ଆସମା- ସରକାରୀ ଲଣ୍ଠନ
ଆସମା- ସରକାରୀ ଲଣ୍ଠନ


ଶେଖ୍ ଅହମ୍ମଦ, ରାସ୍ତା କଡ଼ରେ ଠିଆ ହୋଇ ଲେମ୍ବୁ ପାଣିର ଠେଲା ଲଗାଏ। ତା’ ନିଜର ଭିଟାମାଟି ଛାଡି କାହିଁ କେଉଁ କାଳରୁ ଆସି ଏଇ ମୁମ୍ବାଇର ଆଜାଦନଗର ସହରରେ ଆଶ୍ରୟ ନେଇଛି ସେ। ମହାନଗରୀ ମୁମ୍ବାଇ, ଇଏ ସମସ୍ତଙ୍କ ସ୍ୱପ୍ନର ମହାନଗର , ଏଠି କାହାର ପେଟ ଅପୋଷା ରହେନା । ସେଇଥିପାଇଁ କିଏ ବଡରୁ ବଡ ହେବାର ସ୍ୱପ୍ନ ନେଇ ଆସିଥାଏ ତ ଆଉ କିଏ ଜୀବନରେ ପରାସ୍ତ ହୋଇ ରାହାଟିଏ ଖୋଜି ଆସିଥାଏ ଏଠିକି । ଦୂର ଦୂରାନ୍ତରୁ ଜୀବନ ଜୀବିକାର ସନ୍ଧାନରେ ଅନେକ ସର୍ବହରା ଲୋକ ଚାଲି ଆସନ୍ତି ଏଠିକି । କିଏ ଫୁଟ୍ ପାଥ୍ ତ କିଏ ଷ୍ଟେସନ୍ କୁ କରି ନିଅନ୍ତି ନିଜର ଘର। କିଏ ଜୋତା ପଲିସ୍ କରେ ତ କିଏ ଠେଲା ଲଗାଏ ,କିଏ କୁଲିଗିରି କରି ପେଟ ପୋଷେ। ଅଳ୍ପ ହେଉ ବା ବହୁତ ହେଉ ସମସ୍ତଙ୍କୁ ଜୀବନଧାରଣର ରାହାଟିଏ ମିଳିଯାଏ ଏଠି। ଦଶ ବର୍ଷରୁ ଭୋକ ମେଣ୍ଟାଇବାକୁ ଘର ଛାଡିଥିବା ଶେଖ ଅହମ୍ମଦ୍ କୁ ମଧ୍ୟ କୋଳେଇ ନେଇଥିଲା ମୁମ୍ବାଇ ମହାନଗରୀ । ଦି’ଅକ୍ଷର ପାଠ ସିନା ପଢି ନଥିଲା ଅହମ୍ମଦ ହେଲେ ଭିକ ମାଗିବା ଅପେକ୍ଷା ଖଟି ଖାଇବାକୁ ପସନ୍ଦ କରୁଥିଲା ସେ। ଦଶ ଟଙ୍କା ମଜୁରୀ ନେଇ ଷ୍ଟେସନ୍ ପାଖରେ ରହୁଥିବା କାର୍ ସଫା କରିବାରୁ ଆରମ୍ଭ ହୋଇଥିଲା ତା’ ରୋଜଗାର । ଧୀରେ ଧୀରେ ବୟସ ବଢିଲା, ରୋଜଗାର ବଢିଲା। ମୁମ୍ବାଇର ମୋହ ଆଉ ଛାଡି ପାରିଲାନି ଶେଖ ଅହମ୍ମଦ୍ । ସେଇଠି ରହିଗଲା ସେ।
ଅହମ୍ମଦ କିଛି ପଇସା ମଧ୍ୟ ସଞ୍ଚୟ କରି ଠେଲା ଲଗାଇଲା ଆଜାଦନଗର ରୋଡ୍ ରେ। ଯୁବକ ଅହମ୍ମଦ ଘର ସଂସାର କଲା , ସ୍ତ୍ରୀ ସାହିନ୍ ଘର ଘର ବୁଲି ଝାଡୁପୋଛା କାମକରେ। ନିଜେ ପାଠ ପଢି ନଥିବା ଅହମ୍ମଦ ଭାବେ ପୁଅଟିଏ ହେଲେ ତା’କୁ ନିଶ୍ଚୟ ପାଠ ଶାଠ ପଢାଇ ମଣିଷ କରିବ। ତା’ ନିଜ ଭଳି ଠେଲା ଲଗାଇବାକୁ ଦେବନି କେବେ। ପୁଅ ଟିଏ ଆଶା କରି ଏକ,ଦୁଇ ,ତିନି ପରେ ଚତୁର୍ଥ ଝିଅକୁ ଜନ୍ମ ଦେଲା ସାହିନ୍ । ପରିବାର ର ଖର୍ଚ୍ଚ ବଢିଲା। ନିଜର