ଆଲୋକର ପଥେ
ଆଲୋକର ପଥେ
ସବୁଥର ପରି ସେଦିନ କାଗଜରେ ଲେଖି କବିତା ନେଇ ନଥିଲେ କବିତା ଆସରକୁ କାମିନୀ.ନିଜ ପାଳି ଆସିବା ବେଳକୁ ଫୋନରୁ କବିତା କାଢିବା ବେଳକୁ ଦେଖାଯାଉନଥିଲା ଭଲ .ହଠାତ କବି ଭାଇ ଫୋନଟି ନେଇ ବ୍ରାଇଟ କରିଦେଲେ ତ ଆଲୁଅର ନିର୍ଝରରେ କବିତା ସ୍ପଷ୍ଟ ଦେଖାଯାଉଥିଲା ତ ଆଲୋକର ଆନନ୍ଦରେ କବିତା ପଢ଼ିବାର ଆନନ୍ଦ ପାଇ କବିତା ଡରୁଥିଲେ ସମୀକ୍ଷାକୁ. ଏଇ ଆସରରେ ଉପସ୍ଥିତ ଅତିଥିମାନଙ୍କ ଭିତରୁ ଜଣେ କହୁଥିଲେ କବି ସଚ୍ଚି ରାଉତରାଏଙ୍କ କଥା, ଆଲୁଅ ଅପେକ୍ଷା ଅନ୍ଧାର ବହୁତ ଭଲ ବୋଲି କହି ଚର୍ଚ୍ଚିତ ହୋଇଥିଲେ କବି. ଏମିତିକି ଆଲୁଅ ଅପେକ୍ଷା ଅନ୍ଧାର ଭଲ କହିଲେ ଆପଣ ଜ୍ଞାନପୀଠ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେନି କୁହାଯାଇଥିଲା ତାଙ୍କୁ. ସେ ନଡରି କହିଥିଲେ ଜ୍ଞାନପୀଠ ପାଇଲେ ପାଏ ନପାଇଲେ ନାହିଁ କିନ୍ତୁ ମୋ ଲେଖା ମୁଁ ବଦଳାଇ ପାରିବି ନାହିଁ. ଲେଖା କାହାର କିପରି ସତ.କୋଉ ଦୃଷ୍ଟିକୋଣରୁ ବିଶିଷ୍ଟ କବି ଆଲୁଅ ଅପେକ୍ଷା ଅନ୍ଧାରକୁ ଭଲ କହିଲେ ସେ ଅଲଗା କଥା କିନ୍ତୁ ପ୍ରତିଟି ସୁନେଲି ସକାଳକୁ ଅପେକ୍ଷା କରିଥାନ୍ତି ସମସ୍ତେ ରାତ୍ରୀର ଅନ୍ଧାର ଚିରି ଆଲୋକ ଦେଖିବାକୁ କେବଳ.ସେହି ସଚ୍ଚି ରାଉତରାଏ ମଧ୍ୟ ଲେଖିଛନ୍ତି ଆଲୋକ ଉପରେ ଅନେକ କବିତା.ଅଳକା ସାନ୍ୟାଲ କବିତାରେ ତାଙ୍କୁ ଝଲମଲ ଆଲୋକରେ ଦେଖିଥିଲେ ବୋଲି ସୁନ୍ଦର ବର୍ଣ୍ଣନା ତାଙ୍କର ଥିଲା. ପରୋକ୍ଷରେ ଆଲୋକର ନିର୍ଯ୍ୟାସ ଓ ଅରୁଣିମା ବର୍ଣ୍ଣନା କରି କବି ଆଜି ସମସ୍ତଙ୍କ ମାନସପଟରେ.।
