STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆଷାଢ଼ ପୂର୍ଣ୍ଣିମା ନିଶବ୍ଦରାତ୍ରୀ

ଆଷାଢ଼ ପୂର୍ଣ୍ଣିମା ନିଶବ୍ଦରାତ୍ରୀ

6 mins
354


ସେଦିନ ଥାଏ, ବୈଶାଖ ପୂର୍ଣ୍ଣିମା । ପବିତ୍ର ଲୁମ୍ବିନୀ ବନର ଗୋଟିଏ ଶାଳବୃକ୍ଷ ତଳେ ମାୟାଦେବୀଙ୍କ ଗର୍ଭରୁ ଭୂମିଷ୍ଟ ହେଲେ ଶାକ୍ୟବଂଶ ଦାୟାଦ ଶିଶୁ ଗୌତମ । ରାଜା ଶୁଦ୍ଧୋଦନଙ୍କ ଆନନ୍ଦ କହିଲେ ନସରେ । ସାରା କପିଳବସ୍ତୁ ନଗର ଉତ୍ସବମୁଖର ହୋଇଉଠିଲା । କ୍ରମେ ଶିଶୁ ଗୌତମ କପିଳବାସ୍ତୁ ରାଜ ପ୍ରାସାଦରେ ଚନ୍ଦ୍ରକଳାପରି ବଢ଼ି ବଡ଼ହେଲେ ଓ ଯୁବାବସ୍ଥାରେ ପଦାର୍ପଣ କଲେ । ପିଲାବେଳରୁ ସଂସାର ପ୍ରତି ଗୌତମଙ୍କୁ ନିରାସକ୍ତ ଦେଖି, ରାଜା ଶୁଦ୍ଧୋଦନ ତାଙ୍କୁ ସଂସାର ମାୟାରେ ବାନ୍ଧିରଖିବା ପାଇଁ କପିଳବାସ୍ତୁ ରାଜ ପ୍ରାସାଦରେ ସବୁ ବିଳାଶ ବ୍ୟବସ୍ଥା ଖଞ୍ଜି ଦେଇଥିଲେ । ରୁପସୀ ଯଶୋଧାରା ନାମ୍ନୀ କନ୍ୟାଙ୍କ ସହିତ ତାଙ୍କ ବିବାହ ମଧ୍ଯ ହୋଇ ଗଲା । ମାୟାପୁରୀର ବନ୍ଧନରେ ବେଶ କିଛି କାଳ କଟାଇ ନେଲେ ଗୌତମ । ସମୟ କ୍ରମେ ତାଙ୍କର ପୁତ୍ର ଗୋଟିଏ ମଧ୍ଯ ଜନ୍ମ ହେଲା ରାହୁଳ । ହେଲେ ଏସବୁ ସାଂସାରିକ ମାୟା ତାଙ୍କୁ ଆଉକେତେ ଦିନ ବା ବାନ୍ଧି ରଖିବ । ସିଏ ସଂସାରର ଅନ୍ୟ କୌଣସି କାର୍ଯ୍ୟ ପାଇଁ ପରା ଅଭିପ୍ରେତ ।


ଦିନେ ସେ ତାଙ୍କ ବିଶ୍ଵସ୍ତ ଅନୁଚର ଛନ୍ଦକକୁ ଡାକି କହିଲେ ତୁମେ ରଥ ସଜ କର । ମୁଁ, କାଲି ନଗର ଭ୍ରମଣରେ ଯିବି । ରାଜକୁମାର ନଗର ଭ୍ରମଣରେ ବାହାରିଛନ୍ତି ଜାଣି, ରାଜା ଶୁଦ୍ଧୋଦନ କପିଳବସ୍ତୁ ନଗରକୁ ଖୁବ୍ ଉତ୍ତମକରି ସଜାଇ ଦେଲେ । ରାଜ ରାସ୍ତାରେ ମନୋହର ତୋରଣ ସବୁ ନିର୍ମାଣ କରା ହେଲା । ପ୍ରହରୀଗଣ ସ୍ଥାନେସ୍ଥାନେ ନିଯୁକ୍ତ ହୋଇ କଡ଼ାପହରା ଦେଲେ, କୌଣସି ଦୁଃଖୀ,ବୃଦ୍ଧ, ଋଗ୍ଣ ମନୁଷ୍ୟଙ୍କ ଉପରେ କୁମାରଙ୍କ ନଜର ଯେମିତି ନ ପଡ଼ିବ ସେଥିପାଇଁ ସତର୍କତାମୂଳକ ବ୍ୟବସ୍ଥା ସବୁ ଅବଲମ୍ବନ କରାଗଲା । ପର ଦିନ ଗୌତମ ଏକ ସୁସଜ୍ଜିତ ରଥରେ ନଗର ପରିଭ୍ରମଣରେ ବାହାରି ପଡ଼ିଲେ । ଚାରି ଆଡ଼େ ଉତ୍ସବ ବାଦ୍ୟ ବାଜୁଥାଏ । ଗୌତମ ଏ ସବୁ ଖୁବ୍ ଉପଭୋଗ ପୂର୍ବକ ଆଗକୁ ଆଗେଇ ଚାଲିଥାନ୍ତି ।


