ୍ନା ପର୍ଚ୍ଚ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକ ନ ମିଶିବାରୁ ବିବାହ ସମ୍ପନ୍ନ ହେଇପାରିନଥିଲା । କିନ୍ତୁ ଦୁଇ ପରିବାର ମଧ୍ୟରେ ସ୍ନେହର ସଂପର୍କ ସ୍ଥାପନ ହେଇପାରିଥିଲା । ସେବେଠାରୁ ସୁପ୍ରୀତି ଓ ପ୍ରଭାତଙ୍କର କଥା ବାର୍ତ୍ତା ଆରମ୍ଭ ହେଇଥିଲା, କେବେ ଚିଠି ମାଧ୍ଯମରେ ତ କେବେ ଫୋନ୍‌ ରେ । ଢେର୍ ସମୟ କଥା ଚାଲେ । ଆଜି ବି ଗୋଟି ଗୋଟି କଥା ମନେ ଅଛି ।

   ବୋଧ ହୁଏ ଏକା ସମୟରେ ଦୁହେଁ ପ୍ରେମରେ ପଡିଯାଇଥିଲେ ।


  ସେ କିଛି ଭାବି ପାରୁ ନ ଥାଏ, କଣ କରିବ । Friend request accept କରିବ ନା ନାହିଁ ।

   ତା' ଆଖି ଆଗରେ ନାଚି ଯାଉଥାଏ, ପୁରୁଣା ଦିନ ଗୁଡ଼ିକ । ବିଲ୍‌କୁଲ୍ ବଦଳିନି ଚେହେରା। କିଛି ସମୟ ପରେ ତା' ଦୃଷ୍ଟି ନିବଦ୍ଧ ହେଲା ପ୍ରଭାତଙ୍କ ର କଭର୍ ଫଟୋ ରେ । ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଅତି ଖୁସିରେ ପୋଜ୍‌ ଦେଇଥାଆନ୍ତି । ସତେ ଯେପରି କୋରଣା ଧରି କିଏ କୋରି ଦେଇ ଯାଉଥିଲା ଭିତରୁ । ଅସହ୍ୟ ଯନ୍ତ୍ରଣାରେ ବିଚଳିତ ହେଇଯାଉଥିଲା ମନ ସୁପ୍ରୀତିର । ଭଲ ଭାବେ ନିରୀକ୍ଷଣ କରି ଦେଖିଲା ତାଙ୍କ ସୁନ୍ଦରୀ ସ୍ତ୍ରୀ କୁ । ବୋଧ ହୁଏ ତା' ଠାରୁ ଟିକେ ଅଧିକ ସୁନ୍ଦର ଥିଲା । ଇର୍ଷାର ଜ୍ଵାଳାରେ ଛଟପଟ ହେବାକୁ ଲାଗିଲା ।


     କିଛି ସମୟ ପାଇଁ ନିଜର ବର୍ତ୍ତମାନକୁ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହୋଇଯାଇଥାଏ ସୁପ୍ରୀତି । ଭୂଲିଯାଇଥାଏ ଯେ ସେ ଜଣଙ୍କ ସ୍ତ୍ରୀ, ଜଣଙ୍କ ଘରର ବୋହୂ, ଜଣଙ୍କ ଛୁଆର ମାଆ ।


        ଶାଶୁ କେତେ ଥର ଡାକିବା ପରେ ଯାଇ ଭାବନା ରାଇଜରୁ ଫେରିଲା । ସଂଧ୍ୟା ହେଇ ଆସିଲାଣି । ପୁଣି ଘର କାମରେ ନିଜକୁ ନିୟୋଜିତ କରିବାକୁ ଚେଷ୍ଟା କଲା ସେ । ଏଥର କିନ୍ତୁ ଆଉ କାମରେ ମନ ଲାଗୁ ନ ଥାଏ । ହାତ ତା' କାମ କରି ଚାଲିଥାଏ ଆଉ ମନ ତା'ର । 

       

