ଆପଣାର
ଆପଣାର
ବିବାହ ର ବର୍ଷଟିଏ ପରେ କୁସୁମ ସେଦିନ ଫେରୁଥିଲା ସୁଦୂର ଲଣ୍ଡନରୁ, ଏୟାରପୋର୍ଟରୁ ଘରକୁ ଫେରିବା ବାଟରେ ଗାଡ଼ିରେ ବସି ବସି ଚିହ୍ନା ସହରଟିକୁ ନିଠେଇ ଦେଖୁଥିଲା,ସତେ ଯେମିତି ଅନେକ ବର୍ଷ ପରେ ଦେଖୁଛି!ମନ ଭିତରେ ଅନେକ ଭାବନା ପଶି ଆସୁଥିଲେ,ପୁରୁଣା ସ୍ମୃତି ସବୁ ଚେଇଁ ଉଠୁଥିଲେ।ନିଜ ସାଙ୍ଗ ସାଥୀ ଓ ପରିବାର ସଦସ୍ୟଙ୍କୁ ଭେଟିବାର ବ୍ୟାକୁଳତା ଯେମିତି ତା'ର କ୍ଷଣ କୁ କ୍ଷଣ ବଢିଚାଲିଥିଲା!ମଠାମଠି ମୁହଁଟିରେ ତା'ର ଗୋଟିଏ ପରେ ଗୋଟିଏ ରଙ୍ଗ ବଦଳିବାକୁ ଲାଗିଥିଲା,ଆଉ ସେସବୁକୁ ତା'ର ଅଲକ୍ଷ୍ୟରେ ନିରେଖି ଦେଖିଚାଲିଥିଲେ ଅମର।
ଏମିତି ଦୁହେଁ ନିଜ ନିଜ ଭାବନାରେ ବୁଡ଼ି ଯାଇଥିଲା ବେଳେ ,କେତେବେଳେ ଯେ ଘର ପାଖରେ ପହଞ୍ଚି ଯାଇଥିଲେ, ଜାଣିପାରିନଥିଲେ!କୁସୁମ ତର ତର ହୋଇ ଗାଡ଼ିରୁ ଓହ୍ଲାଇଲା ବେଳେ,ଅମରଙ୍କ ଉପରେ ଆଖି ପଡିଯାଇଥିଲା ଓ ସାମାନ୍ୟ ଅପ୍ରସ୍ତୁତ ହୋଇପଡିଥିଲା,ଯେତେବେଳେ ତାଙ୍କର ସ୍ମିତ ହାସ୍ୟଟିକୁ ସାମନା କରିଥିଲା,କାରଣ,ପୁରା ବାଟଟା ସାରା ସେ ଅମରଙ୍କର ଉପସ୍ଥିତିକୁ କେମିତି କେଜାଣି ପୁରାପୁରି ଭୁଲି ଯାଇଥିଲା!ମୁଣ୍ଡଟି ତଳକୁ କରି ,ସଲ୍ଲଜିତ କ୍ଷମାଭିକ୍ଷା କରୁଥିବା ଚାହାଣିଟିଏ ଦେଇ ନିଜ ବ୍ୟାଗଟିକୁ ନେଇଯାଇଥିଲା।
ପରିବାର ର ସମସ୍ତ ଙ୍କୁ ପାଖରେ ପାଇ କେମିତି ଏକ ଅଜଣା ପୁଲକ ରେ ପୁଲକିତ ହୋଇ ପଡ଼ିଥିଲା କୁସୁମ ଓ ତା'ର ଘରେ ଥିବା ପୁରୁଣା ପୋଷାକ ଟିକୁ ପିନ୍ଧି ସତେ ଯେମିତି ବର୍ଷ କ ତଳକୁ ଫେରିଯାଇଥିଲା।ହେଲେ,ଆଇନା ପାଖରେ ଠିଆ ହୋଇ ଯେତେବେଳେ ନିଜ ଚେହେରା ଟିକୁ ଦେଖୁଥିଲା,ଆଖି ତାର ଛଳ ଛଳ ହୋଇ ଯାଇଥିଲା।