ଆମ ଐତିହ୍ୟ ଓ ସଂସ୍କୃତି
ଆମ ଐତିହ୍ୟ ଓ ସଂସ୍କୃତି


ଆ କା ମା ବୈ
ପାନ ଗୁଆ ଦେଇ
ପାନ ଗୁଆ ତକ ତୋର
ମାସକ ଧରମ ମୋର।
ପୁରୀ ସହରର ପୁଷ୍କରିଣୀ ମାନଙ୍କ ନିକଟରେ ଲୋକଙ୍କ ମୁଖରେ ଏଇ ଲୋକୋକ୍ତି ସାଙ୍ଗକୁ ସ୍ତ୍ରୀ ଲୋକଙ୍କର ହୁଳହୁଳିରେ ଆଖପାଖର ସ୍ଥାନଗୁଡିକ ପ୍ରକମ୍ପିତ ହୋଇ ଉଠୁଥିଲା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ।କଦଳୀ ପଟୁକା ତିଆରି ଡଙ୍ଗା,ସୋଲ ଡଙ୍ଗା ଓ କାଉଁରିଆ ନିର୍ମିତ ବିଭିନ୍ନ ରଙ୍ଗ ବେରଙ୍ଗୀ ଡଙ୍ଗାମାନ ଧରି ସାତସକାଳୁ ପୋଖରୀ ଚାରି ପାଖରେ ଏକାଠି ହୋଇଯାଇଥିଲେ ଲୋକମାନେ।
ଆବାକାବା ହୋଇ ସମସ୍ତଙ୍କୁ ଦେଖି ବିସ୍ମିତ ହୋଇଯାଉଥିଲେ ମଧ୍ୟ ଏସବୁକୁ ଖୁବ ଉପଭୋଗ କରୁଥିଲା ଦଶ ବରଷର ଟାଡୁ।ଓଡିଆ ହେଲେମଧ୍ୟ ବାପାଙ୍କ ଚାକିରୀ ଯୋଗୁଁ ଓଡିଶା ବାହାରେ ରହିଥିବାରୁ ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣୀ ସବୁ ବିଷୟରେ ଏତେ ଭଲଭାବରେ ଅବଗତ ନଥିଲା ସେ।ଏଥର ମାସର ଦ୍ବିତୀୟ ଶନିବାର ସହିତ ରବିବାର ମିଶାଇ ପାଞ୍ଚଦିନ ଛୁଟି ନେଇ ପରିବାର ସହିତ ବାପା ଆଶୀଷ ଘରକୁ ଆସିଛନ୍ତି।ବଡଓଷା,କାର୍ତ୍ତିକ ପୂର୍ଣ୍ଣିମା ଓ ଛାଡଖାଇ ସବୁ ପାଳନ କରି ଏଥର ଯିବେ।
ଇନ୍ଦ୍ରଦ୍ୟୁମ୍ନ ପୋଖରୀରୁ ଡଙ୍ଗା ଭସାଇ ଫେରିବା ସମୟରେ ଜେଜେଙ୍କୁ ପଚାରିଲା ଟାଡୁ....ଜେଜେ, ସେଇ ପୋଖରୀ ପାଖରେ ଲୋକମାନେ ଆ କା ମା ବୈ କ'ଣ ଏମିତି କହୁଥିଲେ ଯେ।ଜେଜେ କହିଲେ ଆ ମାନେ ଆଷାଢ,କା ମାନେ କାର୍ତ୍ତିକ,ମା ମାନେ ମାଘ ଆଉ ବୈ ମାନେ ବୈଶାଖ।ଏଇ ଚାରୋଟି ହେଲା ବାରମାସ ଭିତରୁ ଚାରୋଟି ମାସର ନାମ।ଏମାନେ ହେଲେ ପବିତ୍ର ମାସ।ଏମିତି ଡଙ୍ଗା କାହିଁକି ଲୋକମାନେ ଭସାଉଛନ୍ତି ଯେ ଜେଜେ ?ଦ୍ବିତୀୟ ପ୍ରଶ୍ନ ଥିଲା ଟାଡୁର।ଜେଜେ ଗଳାଝାଡି ଉତ୍ତର ଦେଲେ ଆଗେ ଆମ ଓଡ଼ିଶାର ସାଧବ ପୁଅ ମାନେ ବୋଇତ ବା ବଡ ବଡ ଡଙ୍ଗାରେ ଆମ ଦେଶର ଜିନିଷ ନେଇ ଇଣ୍ଡୋନେସିଆ,ଜାଭା,ସୁମାତ୍ରା,ବୋର୍ଣ୍ଣିଓ ଆଦି ଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ।ସେ ଦେଶମାନଙ୍କର ଜିନିଷ ମଧ୍ୟ ଆମ ଓଡିଶାକୁ ଆଣୁଥିଲେ।ଏବେ ସେସବୁ ବେପାର ବଣିଜ ଆଉ ନାହିଁ।ସେଇ ପୁରୁଣା ଦିନ ସବୁକୁ ମନେ ପକାଇ ଆମେ କାର୍ତ୍ତିକ ପୂର୍ଣ୍ଣିମା ପରି ପବିତ୍ର ଦିନରେ ଡଙ୍ଗା ଭସେଇବାକୁ ଯାଉଛୁ।
ଘରେ ଆଶୀଷଙ୍କର ବାପା ମା',ଭାଇ ଓ ତା ପରିବାର ସମସ୍ତେ ଭାରି ଖୁସି।ସବୁଠାରୁ ବେଶୀ ଖୁସି ହେଉଛି ଟାଡୁ।ସେଦିନ ବଡଓଷା ରେ ଜେଜେମା ତୁଳସୀ ଚଉଁରାରେ ପାଞ୍ଚ ପ୍ରକାର ମୁରୁଜରେ କେତେ କ'ଣ ଚିତ୍ର କରିବା ବେଳେ ସେ ସବୁକିଛିକୁ ନିରେଖି ଦେଖୁଥାଏ ଓ ଭଳିକି ଭଳି ପ୍ରଶ୍ନ କରୁଥାଏ ଜେଜେ ମା'ଙ୍କୁ।ସେ ମଧ୍ୟ ନାତିର ସମସ୍ତ ପ୍ରଶ୍ନର ଉତ୍ତର ଦେଉଥାନ୍ତି ଓ ମନେମନେ ଖୁସି ବି ହେଉଥାନ୍ତି ପିଲାଟିର ଆଗ୍ରହ ଦେଖି।
ଚଉରା ମୂଳରେ ପୂଜା ସରିବା ପରେ ଜେଜେ ଓ ମା ଦୁଇଜଣଙ୍କ ସାଙ୍ଗରେ ମିଶି ଶିବମନ୍ଦିର ଯାଇ ସେଠାରେ ଦର୍ଶନ କରି ଫେରିଲା ସେ।ଦ୍ବିପ୍ରହରରେ ହବିଷ ଅନ୍ନ ପରଷି ଦେଲେ ଖୁଡି।ସେଥିରେ ଥିଲା ଘିଅଅନ୍ନ,ମୁଗ,କଞ୍ଚା କଦଳୀ,ସାରୁ,ଓଉ ପଡିଥିବା ହ
ବିଷ ଡାଲମା,ଓଉଖଟା,ନଡିଆ କୋରା ଓ ବଡି ଦେଇ କୋଶଳା ଶାଗ ଭଜା,କଦଳୀ ଭଜା,କ୍ଷିରୀ,ଲେମ୍ବୁ,ଲୁଣ ଓ ଲଙ୍କା।ସେ ଖାଇବାରୁ ଏକ ଅପୂର୍ବ ସ୍ବାଦର ସନ୍ଧାନ ପାଇଲା ଟାଡୁ।ନିଜ ମାମାଙ୍କୁ କହିଲା....ମାମା ତମେ ଏଥର କୋଲକାତା ଗଲେ ଏମିତି ଖାନା ବନେଇବ।ବହୁତ ଟେଷ୍ଟି ଲାଗୁଛି।ଅପରାହ୍ନ ସମୟରେ ପରିବାରର ସମସ୍ତେ ଏକାଠି ବାହାରିଲେ ଜଗନ୍ନାଥ ମନ୍ଦିରକୁ।ସେଠାର ଭିଡ ଦେଖି ଆକତା ମାକତା ହୋଇଯାଉଥିଲା ଟାଡୁ।ଜେଜେ ବୁଝାଇଦେଲେ......କାର୍ତ୍ତିକ ମାସ ବାର ମାସ ମଧ୍ୟରେ ସବୁଠାରୁ ପବିତ୍ର ମାସ।ସେଥିପାଇଁ ଏଇମାସରେ ସାରା ଓଡିଶାରୁ ଲୋକମାନେ ଆସି ପୁରୀରେ ଏକାଠି ହୁଅନ୍ତି ଓ ଠାକୁରଙ୍କ ଦର୍ଶନ କରି ଆନନ୍ଦ ପାଆନ୍ତି।
