puspanjali das

Inspirational

4  

puspanjali das

Inspirational

ଆପଣା-ପର

ଆପଣା-ପର

6 mins
233



  

     ସଞ୍ଜ ନଇଁ ଆସୁଥିଲା।ଠାକୁର ଘର ଟି ଆଭା ର ଧୂପଦୀପ ଆଳତୀ ରେ ମନ୍ଦିର ପରିବେଶ ର ଭ୍ରମ ସୃଷ୍ଟି କରୁଥିଲା!ଜଗାକାଳିଆ ର ଚକା ଆଖି ଭିତରେ ସତେ ଯେମିତି ଆଭା ନିଜକୁ ହଜାଇ ଦେଇଥିଲା!ମୁଣ୍ଡିଆ ଟି ମାରି ଉଠୁ ଉଠୁ,ଝିଅ ମିଲି ର ଡାକ ରେ ସବୁ ଧ୍ୟାନ ତା'ର କାଳିଆ ଉପରୁ ଯାଇ ମିଲି ର ଧଇଁ ସଇଁ ହୋଇ ଯାଉଥିବା ଡାକ ରେ ଅଟକି ଯାଇଥିଲା!ଠାକୁର ଘରୁ ବାହାରି ଆସୁ ଆସୁ ମିଲି ର ଝାଳନାଳ ହୋଇଥିବା ଶୁଖିଲା ମୁହଁ ଟିକୁ ଦେଖି ,ତା',ପାଖରେ ବସିପଡିଥିଲା,ଆଉ ଧୀରେ କରି ପଚାରି ଦେଇଥିଲା-ଆଲୋ,କଣ ହେଲା,ଏତେ ଧଇଁସଇଁ କାହିଁକି ହୋଇଯାଉଛୁ?ମିଲି ଏଥର ଆଭାର ଅଣ୍ଟା କୁ ତା'ର କୁନି କୁନି ଦୁଇ ହାତରେ କୁଣ୍ଢେଇ ଧରି କହି ପକାଇଲା-ଆପଣା କିଏ,ପର କିଏ ବୋଉ?ମିଲି ର ଏଭଳି ପ୍ରଶ୍ନ ରେ ସେ ସାମାନ୍ୟ ଆଶ୍ଚର୍ଯ୍ୟ ଓ ବିଚଳିତ ହୋଇଯାଇଥିଲେ ମଧ୍ୟ ,ତାକୁ କୋଳ କୁ ଟାଣି ନେଇ କହିପକାଇଲା-କିଏ ଏକଥା ତତେ କହିଲା କି?କାହିଁକି ଏମିତି ପଚାରୁଛୁ?ମିଲି ର କଅଁଳ ନିଷ୍ପାପ ମୁହଁ ଟିରେ ଯେମିତି ଅନେକ ପ୍ରଶ୍ନ ଘୁରି ବୁଲୁଥିଲା।ପ୍ରଶ୍ନିଳ ଆଖିରେ ତା'ମୁହଁକୁ ଅନାଇ କେବଳ କହିଲା-ନାଁ,ତୁ ଆଗ କହ,ଆପଣା କିଏ,ପର କିଏ,ମୁଁ ତା'ପରେ କହିବି।

