ଆଖି ଯେବେ ପିଇଯାଏ ଲୁହ
ଆଖି ଯେବେ ପିଇଯାଏ ଲୁହ


ସିଏ ଜଣେ ବିଧବା... ଜାଣିଚୁ କି ନାଇଁ
ଜଣା କିନ୍ତୁ ପଡନ୍ତିନି ହାତରେ ଚୁଡି... ରଂଗ ରଂଗିଆ ଶାଡୀ ମୁଣ୍ଡରେ ଟୋପା ଏସବୁ ଦେଖିଲେ ବିଶ୍ୱାସ ହୁଏନି
ପିଲାମାନେ ଏତେ ବଡ ହେଲେଣି... ହେଲେ ୟାଙ୍କର ଫେସନ ରେ ତିଳେ ଉଣା ନାହିଁ... କିମିତି କେଜାଣି ଭଲ ଲାଗୁଛି
ପୁନିଆ ବୋଉ ଆମ ତାଟି ପାଖରେ ଠିଆ ହେଇ ବଖାଣୁଥାଏ l
ଗାଁ ର ସେ ମୁଣ୍ଡେ ରହନ୍ତି ସେଇ ମାଡାମ l
ଅଳ୍ପ ଦିନ ହେଲା ଆସିଛନ୍ତି... ଗାଁ ଭିତରେ ଏତେ ଭଲ ଘର ଭଡାକୁ ମିଳୁ ଥାଉ ଥାଉ ସିଏ କାହିଁକି ଅପନ୍ତରା ସେ ମୁଣ୍ଡ ରେ ରହିବାକୁ ସ୍ଥିର କଲେ... ତାର ଜବାବ ସିଏ ହିଁ ଜାଣିଥିବେ l
କାହାରି ସାଙ୍ଗରେ ବିଶେଷ ମିଶନ୍ତି ନାହିଁ... ଅତି ଦରକାର ନପଡ଼ିଲେ ପାଟି ଫିଟାନ୍ତି ନାହିଁ l
ଦେଖିବାକୁ ବେଶ ସୁନ୍ଦର l କଥାକୁହା ଆଖିଦୁଇଟି... ଚାହାଣି ରେ ବହୁତ କିଛି କହିଯାନ୍ତି ସିଏ l
ତାଙ୍କର ଶରୀର ଚାଲିଚଳନ ପୋଷାକ ପରିପାଟୀ ଏସବୁ ର ପୁଙ୍ଖାନୁପୁଙ୍ଖ ଆଲୋଚନା ହୁଏ ଗାଁ ଖଟିରେ... ସ୍ତ୍ରୀଲୋକ ମାନଙ୍କର ଗପ ର ଆସର ରେ l
ହେଲେ ସିଏ ତିଳେ ମାତ୍ର ଭୃକ୍ଷେପ କରୁଥିବାର ନିଦର୍ଶନ ମିଳେନାହିଁ l
ସକାଳ ଦଶଟା ସୁଦ୍ଧା ସିଏ ବାହାରିଯାନ୍ତି l
ସନ୍ଧ୍ୟା ଗଡ଼ିଲା ଉତ୍ତାରୁ ଫେରନ୍ତି l
ସ୍କୁଟି ରେ ବସି ଗଗଲସ ଲଗେଇ ଗଲାବେଳେ ଗାଁ ର ଟୋକl
ଦଳ ହୁଇସିଲ ମାରନ୍ତି l
ସ୍ତ୍ରୀ ପୁରୁଷ ସମସ୍ତଙ୍କର ନଜର ଉଣାଅଧିକ ଥାଏ ସିଆଡେ l
ନିଆରା ଚରିତ୍ର ଟିଏ l