କିଛି ବାଟ ଗୌତମ ଆଗକୁ ଯାଇଛନ୍ତି, ଦେଖିଲେ ବୟସଭାରରେ ନଇଁ ପଡ଼ିଥିବା ଗୋଟିଏ ଲୋଳିତ ଚର୍ମ, ପଳିତକେଶ ଦେହରେ ଜୀବନ ନଥିବାଭଳି ବୃଦ୍ଧବ୍ୟକ୍ତିଟିଏ ବାଡ଼ି ଖଣ୍ଡେ ଆଶ୍ରା କରି ଠୁକୁ ଠୁକୁ ହୋଇ ଚାଲିଛି । ଗୌତମ ସାରଥି ଛନ୍ଦକକୁ ଡାକି ପଚାରିଲେ,ଏ କ'ଣ ? କୁହତ ସଂସାରରେ କ'ଣ ଏପରି ବ୍ୟକ୍ତି, ଦେଖା ଯାଆନ୍ତି । ଛନ୍ଦକ କହିଲେ, ଅବଶ୍ୟ କୁମାର ! ବୃଦ୍ଧାବସ୍ଥା ଆସିଲେ ସମସ୍ତଙ୍କ ଯୌବନର ଜ୍ୟୋତି ଏଭଳି ଲୁଚିଯାଏ । ଗୌତମ ଆଶ୍ଚର୍ଯ୍ୟହୋଇ କହିଲେ,ତା'ହେଲେ ମୋତେ ମଧ୍ୟ ଏପରି ଅବସ୍ଥା ପ୍ରାପ୍ତହେବ ! ଆଉ ଆଗକୁ ନଯାଇ ସେ ଛନ୍ଦକକୁ ରଥ ଫେରାଇନିଅ ବୋଲି ନିର୍ଦ୍ଦେଶ ଦେଇ ସେହିଠାରୁ ଫେରି ଆସିଲେ ।


ରାଜ ପ୍ରାସାଦରେ ପହଞ୍ଚି ସେ ଖୁବ୍ ଚିନ୍ତିତ ହୋଇ ପଡ଼ିଲେ । ଶୁଦ୍ଧୋଦନ ଏହା ଜାଣିପାରି, ଛନ୍ଦକଙ୍କୁ ପଚାରିଲେ, ରାସ୍ତାରେ ସେ ବୃଦ୍ଧ ଲୋକଟାକୁ କିଏ ଛାଡ଼ିଲା । ଛନ୍ଦକ ଉତ୍ତର ଦେଲେ,ମହାରାଜ ଏହା ତ ମୁଁ ଜାଣିନାହିଁ । ବୋଧହୁଏ ଏହା ହିଁ ବିଧାତାଙ୍କ ଇଚ୍ଛା ଥିଲା ଯେ, କୁମାର ଏପରି ଜଣେ ଲୋକଙ୍କୁ ଦେଖନ୍ତୁ । ରାଜା ଚୁପ୍ ରହିଲେ ।