   ଆଭାର ମନ ଭିତରେ ଅନେକ ପ୍ରଶ୍ନ ଉଠୁଥିଲେ ବି,ମିଲି ର ମନରକ୍ଷା କରିବାକୁ ଯାଇ କହିଦେଲା-ଆପଣାର ମାନେ ନିଜର,ଯେମିତି ତୁ ମୋର ନିଜର ଆଉ ମୁଁ ତୋର ।ଏଥର ମିଲି ର ସ୍ୱର ରେ ଦୃଢତା ରହିଥିଲା-ତା'ହେଲେ ,ପର କିଏ?ପୁଣି ଅଡ଼ୁଆ ରେ ପଡିଯାଇଥିଲା ଆଭା,ଏଡ଼େ ଟିକିଏ ଛୁଆ କୁ ପର କିଏ ବୁଝାଇବାକୁ,କାରଣ ସେ ଜାଣିଥିଲା,ନିଶ୍ଚୟ କୌଣସି କଥା କୁ ନେଇ ମିଲି ର ମନ ରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ଯୋଉଥିପାଇଁ ତାକୁ ସେ କଥା ପଚାରିବାକୁ ଏତେ ଜୋରରେ ସେ ଦୌଡ଼ିକି ଚାଲି ଆସିଛି!ତଥାପି ନିଜକୁ ସହଜ କରି ନେଇ ମିଲି ର ମୁହଁ ରୁ ଘଟଣା ଟି ଶୁଣିବାକୁ ପ୍ରୟାସ କରିଥିଲା।ବାଲ୍ୟସରଳତା ରେ ମିଲି ମଧ୍ୟ ଜିଦ୍ଦି ଛାଡି ,କହିଦେଇଥିଲା ଯେ ତାଙ୍କ ପଡିଶା ଘର ମାଉଷୀ ତାଙ୍କ ଘର ମାଳୀ ମାଉସୀ କୁ ପର ପର କହି ଜୋର ରେ ଗାଳି ଦେଉଥିଲେ,ଯାହା ମିଲି ର କଅଁଳ ମନ ରେ ଆଘାତ ଲାଗିବା ସାଙ୍ଗକୁ ଦ୍ବନ୍ଦ୍ୱ ସୃଷ୍ଟି କରିଥିଲା!

     ଆଠ ବର୍ଷ ର ମିଲି,ଆଭା ର କଥାରେ ଅବଶ୍ୟ ସେ ପ୍ରଶ୍ନ ର ସିଧା ଉତ୍ତର ନ ପାଇ ମଧ୍ୟ ବୁଝିଗଲା ପରି ଅନ୍ୟ ରୁମ୍ କୁ ଚାଲି ଯାଇଥିଲା,ହେଲେ ଆଭା ର ମନ ଭିତରେ ଖେଳି ଯାଉଥିଲା ପଡିଶା ଘର ର ମାଳୀ ମାଉସୀ ଯିଏ ପଡୋଶୀ ଘର କୁ ନିଜ ଘର ଠାରୁ ଅଧିକ ଯତ୍ନ ନେଉଥିଲା,କେବେହେଲେ କାହାରିକୁ ବାଡ଼ି ବଗିଚାରେ ହାତ ଲଗେଇ ଦେଉ ନ ଥିଲା।ନାଁ କୁ ସିନା ମାଳୀ ଥିଲା ସେ ଘର ର ,ହେଲେ,କେହି କେବେ ତାକୁ ସେ ଘର ର ନୁହେଁ ବୋଲି ଭାବିପାରୁନଥିଲେ,ଏତେ ଆତ୍ମିୟତା ଥାଇ ମଧ୍ୟ ତାକୁ ବି ତା'ମାଲିକିଆଣି ଠାରୁ ପର ବୋଲି ଶୁଣିବାକୁ ପଡିଲା!ଅବଶ୍ୟ ସେ ଜାଣିଥିଲା,ସେ ପଡୋଶୀ ଙ୍କ ଉଦ୍ଧତ ପ୍ରକୃତିକୁ,ତଥାପି ସହଜରେ ତାଙ୍କ କଥାକୁ ଗ୍ରହଣ କରିପାରୁନଥିଲା!