ତାଙ୍କୁ ନେଇ ବିଶେଷ ଚର୍ଚ୍ଚା ଏଥିପାଇଁ... ସିଏ କାହାରିକୁ ସୁଯୋଗ ଦେଇନାହାନ୍ତି ନିଜବିଷୟରେ ଜାଣିବାଲାଗି l
ଅନ୍ଦାଜ ଲଗେଇ ବିଭିନ୍ନ ମହଲ ରୁ ଭିନ୍ନ ଭିନ୍ନ କାହାଣୀ ର ସୂତ୍ରପାତ ହୁଏ l
ଦୁଇଟି ସନ୍ତାନ ର ଜନନୀ ସିଏ l
ଝିଅଟି ବଡ଼... ନାଁ ତାର switi.. ମା'ଙ୍କ ସାଙ୍ଗେ ବାହାରିଯାଏ l
ତାର ମଧ୍ୟ ଖୁବ ଆକର୍ଷକ ଚେହେରା l
ସଠିକ ବୟସ ନାହିଁ ଜାଣିଥିଲେ ବି ଅନ୍ଦାଜ ରେ ସତର ଅଠର ହବ l ଭଳିକି ଭଳି ପୋଷାକ ର ଗନ୍ତାଘର ତାର l ସଜବାଜ ହେଇ ବାହାରି ପଡିଲେ ପରୀ ଭଳି ଦିଶେ l ଗାଁ ଦାଣ୍ଡରେ ଫୁର କରି ଉଡ଼ିଗଲା ବେଳେ ବୁ ଦ୍ଧି ହଜିଯାଏ ଲୋକଙ୍କର l
ପୁଅଟି ସାନ l ସ୍କୁଲ ରେ ପଢେ... ଏଇ କଥାଟି ସଠିକ ଜଣାପଡେ, କାରଣ... ସବୁଦିନ ସକାଳେ ଅଟୋ ଟିଏ ଠିଆ ହୁଏ ତାଙ୍କରି ଘର ଆଗରେ ସେଥିରେ ଆଗରୁ ପିଲାମାନେ ବସିଥାନ୍ତି l
ସହର ର କୌ ଣସି ଇଂରାଜୀ ମିଡ଼ିଅମ ସ୍କୁଲ ର ପୋଷାକ ଥାଏ ଦେହରେ l ସନ୍ଧ୍ୟାବେଳେ ପିଲାଟି ନିଜର ବ୍ୟାଗ ଟିଫିନ ଆଉ ପାଣି ବୋତଲ ଧରି ଓଲ୍ହାଇ ଆସେ ଅଟୋ ରୁ ଆଉ ସିଧା ଘର କବାଟ ଖୋଲି ଭିତରକୁ ପଶିଯାଏ l କବାଟ ବନ୍ଦରହେ ଭଉଣୀ ଆଉ ମା ନ ଫେରିଲା ପର୍ଯ୍ୟନ୍ତ l ଗାଁ ସେମୁଣ୍ଡ ରେ ବିଶେଷ କେହି ଚଳପ୍ରଚଳ ହୁଅନ୍ତିନି... ତେଣୁ ପ୍ରାୟ ବନ୍ଦ ରହୁ ଥିବା ଘର ର ରହସ୍ୟ ସହଜରେ ଜଣାପଡେନି l