ସ୍ୱଳ୍ପ ଆୟରେ ଝିଅ ମାନଙ୍କୁ ପଢାଇବାକୁ ସମର୍ଥ ହେଇ ପାରିଲା ନାହିଁ ଅହମ୍ମଦ । ବସ୍ତି ରେ ଥିବା ସରକାରୀ ସ୍କୁଲ୍ ରେ ସିନା ମାଗଣାରେ ପାଠ ପଢୁଥିଲେ ଝିଅମାନେ ,କିନ୍ତୁ ତାଙ୍କ ପାଠ ପଢାର ଦେଖାଶୁଣା କରିବା ଅହମ୍ମଦ୍ ର ଆୟତ୍ତ ଭିତରେ ନଥିଲା । ପରିବାରକୁ ଭଲ କରି ଦୁଇ ଓଳି ଖାଇବାକୁ ଦେଇ ପାରୁନଥିଲା, ତାଙ୍କର ବଖୁରିକିଆ ଝୋପଡି ଘରେ ଲାଇଟ୍ ଟିଏ ମଧ୍ୟ ନଥିଲା। ଅଗତ୍ୟା ଝିଅ ମାନଙ୍କ ପାଠ ପଢା ଅଧାରୁ ବନ୍ଦ କରିଦେବାକୁ ଭାବିଲା ଅହମ୍ମଦ । ସାହିନ୍ କୁ ମଧ୍ୟ କହିଦେଲା ସେମାନଙ୍କୁ ଘରକାମରେ ଲଗାଇବାକୁ । ସାନ ତିନି ଭଉଣୀ ସିନା ମାଆ ର କଥା ମାନି ସ୍କୁଲ୍ ଯିବା ବନ୍ଦ କରି ଘରେ ବସିଲେ ହେଲେ ଅହମ୍ମଦ ର ବଡ ଝିଅ ଆସମା କିନ୍ତୁ ମୋଟେ ରାଜି ହେଲା ନାହିଁ । ପାଠ ପାଢାରେ ଥିଲା ତା’ର ପ୍ରଚଣ୍ଡ ଆଗ୍ରହ । ସେ ବାପ ଙ୍କୁ ଅନୁରୋଧ କଲା “ ଅବ୍ବୁ ! ମୋର ଟିଉସନ କି ନୂଆ ବହି ଖାତା କିଛି ଦରକାର ନାହିଁ, ମୁଁ ସାଙ୍ଗ ମାନଙ୍କ ଠାରୁ ମାଗିଆଣି ପଢିଦେବି, କିନ୍ତୁ ଦୟାକରି ମୋତେ ସ୍କୁଲ୍ କୁ ଯିବାକୁ ଦିଅ “ । ନିଜର ଅସୁବିଧା କୁ ଅହମ୍ମଦ ଯେତେ ବୁଝାଇଲେ ମଧ୍ୟ ଆସମା ମୋଟେ ବୁଝିଲାନି, ପାଠ ପଢିବାର ଜିଦ୍ ରେ ଅଟଳ ରହିଲା , କାନ୍ଦି ବୋବେଇ ଉପାସ ରହିଲା । ପାଠ ପଢିବା ପାଇଁ ଝିଅ ର ଏମିତି ଜିଦ୍ ଦେଖି ଅହମ୍ମଦ ର ବାପ ହୃଦୟ ଆଉ ଧୈର୍ଯ୍ୟ ଧରି ରହି ପାରିଲାନି । ସେ ଆସମା କୁ ସ୍କୁଲ୍ ଯିବାକୁ ଅନୁମତି ଦେଲା। ଦିନରେ ସ୍କୁଲ୍ ରେ ପଢିଲା ଆସମା, ହେଲେ ସଞ୍ଜ ବୁଡିଲେ ତା’କୁ ପଢା ବନ୍ଦ କରିବାକୁ ପଡୁଥିଲା କାରଣ ତାଙ୍କ ଘରେ ଥିଲା ଗୋଟିଏ ମାତ୍ର ଲଣ୍ଠନ, ଯାହା ଆଲୁଅ ରେ ମାଆ ରୋଷେଇ କରୁଥିଲେ ସାରା ପରିବାର ପାଇଁ । ଆଉ ଗୋଟିଏ ଅଧିକ ଲଣ୍ଠନ କି କିରୋସିନି କିଣିବା ସମ୍ଭବପର ନଥିଲା ସେମାନଙ୍କ ପାଇଁ । ଅଗତ୍ୟା ଆସମା ସେଇ ସମୟରେ ମାଆଙ୍କୁ ରୋଷେଇ କାମରେ ସାହାଯ୍ୟ କରିବାକୁ ପଡୁଥିଲା । ରାତିରେ ରାସ୍ତା କଡ଼ରେ ଠିଆ ହୋଇ ଲେମ୍ବୁପାଣି ବିକ୍ରି