କିଛିଦିନ ପରେ ଗୌତମ ପୁଣି ନଗର ଭ୍ରମଣରେ ବାହାରିଲେ । ଏ ଥର ଆଗ ଠାରୁ ଆହୁରି ଅଧିକା ସତର୍କତା ମୂଳକ ବ୍ୟବସ୍ଥାସବୁ ଗ୍ରହଣ କରାଗଲା ଯେପରି କୁମାରଙ୍କୁ କୌଣସି ଅଶୁଭ ଦର୍ଶନ ହେବ ନାହିଁ । ମାତ୍ର ରାଜରାସ୍ତାରେ ତାଙ୍କ ରଥ କିଛିବାଟ ଆଗେଇ ଯାଇଛି,ତାଙ୍କୁ ଦେଖିବାକୁ ମିଳିଲା ରାସ୍ତା କଡ଼ରେ ରୁଗ୍ଣ ବ୍ୟକ୍ତିଟିଏ ପଡ଼ି ଥରୁଛି । ତା ଗୋଡ଼ ହାତ, ମୁହଁ ଆଦି ଫୁଲିଯାଇ ଲୋକଟି ବଡ଼ ବିବର୍ଣ୍ଣ ଦେଖାଯାଉଛି । ସିଦ୍ଧାର୍ଥ ପଚାରିଲେ,ଛନ୍ଦକ ! ଇଏ କଅଣ ମୁଁ ଦେଖୁଛି । ଛନ୍ଦକ କହିଲେ, ଇଏ ପରା ରୋଗୀଟିଏ,ରୋଗ ଯନ୍ତ୍ରଣାରେ ପଡ଼ି ସେ ଚିତ୍କାର କରୁଛି । ଶରୀର ମାନେ, ରୋଗ ଅଛି, ଶରୀରକୁ ରୋଗ ଗ୍ରାସ କରିଲେ ଲୋକଙ୍କୁ ଏହି ଭଳି ଯନ୍ତ୍ରଣା ଭୋଗିବାକୁ ପଡ଼ି ଥାଏ । ରଥ ଲେଉଟାଇ ସିଦ୍ଧାର୍ଥ ପ୍ରାସାଦକୁ ଫେରିଆସି ପୁଣି ଚିନ୍ତାରେ ବୁଡ଼ିଗଲେ । ତାଙ୍କ ଚିନ୍ତାଚେତନାକୁ ଗ୍ରାସକଲା, "ଏଡ଼େ ସୁନ୍ଦର ଏ ଦେହ ଦିନେ ଜରାବ୍ୟାଧିରେ ହତଶ୍ରୀ ଓ ବିବର୍ଣ୍ଣ ହୋଇପଡ଼େ !!! ତଥାପି ମନୁଷ୍ୟର ଏ ଦେହ ପ୍ରତି କେତେ କାମନା ଓ ଆକର୍ଷଣ !!!'


ମହାରାଜ ଶୁଦ୍ଧୋଦନଙ୍କ ପାଖରେ ସମସ୍ତ ଖବର ପହଞ୍ଚିଲା । ବିବ୍ରତହୋଇ ପୁତ୍ରକୁ ପ୍ରାସାଦ ମଧ୍ୟରେ ଆକୃଷ୍ଠ କରି ରଖିବାର ସମସ୍ତ ବ୍ୟବସ୍ଥା ସେ କରି ଦେଲେ । କିଛି ଦିନ ପରେ ସିଦ୍ଧାର୍ଥ ପୁନଶ୍ଚ ନଗର ଭ୍ରମଣରେ ବାହାରିଲେ । ଏଥର କିନ୍ତୁ ଶୁଦ୍ଧୋଦନ ପହରା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରି ଦେଲେ । ଆଗପରି ଏଥର ସୁସଜ୍ଜିତ ରଥରେ ସିଦ୍ଧାର୍ଥ ଅଳ୍ପ ଦୂର ଯାଇଛନ୍ତି, କର୍ଣ୍ଣରେ ତାଙ୍କର ପଡ଼ିଲା ବିକଳ ଏକ କ୍ରନ୍ଦନରୋଳ । ସେ ଦେଖିଲେ, କିଛି ଲୋକ ଏକ କୋକେଇ ଉପରେ ଜଣେ ଲୋକକୁ ଶୁଆଇ ଦେଇ ବିକଳ କ୍ରନ୍ଦନ କରି, କାନ୍ଧ ଉପରେ ବୋହି ନେଉ ଯାଉଛନ୍ତି ।