ଖରାଦିନ ହେଇଥାଏ l ସେଦିନ ଥାଏ ରବିବାର l ଉଣା ଅଧିକେ ସମସ୍ତଙ୍କର ଘରେ ଭଲ ଖାଇବାର ଜୋର ସୋର ପ୍ରସ୍ତୁତି ଚାଲିଥାଏ l ସକିଲ ମିଆଁ ଦି'ଟା ଖାସି କାଟି ସାରିଥାଏ ଆଉ ତୃତୀୟ ପାଇଁ ଥାଏ ପ୍ରସ୍ତୁତି ପଥେ l ପିମ୍ପୁଡି ଭଳିଆ ଧାଡି ତା ଦୋକାନ ଆଗରେ l ମାସର ପ୍ରଥମ ରବିବାର... ମଉଜ କରିବାର ଇଛା ଥାଏ ତୀବ୍ର l ଏତିକିବେଳେ, ଗାଁ ଦାଣ୍ଡରେ ଚହଳ ପକେଇ ପାଞ୍ଚୋଟି ମିଲିଟାରୀ ଜିପ ସାଇଁ ସାଇଁ କରି ମାଡିଚାଲିଲେ ଗାଁ ସେ ମୁଣ୍ଡକୁ... ଆଉ ଅଟକିଲେ ଯାଇ ସେଇ ରହସ୍ୟମୟ ନିବୁଜ ଘରଟି ଆଗରେ l
ଏକସଙ୍ଗେ ଏତେଗୁଡାଏ ଗାଡି ଗାଁ ଦାଣ୍ଡରେ କେବେ ବି ଯାଇନଥିଲା l କିଛି ଲୋକ ବିସ୍ମୟ ବିସ୍ଫାରିତ ନୟନରେ ସେଇ ଦିଗକୁ ଅନିଶା କଲେ... ସମସ୍ତଙ୍କର ମନରେ ଉତ୍କଣ୍ଠା ଜାଣିବାଲାଗି କ'ଣ ହେଉଛି... ଏତେଗୁଡାଏ ଗାଡି ସିଏ ପୁଣି ମିଲିଟାରୀ ବାଲା ଙ୍କର... କିଛି ଅଘଟଣ ହେଇନି ତ?
ଗାଡି ରହିଲାମାତ୍ରେ ସେଥିରୁ ବନ୍ଧୁକଧାରୀ ଏବଂ ତାଙ୍କର ଅଧିକାରୀ ମାନେ ଓଲ୍ହେଇପଡ଼ିଲେ l
ତାଙ୍କମଧ୍ୟରୁ ଜଣେ ଯାଇ କବାଟ ରେ ଠକ ଠକ କଲେ l କବାଟ ଖୋଲିଲା ଏବଂ ତିନିଜଣ ଅଧିକାରୀ ଭିତରକୁ ଗଲେ l ବାକି ଯବାନ ମାନେ ବାହାରେ ପହରା ଦେଲେ l ପ୍ରାୟ ଘଣ୍ଟାକ ପରେ କବାଟ ଖୋଲିଲା ଆଉ ଅଧିକାରୀ ମାନେ ମାଡାମଙ୍କୁ ସଲାମ କରି ଗାଡ଼ିରେ ବସିଲେ l ତାଙ୍କ ମଧ୍ୟରୁ ଦୁଇଜଣ ରୁମାଲ କାଢି ଆଖି ପୋଛିବାକୁ ଲାଗିଲେ l
ଧୂଳି ଉଡେଇ ସୀମା ଟପିବା ପର୍ଯ୍ୟନ୍ତ ଗାଡି ଉପରେ ନଜର ରଖିଥାନ୍ତି କିଛିଲୋକ l
ହେଲେ କିଛି ବି ହାସିଲ ହେଲାନାହିଁ l
ରହସ୍ୟ ର କୁହେଳିକା ଆଉରି ଘନୀଭୂତ ହବାକୁ ଲାଗିଲା l
ପ୍ରାୟ ସପ୍ତାହେ ପରେ...
