STORYMIRROR

Priyadarshini Samantray

Drama Others

3  

Priyadarshini Samantray

Drama Others

ଦୁର୍ବଳତା

ଦୁର୍ବଳତା

3 mins
185


ଏକୁଟିଆଟା ଦାଣ୍ଡ ପିଣ୍ଡାରେ ଆଉଜି , ଦୁନିଆ କଥା ଭାବି ଯାଉଥିଲେ ରମାଦେବୀ । ଆଖି ବୁଜି ନିଜ ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରରେ ଦର୍ଶନ କରିବାକୁ ଚେଷ୍ଟା କରୁଥିଲେ । ଆଖି କୋଣରେ ଲୁହ ଶୁଖି ଯାଇଥାଏ । ଆଜି ଭୋରରୁ ଘରର ସମସ୍ତେ ଯାଇଛନ୍ତି ପୁରୀ କାଳିଆ ଦର୍ଶନ ପାଇଁ । ହେଲେ ସେ ହାତ ଛଡ଼ା କରି ଦେଇଛନ୍ତି , ଏତେ ବଡ଼ ମହାର୍ଘ ସୁଯୋଗ । ଶାଶୁ, ଶ୍ୱଶୁର, ଦିଅର , ଯାଆ, ସ୍ୱାମୀ, ଝିଅ, ପୁଅ ସମସ୍ତେ ଥରେ ଥରେ ଯିବା ପାଇଁ କହିଛନ୍ତି ହେଲେ କଣ କରିବ ! ପୋଡ଼ା ଦେହଟା ତା'ର କି ଧାତୁରେ ଗଢା କେଜାଣି ଗାଡ଼ି ମଟରରେ ବସିବା ମାତ୍ରେ ବାନ୍ତି ହେବାଟା ଥୟ । ଦେହ ମୁଣ୍ଡ ବୁଲେଇ ଦେବ, ତିନି ଦିନ ଯାଏ ଦେହ ବ୍ୟସ୍ତ ଲାଗୁଥିବ । ଥରେ କି ଦି ଥର ଛୋଟବେଳେ ବସ୍ ରେ ବସିଥିଲେ, ବାସ୍‌ ଅବସ୍ଥା ଏପରି ହେଲା ଯେ କାନ ମୋଡି ହେଇ ରାଣ ଖାଇଲେ, " ମୋର କୁଆଡେ ଯିବାର ନାହିଁ ଗାଡ଼ି ଚଢି" ।

           ରମାଦେବୀଙ୍କ ବାପା ବି ଖୋଜି ଖୋଜି ଗାଆଁ ପାଖା ପାଖି ଝିଅକୁ ବିଭା ଦେଲେ, ଯେମିତି ଝିଅର କିଛି ଅସୁବିଧା ନ ହୁଏ ବାପଘରକୁ ଯିବା ଆସିବାରେ । ହେଲେ ତାଙ୍କ କପାଳ ଖରାପ , ବାପାଙ୍କ ଦେହ ଭଲ ନ ରହିବାରୁ ଭାଇ, ବାପା ବୋଉ ଦୁହିଁଙ୍କୁ ତା ପାଖକୁ ନେଇଯାଇଛି କଲିକତା । ରମା ତ ସେଠିକି ଯିବା କଥା ଚିନ୍ତା ସୁଦ୍ଧା କରି ନାହାନ୍ତି । ବାପା - ମାଆଙ୍କୁ ଝୁରି ହେଇ କାନ୍ଦୁଛନ୍ତି ଯାହା । ଅନେକ ଥର ମନ ବଳେଇଛନ୍ତି ନିଜର ଏ ଦୁର୍ବଳତାକୁ ଅତିକ୍ରମ କରିବାକୁ । ପୁଅ ଝିଅ ଅନେକ ଥର ତାଙ୍କୁ ବୁଝାସୁଝା କରି କଟକ ପର୍ଯ୍ୟନ୍ତ ବସ୍‌ରେ ନେବାକୁ ଚେଷ୍ଟା କରିଛନ୍ତି । ଗାଆଁ ଠାରୁ କଟକ ମାତ୍ର ୨୦ କି.ମି. ବାଟ । ରମା ବି ସାହସ ବାନ୍ଧି ଯାଇ ବସିଛନ୍ତି ବସ୍ ରେ । କିନ୍ତୁ ବସ୍ ଷ୍ଟାର୍ଟ୍ ହେବା ମାତ୍ରେ ବିକଳିଆ କି ଛାଟି ପିଟି ହେଇ ଓହ୍ଲାଇ ଯାଇଛନ୍ତି ଆଉ ସିଧା ଦଉଡିଛନ୍ତି ଘରକୁ । ପିଲାମାନେ ବି ତାଙ୍କ ଉପରେ ଭାରି ଅଶାନ୍ତି ।

        ପୁରୀରେ ପହଞ୍ଚିବା ପରେ ଝିଅ ଫୋନ କରିଥିଲା । ଦିପହର ହେଲାଣି । ଖାଇବାକୁ ଇଚ୍ଛା ନଥିଲା ରମାଦେବୀଙ୍କର । ମନଟା ଜଗା ଦର୍ଶନ ଆଉ ଅବଢା ପାଖେ ଲାଖିଥାଏ । ମନ ବୁଝାଇବା ପାଇଁ ଟିଭିଟା ଲଗେଇ ଦେଲେ । ଦେଖିଲେ ବ୍ରେକିଙ୍ଗ ନିଉଜ୍‌ : ପୁରୀରୁ ଫେରିବା ବାଟରେ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ । ପାଦ ଆଡ଼ୁ ଥରି ଉଠିଲା ଦେହଟା । ଥର ଥର ହାତରେ ଫୋନ ଲଗାଇ ଚାଲିଲେ ପୁଅ ଝିଅ , ସ୍ୱାମୀ, ଦିଅର ସମସ୍ତଙ୍କ ନମ୍ବରରେ । କାହା ଫୋନ୍‌ ରିଙ୍ଗ ହେଇ କଟିଲା ତ କାହାର ସୁଇଚ ଅଫ୍ କହିଲା ।

                  ବ୍ୟସ୍ତ ବିବ୍ରତ ରମାଦେବୀ କିଛି ଟଙ୍କା ଓ ମୋବାଇଲ ପର୍ସରେ ପୁରାଇ ଏକ ମୁହାଁ ହେଇ ଦୌଡିଲେ ବସ୍‌ଷ୍ଟାଣ୍ଡ । ଘର କବାଟ ବନ୍ଦ କରିବାକୁ ବି ଧ୍ୟାନ ନଥାଏ । କଟକ ଯିବା ବସ୍ ରେ ଚଢି ଗଲେ । ଯେତେ ଦେବାଦେବୀ ଙ୍କୁ ପୂଜି ଥିଲେ ତାଙ୍କ ନାଁ ରେ ମାନସିକ କରି ପକେଇଲେ । ବାଦାମବାଡିରେ ଓହ୍ଲେଇ ଲୋକଙ୍କୁ ପଚାରି ଯାଇ ପୁରୀ ବସ୍‌ରେ ବସିଲେ । ଏ ସବୁ ତାଙ୍କ ପାଇଁ ନୂଆ ଥିଲା । ଏତେ ସାହାସ କୋଉଠୁ ଆଣିଲେ କେଜାଣି । ବ୍ୟାକୁଳ ହେଇ ରାସ୍ତାର ଦୁଇ ପାର୍ଶ୍ଵକୁ ଚାହୁଁଥାଆନ୍ତି । କୁଆଡେ ଯିବେ କାହାକୁ ପଚାରିବେ !

          ପୁରୀରେ ପହଞ୍ଚି ପୋଲିସ୍ ପାଣ୍ଡି ଯାଇ ଦୁର୍ଘଟଣା ବିଷୟରେ ପଚାରିବାରୁ ଜଣେ ପୁଲିସ୍ ବାବୁଙ୍କ ତାଙ୍କୁ ମେଡିକାଲ ନେଇଗଲେ । ଜାନୁୟାରୀ ମାସରେ ତାଙ୍କ ଦେହରୁ ଝାଳ ବୋହି ଯାଉଥାଏ । ଆଉ ଅନ୍ତରରୁ ରକ୍ତ । ସଂଧ୍ୟା ଆସନ୍ନ ପ୍ରାୟ । ମେଡିକାଲ୍‌ ଭିତରର ବିଭତ୍ସ ପରିବେଶ ଭୟରେ ଜଡ ସଡ କରିଦେଉଥିଲା । ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପାଖେ ଯାଇ ପହଞ୍ଚିଲେ । ଭୟ ଓ ଆଶଙ୍କାରେ ଗୋଡ଼ ଧରୁଥାଏ । ଥରେ ଅନେଇ ଦେଇ ଲଥ୍ କରି ସେଠି ତଳେ ବସି ପଡିଲେ । ନା ଏମାନେ ତାଙ୍କ ଘର ଲୋକ ନୁହଁନ୍ତି ।

         ଫୋନଟି ବାଜି ଉଠିଲା ରମାଦେବୀଙ୍କର । ସେପଟୁ ଝିଅ କହୁଥାଏ, ବୋଉ ତୁ କୁଆଡେ ଯାଇଛୁ ଘରଦ୍ଵାର ଖୋଲା କରି !

 ଭୋ ଭୋ କାନ୍ଦି ଉଠିଲେ ରମାଦେବୀ । ଘରେ ସମସ୍ତେ ଆଶ୍ଚର୍ଯ୍ୟ । ସ୍ୱାମୀ ଗୋଟିଏ ଗାଡି ଭଢା କରି ପୁରୀ ବାହାରିଲେ ।

      ରମାଦେବୀ ବସିବା ଜାଗାରୁ ଉଠି ପୋଲିସ୍‌ ବାବୁଙ୍କୁ ଅନୁରୋଧ କଲେ ବଡ଼ଦାଣ୍ଡରେ ଛାଡ଼ିଦେବା ପାଇଁ ।

  ଗରୁଡ଼ ସ୍ତମ୍ଭ ପାଖେ ଛିଡା ହେଇ ହାତ ଯୋଡି ଚାହିଁ ରହିଲେ ପତିତପାବନଙ୍କୁ । ଲୁହ ଝରି ଯାଉଥାଏ । କାଳିଆର ଡୋରି କଣ ସତରେ ଭିଡି ଆଣିଲା । ଯାହାକୁ ନିଜ ଜୀବନର ସବୁଠାରୁ ବଡ ଦୁର୍ବଳତା ବୋଲି ଭାବି ଆସିଥିଲେ, ତାହା ତାଙ୍କ ପରିବାର ପ୍ରତି ଥିବା ଦୁର୍ବାର ସ୍ନେହ ଆଗରେ ତୁଚ୍ଛଥିଲା ।

    ଅପଲକ ନୟନରେ ଯୋଡ ହସ୍ତ ହେଇ ଧିରେ ଧିରେ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ରମାଦେବୀ ।


Rate this content
Log in

Similar oriya story from Drama