ଠିକ ଏହି ସମୟରେ କରେଣ୍ଟ ଚାଲିଯାଇଥିଲା. ଅନ୍ଧାର ନଥିଲା. ଦିନ ବେଳା ସାହିତ୍ୟ ଆସର ଚାଲିଥିଲା ବୋଲି ଚାଲିଯାଉଥିଲା ନଚେତ କେମିତି ହୋଇପାରିଥାନ୍ତା କବିତା ଆସର. ସୂର୍ଯ୍ୟଙ୍କ ଆଲୋକ ବିନା ଜୀବ ଜଗତ ତିଷ୍ଠି ପାରେନା କି ମଣିଷର ଜ୍ଞାନ, ବୁଦ୍ଧି, ସୃଜନୀର କ୍ଷେତ୍ର ପ୍ରଶସ୍ତ ହୋଇପାରେନା. ଏମିତି ଏମିତି ବିନା ମାଇକରେ କବିତା ଆସର ଚାଲିଥିବା ବେଳେ ଆଉ ଗୋଟିଏ ଅଘଟଣ ନହେଲେ ମଧ୍ୟ ଘଟଣାଟିଏ ଘଟିଗଲା. କେତୋଟି ମାଙ୍କଡ଼ ତମ୍ବୁ ବନ୍ଧା ହୋଇ ଷ୍ଟେଜ ହୋଇଥିବା ଛାମୁଣ୍ଡିଆ ଦେଇ ଦୌଡ଼ା ଦୌଡ଼ି ହୋଇ ଚାଲିଗଲା ପରେ ଦେଖାଗଲା ନାଗ ସାପ ଟିଏ ଫଣା ଟେକି ରହିଛି ଛାମୁଣ୍ଡିଆ ମଝିଆ ମଝି.ଉପସ୍ଥିତ କବି, କବୟିତ୍ରୀ, ଅତିଥି, ଅଭ୍ୟାଗତ, ଗ୍ରାମଲୋକ ମାନେ ଯିଏ ଯୁଆଡେ ଛାତ୍ରଭଙ୍ଗ ଦେବାକୁ ବସିଥିବା ବେଳେ ସାପଟି ଡେଇଁ ପଡିଥିଲା ପାଖରେ ଥିବା ପାଳଗଦା ଉପରକୁ. ସମସ୍ତେ କହୁଥିଲେ ଯାହା ହେଉ ଦିନର ଆଲୋକ ଥିଲା ବୋଲି ସିନା ଜାଣିହେଲା ସାପଟିର ଗତିବିଧି ନଚେତ ସନ୍ଧ୍ୟା ହୋଇଯାଇଥିଲେ କିଏ ଦେଖିପାରିନଥାନ୍ତେ କି ସାପ ମଧ୍ୟ ପାଳଗଦା ଉପରକୁ ଡେଇଁ ଯାଇ ପାରିନଥାନ୍ତା. ତା ଭିତରେ ଆମନ୍ତ୍ରିତ ପାଲାବାଲାମାନେ ହରିବୋଲ ହୁଳହୁଳି ଦେଇ ସୂର୍ଯ୍ୟ ବୁଡିଯିବା ପୂର୍ବରୁ କବିତା ଆସର ସମାପ୍ତ କରିବାକୁ କହୁଥାନ୍ତି.।
କାମିନୀ ମଧ୍ୟ ତରତର ହେଉଥାଆନ୍ତି କାରଣ କାର୍ଯ୍ୟକ୍ରମ ସରିଲେ ସେ ଭୁବନେଶ୍ୱର ଫେରିବେ. ସେଠି ସ୍ୱାମୀଙ୍କ ସଙ୍ଗେ ମିଶି ତାଙ୍କର ଆମ୍ରି ହସ୍ପିଟାଲ ଯାଇ ଭେଣ୍ଟିଲେଟର ଲାଗି ପଡ଼ିଥିବା ଦେଢ଼ଶୁରଙ୍କୁ ଦେଖା କରିବାର ଅଛି. ସାହିତ୍ୟ ଆସର ସାରି ଅଟୋରେ ଭୁବନେଶ୍ୱର ପହଁଚିଲା ବେଳକୁ ଦିନ ତିନିଟା. ସେଠୁ ସ୍ୱାମୀଙ୍କ ସଙ୍ଗେ ଆମ୍ରି ପହଁଚିଲା ବେଳକୁ ଶୁଣିବାକୁ ମିଳିଲା ଦେଢ଼ଶୁର ଆଉ ନାହାଁନ୍ତି. ତଥାପି ବେଳ ବୁଡ଼ିନଥାଏ କିନ୍ତୁ ଗାଁକୁ ଶବ ଆଣି ପୁଣି ସ୍ବର୍ଗଦ୍ୱାର ନେଇ ଯଥା ବିଦ୍ଧିରେ ଦାହ ସରୁ ସରୁ ସକାଳ.