       ସୁପ୍ରୀତି ଆଖି ଆଗରେ ଖାଲି ପ୍ରଭାତଙ୍କ ଫ୍ୟାମିଲି ଫଟୋଟି ନାଚି ଯାଉଥାଏ । ସେ ବି ନିଜ କଭର୍ ଫଟୋରେ ସ୍ୱାମୀ ଓ ଝିଅଙ୍କ ସହ ନିଜର ଫଟୋ ରଖିଛି । ପ୍ରଭାତ ମନରେ କି ଭଳି ପ୍ରତିକ୍ରିୟା ଆସିଥିବ, ସେଇଟିକୁ ଦେଖିକି... ସେଇ କଥା ଭାବି ଚାଲିଥାଏ ।


        ରାତିରେ ସମସ୍ତେ ଶୋଇ ପଡିବା ପରେ ପୁଣି ଫେସ୍‌ବୁକ୍‌ ଖୋଲି ଦେଖିଲା । କୌତୂହଳ ବଶତଃ ଶେଷରେ accept କରିଦେଇଥିଲା ପ୍ରଭାତଙ୍କର friend request. 


     ରାତିରେ କେତେବେଳେ ନିଦ ହେଇଛି ଜାଣେନି । କିନ୍ତୁ ସକାଳୁ messenger ର notification ଶବ୍ଦରେ ନିଦ ଭାଙ୍ଗିଲା ତାର । ଖୋଲିକି ଦେଖିଲା, ପ୍ରଭାତର ମେସେଜ , ଓଡ଼ିଆରେ ଲେଖିଥିଲା , ' ସୁପ୍ରଭାତ୍ ' ।

      ହଁ ଏଇ ପଦକଟି ଥିଲା ତା ପାଇଁ ଅମୂଲ୍ୟ । ' ପ୍ରଭାତ' ଏଇ ନାଁ ଟିର ପ୍ରେମରେ ହିଁ ସେ ପଡ଼ିଯାଇଥିଲା ଆଦ୍ୟ ଯୌବନରେ । ଦୁହେଁ ଦୁହିଁଙ୍କୁ ' ସୁପ୍ରଭାତ ' କହି ହିଁ ଶୁଭେଚ୍ଛା ଜଣାଉଥିଲେ । ଏହି ପଦଟିରେ ଥିଲା ଦୁହିଁଙ୍କ ନାମର ମିଶ୍ରଣ । କି ଆକର୍ଷଣ ଥିଲା କେଜାଣି ଏ ଶବ୍ଦଟିରେ, ଗୋଟିଏ ଅତି ରକ୍ଷଣଶୀଳ ପରିବାରର ଝିଅଟି ଦୁଃସାହସ କରିଥିଲା ପ୍ରେମ କରିବାକୁ । ପ୍ରଭାତର ଉତ୍ତମ ସ୍ୱଭାବ ବିଷୟରେ ଜାଣିବା ପୂର୍ବରୁ ହିଁ ସେ ଭଲପାଇ ବସିଥିଲା ।

  ଦୁହିଁଙ୍କ ଭଲ ପାରିବାରିକ ସମ୍ପର୍କ ବୋଧ ହୁଏ ତାକୁ ସାହସ ଯୋଗାଇଥିଲା ।

  ଯଦିଓ ମନ କଥା ଆଦାନ ପ୍ରଦାନ ହେଇ ନଥିଲା ଉଭୟଙ୍କ ମଧ୍ୟରେ, ତଥାପି ଦୁହିଁଙ୍କ ଚାହାଣୀ ଅନେକ କିଛି ପ୍ରକାଶ କରୁଥିଲା ।

   ପୁଣି ଘରର ଦାୟିତ୍ଵ ସୁପ୍ରୀତି ର ଭାବନାରେ ବିରାମ ଦେଲା । ଦିନ ସାରା ମେସିନଟି ପରି ଅନ୍ୟମନସ୍କ ଭାବେ କାମ କରି ଚାଲେ । ଏତେ ବର୍ଷର ନିୟମିତ କାମ ସବୁ ହାତ ଆପେ ଆପେ କରି ଚାଲେ । ମନ ଅତୀତର ଫର୍ଦ୍ଦ ଓଲଟାଇବାରେ ବ୍ୟସ୍ତ ।


   ଧିରେ ଧିରେ ସୁପ୍ରୀତି ବି ପ୍ରଭାତର message ର ଉତ୍ତର ଦେବାକୁ ଲାଗିଲା । ଦିନ ସାରା ତା'ର ମେସେଜ୍‌ ଚେକ୍ କରିବାରେ କଟିଲା । ଆଗ ଆଗ ଖାଲି ହାଏ, ହେଲୋ ଚାଲିଲା । କିଛି ଦିନ ପରେ ପ୍ରଭାତ ମୋବାଇଲ ନଂ ମାଗିଲା । ବିନା ଦ୍ବିଧାରେ ସେ ଦେଇଦେଲା । ଏଥର ହ୍ଵାଟ୍ସଆପ ରେ କଥାବାର୍ତ୍ତା ଚାଲିଲା । 


      ଶାଶୁ ଘର କାର୍ଯ୍ୟ ବ୍ୟସ୍ତରେ ସେ ନିଜ ବୋଉ ସହ କଥା ହେଇପାରେନି , କିନ୍ତୁ ଆଜି ସେ ପ୍ରଭାତ ପାଇଁ ଯଥେଷ୍ଟ ସମୟ ବାହାର କରି ପାରୁଛି । କେମିତି କେଜାଣି ?


     ଯେବେ ବି ପ୍ରଭାତ ନିଜ ଫ୍ୟାମିଲି ଫଟୋ ଅପ୍ଲୋଡ କରୁଥାଆନ୍ତି ଫେସ୍ ବୁକ୍‌ ରେ ସେ ବି ସଙ୍ଗେ ସଙ୍ଗେ ନିଜ ସ୍ୱାମୀଙ୍କ ସହ ତା'ର ଫଟୋ ସେୟାର୍ କରୁଥାଏ ଫେସ୍‌ବୁକ୍‌ ରେ । ବୋଧ ହୁଏ ସେ ପ୍ରଭାତାଙ୍କୁ ଜଣେଇ ଦେବାକୁ ଚାହୁଁଥିଲା ଯେ, ସ୍ତ୍ରୀ ସହିତ ତାର ଫଟୋ ଦେଖି ତାକୁ କେତେ କଷ୍ଟ ହେଉଛି ।


       ପଛ କଥା ସବୁ ଭାବି ସନ୍ତୁଳି ହେଉଥାଏ ସୁପ୍ରୀତି । ବେଳେ ବେଳେ ଭାବେ ପ୍ରକୃତରେ ଏ ଆକର୍ଷଣ ଉଭୟଙ୍କ ଆଡ଼ୁ ଥିଲା ନା କେବଳ ସେ ଏକ ମରିଚୀକା ପଛେ ଗୋଡ଼ାଉଥିଲା ! 

    ଦିନେ କଲେଜରୁ ଫେରିବା ବେଳେ ଦୁଇ ପରିବାରର ଗୁରୁଜନଙ୍କ କିଛି କଥାବାର୍ତ୍ତା ତା କାନରେ ପଡିଥିଲା । ନିଜ ନାଁ ଶୁଣି ପାରିବାରୁ, ଦାଣ୍ଡ କବାଟ ପାଖରେ ଅତି ସନ୍ତର୍ପଣରେ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କରିଥିଲା । ସେଥିରୁ ସେ ପ୍ରଭାତ ଓ ତା'ର ବିବାହ ପ୍ରସ୍ତାବ ଆଲୋଚନା ହେଉଥିବା ଠଉରେଇ ନେଇଥିଲା ।


  ସେଦିନ ସେ କଣ ଶୁଣିଥିଲା ଓ କେତେ ଦୂର ବୁଝି ପାରିଥିଲା, ଏବେ ବସି ଭାବେ ।

    ଯାହା ବି ହେଇଥାଆନ୍ତା, ତା' ପୂର୍ବରୁ ହିଁ ଦୁଇ ପରିବାର ମଧ୍ୟରେ ମନାନ୍ତରର ଏକ ବିରାଟ ପୂର୍ଣ୍ଣଛେଦ ପଡି ସାରିଥିଲା । ଦୁହେଁ ଚାହିଁଲେ ବି କେହି କାହା ସହ ସମ୍ପର୍କ ରଖି ପାରିଲେ ନାହିଁ । ମନ କଥା ମନରେ ହିଁ ରହିଗଲା ।


     ଯଦି ପାରିବାରିକ ସମ୍ପର୍କରେ ତିକ୍ତତା ଆସି ନ ଥାଆନ୍ତା, ଆଜିର ସମୀକରଣ ବୋଧ ହୁଏ କିଛି ଅଲଗା ହେଇଥାଆନ୍ତା !