ସିଦ୍ଧାର୍ଥ ଛନ୍ଦକକୁ ପଚାରିଲେ, ଏ ସବୁ ମୁଁ କଅଣ ଦେଖୁଛି । ଛନ୍ଦକ କହିଲେ,ହଁ ଦେହରୁ ପ୍ରାଣ ଛାଡ଼ି ଗଲେ ଏହି ଶରୀର ଶବ ହୋଇଯାଏ ଓ ଆତ୍ମୀୟ ମାନେ କାନ୍ଦି କାନ୍ଦି ସେ ଶବକୁ ନେଇ ଶ୍ମଶାନରେ ପୋଡ଼ି ଦେଇ ଆସନ୍ତି । ସମସ୍ତଙ୍କୁ ଦିନେ ମରିବାକୁ ହୋଇଥାଏ, ଦେହର ଅନ୍ତିମ ପରିଣାମ ହିଁ ମୃତ୍ୟୁ । ଏହା ସେହି ଦୃଶ୍ୟ । ଛନ୍ଦକକୁ ଫେରିଚାଲ ବୋଲି ନିର୍ଦ୍ଦେଶ ଦେଲେ ଗୌତମ । ଘର୍ଘର ନାଦରେ ରଥ ଫେରି ଆସିଲା କପିଳବାସ୍ତୁ ରାଜ ପ୍ରାସାଦକୁ । ରାଜ ପ୍ରାସାଦରେ ସିଦ୍ଧାର୍ଥଙ୍କୁ ଆଉ କୌଣସି ବସ୍ତୁ ସୁଖ ଲାଗିଲା ନାହିଁ । ସେ ପ୍ରାସାଦର ସମସ୍ତ ବସ୍ତୁ ବିଳାସ, ବ୍ୟସନ ଓ ଆମୋଦ ପ୍ରମୋଦ ଭିତରେ କେବଳ ଦେଖିଲେ ସେହି ତିନୋଟି ଦୃଶ୍ୟ ।


ଯେତିକି ଦିନ ଗଡ଼ି ଯାଉଥାଏ, ଗୌତମ ସେତିକି ଚିନ୍ତାକୁଳ ହୋଇ ପଡୁଥାନ୍ତି । ଏ ସଂସାର କେବଳ ଯେ ଜରା,ବ୍ୟାଧି ମୃତ୍ୟୁର ଦୁଃଖରେ ଜର୍ଜର ! ଏହି ସଂସାର ସୁଖରେ ବୁଡ଼ିରହିବା ନିର୍ବୋଧତା ମାତ୍ର ! ଏହିଚିନ୍ତା ତାଙ୍କ ଚେତନାକୁ ଗ୍ରାସକରି ଚାଲିଥାଏ ।


ଏପରି ସ୍ଥିତିରେ ଗୌତମ ଆଉଦିନେ ପୁଣି ନଗର ଭ୍ରମଣରେ ବାହାରିଲେ । କିନ୍ତୁ ପ୍ରାସାଦରୁ ଅଳ୍ପଦୂର ଯାଇଛନ୍ତି କି ନାହିଁ ସେ ଦେଖିଲେ, ଗଇରିକ ବସ୍ତ୍ର ପରିହିତ ଓ ହସ୍ତରେ ଭିକ୍ଷାପାତ୍ର ଧରି ଜଣେ କେହି ତାଙ୍କ ଆଡ଼କୁ ଆସୁଛି । ଏ କିଏ ବୋଲି ଛନ୍ଦକଙ୍କୁ ପଚାରିବାରୁ ଛନ୍ଦକ କହିଲେ,ଏ ହେଉଛନ୍ତି ଜଣେ ସନ୍ନ୍ୟାସୀ । ଗୌତମ ସେ ସନ୍ନ୍ୟାସୀଙ୍କୁ ଅଭିବାଦନ କରି ପଚାରିଲେ, ଆପଣ କିଏ ?


ସନ୍ନ୍ୟାସୀ କହିଲେ, ମୁଁ ସଂସାରର ସମସ୍ତ ଅନିତ୍ୟ ଭୋଗ ବିଳାସ ତ୍ୟାଗକରି ନିତ୍ୟ ସୁଖ ସନ୍ଧାନରେ ବାହାରିଛି । ମୁଁ ସନ୍ନ୍ୟାସୀ ଓ ନିର୍ଜନ ସ୍ଥାନ ମୋର ବାସସ୍ଥଳୀ । ଗୌତମ ଚିନ୍ତା କଲେ, ଏହି ମାର୍ଗ ହିଁ ପ୍ରକୃଷ୍ଠମାର୍ଗ ! ସେ ଛନ୍ଦକଙ୍କୁ କହିଲେ ଚାଲ ଫେରି ଚାଲ । ଆଉଆଗକୁ ଯିବାକୁ ମୋ ମନ ବଳୁନାହିଁ । ଘର୍ଘରଘୋଷରେ ଫେରିଆସିଲା ରଥ କପିଳବାସ୍ତୁ ରାଜ ପ୍ରାସାଦକୁ ।