ବହୁତ ଦିନ ଧରି ଦେଢ଼ଶୁର ରବି ଭାଇ ଅସୁସ୍ଥ ଥିଲେ. ତାଙ୍କର ପୁଅ ନଥିବାରୁ ତିନି ଝିଅଙ୍କ ଭିତରୁ ମଝିଆଁ ଝିଅ ମାନୁ ପାଖରେ ବୁଢା ବୁଢ଼ୀ ରହୁଥିଲେ. ବାପାଙ୍କ ଅବସ୍ଥା ଏମିତି ଦେଖି ମାନୁ ତାର ନବମରେ ପଢ଼ୁଥିବା ଏକୋଇରବଳା ବିଶିକେଶନର ବ୍ରତୋପନୟନ ସାରିଦେବାକୁ ବସିଥିଲା କାରଣ ବାପାଙ୍କ ବୟସ ସାଙ୍ଗକୁ କେତେବେଳେ ତାଙ୍କ ଆୟୁଷ ସରିଯିବ କହିହେଉନଥିଲା ଯେହେତୁ ପାଖାପାଖି ପାଞ୍ଚ କି ସାତ ବରଷ ହେଲାଣି ବାପା ମାନେ କାମିନୀଙ୍କ ଦେଢ଼ଶୁରଙ୍କ ଦେହ ଭଲ ରହୁନଥିଲା.
ଆଉ ସେଦିନ ଥିଲା ବାଟଘସା.ହଠାତ ପୁଣି ଭୀଷଣ ଅସୁସ୍ଥ ହୋଇପଡିଲେ ରବି ଭାଇ. ହସ୍ପିଟାଲକୁ ନେବା ପରେ ଭେଣ୍ଟିଲେଟର ଲାଗିବାକୁ ପଡିଲା ଆଉ ବାଟଘସା କାମ ମଧ୍ୟ ଆଗେଇ ଗଲା. ତା ପରଦିନ ମଙ୍ଗଳକୃତ୍ୟ.କାମିନୀ ଭାବିଥିଲେ ସାହିତ୍ୟ ଆସର ସାରି ଆଗ ଦେଢ଼ଶୁର ଭାଇଙ୍କୁ ଆମ୍ରି ହସ୍ପିଟାଲରେ ଦେଖି ସେଠୁ ତାଙ୍କ ଝିଅ ଘର ଆୟୋଜନ କରିଥିବା ମଣ୍ଡପରେ ବ୍ରତଘରର ମଙ୍ଗଲକୃତ୍ୟ ଫିଷ୍ଟରେ ଯୋଗ ଦେଇ ଫେରିବେ କିନ୍ତୁ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଦୁଃସାମ୍ବାଦ ଶୁଣି ଆଉ ମଣ୍ଡପ ଆଡକୁ ନଯାଇ ଫେରିଥିଲୁ ଗାଁକୁ. ନାତି କାନ୍ଦୁଥିଲା ଖୁବ. ଅଜାଙ୍କ ପାଇଁ ତା ବ୍ରତଘର ହେଉଥିଲେ ମଧ୍ୟ ଅଜା ଚାଲିଯିବା କଥା ଶୁଣି କହୁଥିଲା ଠାକୁର ନାହାଁନ୍ତି ଠାକୁର ଥିଲେ ମୋ ଖୁସି ବେଳେ ଅଜାଙ୍କୁ ଏମିତି ନେଇଯାଇ ନଥାନ୍ତେ ଆକାଶର ତାରା କରି. ଶବ ଦାହ ସକାଳେ ନାତି ଠିଆ ହୋଇଥାଏ ମନଦୁଃଖରେ.