       ତା'ଭାବନା ର ସୁଅ ରେ ଭାଷି ଆସିଥିଲା,ସେଇ ପର ଆପଣାର ସବୁ ଭେଦ ଭାବ କୁ ପୂର୍ଣ୍ଣଛେଦ ପକାଇଥିବା ମଣିଷ ଦୁଇଟି...'ବା' ଆଉ 'ସାନମା'!ଗାଁ ରେ ରହୁଥିଲେ ଜେଜେବାପା ଓ ଜେଜେମା,ଯାହାକୁ ସିଏ ପିଲାଟିବେଳୁ 'ବା' ଆଉ 'ସାନମା'ଡାକୁଥିଲା।ସେ ଡାକ ଟା ତାର ଏକା ନୁହଁ,ସେ ପାଞ୍ଚ ଭାଇ ଭଉଣୀ ଙ୍କ ର ଥିଲା!କାହାରି ମନରେ କିନ୍ତୁ କେବେ ବି ପ୍ରଶ୍ନ ଉଠି ନ ଥିଲା ସେମିତିଆ ଡାକ କୁ ନେଇ,ହୁଏତ ସେ ସମୟ ରେ ସେମିତି ଡାକୁଥିଲେ ଭାବି,ସମସ୍ତେ ଖୁସି ରେ ଆପଣେଇ ନେଇଥିଲେ!' 'ବା' ଆଉ 'ସାନମା'ଦୁଇଟି ମଣିଷ ଥିଲେ ସତ, ହେଲେ ମନପ୍ରାଣ ଯେମିତି ଗୋଟିଏ ଥିଲା!ଅବଶ୍ୟ ରୂପ,ଗୁଣ ରେ ସମ୍ପୂର୍ଣ୍ଣ ବିପରୀତ ଆଉ ଅଦ୍ଭୁତ ଥିଲେ ଦୁହେଁ!ସାନ ମା,ସ୍ତ୍ରୀ ଲୋକଟିଏ ହୋଇଥିଲେ ବି ସବୁଯାକ ପୁରୁଷ ସୁଲଭ ଗୁଣ ର ଅଧିକାରୀ ଥିଲା,ଦେଖିବାକୁ ଅବଶ୍ୟ ଗୋରା ତକ ତକ ସୁନ୍ଦରୀ,କିନ୍ତୁ ହଟ୍ଟା କଟ୍ଟା ଚେହେରା,ଆଉ 'ବା' ଠିକ ବିପରୀତ-ସରୁ ନହକା କୃଷ୍ଣ ବର୍ଣ୍ଣ ର ମଣିଷ ଟିଏ।ସ୍ତ୍ରୀ ଲୋକ ଟିଏ ହଉ ହଉ ଯେମିତି ଭୁଲ ରେ ପୁରୁଷ ଟିଏ ହୋଇ ଯାଇଥିଲେ! ଧୀରସ୍ଥିର ଶାନ୍ତ ସ୍ଵଭାଵ ର, କାହାକୁ ଜୋର କରି ପଦେ ହେଲେ କହି ପାରନ୍ତି ନାହିଁ!ଗାଁ ର ସବୁ ଜମିବାଡ଼ି ର କାଗଜପତ୍ର କଥା ସେଥିପାଇଁ ସାନମା ହିଁ ବୁଝାବୁଝି କରେ!ଏମିତି କି ନଡ଼ିଆ ଗଛ ରୁ କେତେ ନଡ଼ିଆ ବିକ୍ରି ହବ,ଧାନ କେତେ ରହିବ,କେତେ ବିକ୍ରି ହବ,ଏକଥା ବି ସାନମା ହିଁ ଠିକ କରେ।ନଡ଼ିଆ ଗଛ ର ଡାଳ ପତ୍ର ଠୁ ଆରମ୍ଭ କରି ବାଡିଘର ର ପରିବାପତ୍ର ସବୁ ବିକ୍ରି କରି ଗାଁ ଭିତରେ ନିଜକୁ ପୁରୁଷ ର ସମକକ୍ଷ କରିଦେଇଥାଏ!ତା'ବେପାରୀ ବୁଦ୍ଧି ରେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଆନ୍ତି।ଗରିବଗୁରୁବା ଙ୍କ ର ଏକପ୍ରକାର ଆଶ୍ରା ଥାଏ କହିଲେ ଚଳିବ, ଖାଲି ଯେ ବେପାର କରେ,ସେକଥା ନୁହେଁ, ବନ୍ଧାଛନ୍ଦା ଦିଆନିଆ କରି ବହୁତ ଜଣଙ୍କୁ ସାହାଯ୍ୟ ମଧ୍ୟ କରେ ! ହେଲେ,ନିଜ ବେପାରୀ ବୁଦ୍ଧି କିନ୍ତୁ ଛାଡେନି।ଅବଶ୍ୟ ବହୁତ ଗରିବ ଙ୍କ ର ଦୁଃଖ ସହି ନ ପାରି ସୁଧ ଟିକକ ଛାଡି ଦିଏ,ହେଲେ ମୂଳ ତକ ଆଦାୟ ନ କରିବା ପର୍ଯ୍ୟନ୍ତ ତାକୁ ନିଦ ନ ଥାଏ!ଗାଁ ର କୁଜି ମହାଜନ କହିଲେ ଅତ୍ୟୁକ୍ତି ହେବ ନାହିଁ!