ହଠାତ ଟାଡୁର ଦୃଷ୍ଟି ଆକର୍ଷଣ ହୋଇଗଲା ମନ୍ଦିରରେ ନୀଳଚକ୍ର ଉପରେ ବାନା ବାନ୍ଧିବାକୁ ଉଠୁଥିବା ଲୋକଟିକୁ ଦେଖି।ମନ୍ଦିର ବେଢାରେ ରୁଣ୍ଡ ହୋଇଥିବା ସମସ୍ତ ଭକ୍ତଗଣ ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ଧ୍ବନିରେ କମ୍ପାଇ ଦେଲେ ଖଣ୍ଡ ମଣ୍ଡଳ।ମନ୍ଦିର ବେଢା ଶ୍ରଦ୍ଧାଳୁଙ୍କ ଭିଡରେ ପରିପୂର୍ଣ୍ଣ।ସେଇ ଭିତରେ ପଶି ଠାକୁର ଦର୍ଶନ କରିବାକୁ ଡରୁଥାଏ ଟାଡୁ।ଦାଦା କହିଲେ ଡରନା।ଆମେ ସବୁ ଅଛୁ ପରା।ସାରା ଦୁନିଆର ଲୋକ ଜଗନ୍ନାଥଙ୍କୁ ଦର୍ଶନ କରି ଯାଉଛନ୍ତି।ଆମେ ତାଙ୍କ ଭିତରୁ ଜଣେ ଜଣେ ନା।ତୁ ଆମର ବ୍ରେଭ ବୟ।ସେଇ ଭିଡ ସାଙ୍ଗରେ ସାମିଲ ହୋଇ ସମସ୍ତେ ଠାକୁରଙ୍କ ଦର୍ଶନ କରି ଆସିଲେ।
ତାପରେ ଆନନ୍ଦ ବଜାର ଭିତରେ ଅବଢା ଅନ୍ନ ସେବନ କରିବାକୁ ଟାଡୁର ବାପା ଆଶୀଷ କହିଲେ।ନିଜେ ଯାଇ ପୁରା ପରିବାର ପାଇଁ ଅବଢା,ଡାଲି,ବେସର,ମହୁର,ଶାଗ ଇତ୍ୟାଦି ନେଇ ଆସିଲେ।ସାଙ୍ଗରେ କଦଳୀ ପତ୍ର ଓ ଲେମ୍ବୁ,ଲୁଣ ,ଲଙ୍କା ମଧ୍ୟ ଆଣିଥାନ୍ତି କାରଣ ସେ ଯେତେବେଳେ ଛୋଟଥିଲେ ସେ ମଧ୍ୟ ତାଙ୍କ ବାପାଙ୍କୁ ଏସବୁ କିଣିକି ଆଣିବାର ଦେଖିଥାନ୍ତି ଏବଂ ଅବଢା ଅନ୍ନ ସାଙ୍ଗରେ ଲେମ୍ବୁଲୁଣ ଲଙ୍କା ଚକଟା ତାଙ୍କର ଖୁବ ପସନ୍ଦ ଥିଲା।
ସମସ୍ତେ ଆନନ୍ଦ ବଜାରରେ ଏକ ଖାଲିଥିବା ସ୍ଥାନରେ ବସି ପଡିଲେ।ଆଶୀଷଙ୍କ ପତ୍ନୀ ଜୟା କଦଳୀ ପତ୍ର ଉପରେ ଅବଢା ତଥା ଅନ୍ୟାନ୍ୟ ଜିନିଷ ବାଢିଦେଲେ।ସମସ୍ତେ ମିଶି ସେଇ ସୁସ୍ବାଦୁ ଖାଦ୍ୟ ଭୁଞ୍ଜିବାକୁ ଲାଗିଲେ।ତୃପ୍ତିରେ ସମସ୍ତଙ୍କ ମନ ଭରିଯାଇଥାଏ।
ଫେରିବା ପଥରେ ଟାଡୁ ପଚାରିଲା ମନ୍ଦିର ସାମନାରେ ଏତେବଡ ପେଣ୍ଡାଲ କଣପାଇଁ ହୋଇଛି?
ଜେଜେମା କହିଲେ ଆଜିପରା ଭଜନ ସମାରୋହ।ସାରାରାତି ଓଡ଼ିଶାର ବିଖ୍ୟାତ କଳାକାର ମାନେ ଭଜନ ପରିବେଷଣ କରିବେ।ଭଜନ ଶୁଣୁଶୁଣୁ ରାତି ପାହିଲା ବେଳକୁ ଘରକୁ ଯାଇ ଗାଧୋଇ ଡଙ୍ଗା ଭସେଇବାକୁ ଯିବାକୁ ହେବ।
ସତରେ ଆମ ଓଡିଶାରେ କେତେ କ'ଣ ମନାଯାଉଛି।ଏଥର ବାବାଙ୍କୁ କହିବି ସବୁ ପୂଜାରେ ମତେ ନେଇକି ପୁରୀ ଆସିବେ।ତୁମେ ଟିକେ ଜେଜେମା ବାବାଙ୍କୁ ଫୋନ କରି ଜଣେଇଦବ ପୂଜାର ଡେଟ ଗୁଡିକ।ନାତିର କଥାଶୁଣି ଖୁସିରେ ନାଚିଯାଉଥିଲା ଜେଜେମା'ଙ୍କ ମନ।