ତା ବାପା ମିଟୁନି ଓ ମାଆ ମାନୁ ତାକୁ ନେଇ ଦେଖାଇ ଦେଲେ ସୂର୍ଯ୍ୟଙ୍କୁ. ଦେଖିପାରୁନଥାଏ ନାତି. ଆଖି କଣ ହୋଇଯାଉଥାଏ ତାର. ବାପା ମାଆ ବୁଝେଇ କହିଲେ ଦେଖିଲୁ ଠାକୁରଙ୍କୁ. ତାଙ୍କୁ ଆମେ ଏ କଅଁଳ ଖରାରେ ଦେଖିପାରୁନେ ଆଉ ଠାକୁର ନାହାଁନ୍ତି ବୋଲି କଣ କହୁଛୁ? ଠାକୁର ଅଛନ୍ତି ବୋଲି ଅଜାଙ୍କ ସବୁ କାମ ତୁ ବ୍ରତ ହୋଲା ପରେ କରିବୁ ବୋଲି ଠାକୁର ଅଜାଙ୍କୁ ନେଇଗଲେ ଆଗ ତାପରେ ତୋର ବ୍ରତଘର ହେବ. ନାତି ଓଠରେ ହସ. ଆଲୋକ ଓ ଅନ୍ଧାର ପରି ଦୁଃଖ ଓ ସୁଖ ଏ ଦୁନିଆଁର ରୀତି ବୋଲି ବୁଝିନଥିବା ନାତି କିନ୍ତୁ ଖୁସି ହୋଇଗଲା ଏସବୁ କଥା ଶୁଣି. ବ୍ରତଘର ତେଲିଙ୍ଗି ବାଜା ବାଜିଉଠିଲା. ପାରଗୋତ୍ରୀ ଝିଅର ପୁଅ ବ୍ରତଘର ଅଟକି ନଥିଲା ବାପାଙ୍କ ମୃତ୍ୟୁରେ. ଅଜବ ଏ ଦୁନିଆଁର ରୀତି ନୀତି. ଠିକ ଅନ୍ଧାର ଓ ଆଲୁଅର ଲୁଚକାଳି ପରି.।
ଶୀତ ଋତୁରେ ବ୍ରତଘର ସରିବା ପରେ ନାତି ବୁବୁନ ଭିତରେ ଅନେକ ପରିବର୍ତ୍ତନ. ସତେ ଯେମିତି ସେ ଆପେ ଆପେ ଅନେକ କଥା ବୁଝିପାରୁଛି. ଦାଇତ୍ୱ କର୍ତ୍ତବ୍ୟ ବଢିଯାଇଛି ଯେମିତି ତାର. ସ୍କୁଲରେ ମଧ୍ୟ ଆଉ ପଛବେଞ୍ଚ ପିଲାରେ ଗଣତି ହେଉନି ଅର୍ଥାତ ପାଠ ବହି ସବୁକୁ ପଢି ମନେରଖି କହୁଛି ଉତ୍ତର. ସେଦିନ ବିଜ୍ଞାନ ସାର ପିଲାଙ୍କୁ ପଚାରୁ ଥାଆନ୍ତି ଆଛା କହିଲ ପିଲାମାନେ ଆମ ହାତରୁ ପିମ୍ପୁଡି କାହିଁକି ଖସିପଡ଼ୁ ନାହିଁ ତଳକୁ,ତ ନାତି ବୁବୁନ ଠିଆ ହୋଇ ପଡି କହିଲା ସୂର୍ଯ୍ୟ ସ୍ଥିର ଓ ତାଙ୍କ ଚାରିପଟେ ନଅ ଗୋଟି ଗ୍ରହ ଘୁରୁଛନ୍ତି. ସୂର୍ଯ୍ୟ ଏତେ ବଡ଼ ଯେ ତାଙ୍କ ଚାରିପଟେ ଗ୍ରହ ଗୁଡିକ ଘୁର୍ଣ୍ଣନ କରିବା ଜଣାଅପଡୁନି. ପୁଣି ଆମ ଗ୍ରହ ପୃଥିବୀ, ଅନ୍ୟ ଗ୍ରହମାନଙ୍କ ଭଳି ନିଜ କକ୍ଷ ପଥରେ ଘୁରୁଥିଲେ ମଧ୍ୟ ମଣିଷ ଓ ଜୀବଜଗତ, ପଶୁପକ୍ଷୀ, ବୃକ୍ଷଲତା ତଥା