ଗୋଟିଏ ଟ୍ରକ ରେ ଲଦା ହେଇ ସେଇଘରର ସମସ୍ତ ଆସବାବପତ୍ର ସହର ଅଭିମୁଖୀ ହେଲା ଏବଂ ତାର ଅନ୍ତେବାସୀମାନେ ଗାଁ ଦାଣ୍ଡ କୁ ପର କରି ଚାଲିଗଲେ l
ସେମାନେ ଗାଁ ପାଖ ସହର କିମ୍ବା କେଉଁ ଦୂର ସହର କୁ ଚାଲିଗଲେ ତାର ଖବର କେହି ପାଇଲେ ନାହିଁ l
କିଛିଦିନ ଫୁସୁର ଫାସର... ତାପରେ ସବୁ ଚୁପ l
ରହସ୍ୟ... ରହସ୍ୟ ରେ ରହିଗଲା l
ଭୁଲିଗଲେ ସମସ୍ତେ l ଦିନ ଗଡି ଚାଲିଲା l
ତହିଁଆର ବର୍ଷ ... ଜାନୁଆରୀ ମାସ ଛବିସ ତାରିଖ l ଗଣତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲ ପିଲାମାନେ ନିଜକୁ ପ୍ରସ୍ତୁତ କରୁଥାନ୍ତି l ପରେଡ, ଡ୍ରିଲ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ଭାଗ ନେବାଲାଗି ମନରେ ଉତ୍ସୁକତା ଭରି ରହିଥାଏ l ପିଲାମାନଙ୍କ ସାଙ୍ଗରେ ମା ମାନେ ବି ବ୍ୟସ୍ତ ଥାନ୍ତି l ଦିଲ୍ଲୀ ରୁ ଗଣତନ୍ତ୍ର ଦିବସ ର ସିଧା ପ୍ରସାରଣ ର ଆବାଜ କାନରେ ପଡ଼ୁଥାଏ l ପ୍ରତ୍ୟେକ ଭାରତୀୟ ପାଇଁ ଏହା ଏକ ଗର୍ବ ର ଦିନ l ବିଶେଷ କରି କିସମ କିସମ ର ବ୍ୟାଣ୍ଡ, ପରେଡ ଆଉ ପ୍ରାଦେଶିକ ଭେଟି ଖୁବ ମନୋରମ ହେଇଥାଏ l ଏଇଦିନ ରାଷ୍ଟ୍ରପତି ସାହସିକତା ପାଇଁ ସର୍ବୋଚ୍ଚ ସମ୍ମାନ ମଧ୍ୟ ପ୍ରଦାନ କରନ୍ତି... ଯାହାକି ଆମ ଦେଶ ପାଇଁ ପ୍ରାଣ ର ଆହୁତି କିମ୍ବା ଦେଶରକ୍ଷା ନିମନ୍ତେ ଉଲ୍ଳେଖ ଯୋଗ୍ୟ ଅବଦାନ ପାଇଁ ଦିଆଯାଏ l
ବୁଲୁ ଆଉ ମାମି ସଫାସୁତୁରା ହେଇ ସ୍କୁଲ ଡ୍ରେସ ପିନ୍ଧି ବାହାରିଗଲା ଉତ୍ତାରୁ ଟିକେ ସମୟ ମିଳିଲା l ଆସି ସୋଫା ରେ ବସିଲି ଟିଭି ଦେଖିବାକୁ l ଛୁଟି ଦିନ ଡେରିରେ ରୋଷେଇ ହୁଏ l ବୁଲୁ ବାପା ଗାଁ ମୁଣ୍ଡକୁ ଖଟି କରିବାକୁ ବାହାରିଗଲେଣି l