    ସମ୍ପର୍କରେ ତିକ୍ତତାର କାରଣ ଥିଲା ପ୍ରଭାତଙ୍କ ବଡ଼ ଭଉଣୀର ବାହାଘରରେ ସୁପ୍ରୀତି ବାପାଙ୍କ ମଧ୍ୟସ୍ତତା । ଝିଅଟି ଅପାତ୍ରରେ ପଡିଥିବାରୁ ତାଙ୍କ ଘର ଲୋକେ ତା' ବାପାଙ୍କୁ ପରୋକ୍ଷରେ ଦାୟୀ କରିଥିଲେ । ସେ କଣ ଜାଣିଶୁଣି ଝିଅଟିର ଭବିଷ୍ୟତ ନଷ୍ଟ କରିଦେଇଥିଲେ ? 


     ମଣିଷ ଚିହ୍ନିବାରେ ଭୂଲ୍ ହେବା ଟା କଣ ଏତେ ବଡ଼ ଦୋଷ ! ମଣିଷ ତ ନିଜେ ନିଜକୁ ଚିହ୍ନବା କଷ୍ଟକର , ସେପରି ସ୍ଥଳେ ଅନ୍ୟକୁ ଚିହ୍ନିବାରେ ଭୂଲ୍ ହେବା ଟା ତ ସ୍ୱାଭାବିକ ।


    ବାପାଙ୍କୁ ଦାୟୀ କରାଯିବା କଥାଟା ଅସହ୍ୟ ଥିଲା ସୁପ୍ରୀତି ପକ୍ଷେ । ଧିରେ ଧିରେ ସେ ନିଜକୁ ନିବୃତ କରିବାକୁ ଚେଷ୍ଟା କଲା ନିଜ ଆଡୁ ପ୍ରଭାତ ସହ ଯୋଗା ଯୋଗ କରିବା ପାଇଁ । 

  ସେତେ ବେଳକୁ ପ୍ରଭାତଙ୍କର ଚାକିରୀ ହେଇଯାଇଥାଏ । ତାଙ୍କ ପରିବାରର ଠିକଣା ଓ ଫୋନ ନମ୍ବର ବି ବଦଳି ସାରିଥାଏ । ବାପାଙ୍କର ଦି ଖଣ୍ଡ ଚିଠିର ଉତ୍ତର ନ ମିଳିବରୁ ସୁପ୍ରୀତିଙ୍କ ପରିବାର ଧରି ନେଇଥିଲେ ଯେ ସେମାନେ ତାଙ୍କ ଆଡ଼ୁ ସମ୍ପର୍କ କାଟି ଦେଇଛନ୍ତି । ନିଜ ପରିବାରର ସମ୍ମାନ ପାଇଁ ସୁପ୍ରୀତି ବି ନିଜ ମନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା ।


     ଅନେକ ବର୍ଷ ପରେ ସମସ୍ତ ସନ୍ଦେହ ଦୂର ହେଲା ଓ ଜଣା ପଡିଲା ଯେ ଉଭୟ ପକ୍ଷରୁ ଭୂଲ୍ ବୁଝାମଣା ହେଇଛି । କିନ୍ତୁ ..... ସେତେବେଳକୁ ସୁପ୍ରୀତି ଆଉ କାହା ଘରର କୂଳ ବଧୂ । 


      ଝିଅର ପାଟିରେ ନିଜ ସମ୍ବିତ ଫେରିପାଇଲା ସୁପ୍ରୀତି । ଝିଅ ରୀମା ବିରକ୍ତ ହେଇ କହୁଥାଏ, " ଓଃ ହ ... ମମି , ତମେ ଫୋନ୍‌ ଟା ପୂରା ଓଦା କରିଦେଇଛ । ଖରାପ୍ ହେଇଯିବ । " ଏତେକ କହି ସେ ଫୋନଟିକୁ ପୋଛିବାକୁ ଲାଗିଲା ।