     ଖରାବେଳସାରା ଜଗି ରହିଥାଏ,କାଳେ କିଏ ତା'ବାଡ଼ି ରୁ କରମଙ୍ଗା ଟାଏ କି କଞ୍ଚାଳଙ୍କା ଦୁଇଟା ଚୋରେଇ ନବ ବୋଲି!ଏଗୁଡା କାହିଁକି ବିକୁଛୁ,ଏତେ ପଇସା କ'ଣ କରିବୁ ବୋଲି ପଚାରିଲେ,ହସିକି କହେ-ତୋରି ପାଇଁ ରଖୁଛି!ମୋ ପୁଅ ଏତେ ପଇସା କୋଉଠୁ ଆଣିବ ! ମୁଁ ବଞ୍ଚି ଥାଉ ଥାଉ ତୁମ ତିନି ଭଉଣୀ ଙ୍କର ଭଲରେ ଭଲରେ ବାହାଘର ହୋଇଗଲେ,ମୋ ପୁଅ ଟିକିଏ ଶାନ୍ତି ରେ ନିଶ୍ୱାସ ମାରିବ!ସତେ ଯେମିତି ତା'ମା ମନ ଟା ପୁଅ ର ଦାଇତ୍ୱ କୁ ନେଇ ଛଟପଟ ହୋଇ ଯାଉଥାଏ!