ଟିଭି ଦେଖୁ ଦେଖୁ ଆଜିକା ପେପର ଉପରେ ଆଖିବୁଲାଉ ଥାଏ l ଦୁଇଟା କାମ... ଯାତ୍ରା ଦେଖା କଦଳୀ ବିକା... ଏକାସଙ୍ଗେ ହେଇଯିବ l ଗୃହିଣୀ ର ବ୍ୟସ୍ତ ଜୀବନ ଭିତରେ ଫୁରୁସତ ଅମାବାସ୍ୟା ର ଜହ୍ନ ଭଳି l ସାହାସିକତା ପାଇଁ ପୁରସ୍କାର ପ୍ରଦାନ ର ପର୍ବ ଆରମ୍ଭ ହେବାକୁ ଯାଉଥାଏ l ଆମ ଓଡିଶା ରୁ ଦୁଇ ଭାଇଭଉଣୀ ଙ୍କ ନାଁ ଥାଏ l ପୋଖରୀରେ ବୁଡ଼ିଯାଉଥିବା ତିନୋଟି ପିଲାଙ୍କୁ ଉଦ୍ଧାର କରିଥିବାରୁ ସେମାନେ ଦିଲ୍ଲୀ ରେ ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହେଇଥାନ୍ତି l ସୁସଜ୍ଜିତ ହାତୀ ଉପରେ ବସାଇ ସେମାନଙ୍କୁ ସମ୍ମାନୀୟ ଅତିଥି ମାନଙ୍କର ନିକଟକୁ ଅଣାଗଲା ଆଉ ବେଶ ଖାତିରଦାରୀ କରାଗଲା l ତା ପର ପର୍ଯlୟ ଦେଶଭକ୍ତି ର ନିଦର୍ଶନ ଲାଗି ସର୍ବୋଚ୍ଚ ସମ୍ମାନ l
ଦୁଇ ଜଣ ପୁରସ୍କାର ଏବଂ ସମ୍ମାନ ଗ୍ରହଣ କଲାପରେ ତୃତୀୟ ମହିଳା ଙ୍କୁ କୋଉଠି ଦେଖିଲା ଭଳି ଲାଗିଲା l କିନ୍ତୁ ମନେ ପଡ଼ିଲାନି l ସୁନ୍ଦର ଚେହେରା... ଧଳା ଶାଢ଼ୀ ରେ ସୌନ୍ଦର୍ଯ୍ୟ ର ଗମ୍ଭୀରତା ବେଶ ବୃଦ୍ଧି ପାଉଥାଏ l ଆଖିଦୁଇଟି ଲୁହରେ ଢଳ ଢଳ l ରାଷ୍ଟ୍ରପତିଙ୍କ ପାଖରୁ ମେଡାଲ ଗ୍ରହଣ କରିଲାବେଳେ ହାତ ତାଙ୍କର କମ୍ପି ଉଠୁଥାଏ l ମା କୁ ସାହାରା ଦବl ଲାଗି... ତାଙ୍କ ର ପୁଅ ଆଉ ଝିଅ ପାର୍ଶ୍ୱ ରେ ଅବସ୍ଥିତ ଥାନ୍ତି l ମାଇକ ରେ ତାଙ୍କ ସ୍ୱାମୀଙ୍କର ଦେଶ ପାଇଁ ନିଷ୍ଠା ଆଉ ଉତ୍ସର୍ଗର ଵିସ୍ତୃତ ବର୍ଣନା ଚାଲିଥାଏ l
"ଏଥରକ ପରମବୀରଚକ୍ର ଉପାଧି କର୍ନେଲ ମେହରା ଙ୍କୁ ମରଣାଉପରାନ୍ତ ପ୍ରଦାନ କରାଯାଇଛି l ଜାମ୍ମୁ କାଶ୍ମୀର ଠାରେ, ପାକିସ୍ତାନୀ ଫୌଜ ର ମୁକାବିଲା ବେଳେ ସିଏ ନିଜର ଅଧିନସ୍ଥ ସେନା କର୍ମୀ ମାନଙ୍କୁ ବଞ୍ଚାଇ ବାକୁ ଯାଇ ଜୀବନର ଆହୁତି ଦେଇଥିଲେ l ପାକିସ୍ତାନୀ ସେନା ତାଙ୍କୁ ପଣବନ୍ଦୀ କରି ପ୍ରାୟ ଏକବର୍ଷ ରୁ ଉର୍ଦ୍ଧ ସମୟ ରଖିଥିଲେ l ସେଠାକାର ଜେଲ ରେ ତାଙ୍କର ଦେହାନ୍ତ ହେଇଥିଲା l ଘଟଣାଟି କେବଳ ଦୁଃଖଦାୟକ ନୁହେଁ, ବେଶ ଚାଂଚଲ୍ୟକର ମଧ୍ୟ l ଭାରତ ର ପ୍ରତ୍ୟେକ ନାଗରିକ କୁ ନିଜର ଭାବୁଥିଵା ଏବଂ ତାଙ୍କର ପ୍ରାଣ ରକ୍ଷା ଲାଗି ଜୀବନର ଶେଷରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାର ପଣ ନେଇଥିବା ଶ୍ରୀ ମେହରା ଙ୍କୁ କୋଟି କୋଟି ପ୍ରଣାମ l ପୁରସ୍କାର ବାବଦରେ ମିଳିଥିବା ଧନ ରାଶି ଛଡା ଫାମିଲି ପେନଶନ ଏବଂ ପିଲାମାନଙ୍କର ଶିକ୍ଷା ର ସମସ୍ତ ଦାଇତ୍ୱ ସରକାର ବହନ କରିବେ ଓ ଓଡିଶା ର ରାଜଧାନୀ ଭୁବନେଶ୍ୱର ଠାରେ ଘର କରିବl ପାଇଁ ତାଙ୍କୁ ଜାଗା ଯୋଗେଇ ଦିଆଯିବ l "
ଭାରତ ସରକାରଙ୍କର ସମସ୍ତ ଚେଷ୍ଟା ସତ୍ୱେ କାରାବାସ ରୁ ତାଙ୍କୁ ମୁକ୍ତି ମିଳିନଥିଲା l ଏହି ଦୁଃଖଦ ଖବର ଆମର ହସ୍ତଗତ ହେବାମାତ୍ରେ ଭାରତୀୟ ସେନାର ସାଧାରଣ ତଥା ବିଶିଷ୍ଟ ଅଧିକାରୀମାନେ ତାଙ୍କ ମରଶରୀର କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ l ତାଙ୍କର ଶେଷକୃତ୍ୟ ସମାପନ ଲାଗି ପରିବାର କୁ ସମସ୍ତପ୍ରକାର ସହାୟତା ପ୍ରଦାନ କରାଯାଇଥିଲା l ଶ୍ରୀମତୀ ମେହରା ଓଡିଶା ର ଭୁବନେଶ୍ୱର ଠାରେ ଏକ ବ୍ୟାଙ୍କ ରେ କାର୍ଯ୍ୟରତ ଆଉ ତାଙ୍କ ପିଲାମାନେ ସେଠାରେ ସ୍କୁଲ ଓ କଲେଜ ରେ ଶିକ୍ଷାଲାଭ କରୁଛନ୍ତି l
ଜାନୁଆରୀ ସତେଇସି ତାରିଖ ପେପର ବନ୍ଦ l ତା ପରଦିନ ଖରାବେଳେ କାମସାରିଲା ଉତ୍ତାରୁ ଖବର ଜାଣିବାପାଇଁ ପେପର ଆଡ଼େଇଲି l ଚତୁର୍ଥ ପୃଷ୍ଠା ରେ ଥାଏ ଏକ ବିଶେଷ ସ୍ତମ୍ଭ l ସାହାସିକତା ପାଇଂ ରାଷ୍ଟ୍ରପତିଙ୍କ ପାଖରୁ ପୁରସ୍କାର ପାଇଥିବା ପିଲାମାନଙ୍କ ବିଷୟରେ ବିସ୍ତୃତ ବିବରଣୀ l ଓଡ଼ିଆ ହିସାବରେ ଖୁବ ଗର୍ବିତ ହେଲି l ପାଖ ସ୍ତମ୍ଭ ଟି ସେଦିନ ଟିଭି ରେ ଦେଖିଥିବା ମିସେସ ମେହରା ଙ୍କ ବିଷୟରେ ଥାଏ l ତାଙ୍କ ଫଟ ଟି ଦେଖି ଚମକି ପଡିଲି... ବିଶ୍ୱାସ ହେଲାନି... ବିଲକୁଲ ଗାଁ ର ସେମୁଣ୍ଡ ରେ କିଛି ଦିନ ଆଗରୁ ରହୁଥିବା ମହିଳା ଙ୍କ ପରି l ଭୋକ ଲାଗୁଥିବା ସତ୍ୱେ ଜାଣିବାର ଆଗ୍ରହ ଯୋଗୁ ପଢିଚାଲିଲି l ପଢାସରିଲା ବେଳକୁ ଥାଏ ଆଖିରେ ଆଖିଏ ଲୁହ l
ବିଚାରୀ ସ୍ତ୍ରୀ ଲୋକ ଟି !
