ଆଶାବାଡି
ଆଶାବାଡି
ସମୟ ହିଁ ମହାକାଳ | ମହାକାଳର ଚକ୍ରବ୍ୟୂହ ଭିତରେ ସୃଷ୍ଟିର ସମସ୍ତ ଅବର୍ଣ୍ଣନୀୟ ଅବଦାନ ତିଷ୍ଠି ରହିଛି | ମଣିଷ ଚିନ୍ତାଚେତନା ଥିବା ଏକ ଅନନ୍ୟ ଅବଦାନ ସ୍ରଷ୍ଟାଙ୍କର | ତଥାପି ସେ ଜନ୍ମବେଳେ ସମ୍ପୂର୍ଣ୍ଣ ଅସହାୟ ଥାଏ, ଅନ୍ୟର ବିନା ସାହାରାରେ ସେ ବଞ୍ଚିବା ଅସମ୍ଭବ, ତେଣୁ ପିତାମାତାଙ୍କ ହୃଦୟରେ ଅନାବିଳ ବାତ୍ସଲ୍ୟ ପ୍ରୀତି ଭରିଦେଛନ୍ତି ସ୍ରଷ୍ଟା | ଯାହା ଚିରନ୍ତନ | ପ୍ରଚ୍ଛନ୍ନରେ କିନ୍ତୁ ପିତାମାତାଙ୍କ ମନରେ ଥାଏ ଏକ କାମନା, ସେମାନଙ୍କ ବାର୍ଦ୍ଧକ୍ୟ ସମୟରେ ସେଇ ସନ୍ତାନ ହିଁ ହେବ ସେମାନଙ୍କ ସାହାରା, ଆଶାବାଡିଟିଏ | ସକାଳ ଦୁଇ ଘଡି ଖଣ୍ଡେ ହେବଣି, ଏକ ସାତ ଚିରା କନ୍ଥା ଉପରେ ଶୋଇଛି ଗୋପାଳ | ବାର୍ଦ୍ଧକ୍ୟରେ ଉପନୀତ, ଚାଲିବାର ଶକ୍ତି ବି ଆଉ ନାହିଁ | ଆଶାବାଡିଖଣ୍ଡିକ ଧରି ଯାହା ଗୋଟେ ଗୋଟେ ଚାଲି ନିତ୍ୟକର୍ମ ପାଇଁ ଯାଇପାରୁଥିଲା ବୁଢା, ଆଠଦିନ ଜ୍ୱରରେ ପଡିଗଲା ପର ଠାରୁ ଆଉ ଉଠିପାରୁନି ବିଛଣାରୁ | ପୁଅବୋହୁ ପଚାରୁନାହାନ୍ତି ଟିକେ, ଅସୁଖେଇ ହେଉଛନ୍ତି | ଗୋଟିଏ ପୁଅବୋଲି କେତେ ଶ୍ରଦ୍ଧାରେ ବଢ଼ାଇ ମଣିଷ କରିଥିଲା ତାକୁ, ଚାକିରିବାକିରି କଲାପରେ ବଡ଼ଲୋକ ହୋଇଗଲା ସିଏ | ବୋହୂଟା ବି ସେମିତି, ଅନାଇଯାଏନି ଟିକେ | ଦେହପା ବେଳେ ଡାକ୍ତରଖାନା ନେବା ବହୂ ଦୂରର କଥା | ଗୋପାଳ ଅନୁଭବ କରେ, ସେ ଯେମିତି ପୁଅବୋହୁଙ୍କ ପାଇଁ ବୋଝ ହୋଇଯାଇଛି | ଯାହାହେଉ ବୁଢ଼ୀଟା ମରିଯାଇଛି ଆଗରୁ ଭଲ ହୋଇଛି, ଏତେ ଦୁଃଖ ସେ ସହିପାରିନଥାନ୍ତା | ପୁଅବୋହୁ ସିନା ଏମିତି, ହେଲେ ନାତିଟୋକାଟା ଭଲ, ଶୁଭେନ୍ଦୁ, ସତର ଅଠର ବର୍ଷର, ସେଇ ହିଁ ତାର ଭଲମନ୍ଦ ବୁଝେ | ଗୋପାଳର ବି ସେ ଅତି ପ୍ରିୟ | ପିଲାଟି ଦିନରୁ ତା'ପାଖେ ପାଖେ ସିଏ, ପିଲାବେଳେ କାନ୍ଧରେ ବସାଇ ଗାଁ ଦାଣ୍ଡରେ ବୁଲାଇବାଠାରୁ ଆରମ୍ଭକରି ସ୍କୁଲକୁ ନେବାଆଣିବା କରିବା, ସବୁ ସେ କରିଛି | ବିଛଣାରେ ପଡି ଆଉ ଭଲଲାଗୁନଥିଲା ଗୋପାଳକୁ ଟିକେ ଉଠିବସିବାକୁ ଇଚ୍ଛା ନାତିଟା ଆସିଲେ ଉଠେଇ ଦିଅନ୍ତା | ମନ କଥା ଜାଣିପାରିବା ଭଳି ପାଖକୁ ଆସିଲା ଶୁଭେନ୍ଦୁ | ଜେଜେଙ୍କୁ ଧରି ବସେଇ ଦେଉଦେଉ କେଉଁଠି ଥିଲେ କେଜାଣି ଗର୍ଜିଉଠିଲେ ତା ବାପା, କହିଲେ, ଏଠି କଣ କରୁଛୁ, କଲେଜ ବାହାରିବୁ କେତେବେଳେ, ବୁଢାଟାର ସେବାରେ ତୋ ଦିନ ଯାଉଛି, ପାଠ ପଢ଼ୁଛୁ କେତେବେଳେ ? ଏଟା ତ ମରିବାକୁ ବସିଲାଣି, ନମରି ଯାହା ହଇରାଣ କରୁଛି ଆମକୁ | ବାପାଙ୍କର କଥାଶୁଣି ଦୁଃଖିତ ହେଲା ଶୁଭେନ୍ଦୁ, ଇଏ ପୁଣି ଜେଜେଙ୍କର ପୁଅ, ତାଙ୍କର ଆଶାବାଡି ! ବାପାଙ୍କ ଉପରେ କ୍ରୋଧ ଆସୁଥିଲା ଶୁଭେନ୍ଦୁର, କ୍ରୋଧଚାପି କହିଲା, ବାପା, ଜେଜେଙ୍କ ପାଇଁ ତୁମ ମନରେ କଣ ଟିକେ ବି ଦରଦ ନାହିଁ ? ତୁମକୁ କୋଳେଇ କାଖେଇ ମଣିଷ କରିଥିଲେ ସିଏ ବାର୍ଦ୍ଧକ୍ୟରେ ତାଙ୍କର ଆଶାବାଡି ହେବାପାଇଁ | କିନ୍ତୁ ତୁମେ କଣ କରୁଛ ? ମନେରଖ, ତୁମର ଆଉ ମାମାର ବି ଏମିତି ଦିନେ ସମୟ ଆସିବ, ସେତେବେଳେ ତୁମମାନଙ୍କୁ ବି ଏମିତି ଭୋଗିବାକୁ ପଡିବ | ମୁଁ ତ ତୁମଠାରୁ ଏସବୁ ଶିଖୁଛି, ମୋ ଠାରୁ ସେତେବେଳେ ଏଇ ଭଳି ବ୍ୟବହାର ଆଶା କରିବ | କହୁକହୁ କାନ୍ଦିଉଠିଲା ଶୁଭେନ୍ଦୁ | ଏତିକି କଥାରେ ଗମ୍ଭୀର ହୋଇଗଲେ ତାର ବାପା, ମାମା ବି କେତେବେଳୁ ସେଠାକୁ ଆସି ସବୁ ଶୁଣୁଥିଲା | କାହାରି ମୁହଁରେ ଭାଷା ନଥିଲା, ବାପାମାମା ପରସ୍ପରକୁ କେବଳ ଚାହିଁଥିଲେ | ବୋଧେ ଅନୁତାପ କରୁଥିଲେ |
ସେଇ ଦିନଠାରୁ ବଦଳିଗଲେ ଶୁଭେନ୍ଦୁର ବାପାମାଆ | ନିଜ ବାପାଙ୍କପ୍ରତି ସମ୍ବେଦନଶୀଳ ହୋଇପଡିଲେ | ସବୁ ସେବାଯତ୍ନ ସେମାନଙ୍କଠାରୁ ପାଇ ଗୋପାଳ ବି ଖୁସିହେଲା ବହୁତ | ଶୁଭେନ୍ଦୁ ଦେଖେ, ତା ବାପା ଜେଜେଙ୍କୁ ଟେକାଉଠା କରିବାଠାରୁ ନିତ୍ୟକର୍ମ ପାଇଁ ନିଜ ସାହାରାରେ ଯତ୍ନରେ ନିଅନ୍ତି, ନିଜ ହାତରେ ସଫାସୁତରା ବି କରିଦିଅନ୍ତି | ଜେଜେଙ୍କ ମନରେ ବି ଆଉ ଅବଶୋଶ ନଥିଲା, ଶୁଭେନ୍ଦୁ ଅନୁଭବ କରୁଥିଲା ଏକଥା | ତା ବାପା ଯେମିତି ତାଙ୍କ ବାପାଙ୍କର ଆଶାବାଡି ହୋଇଯାଇଛନ୍ତି |
ଦିନେ ଜେଜେ ଶୁଭେନ୍ଦୁକୁ ପାଖକୁ ଡାକି ତାର ମୁଣ୍ଡକୁ ଆଉଁସି ଦେଉଦେଉ କହିଲେ, ଶୁଭେନ୍ଦୁରେ,ତୁ ହେଉଛୁ ମୋର ବଡ଼ ଆଶାବାଡି, ମୁଁ ମଶାଣିକୁ ଗଲାବେଳେ, ମୋତେ କାନ୍ଧରେ ନେବୁ, ଜେଜେ କାନ୍ଦୁଥିଲେ, ଛୋଟ ଶିଶୁଟିଏ ପରି ଜେଜେଙ୍କୁ କୁଣ୍ଢାଇଧରିଲେ ଶୁଭେନ୍ଦୁ |