ପ୍ରକୃତିର କୌଣସି ଜିନିଷ ଘୁରୁନାହିଁ କାରଣ ପ୍ରତ୍ୟେକ ସଜୀଵ ଓ ନିର୍ଜୀଵ ପୃଥିବୀ ଠାରୁ ବହୁଗୁଣରେ କ୍ଷୁଦ୍ରରୁ କ୍ଷୁଦ୍ରତ୍ତର ହୋଇଥିବାରୁ ଏପରି ହୁଏ. ଠିକ ସେହିଭଳି ଆମ ହାତ, ପିମ୍ପୁଡି ଅପେକ୍ଷା ଢେର ଗୁଣ ବଡ଼ ଫଳରେ କ୍ଷୁଦ୍ର ପିମ୍ପୁଡି ହାତ ଉପରେ ଖସିନପଡି ଅନ୍ୟାୟାସରେ ଯିବା ଆସିବା କରି ପାରୁଛି. ସାର ସେଦିନ ଖୁବ ପ୍ରଶଂସା କରିଥିଲେ ବୁବୁନର. ବୁବୁନ ଏବେ ଖୁବ ଭଲ ପଢି ଜେଜେ ଓ ମୃତ ଅଜାଙ୍କ ନାମ ରଖିଥିଲା.
ବୁବୁନର ମାଟ୍ରିକ ପରୀକ୍ଷା ସରିବା ପରେ ଅଜାଙ୍କ ମୃତ୍ୟୁ ବାର୍ଷିକୀ ପଡିଥିଲା. ଅଜାଙ୍କର ତିନି ଝିଅ ଥିଲେ ଓ ତିନି ଝିଅଙ୍କ ଭିତରେ ବୁବୁନ ଥିଲା ଏକମାତ୍ର ନାତି. ଅନ୍ୟମାନେ ସବୁ ନାତୁଣୀ ଥିଲେ. ତେଣୁ ଅଜାଙ୍କ କାମ ସବୁ ବୁବୁନକୁ ହିଁ କରିବାକୁ ପଡିଥିଲା. ସେ ନାମକୁ ମାତ୍ର କର୍ତ୍ତା କିନ୍ତୁ ତା ବାପା ମାଆ ସବୁ କରିଥିଲେ କାରଣ ସେ ନାଵାଳକ ଥିଲା. ତଥାପି ସବୁ କାମ ସାରି ବୁବୁନ ଯେବେ ତା ପଢାଘରକୁ ଆସେ ଅଜା ତା ଟେବୁଲରେ ବସିଛନ୍ତି ବୋଲି ଦେଖିବାକୁ ପାଇ ଡାକ ଛାଡିଥିଲା. ସମସ୍ତେ ଦୌଡ଼ି ଆସି ଦେଖିଥିଲେ ବୁବୁନର ମାଉସୀ ଝିଅ ଭଉଣୀ ଲଲୁ ଅଜାଙ୍କ ପୋଷାକ, ଚଷମା ପିନ୍ଧି ଅଜାଙ୍କ ପରି ବୁବୁନର ପଢା ଟେବୁଲ ଉପରେ ବସି ରହିଥିଲା.ବୁବୁନକୁ ଡରେଇବା ପାଇଁ ସେ ଏମିତି କରିଥିବାରୁ ଅନ୍ୟମାନଙ୍କ ଠାରୁ ଗାଳି ଶୁଣିବା ଭିତରେ ବୁବୁନ ଗୋଟେ ବଡ଼ ବୁଦ୍ଧିମାନ ମଣିଷ ଭଳି କହୁଥିଲା ଏଣିକି ଏମିତି କରିବୁନି ନହେଲେ ଯେଉଁ ମୃତ ଲୋକଙ୍କର ନକଲ କରିବ ସେ ଆସି ତୁମ ଦେହରେ ପ୍ରବେଶ କରି ପାରନ୍ତି.ଏ କଥା ଶୁଣି ଶୀତ ଦିନରେ ମଧ୍ୟ ସମସ୍ତଙ୍କ ଦେହରୁ ଝାଳ ଭାଷିଯାଉଥିଲା.।