     ବେଳେ ବେଳେ ମୋ ପିଲାଳିଆମୀ ଜିଦ୍ଦି ଯୋଗୁଁ,ଘର କବାଟ ଆଉଜାଇ ଦେଇ ତା'ବନ୍ଧାପଡିଥିବା ସୁନାଗହଣା ତକ ଦେଖେଇ ମତେ କାହାକୁ କିଛି ନ କହିବାକୁ ବାରଣ କରେ।ମୋ ପାଇଁ ରଖିଥିବା କାନ ପେଣ୍ଡି,ଚଉ ସରି ହାର କୁ ଦେଖେଇ କି ମୋ ପସନ୍ଦ ଅପସନ୍ଦ ବୁଝିଦିଏ।ଛୁଆ ଟିଏ ହେଲେ ବି ,କିଛି ବୁଝି ନ ପାରିଲେ ମଧ୍ୟ ସେସବୁ ଦେଖି,କେମିତି କେଜାଣି,ଭାରି ମଜା ଲାଗେ।ଏତେବଡ଼ ହାର କୁ ବେକରେ ଗଳାଇ ବନ୍ଦ ଘର ଟି ଭିତରେ ଦୁଇ ଘେରା ବୁଲି ଆସିଲେ,ନିଜକୁ ରାଜକୁମାରୀ ଭାବିଦିଏ!ତରତର ହୋଇ ସାନ ମା ସେ ଗହଣା ସବୁକୁ ବାକ୍ସ ଭିତରେ ରଖିଦେଇ ମାଣ୍ଟୁ ଉପରକୁ ଉଠେଇ ଦିଏ।ସେ ମାଣ୍ଟୁ ଉପରେ କେତେ ଯେ କଣ ରଖିଥାଏ,ତାର ହିସାବ କେହି ଜାଣି ନ ଥାନ୍ତି!ସବୁବେଳେ କେବଳ ପଚାରିଲେ କୁହେ-ତମରି ମାନଙ୍କ ପାଇଁ ରଖିଛି ଲୋ,ଆଉ କିଏ ନବ?ତୁ କୋଡ଼ ପୋଛା ଟା,ତୋର ଟିକିଏ ଭାଗ ବେଶୀ।ତା'ର ସେଇ ସ୍ନେହଵୋଳା କଥା ଗୁଡାକ ସେତେବେଳେ ଭାରି ଭଲ ଲାଗୁଥିଲା ଯଦିଓ ସେ ସୁନାରୁପା ର ମୂଲ୍ୟ ବୁଝିପାରୁ ନଥିଲି,କି ସେସବୁ ଏତେ ଆକର୍ଷଣୀୟ ନ ଥିଲା!ସିଏ କିନ୍ତୁ ଗପି ଚାଲୁଥିଲା-କିଏ ବନ୍ଧା ପକେଇଛି,ଆଉ ମୁକୁଳେଇବନାହିଁ,ତାକୁ ବିକ୍ରି କରିଦେବ,ଏମିତି ଏମିତି କେତେ କଥା!ସେସବୁ କିଛି ନ ବୁଝିଲେ ବି,ତା'କୋଳ ରେ ମୁହଁ ଗେଞ୍ଜି କି ଯେତେବେଳେ ମୁଁ କହି ପକାଉଥିଲି-ଆଉ ଯଦି ମୁଁ ବାହା ହେବିନି,ତା'ହେଲେ ମତେ କିଛି ଦେବୁନି ? ମୋ ପାଟି କୁ ସଂଗେ ସଙ୍ଗେ ହାତ ରେ ତାର ଚାପି ଧରି କହିପକାଏ-ଯା, ଲୋ,ସେ ଅମଙ୍ଗଳିଆ କଥା ପାଟିରେ ଧରେ ନା!ଆମ ଗାଁ ର ବୁଲି ଭଳିଆ କଣ ଅଭେଡା ରହିବୁ!କେତେ ହଇରାଣ ସେ ବୁଲି ଟା ହଉଚି!ଆଖି ତାର ଲୁହରେ ଟଳମଳ ହୋଇଯାଏ,ମତେ କୋଳ ରେ ପୁରାଇ ଛାତି ରେ ଚାପି ଧରି ପୁଳାଏ ଗେଲ କରି ପକାଏ!

       ପ୍ରତି ମାସେଦୁଇ ମାସ ରେ ଗାଁ ରୁ ବା'ଗୋଟିଏ ବଡ଼ ବ୍ୟାଗ ଟିଏ ଧରି,କଟକ ଘରେ ଆସି ହଜାର ହୋଇ ଯାଆନ୍ତି,ଯୋଉଥିରେ ଯାଦୁକର ର ପେଡି ରୁ ବାହାରିଲା ଭଳି କେତେ ରକମ ର ଜିନିଷ ଗୋଟି ଗୋଟି ହୋଇ ବାହାରିପଡ଼େ!ସବୁ ସେ ସାନମା ସଜାଡ଼ିକି ପଠେଇ ଥାଏ।ନଡ଼ିଆ ପୁଞ୍ଜିଏ,ଆମ୍ବୁଲ,ତେନ୍ତୁଳି, କରମଙ୍ଗା ଆଚାର,କୋଳି ଆଚାର,,ଛତୁଆ,ଆଉ ବାଡ଼ି ପିପ୍ପଳୀ,ଲେମ୍ବୁ ଓ କଞ୍ଚାଳଙ୍କା ସହିତ,କେତେବେଳେ ଆମ୍ବଡା ତ କେତେବେଳେ ନିମ୍ବ କଢ଼ ଦେବାକୁ ବି ଭୁଲେନି।ସକାଳୁ ସକାଳୁ ନାଲି ଚା'ସାଙ୍ଗରେ ମୁଢି କଂସିଏ ଖାଇଲା ବେଳେ ବା'ଗପି ଚାଲନ୍ତି ଗାଁ ର ଭଲ ମନ୍ଦ ସବୁ ଖବର ବୋଉ ପାଖରେ ଗୋଟି ଗୋଟି କରି।ବାପା ଅବଶ୍ୟ ସେସବୁ କିଛି ବୁଝନ୍ତିନି,ହେଲେ ବା ଙ୍କ ର ଦେହ ମୁଣ୍ଡ କଥା ଟିଖି ନିଖି କରି ବୁଝନ୍ତି। ଗାଁ କୁ ଫେରିଯିବାକୁ ବାହାରିଲା ବେଳେ,ବୋଉ ର ଅଟକାଇବାକୁ ବା'ଙ୍କର ଗୋଟିଏ ପଦ କଥା ବୋଉ କୁ ଚୁପ କରାଇ ଦିଏ-'ତୋ ବୋଉ ଟା ସେଠି ଏକୁଟିଆ ଚଳୁ ଥିବ,ଆଉ ରହି ହବନି!'