କରୁଥିବା ଅବ୍ବୁ ପାଇଁ ରୁଟି ନେଇ ଦେଇ ଆସିବାକୁ ପଡୁଥିଲା। ଆଗକୁ ଆସୁଥିଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା, ଘରେ ରାତିରେ ପାଠ ପଢି ହେଉନଥିଲା, ଏମିତି ରେ ସେ କେମିତି ପାଶ୍ କରିବ ବୋର୍ଡ଼ ପରୀକ୍ଷା ରେ । ମନ ଦୁଃଖ ହେଉଥିଲେ ମଧ୍ୟ ଆଉ କିଛି ଉପାୟ ନଥିଲା । ସେ ସବୁଦିନେ ରାତି ରେ ଖାଇବା ନେଇ ସେ ଯାଉଥିଲା ଅବ୍ବୁ ପାଖକୁ ଆଉ ବସି ରହୁଥିଲା ସେଇଠି ଠେଲା ପାଖରେ ଅବ୍ବୁ ଖାଇ ସାରିବା ପରେ ଅଇଁଠା ବାସନ ଧରି ଫେରୁଥିଲା ଘରକୁ । ରାସ୍ତାରେ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍ ର ଉଜ୍ବଳ ଆଲୋକରେ ରାତିରେ ବି ଭୟ ଲାଗୁନଥିଲା ଆସମାକୁ। ଅବ୍ବୁ ପାଇଁ ରୁଟି ନେଇ ଯିବା ବେଳେ ଆସମା ଦେଖୁଥିଲା ରାତି ଅଧିକ ହେଲେ ରାସ୍ତା ରେ ଭିଡ ବେଶୀ ରହୁନି, ତଥାପି ତା’ ଅବ୍ବୁ ଠେଲା ଧରି ବସି ମକା ପୋଡା ବିକ୍ରି କରୁଛନ୍ତି ସେଠି। ତା’ମୁଣ୍ଡରେ ଗୋଟିଏ ବୁଦ୍ଧି ଢୁକିଲା, ସେ ଭାବିଲା ଯଦି ଏଇ ଭିଡ ନଥିଲା ସମୟରେ ସେ ଅବ୍ବୁ ପାଖରେ ବସି ଷ୍ଟ୍ରିଟ୍ ଲାଇଟ୍ ର ଆଲୁଅରେ ପଢି ପାରନ୍ତା ତେବେ କେତେ ଭଲ ହୁଅନ୍ତା । ଆଉ ଗୋଟିଏ ଲଣ୍ଠନ କିଣିବା ଦରକାର ପଡନ୍ତା ନାହିଁ ଅବ୍ବୁଙ୍କୁ। ବିନା ପଇସାରେ ଲଣ୍ଠନ ଭଳି ଆଲୁଅ ମିଳି ଯାଆନ୍ତା ପାଠ ପଢିବାକୁ । ଆସମା ନିଜର ମନ କଥା ଜଣାଇଲା ଅବ୍ବୁଙ୍କୁ। ଝିଅର କଥା ଅହମ୍ମଦର ମନକୁ ପାଇଲା। ଆସମା ତା’ରି ପାଖରେ ବସି ପାଠ ପଢିବ ଷ୍ଟ୍ରିଟ୍ ଲାଇଟ୍ ର ଉଜ୍ବଳ ଆଲୁଅରେ ,ଇଏ ତ ବଢିଆ କଥା। ତା’କୁ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି ଲଣ୍ଠନ ପାଇଁ କିମ୍ବା କିରୋସିନି ପାଇଁ । ଆନନ୍ଦରେ ସମ୍ମତି ଜଣାଇଲା ଅହମ୍ମଦ । ତା’ପରଦିନ ଠାରୁ ସଞ୍ଜ ଗଡିଗଲା ପରେ ହିଁ ଗୋଟାଏ ହାତରେ ବହିବସ୍ତାନୀ ଆଉ ଗୋଟାଏ ହାତରେ ଅବ୍ବୁର ଖାଇବା ଧରି ଚାଲି ଆସୁଥିଲା ଆସମା । ସରକାରୀ ଲଣ୍ଠନ ( ଷ୍ଟ୍ରିଟ୍ ଲାଇଟ୍) ତଳେ ବସି ମନ ଖୁସିରେ ପାଠ ପଢୁଥିଲା ବିଳମ୍ବିତ ରାତି ଯାଏଁ । ଅବ୍ବୁ ଜଗନ୍ନାଥ ହସୁଥିଲେ ତା’ ପାଖରେ। ବେପାରକୁ ବେପାର ଚାଲିଥିଲା ଆଉ ପାଠ ପଢାକୁ ପାଠପଢା । ଅଳ୍ପ କିଛି ଦିନ ପରେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆସିଲା। ଆସମା ତା’ର ସ୍କୁଲ୍ ରେ ଦେଲା ବୋର୍ଡ଼ ପରୀକ୍ଷା । ପାଠ ପଢିବା ପାଇଁ ଖୁବ୍ କମ୍ ସମୟ ମିଳିଥିଲା ତା’କୁ, ତଥାପି ପାଶ୍ କରିବ ବୋଲି ଆଶା କରିଥିଲା ଆସମା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶିତ ହୋଇଥିଲା ମହାରାଷ୍ଟ୍ର ସରକାରଙ୍କ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ । ବେଶୀ ନମ୍ବର ନରଖି ପାରିଲେ ବି ସେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲା ଆସମା ଶେଖ୍। ସ୍କୁଲ୍ ରୁ ପରୀକ୍ଷା ଫଳ ବୁଝିଆସି ଖୁସିରେ ନାଚି ଉଠିଥିଲା ଆସମା । ଅବ୍ବୁ ଅମ୍ମି ଙ୍କୁ ଖୁସିର ଖବରଟି ଜଣାଇଥିଲା। ଖୁସିରେ ପାଗଳ ହୋଇ ଯାଇଥିଲା ଶେଖ ଅହମ୍ମଦ । ତା’ର ଚଉଦ ପୁରୁଷରେ କେହି ସ୍କୁଲ୍ ମାଟି ମାଡି ନଥିଲେ ହେଲେ ଆଜି ତା’ଝିଅ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାଶ୍ କରିଛି। ତା’ର ନାଆଁ ରଖିଛି। ଅମ୍ମି ଖୁସିରେ କାନ୍ଦି ପକାଉଥିଲା, କହୁଥିଲା “ ଆର୍ଯ୍ୟ ଝିଅ ମାନଙ୍କର ପାଠ ପଢା ବନ୍ଦ କରି ଆମେ ଭୁଲ୍ କରିଛେ, ଏ ବର୍ଷ ଠାରୁ ସେମାନଙ୍କ ପାଠ ପଢା ଆଉଥରେ ଆରମ୍ଭ କରି ଦେବା। ଯେତେ କଷ୍ଟ ପଡୁ ପଛେ ଆସମାକୁ ଆଗକୁ ଦ୍ୱାଦଶ ଶ୍ରେଣୀରେ ପଢାଇବା, ଆଉ କିଛି ଘଣ୍ଟା ଅଧିକ ଖଟିବା, ଦୁଇଟି ରୁଟି କମ୍ ଖାଇବା ପଛେ ପିଲାମାନଙ୍କ ପାଠ ପଢା ବନ୍ଦ କରିବାନି। ଅମ୍ମି ସାଇତି ରଖିଥିବା ପଚାଶଟଙ୍କିଆ ନୋଟ୍ ଟିଏ ଆଣି ଅବ୍ବୁକୁ ଦେଇଥିଲେ “ ଯାଇକି ବଜାରରୁ ଲଡୁ କିଣି ଆଣ, ସାଇ ପିଲାଙ୍କର ମୁହଁ ମିଠା କରାଇବା” । ଆସମା ଖୁବ୍ ଖୁସି ହେଉଥିଲା ଏବଂ ମନେ ମନେ ଧନ୍ୟବାଦ ଜଣାଉଥିଲା ସେଇ ସରକାରୀ ଲଣ୍ଠନକୁ , ଯିଏ ତା’ ଜୀବନର ଗତିପଥକୁ ବଦଳେଇ ଦେଇଥିଲା।।