ଡ୍ରେସିଂ ଟେବୁଲର ଡ୍ର ଟି ଖୋଲି,ବର୍ଷକ ତଳୁ ରଖିଥିବା ଡଵାଟି ଉପରକୁ ହାତ ତା'ର ମନକୁ ମନ ଚାଲିଯାଇଥିଲା, ଡବାଟିକୁ ନ ଖୋଲି କେବଳ ଥରେ ଆଉଁସି ଦେଇ ରଖିଦେଇଥିଲା,ଯୋଉଟିକୁ ବହୁ ଯତ୍ନ ର ସହିତ ଦିନେ ପାର୍ଲର ରୁ ଫେରିଲା ବେଳେ ନେଇ ଆସିଥିଲା।କେଇ ଟୋପା ଲୁହ ତାର ସେଦିନ ବି ଗଡି ପଡିଥିଲା ସେ ଡ଼ବାଟି ଉପରେ।ମୁଣ୍ଡ କୁଣ୍ଡାଇବାକୁ ହାତ ତାର ଯାଉ ଯାଉ ଅଟକି ଯାଇଥିଲା,ପାନିଆଟି ଯେମିତି ତାକୁ ଥଟ୍ଟା କରୁଥିଲା!ବବ୍ କଟ ଟା ଯଦିଓ ତା'ର ନୂଆ ବେଶଭୁଷା ସାଙ୍ଗରେ ବେଶ୍ ମ୍ୟାଚ କରୁଥିଲା,ହେଲେ ମନ ଭିତର ର କୁହୁଳିଆ ରଙ୍ଗ ଟା ଯେମିତି ସଫା ହେଉନଥିଲା।ଏତେ ଲମ୍ବା କେଶଗୁଚ୍ଛ ,ଯୋଉଟା ତା'ର ଝିଅ ଜୀବନ ର ସାଙ୍ଗ ସାଥି ଙ୍କ ପାଖରେ ପରିଚୟ ହିଁ ଥିଲା,ସେଇଟାକୁ ଯେମିତି ଆଖି ତାର ଖୋଜି ପକାଉଥିଲା।
ଦିନ ଦୁଇଟି ପରେ ଅମର ଚାଲି ଯାଇଥିଲେ ଓଡ଼ିଶାରେ ଥିବା ନିଜ ଘରକୁ,କୁସୁମକୁ କିଛି ଦିନପାଇଁ ତାଙ୍କ ଘରେ ଛାଡିକି।ଯଦିଓ ନିଜ ଘର ମାତ୍ର କେଇ ମିନିଟ ସମୟ ର ଦୁରତାରେ ଥିଲା ଏୟାରପୋର୍ଟରୁ ଆସିଲା ବେଳେ,ତଥାପି ନିଜ ପରିବାରକୁ କେବଳ ଅଧଘଣ୍ଟାଏ ପାଇଁ ଦେଖାକରି ଦୁଇଜଣ ଯାକ କୁସୁମର ଘରକୁ ଚାଲିଯାଇଥିଲେ।ଅମରଙ୍କ ଘର ଲୋକଙ୍କର ଆତ୍ମୀୟତା ଓ ବୁଝାମଣା ପାଖରେ କୁସୁମ ଯେମିତି ବାନ୍ଧିହୋଇପଡିଥିଲା,।ଯଦିଓ ,କୁସୁମର ବାହାଘର ଠିକ ହେବା ପରେ,ତା'ଶାଶୁ ଙ୍କ ବରାଦ ରେ ତାକୁ ତା'ଘଞ୍ଚ କେଶଗୁଚ୍ଛକୁ ହରାଇବାକୁ ପଡିଥିଲା, ଓଡ଼ିଆ ଘରର ସବୁପ୍ରକାର ପରିପାଟିକୁ ତ୍ୟାଗ କରି ବିଦେଶୀ ଢାଞ୍ଚାରେ ଢଳିବାକୁ ପଡିଥିଲା!