           ଗାଁ ଘର ଛାଡ଼ି ବା ଓ ସାନ ମା ଏକାଠି କଟକ ଆସିବା କେବେ ଦେଖିନି!ଘର ତାଲା ପକେଇଲେ କାଳେ କୋଉ ଠାଉରିଆ ଘର ଲୁଟି ନେବ ର ଡର ବାପା ବୋଉ ଙ୍କୁ ନ ଥିଲେ ବି ସେ ଦୁହିଁ ଙ୍କୁ ପୁରା ମାଡି ବସୁଥିଲା!ଯେତେବେଳେ କେବଳ ବାପା ବୋଉ ଙ୍କ ସାଙ୍ଗରେ ଗାଁ କୁ ଯାଏ,ସେତିକିବେଳେ ସେମାନଙ୍କୁ ଏକାଠି ଦେଖୁଥିଲା ଆଭା,ହେଲେ ସେଇ କେତେଟା ଦିନ ଭିତରେ ବି ଦୁହିଁଙ୍କ ସ୍ନେହ ମମତା ଓ ପରସ୍ପର ର ବୁଝାମଣା କୁ ଅନ୍ତର ରେ ଅନୁଭବ କରିପାରିଥିଲା!ଗାଁ ରୁ ଫେରିଲା ବେଳ ର ଦୃଶ୍ୟ ଏବେ ବି ଆଭାକୁ ବ୍ୟସ୍ତ କରିପକାଏ।ସେଇ ମମତା ବୋଳା କୋଳାଗ୍ରତ ଓ କନ୍ଦାକଟା ଭିତରେ ସମସ୍ତେ ଫେରି ଆସନ୍ତି।ଜମିବାଡ଼ି ର କାଗଜପତ୍ର ଠାରୁ ଆରମ୍ଭ କରି ଗାଁ ଘର ର ସବୁ ଦାଇତ୍ୱ ଯେମିତି ସେ ଦୁଇଜଣ ଙ୍କ କାନ୍ଧ ଉପରେ ଲଦି ଦେଇ ବାପା ବୋଉ ଶାନ୍ତି ରେ ନିଶ୍ୱାସ ମାରି ଆମ ପାଞ୍ଚ ଭାଇ ଭଉଣୀ ଙ୍କ ଜଞ୍ଜାଳ ରେ ବ୍ୟସ୍ତ ଥାଆନ୍ତି!