ଏହା କହିସାରିବା ପରେ ବୁବୁନ ଗୋଟେ ଗପ କହିଥିଲା. ସେ କହିଥିଲା ଅଜା ତାକୁ ଏ ଗପଟି କହିଥିଲେ. ଗୋଟେ ଗାଁରେ ଜଣେ ଦୁଷ୍ଟ ବାଳକ ରହୁଥିଲା.ତା ନାମ ନଟ.ସେ ଥରେ ମିଛି ମିଛିକା ଭୂତ ହୋଇ ଲୋକଙ୍କୁ ଡରାଇବାରୁ ଧରାପଡି ଗାଳି ମାଡ଼ ଖାଉଥିଲା କିନ୍ତୁ ତା ପ୍ରକୃତି ଛାଡୁ ନଥିଲା.ଥରେ ଗୋଟେ ଶୀତ ସନ୍ଧ୍ୟାରେ ସେ ତା ବାପାଙ୍କ ପାଇଁ ଭାତ ନେଇ ବିଲକୁ ଯାଉଥାଏ. ମୁହଁ ସଞ୍ଜ ହୋଇ ଆସୁଥାଏ ସେ ଦେଖିଲା ପାଳଭୂତ ତା ପଛେ ପଛେ ଚାଲୁଛି. ସେ ନିର୍ଭିକ ଥିଲା ସତ କିନ୍ତୁ ପାଳଭୂତ ଯେବେ ତା ହାତରୁ ଭାତ ନେଇ ଖାଇବାକୁ ଲାଗିଲା ସେ ଡରି ଗଲା. ତା ଚିତ୍କାର ଶୁଣି ବାପା ତାର ଦୌଡ଼ି ଆସିଥିଲେ ମଧ୍ୟ ତାକୁ ବହୁତ ଦିନ ଧରି ଜ୍ୱର ହେଲା.ଜ୍ୱର ଭଲ ହେବା ପରେ ତା ବାପା ତାକୁ ମିଛୁଆ ରାଧୁଆ ଗପ କହିଥିଲେ. ମିଛ କହି ରାଧୁଆ ଡାକ ପକାଏ ମତେ ବାଘ ଖାଇଗଲା ଦୌଡ଼ି ଆସ ତ ଲୋକମାନେ ଠେଙ୍ଗା,ବାଡ଼ି, ଫାର୍ସା କଟୁରୀ, ଖଣ୍ଡା ଇତ୍ୟାଦି ନେଇ ଆସିଲା ବେଳକୁ ରାଧୁଆ ତାଳି ମାରି ହସୁଥାଏ. କିଛି ଦିନ ପରେ ପୁଣି ସେମିତି କରେ ତ ଲୋକମାନେ ରାଧୁଆକୁ ମିଛୁଆ ରାଧୁଆ ଡାକନ୍ତି. ପ୍ରକୃତରେ ଯୋଉଦିନ ସତକୁ ସତ ବାଘ ଆସି ରାଧୁଆର ଛେଳି ନେଇଯିବାକୁ ବସିଲା ରାଧୁଆ ଯେତେ ଡାକିଲେ ବି କେହି ଆସିନଥିଲେ. ତେଣୁ ମିଛ କହିଲେ ଦିନେ ପାଳଭୂତ ପରି ସତ ଭୂତର ସାମ୍ନା କରିବାକୁ ପଡେ ନଟ ଭଳି ଓ ରାଧୁଆର ଛେଳିକୁ ବାଘ ନେଲାବେଳେ କେହି ପିଠିରେ ପଡନ୍ତିନି ମିଛ ଭାବି.ସେହିଦିନଠାରୁ ବୁବୁନ କଥା ଶୁଣି ଲଲୁ କି ତା ଅନ୍ୟ ଭଉଣୀମାନେ ମିଛ କହୁନଥିଲେ କି କାହାକୁ ଡରାଉନଥିଲେ.ବରଂ ଆଲୋକ ପରି ସବୁବେଳେ ସତର ସାମ୍ନା କରି ଗାନ୍ଧିଜୀଙ୍କ ପରି ଆନନ୍ଦ ନେବାକୁ ଶପଥ ନେଇଥିଲେ .।