ଦିନେ ଗୌତମ ରାଜୋଦ୍ୟାନରେ ବୁଲୁଛନ୍ତି ଭୃତ୍ୟ ମାନେ ପହଞ୍ଚି ସମ୍ବାଦ ଦେଲେ, ଯଶୋଧାରାଙ୍କର ପୁଅଟିଏ ହୋଇଛି । ଗୌତମ କହିଲେ, ସେ ପୁଅ ନୁହଁ, ସେ ମୋପାଇଁ ଏକ ଶୃଙ୍ଖଳ ଜାତହୋଇଛି । ତେଣୁ ତା ନାମ ହେବ ରାହୁଳ । ସେଦିନ ସିଦ୍ଧାର୍ଥ ପ୍ରସାଦକୁ ଫେରିଆସି ଆଉ ବେଶିସମୟ ନ ଜାଗି ରାତିରେ ଶିଘ୍ର ଶୋଇପଡ଼ିଲେ । ନର୍ତ୍ତକୀ ଓ ବୀଣା ବାଦନ କରୁଥିବା ରମଣୀ ମାନେ ଗୌତମ ଶୋଇ ଯିବା ଦେଖି ଶୋଇ ପଡ଼ିଲେ । କିଛି ସମୟ ପରେ ସିଦ୍ଧାର୍ଥ ଉଠିପଡ଼ି ଦେଖିଲେ ଚାରିଆଡ଼େ ଶୁନଶାନ ନିସ୍ତବ୍ଧ ରାତ୍ରୀ । ସମସ୍ତେ ତନ୍ଦ୍ରାଗତ । ସେ ଛନ୍ଦକକୁ ଉଠାଇ କହିଲେ, ତୁମେ ଶୀଘ୍ର ଅଶ୍ଵକୁ ସଜକର । ଏହିକ୍ଷଣୀ ମୁଁ ପ୍ରାସାଦ ତ୍ୟାଗ କରି ବାହାରି ଯିବି । ସେ ଦେବୀ ଯଶୋଧାରାଙ୍କ ଶୟନ କକ୍ଷରେ ଯାଇ ଦେଖିଲେ,ଶିଶୁପୁତ୍ରର ମୁଣ୍ଡରେ ହାତରଖି ଗଭୀର ନିଦ୍ରାରେ ଶୋଇ ଯାଇଛନ୍ତି, ଯଶୋଧାରା । ମନକୁ ତାଙ୍କର ଆସୁଥାଏ ଶିଶୁପୂତ୍ର ରାହୁଳକୁ ଚୁମାଟିଏ ଦେବାପାଇଁ । କିନ୍ତୁ ସେ ବିରତ ରହିଲେ ।


ଅଶ୍ଵ କନ୍ଥକକୁ ସଜକରି ସାରଥୀ ଛନ୍ଦକ ଅପେକ୍ଷା କରି ରହି ଥିଲେ । ସିଦ୍ଧାର୍ଥ ତାଙ୍କ ପ୍ରୀୟ ଘୋଡ଼ାକୁ ଛାତିରେ ଭିଡ଼ି ଧରି ଗୁଣୁ ଗୁଣୁ କରି ତା' କାନରେ କହିଲେ,ଏହି ରାତିରେ ମୁଁ ଏ ପ୍ରାସାଦ ଓ ରାଜ୍ୟ ଛାଡ଼ି ଚାଲି ଯିବି । ତୁ ମୋତେ ଏଥିରେ ସାହାଯ୍ୟ କରିବୁ ନାଁ । ନିର୍ବୋଧ ପଶୁଟିର ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉଥିଲା ।

