The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sriman Bapu

Inspirational

4.2  

Sriman Bapu

Inspirational

ଆଖି ଦେଖା

ଆଖି ଦେଖା

9 mins
575



    ପ୍ରଶାନ୍ତଙ୍କ ଘର ଯାଜପୁର , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ନେଗିପାଲି , ଚାରି ବର୍ଷ ହେବ ନୂଆପଡ଼ାରେ କଳା ଶିକ୍ଷକ ଭାବେ କାର୍ଯ୍ୟରତ । ବିଦ୍ୟାଳୟଠୁ ଅନତିଦୂରରେ ଜନବସତିଠୁ ଦୂରରେ କ୍ଷେତ ଭିତରେ ଏକ ଏକାନ୍ତ କୋଠରୀରେ ସେ  ରୁହନ୍ତି । ପାଖରେ ଜଙ୍ଗଲ , ସାପ ବିଛା ଆଉ ଜଙ୍ଗଲି ଜୀବଙ୍କ ଭୟ ଥାଏ ସବୁବେଳେ । ଏହି ସ୍ଥାନଟି ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଶେଷ ସୀମାରେ ଏକ ଆଭ୍ୟନ୍ତରୀଣ ଜଙ୍ଗଲ ଘେରା ଗ୍ରାମୀଣ ଇଲାକା ତେଣୁ ଆଖପାଖରେ ଶୌଚାଳୟ ଆଉ ପାଣିର ସୁବିଧା ଥିବା ଘରଟିଏ ମିଳିବା କଷ୍ଟକର । ଦ୍ୱିତୀୟରେ  ଅବିବାହିତ ତେଣୁ ଖୋଜି ଖୋଜି ଘରଟିଏ ନପାଇ ଶେଷରେ ସେ ସେହି ଏକାନ୍ତ ଘରଟିରେ ରହିବାକୁ ଏକ ପ୍ରକାର ବାଧ୍ୟ ହେଲେ । ଏହି ବାଧ୍ୟ ହେବା ପଛରେ ତାଙ୍କର ପ୍ରାକୃତିକ ପରିବେଶରେ ଏକାନ୍ତ ରହିବାର ସ୍ୱପ୍ନ ପ୍ରେରଣା ଦେଇଥିଲା । 


    କୋଡ଼ିଏ ପଚିଶ କିଲୋମିଟର ଦୂରରେ ଥିବା ଖରିଆର ରୋଡ଼ ନାମକ ଛୋଟ ଏକ ଟାଉନରେ ତାଙ୍କର ଅଧିକାଂଶ ସହକର୍ମୀ ରୁହନ୍ତି । ସେ ବି ଚାହିଁଥିଲେ ରହି ପାରିଥାଆନ୍ତେ ହେଲେ ପୂର୍ବରୁ ଭୁବନେଶ୍ୱର , ବରୋଦା , ଆଉ ଦିଲ୍ଲୀ ଆଦିରେ ଚଉଦ ବର୍ଷ କାଳ ସହରୀ ଜୀବନର ଅନୁଭବ ତାଙ୍କ ଭିତରେ ସହର ଜୀବନ ପ୍ରତି ଏକପ୍ରକାର ବିତୃଷ୍ଣା ଜାଗ୍ରତ କରିଦେଇଥିଲା । ତେଣୁ ପ୍ରାକୃତିକ ପରିବେଶରେ ବଞ୍ଚିବା ପାଇଁ ସେ ବିକଳ ହେଉଥିଲେ । ଏହି କାରଣରୁ ଦିଲ୍ଲୀରେ ତାଙ୍କର କଳାକାର ହେବାର ସ୍ୱପ୍ନକୁ ଭୁଲିଯାଇ ସେ ଏକପ୍ରକାର ପଳାୟନ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ ।