   ସୁପ୍ରୀତି ବି ନିଜ ଅମାନିଆ ଆଖି ଦୁଇଟିକୁ ପୋଛି ନେଇ ଘର କାମରେ ଲାଗି ଗଲା ।


   ସେଦିନ ରାତିରେ ପ୍ରଶାନ୍ତ (ସ୍ୱାମୀ) ତା' ପାଇଁ ଗଜରା ଆଣି ଲୁଚାଇ ରଖିଥିଲେ । ଝିଅ ଶୋଇପଡିବା ପରେ ନିଜ ହାତରେ ସୁପ୍ରୀତିକୁ ପିନ୍ଧାଇ ଦେଇ ସ୍ନେହରେ କୋଳାଇ ନେଲେ । 

      କାହିଁକି କେଜାଣି ତା' ଆଖି ଲୁହରେ ଭିଜିଗଲା । ଏ ଲୁହ ଖୁସିର ଥିଲା ନା ଅପରାଧ ବୋଧ ଲାଗି କେଜାଣି ! ଦିନରାତି ପ୍ରଭାତଙ୍କ କଥା ଭାବିବା କଣ ଅପରାଧ ନୁହେଁ ! ଯାହା ହେଲେ ବି ସେ ଯେ ତା' ପାଇଁ ବର୍ତ୍ତମାନ ପର ପୁରୁଷ ! 


     କିନ୍ତୁ ମନ ତ ଲଗାମ ଛଡ଼ା । କୌଣସି କଟକଣା ମାନେନା । ପାପ-ପୁଣ୍ୟ, ଭୂଲ୍ - ଠିକ୍ ର ବିଚାର କରେନି । ଯଦିଓ ବିବେକ ଏ ସବୁ ବୁଝେ , କିନ୍ତୁ ମନକୁ ବାନ୍ଧିବାରେ ସେ ବି ଅସହାୟ ।

   ମନ ବାରମ୍ଵାର କୈଫତ୍ ଦିଏ, କାହାକୁ ଭଲ ପାଇବା କଣ ଭୁଲ୍ ! ପ୍ରଭାତଙ୍କ ପ୍ରତି ଥିବା ଦୁର୍ବଳତା କଣ ତାକୁ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରୁଛି ! ଯଦି ନା... ତେବେ ସେ କେମିତି ଭୁଲ୍ ହେଲା ! ତା' ଚରିତ୍ର ଉପରେ କାହିଁକି ଲାଗିବ ପ୍ରଶ୍ନ ଚିହ୍ନ ! ଏ ନିଆରା ସମ୍ପର୍କ ପାଇଁ ସେ କେବେ ନିଜ ନାରୀତ୍ଵର ମର୍ଯ୍ୟାଦା ହାନୀ ହେବାକୁ ଦେବନି ।


      ସେ କୌଣସି ପ୍ରତ୍ୟାଶା ନ ରଖି ହୃଦୟରୁ ଭଲ ପାଏ ପ୍ରଭାତଙ୍କୁ । ତାଙ୍କ ଖୁସି ହିଁ ତା' ପାଇଁ କାମ୍ୟ । ଏଥିପାଇଁ କେହି ତାକୁ ଦୋଷୀ କହିପାରିବେନି ।

  

    ମନ ଓ ବିବେକର ଏ ଦ୍ଵନ୍ଦ ଭିତରେ କେତେବେଳେ ରାତି ପାହି ଯାଇଛି । ପୁଣି ଏକ ନବ ପ୍ରଭାତର ଆଗମନରେ ନିଜକୁ ନୂତନ ଇଚ୍ଛା ଶକ୍ତିରେ ଭରି ସୁପ୍ରୀତି ନିଜ କର୍ତ୍ତବ୍ୟ ପଥରେ ଆଗେଇବା ପାଇଁ ପ୍ରସ୍ତୁତ ହେଲା ।

     


Rate this content
Log in

Similar oriya story from Drama