କେତେ କଟୁକଥା ସହି କେତେ କଟାକ୍ଷ ଏବଂ କ୍ରୁର ଚାହାଣି ବରଦାସ୍ତ କରି ଗାଁ ମୁଣ୍ଡ ରେ ପଡିରହିଥିଲା l
ଧିକ! ଏ ଗାଁ ଲୋକେ.... କିଛି ନବୁଝି ନଶୁଝି କେତେ ଅପବାଦ ଦଉଥିଲେ l ଗାଁ ଟୋକା ମାନେ... ତାଙ୍କର ଟାପରା ଆଉ ମନ୍ତବ୍ୟ.... ଛି.. ଛି... କାନରେ ଶୁଣି ହଉନଥିଲା l ମା ଆଉ ଝିଅ ସ୍କୁଟି ରେ ଗଲାବେଳେ ହ୍ବିସିଲ ଶବ୍ଦ ରେ ଗାଁ ଦାଣ୍ଡ ଫାଟିପଡୁଥିଲା l କି କଦର୍ଯ୍ୟ ମାନସିକତା ସତରେ !
ଏଠି ରହିଥିଲା ବେଳେ ଭୟଙ୍କର ମାନସିକ ଚାପ ଭିତରେ ପରିବାରଟି ରହୁଥିବ ନିଶ୍ଚୟ l ପାକିସ୍ଥାନୀ ଜେଲରେ ସଜା କାଟୁଥିବା ସ୍ୱାମୀଙ୍କୁ ଦେଖିବାକୁ ମନ କେତେ ଡହଳ ବିକଳ ହଉଥିବ... କ'ଣ ଵା ଭୁଲ ତାଙ୍କର ଯଦି ସିଏ ବେଶ ପୋଷାକ ହେଇ ଦୁଃଖ ଦୁର୍ଦଶା କୁ ଭୁଲି ଜୀବନ ପଥରେ ଆଗେଇଯାନ୍ତି?
ତାଙ୍କୁ ସାବାସୀ ମିଳିବା ଜାଗାରେ ମିଳିଲା ଦୁର୍ବ୍ୟବହାର... ଧିକ୍କାର ଆଉ ଅପବାଦ ର ବୋଝ l ସହରରେ ଅତିଷ୍ଠ ହେଇକି ପଳେଇଆସିଥିବେ ସିଏ... ହେଲେ ଗାଁ ରେ ବି ତ କାଣିଚାଏ ସୁଖ ମିଳିଲାନି l ଧନ୍ୟ ସେ.... ତାଙ୍କ ଧୈର୍ଯ୍ୟ ଆଉ ସହିଷ୍ଣୁତା କୁ କୋଟି କୋଟି ପ୍ରଣାମ l
ସତରେ, ସିଏ ଜଣେ ସଚ୍ଚା ସେନା ଅଧିକାରୀଙ୍କର ପତ୍ନୀ l
ହସି ହସି ସବୁ ଦୁଃଖ ପିଇଗଲେ l
କାହାରିକୁ ଜାଣିବାକୁ ଦେଲେନାହିଁ ଭିତରଟା ତାଙ୍କର କେତେ କୁହୁଳୁଛି l