ଆଖି
ଆଖି
ପରୀକ୍ଷାରେ ଅକୃତକାର୍ଯ୍ୟ ହେବାର ଦୁଷ୍ପରିଣାମ ଯେ, ଜୀବନରେ କେତେ ସୁଦୂରପ୍ରସାରୀ ସେଦିନ ବ୍ୟାଙ୍କରେ ସଂସ୍କୃତ ପଣ୍ଡିତଙ୍କୁ ଦେଖି ମଧ୍ୟ ସାମ୍ନା ସାମ୍ନି ହେବାକୁ ସାହାସ ଜୁଟାଇ ପାରିନଥିବା ଆଲୋକ ମହାନ୍ତି ମର୍ମେ ମର୍ମେ ଅନୁଭବ କରୁଥିଲା। ଯାହିତାହି ପଣ୍ଡିତେଙ୍କ ନଜର ଆଢୁଆଳରେ ଖସି ଆସିଥିଲା ସିଏ ବାହାରକୁ।
କିନ୍ତୁ ତା'ର ଏଇ ଅସହଜ ପଣକୁ ଅନତିଦୂରରେ ଥାଇ ବେଶ୍ ଠଉରେଇ ପାରିଥିଲେ ସାହିତ୍ୟାଚାର୍ଯ୍ୟ ସୌରୀବନ୍ଧୁ ଆଚାର୍ଯ୍ୟ ମହୋଦୟ। ଅଶିତିପର ବୟସରେ ମଧ୍ୟ ଠିକ୍ ଚିହ୍ନିପାରିଥିଲେ ସିଏ ଏକଦା ତାଙ୍କର ଅତି ପ୍ରିୟ ଛାତ୍ର ଥିବା ଆଲୋକକୁ। ମାତ୍ର ସର୍ବସାଧାରଣ ସ୍ଥାନରେ ତାକୁ କିଛି ବି ପଚାରିବାକୁ ପଶ୍ଚାତପଦ ହେଉଥିଲେ।
ଦୁହିଁଙ୍କ ଆଖି ଦୁଇଟି ମଧ୍ୟରେ ପ୍ରଭେଦ ଥିଲା ଏତିକି... ଜଣକର ଜୀବନ ଯାକର ଅନୁଭବ, ଅନୁଭୂତି ତ ଆଉ ଜଣକର ବିଫଳତାର ଲଜ୍ଜା!
କେଜାଣି କାହିଁକି ଆଲୋକକୁ ଲାଗୁଥିଲା ଯେମିତି ପଣ୍ଡିତେଙ୍କ ଅନୁଭବୀ ଆଖି ଯୋଡ଼ିକର ପଇଁତରା ତା'ର ଆଖପାଖରେ ଅହରହ ପ୍ରତିକ୍ଷଣ ଶୟନ, ସ୍ଵପନ, ଜାଗରଣରେ ପହଁରି ଯାଉଛି। ବିବେକର ଦଂଶନ ଆଉ ବିଫଳତାର ସ୍ୱାଦ ଜୀବନକୁ ବିଷାକ୍ତ କରି ପକାଉଛି।