ରଜନୀ ନିଶବ୍ଦ, ସମସ୍ତେ ଗାଢ଼ ନିଦ୍ରାରେ ନିଦ୍ରିତ । ଦେବତାମାନେ ଅପେକ୍ଷା କରିରହିଛନ୍ତି ସିଦ୍ଧାର୍ଥଙ୍କ ଯିବା ସମୟକୁ । ପ୍ରାସାଦର ଦ୍ଵାର ଖୋଲି ଗଲା । କନ୍ଥକ ପିଠିରେ ବସି, ଗୌତମ ଛନ୍ଦକଙ୍କ ସହିତ ତୀରବେଗରେ ବାହାରି ଗଲେ ପ୍ରାସାଦରୁ । ତାଙ୍କ ଆଗରେ ନିର୍ଜନରାତ୍ରୀ ଏବଂ ଅନିଶ୍ଚିନ୍ତ ଭବିଷ୍ୟତ । ପଛରେ ରହିଯାଇଛି,ମାୟାପୁରୀର ସମସ୍ତ ମାୟା, ରୂପସୀ ପତ୍ନୀ, କୋମଳ ଶିଶୁ ପୂତ୍ର ରାହୁଳ । ଏହି ସମୟରେ ପୁଷ୍ପ ବୃଷ୍ଟି ହେଲା ଆକାଶରୁ । ସମସ୍ତ ଧରଣୀ ପୁଲକିତ ହୋଇଉଠିଲା । 


ପ୍ରଭାତ ବେଳକୁ ଗୌତମ ଶାକ୍ୟ ଏଵଂ କୋଲିୟ ରାଜ୍ୟ ଅତିକ୍ରମ କରି ଅନୋମା ନଦୀ ପାର କରି ଗଲେ । ସେଠାରେ ସେ ଅଶ୍ଵ ପୃଷ୍ଠରୁ ଓହ୍ଲାଇ ପଡ଼ି ଗଳାରୁ ସୁନାହାର, ଦେହରୁ ସମସ୍ତ ରାଜପରିଚ୍ଛଦ କାଢ଼ି ପ୍ରିୟ ଛନ୍ଦକଙ୍କୁ ଦେଇ ଦେଇ କହିଲେ ତୁମେ ଏସବୁ ନେଇ ଯାଅ । ମୁଁ ଆଉ ଫେରିବି ନାହିଁ । ମୁଁ ଚାଲିଲି ଏବେ ସେ ମହା ସତ୍ୟର ସନ୍ଧାନରେ । ଛନ୍ଦକ ବହୁ ଅନୁନୟ ବିନୟ କରି, ବିଫଳ ହେବା ପରେ ଖିନ୍ନ ମନା ହୋଇ ଫେରିଲେ କପିଳବାସ୍ତୁ । ପ୍ରିୟ ଘୋଟକ କନ୍ଥକ ତା ମାଲିକ ଆଉ ଫେରିବେ ନାହିଁ ଜାଣି, ଅଶ୍ରୁବର୍ଷଣ ପୂର୍ବକ ସେହିଠାରେ ପଡ଼ି ପ୍ରାଣତ୍ୟାଗ କଲା ।

ସକାଳ ହେଲା । ସମସ୍ତ କପିଳବାସ୍ତୁରେ ପ୍ରଚାର ହୋଇଗଲା ରାଜ କୁମାର କୁଆଡ଼େ ପଳାଇଛନ୍ତି । ବ୍ୟସ୍ତବିବ୍ରତ ରାଜା ଶୁଦ୍ଧୋଦନ ଚାରି ଆଡ଼କୁ ଦୂତ ପଠାଉଥାନ୍ତି । ଯଶୋଧାରା ମୁଣ୍ଡପିଟି କାନ୍ଦୁଥାନ୍ତି । ଏତିକି ବେଳେ ଛନ୍ଦକ ଆସି ରାଜାଙ୍କୁ ଗୌତମଙ୍କ ଅଙ୍ଗାଭରଣ ସବୁ ଫେରାଇଦେଇ ଶୋକ ଗଦଗଦ କଣ୍ଠରେ କହିଲେ," ମହାରାଜ ! କୁମାର ଗୌତମ ଆଉ ଫେରିବେନାହିଁ,କୁମାର ଏବେ ସତ୍ୟସନ୍ଧାନ ଓ ନିର୍ବାଣ ପଥର ଯାତ୍ରୀ ।

ଗୌତମଙ୍କ କପିଳବାସ୍ତୁ ରାଜ ପ୍ରାସାଦ ପରିତ୍ୟାଗ କରିବାର ସେ ନିଶବ୍ଦ ନିର୍ଜନ, ପବିତ୍ର ରାତ୍ରୀ ଥିଲା, ଜ୍ୟୋତ୍ସ୍ନା ବିଧୌତ ଆଷାଢ଼ ପୂର୍ଣ୍ଣିମା ରାତ୍ରୀ ।

           !!! ବୁଦ୍ଧ° ଶରଣ° ଗଚ୍ଛାମି !!!

                     


Rate this content
Log in

Similar oriya story from Inspirational