   ବଡ଼ ଦୁଇ ଭଉଣୀ ଙ୍କ ବିବାହ ପରେ ପରେ ଦୁଇଜଣ ଯାକ ଡାକ ହାକ ହେଲାଭଳି ଜଣ ଜଣ ହୋଇ ଅଳ୍ପଦିନ ର ବ୍ୟବଧାନରେ ସମସ୍ତଙ୍କୁ କନ୍ଦାଇ ଦେଇ ଆରପାରିକୁ ଚାଲି ଯାଇଥିଲେ।ରହିଯାଇଥିଲି କେବଳ ମୁଁ ସେମାନଙ୍କ ସ୍ନେହ ରୁ ବଞ୍ଚିତ ହୋଇ!ହଠାତ୍ ଦିନେ ବୋଉ ର ଦାଦା ଙ୍କ ଠାରୁ ଶୁଣିବାକୁ ପାଇଥିଲି ଯେ,ସେ ଦୁହେଁ ବାପାଙ୍କ ର ରକ୍ତ ସମ୍ପର୍କ ର ନୁହେଁ ବୋଲି!ଏତେ ବର୍ଷ ର ବିଶ୍ୱାସ ର ସମ୍ପର୍କ ଯେମିତି କ୍ଷଣକ ରେ ଅବିଶ୍ୱାସ ର ଜାଲ ରେ ଛନ୍ଦି ହୋଇ ପଡ଼ିଥିଲା ! କୈଶୋର ରେ ପାଦ ଥାପି ସାରିଥିଲେ ବି ସମ୍ପର୍କର ମାପକାଠି କୁ ଠିକ ଭାବରେ ବୁଝିବାର ବୟସ ପୁରା ହୋଇ ନ ଥିଲା।ସେ ଅଜାଙ୍କୁ ବହେ ଗାଳି ଦେଇ ଋଷି ବସିଥିଲି,ମୋ 'ବା' ଆଉ 'ସାନମା' କୁ ରକ୍ତ ର ନୁହେଁ କହିଥିବାରୁ!ଅବଶ୍ୟ ପରେ,ବୟସ ବଢ଼ିବା ସାଙ୍ଗରେ ବୋଉ ଠାରୁ ସେମାନଙ୍କ ଜୀବନ କାହାଣୀ ଶୁଣି ଧୀରେ ଧୀରେ ସହଜ ହୋଇ ଯାଇଥିଲି।ସେମାନେ ଯେ ସନ୍ତାନହୀନ ପଡୋଶୀ ଦମ୍ପତି ଥିଲେ ବାପା ଙ୍କ ର, ଏକଥା ଗ୍ରହଣ କରିବାକୁ ଅନେକ ବର୍ଷ ଲାଗିଯାଇଥିଲା!ବାପା ମୋର ପିଲାଦିନୁ ନିଜ ବାପମା ଙ୍କୁ ହରାଇ ସେମାନଙ୍କ ସ୍ନେହ ଆଦର ପାଇ ସେମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ, ଏକଥା ବୋଉ ଖୁବ ସହଜ ରେ ଗ୍ରହଣ କରି ନେଇଥିଲା।ଆଉ ବାହାହୋଇ ଆସିଲା ପରେ ସେ ଦୁହିଁ ଙ୍କୁ ସମ୍ମାନ ର ସହ ବାପା ଙ୍କ ବାପ ମା ର ଆସନ ରେ ବସାଇ ପାଖକୁ ନେଇ ଆସିଥିଲା।ତା'ପରେ ପରେ ସେ ଦୁହେଁ ବି ବାପା ବୋଉ ଙ୍କ ପାଞ୍ଚ ଝିଅ ପୁଅ ଙ୍କୁ ନେଇ ସଂସାର ଭିତରେ ଜେଜେ ବାପା ଓ ଜେଜେମା ର ସ୍ଥାନ ପୂରଣ କରିଦେଇଥିଲେ!

          ଷ୍ଟଡିରୁମ୍ ରୁ ମିଲି ର ଡାକ ରେ ଆଭା ଭାବନା ରାଜ୍ୟ ରୁ ଫେରି ଆସିଥିଲା।ସଞ୍ଜ ଦେଉଥିବା ଶାଢ଼ୀ ଟି ବଦଳାଇ,ମିଳିର ପାଠପଢ଼ା ପାଖରେ ବସିବାକୁ ଯାଉ ଯାଉ ମନ ଭିତରକୁ ତାର ପସି ଆସିଥିଲା-ସତରେ କଣ 'ବା' 'ସାନମା'ପର ଥିଲେ?ସେମାନେ ଯଦି ପର ହେବେ,ତା'ହେଲେ ଏ ଦୁନିଆ ରେ ନିଜର କାହାକୁ କହିବ??

           


   



Rate this content
Log in

Similar oriya story from Inspirational