ତା'ବାହାଘର ବେଳେ,ସବୁଦୃଷ୍ଟି ରୁ ଭଲ ପ୍ରସ୍ତାବ ଟିଏ ବୋଲି ବିବେଚନା କରି ପୁରା ପରିବାର ଠିକ କରିଥିଲେ ଅମର ଙ୍କୁ।ସମସ୍ତଙ୍କ ପରି NRI ଜ୍ବାଇଁ କରିବାର ମୋହ ତାଙ୍କ ପରିବାର ରେ ନଥିଲା,ହେଲେ କୌଣସିଟି କାରଣ ମଧ୍ୟ ପାଇ ନଥିଲେ ,ମନା କରିବାକୁ।ସବୁ ଠିକ ହୋଇଗଲା ପରେ,ଯେତେବେଳେ ଅମରଙ୍କ ମା'ଙ୍କର ଇଚ୍ଛା ଜାଣିଥିଲା,କୁସୁମକୁ ବହୁତ ବଡ଼ ଧକ୍କାଟିଏ ଲାଗିଥିଲା,ହେଲେ ସାଙ୍ଗ ସାଥି ଓ ସମ୍ପର୍କୀୟ ଭାଇ ଭଉଣୀମାନଙ୍କ ବୁଝାଇବାରେ ,ସେତକ ମଧ୍ୟ ସ୍ଵୀକାର କରି ନେଇଥିଲା।ମନ ଭିତରର କୋହକୁ କାହାରିକୁ ଜଣାଇବାର ସୁଯୋଗ ଦେଇ ନ ଥିଲା।ଅବଶ୍ୟ ବିବାହ ପରେ ଶାଶୁଘରର ସ୍ନେହ ମମତାରେ ,ସେ ଦୁଃଖର ରଙ୍ଗ କେମିତି ଫିକା ପଡିଯାଇଥିଲା।
କୁସୁମର ତା' ପରିବାର ଓ ପୁରୁଣା ବାନ୍ଧବୀମାନଙ୍କ ସାଙ୍ଗରେ ଖୁବ୍ ଖୁସିରେ ସେଇ କେତେଟା ଦିନ କେମିତି ଯେ କଟିଯାଇଥିଲା ,ଜାଣିପାରିନଥିଲା।ଶାଶୁଘରକୁ ଫେରିଯାଇଥିଲା ଅନେକ ସ୍ମୃତିକୁ ନେଇ,କିଛି ଦିନ ସେମାନଙ୍କ ପାଖରେ କଟାଇ ଫେରିଯିବ ପୁଣି ସେଇ ସୁଦୂର ଲଣ୍ଡନକୁ।ତା' ରହିବାର ଅବଧି ସରି ଆସୁଥିବା ରୁ,ଶାଶୁ ତା'ର ସେଦିନ ତା'କୁ ପାର୍ଲର ନେଇଯିବାକୁ ବାହାରିଥିଲେ,କେଉଁ ଏକ ନୂଆ ହେୟାର କଟ୍ ତାଙ୍କ ବାନ୍ଧବୀ ଙ୍କ ଠାରୁ ବୁଝିଥିଲେ,ଆଉ କୁସୁମ କୁ ଯେ ବହୁତ ସୁନ୍ଦର ଦିଶିବ ବୋଲି ବହୁତ ଉତ୍ସୁକ ଥିଲେ,ସେତିକି ବେଳେ ଘର ଭିତରକୁ ପସି ଆସିଥିଲେ ଅମର ଓ ତାଙ୍କ ମା'ଙ୍କୁ ସିଧା ସିଧା କହିଦେଇଥିଲେ ଯେ ,କୁସୁମ ଙ୍କ ର ଆଉ ହେୟାର କଟ୍ ହେବନି ବୋଲି।ଅମରଙ୍କର ଏମିତ ସିଦ୍ଧାନ୍ତକୁ ଶାଶୁ ବୋହୁ ଦୁହେଁ ବୁଝିପାରିନଥିଲେ,କୁସୁମର ନିରୀହ ଆଖି ଦୁଇଟି କେବଳ ତା' ଶାଶୁଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଥିଲା।ଏଥର ଅମର ସୋଫା ଉପରେ ବସିପଡି ଆରମ୍ଭ କରିଥିଲେ କୁସୁମକୁ ପ୍ରଶ୍ନ ପରେ ପ୍ରଶ୍ନ–କାହିଁକି ସେ' ତାଙ୍କୁ ତାର ଇଚ୍ଛା କେବେହେଲେ ବର୍ଷକ ଭିତରେ ଜଣାଇନି ,ଆଉ ତାଙ୍କ ମା'ଙ୍କୁ ମଧ୍ୟ କେମିତି ଜଣାଇପାରିନି!କୁସୁମ କେବଳ ନୀରବ ଦ୍ରଷ୍ଟା ହୋଇ ଅପରାଧୀଟିଏ ପରି ବସିରହିଥିଲା,ଆଉ ଅମରଙ୍କର କଥା ଗୁଡିକ ଯେମିତି ତା' କାନରେ ବିଶ୍ୱାସ ଯୋଗ୍ୟ ହୋଇ ପାରୁନଥିଲା, ଯଦିଓ ମନ ଭିତରେ ଉତ୍ତର ଗୁଡିକ ଆଉଟୁ ପାଉଟୁ ହୋଇଯାଉଥିଲେ!
ଅମରଙ୍କର କଥାର ଡୋର ଲମ୍ବି ଯାଇଥିଲା–ଜାଣିଛୁ ମମ୍,କୁସୁମକୁ ତା'ର ଲମ୍ବା ବେଣୀଟା ବହୁତ ପ୍ରିୟ ଥିଲା,ସେଇଟା ଯୋଗୁଁ ତା'ର ସ୍କୁଲ ,କଲେଜ ଓ ଅନ୍ୟ ସାଙ୍ଗସାଥି ସମସ୍ତେ ତାକୁ ଏଯାଏଁ ମନେ ରଖିଛନ୍ତି,ଆଉ ତୋ ବୋହୁ ସମସ୍ତଙ୍କ ପାଖରେ 'କେଶବତୀ କନ୍ୟା' ବୋଲି ପରିଚିତ।ସାମାନ୍ୟ ହସି ପକାଇ ପୁଣି କହିଚାଲିଲେ-ସେଇଟା ହିଁ ଯେମିତି ତାର ପରିଚୟ ଥିଲା,କେହି କାଟିବାକୁ କହିଲେ,କୁସୁମ ଏକପ୍ରକାର ହିଂସ୍ର ହୋଇଯାଉଥିଲା ବୋଲି ,ତାର ଜଣେ ବାଲ୍ୟ ବନ୍ଧୁ କହୁଥିଲେ!ମୋର ସେଇ ଦୁଇ ଦିନର ରହଣି ଭିତରେ, ମୁଁ ତାର କଟା ହୋଇଥିବା ଲମ୍ବା କେଶଗୁଚ୍ଛକୁ ଗୋଟିଏ ଡବା ରେ ସାଇତା ହୋଇ ରହିଥିବା ଦେଖି,ତାଙ୍କ ଘରେ ପଚରା ଉଚୁରା କରି ବୁଝିଥିଲି।ତା'ପରେ ତାର ବାଲ୍ୟ ବାନ୍ଧବୀଙ୍କ ସଙ୍ଗେ ହଠାତ୍ ଦେଖାହୋଇଯାଇଥିଲା ତାଙ୍କ ଘରେ,ଯାହାଠାରୁ ମୁଁ ସବୁ ଶୁଣି ,ଠିକ ଭାବରେ ଅନୁଭବ କରିପାରିଥିଲି କୁସୁମର ମନୋ ଦଶା କୁ। କ'ଣ କହୁଛୁ ମମ୍,ତା'ର ବିଦେଶୀ ପରିପାଟି ସାଙ୍ଗରେ ଲମ୍ବା ବେଣିଟା ମ୍ୟାଚ୍ କରିବନି??
ଏଥର ଅମରଙ୍କ ମମ୍ ଉଠିଆସିଥିଲେ କୁସୁମର ନିକଟକୁ ଓ ତା'କାନ୍ଧରେ ହାତ ରଖି ପଚାରିଦେଇଥିଲେ–ଆଲୋ, ତୋର ଯଦି ଏତେ ପସନ୍ଦ ଲମ୍ବାବେଣି ରଖିବାକୁ,ତା'ହେଲେ ଥରୁଟିଏ ମତେ କହିଲୁନି?ବିଦେଶରେ ରହିବୁ ବୋଲି କ'ଣ ତୋର ନିଜର ଇଛା କିଛି ନାହିଁ?ତୋ ଖୁସି କ'ଣ ଆମର ଖୁସି ନୁହେଁ? ଆମେ ମାନେ କ'ଣ ତୋର ଆପଣା ର ନୁହେଁ? ତା' ଛଡା, ଯେତେ ବିଦେଶରେ ରହିଲେ ବି ଆମ ରକ୍ତ ପରା ସେଇ ଓଡ଼ିଆ ଘର ର!ମୁଁ ସିନା ପିଲାଟିବେଳୁ ପୁରା ଛୋଟ ଛୋଟ କେଶ ରଖିବାକୁ ଭଲପାଏ ବୋଲି ଜାଣିପାରିନଥିଲି,ହେଲେ,ଅମୁ(ଅମର ଙ୍କୁ ଶ୍ରଦ୍ଧା ରେ ଡାକନ୍ତି)ଠାରୁ ତୋ'କଥା ଶୁଣି ମତେ ଭାରି ଦୋଷୀ ଦୋଷୀ ଲାଗୁଛି।ତୋର ଯାହା ପସନ୍ଦ ,ସେଇଆ କରିବୁ।ତାଙ୍କର ଏତିକି କଥାରେ ,କୁସୁମ ର ମନ ଭିତରର ଛଟପଟ ହେଉଥିବା କଥା ଗୁଡିକ ଯେମିତି ବାହାରକୁ ଆସିବାକୁ ବାଟ ପାଇ ଯାଇଥିଲେ,ତା'ପାଟିରୁ ବହାରିଆସିଥିଲା–ନାଇଁ ମମ୍, ଆପଣମାନେ ଏତେ ଭଲ ଯେ,ମତେ କିଛି କହିବାକୁ ଖରାପ ଲାଗୁଥିଲା।ଆମ ଘର ର ସବୁ ପରିସ୍ଥିତିକୁ ଏତେ ସହଜ ଭାବରେନେଇ ,ଏତେ ସ୍ନେହ ଅଜାଡି ଦେଇଥିଲ ଯେ ଆପଣଙ୍କ ଖୁସି,ମୋର ଏ ଛୋଟ ହେୟାର ଷ୍ଟାଇଲ ବଦଳାଇବା ପାଖରେ କିଛି ନୁହେଁ ଭାବି ଚୁପ ରହି ଯାଇଥିଲି!
କିଛି ସମୟ ପରେ କୁସୁମ ଓ ତା'ଶାଶୁ ଉଠିଯାଇଥିଲେ ନିଜ ନିଜ ରୁମ୍ ଭିତରକୁ, ବାହାରକୁ ଯିବା ପୋଷାକ ବଦଳାଇ ଲଣ୍ଡନ ଯିବାକୁ ବ୍ୟାଗ ପ୍ୟାକ କରିବାକୁ ଲାଗିପଡିଥିଲେ,ଆଉ ସେତିକି ବେଳେ ଅମର କୁସୁମର କାନ ପାଖରେ ଆସି ଚୁପକରି କହିଦେଇଥିଲେ –ମତେ ବି ସେଇ 'କେଶବତୀ କନ୍ୟା' ପସନ୍ଦ ହେଇଥିଲା,ମମ୍ ତୁମକୁ ବବ୍ କଟ୍ କରିବା କୁ କହିଥିଲା ବୋଲି ଜାଣିନଥିଲି।'କୁସୁମର ମୁହଁ ରେ ଛୋଟିଆ ସଲ୍ଲଜ ହସଟିଏ ଖେଳି ଯାଇଥିଲା।