    ଜୀବନଠୁ ପଳାୟନ କଲେ ସମସ୍ୟା ଦୂର ହୋଇଯାଏନି । ରୋମାଂଟିକ ଆଉ ସ୍ୱପ୍ନର ଦୁନିଆ ଆଉ ବାସ୍ତବ ଜୀବନ ଭିତରେ ଆକାଶ ପାତାଳର ଫରକ୍ ଥାଏ । ଯେଉଁମାନେ ପ୍ରାକୃତିକ ପରିବେଶରୁ ଦୂରରେ ମେଟ୍ରୋ ସହରରେ ଜନଗହଳି , ଶବ୍ଦ ଆଉ ବାୟୁ ପ୍ରଦୂଷଣ ଭିତରେ କାଳାତିପାତ କରନ୍ତି ସେମାନେ ଚାରି ଆଠ ଦିନ , ସିମଲା , ମନାଲି ଆଉ ଋଷିକେଶ ଯାଇ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସରଳ ଆଉ ନିରାଡ଼ମ୍ବର ଜୀବନଶୈଳୀ ଦେଖି ଅଭିଭୂତ ହୋଇ ଉଠି ଭାବନ୍ତି କାସ୍ ମୁଁ ଏମିତି ଜୀବନ ବଞ୍ଚିପାରନ୍ତି । ଠିକ୍ ସେହିପରି ଜଙ୍ଗଲ ପାହାଡ଼ର ପ୍ରାକୃତିକ ପରିବେଶରେ ବଞ୍ଚୁଥିବା ଲୋକ ବି ସହରର ଚାକଚକ୍ଯ ସୁବିଧା ସୁଯୋଗ ଜୀବନଶୈଳୀ ଦେଖି ସହର ଜୀବନର ସ୍ୱପ୍ନ ଦେଖେ । ଉଭୟ ସହରୀ ଆଉ ଅଭ୍ୟନ୍ତରୀଣ ଗ୍ରାମୀଣ ଜୀବନ ବଞ୍ଚୁଥିବା ଲୋକେ କେହି କାହାର ପ୍ରକୃତ ଜୀବନ ସମସ୍ୟା ବିଷୟରେ ଅବଗତ ନୁହଁନ୍ତି । ଦୂରରୁ ପାହାଡ଼ ସୁନ୍ଦର‌‌ ଦିଶେ କିନ୍ତୁ ପ୍ରତ୍ୟକ୍ଷ ବା ବାସ୍ତବ ଅନୁଭବ ଅକଳନୀୟ ! ତେଣୁ ସର୍ବମୋଟରେ କେଉଁ ଜୀବନ ଆଦର୍ଶ କହିବା ମୁସ୍କିଲ । ପ୍ରଶାନ୍ତ ଏସବୁ ସେହି ଏକାନ୍ତ ଘରେ ରହି ପ୍ରତି ରାତି ଜୀବନ ପ୍ରତି ବିପଦର ଡ଼ରକୁ ସାମ୍ନା କରି ଅନୁଭବ କଲେ ।


   ଗୋଟିଏ ଶନିବାର ସ୍କୁଲରୁ ଫେରି ଟିକିଏ ବିଶ୍ରାମ ନେଇ ଉଠି ଦେଖିଲେ କି ଡାହାଣ ଆଖିଟା ଭିତରୁ କେଞ୍ଚି କେଞ୍ଚି ହେଲା ପରି ଲାଗୁଛି , କିଛି ଆଖିରେ ପଡ଼ିଯାଇଛି ନିଶ୍ଚୟ ! କେହି ତ ପାଖରେ ନାହାନ୍ତି ଯାହାକୁ କହିବେ ଦେଖିଲ ଆଖିରେ କ'ଣ ପଡ଼ିଛି ?  ଗାଡ଼ିର ଆଇନାରେ ଯାଇ ଆଖିକୁ ଦେଖିଲେ କିଛି ସେମିତି ମିଳିଲା ନାହିଁ । ପାଣି ଛାଟି ଆଖି ଧୋଇଲେ ତଥାପି କୌଣସି ଫରକ୍ ପଡ଼ିଲା ନାହିଁ । ସନ୍ଧ୍ୟା ଆଗତ , ଯଦି କାଲି ସୁଦ୍ଧା ଭଲ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବେ ଭାବି ଦୁଇ କିଲୋମିଟର ଦୂରରେ ଥିବା ଏକ ଔଷଧ ଦୋକାନରୁ ଆଇଡ୍ରପ୍ ଆଣି ପକାଇଲେ ହେଲେ ଟିକିଏ ହେଲେ ବି ଉପଶମ ମିଳିଲା ନାହିଁ । ସେ ଅବସ୍ଥାରେ ରୋଷେଇ କରିବା ମୁସ୍କିଲ ତେଣୁ ଅଣ୍ଡା ଗୋଟିଏ ପକେଇ ମ୍ଯାଗି କରି ଖାଇ ଯଥାଶୀଘ୍ର ଶୋଇବାକୁ ଚେଷ୍ଟା କଲେ । ଆସନ୍ତା କାଲି ରବିବାର , ଶ୍ରୀନିବାସଙ୍କ ସହ ହରିଶଙ୍କର ବୁଲି ଯିବାର ଯୋଜନା ଅଛି । ଶ୍ରୀନିବାସ ଖୋର୍ଦ୍ଧା ଜିଲ୍ଲାର , କୋମନାର ହାଇସ୍କୁଲରେ ଜଣେ ଶିକ୍ଷକ ଆଉ ତାଙ୍କର ସମବୟସ୍କ । ଯେବେ ସେ ପ୍ରଥମ ଥର ନୂଆପଡ଼ା ଆସିଥିଲେ ସେଇଠି ଦେଖା ହୋଇଥିଲା , ଆଉ ସେବେଠୁ ଦୁହେଁ ସାଙ୍ଗ । ଏମିତି ମଝିରେ ମଝିରେ ଛୁଟିରେ ବାଇକ୍ ଧରି ଆଖ ପାଖର ଦର୍ଶନୀୟ ସ୍ଥାନ ବୁଲି ଯାଆନ୍ତି । ଏଥର ତାଙ୍କୁ ଘରକୁ ଡ଼ାକିଛନ୍ତି ସାଙ୍ଗ ହୋଇ ଯିବେ , ହେଲେ ଏ ଅବସ୍ଥାରେ ସେ ବୁଲି ଯାଇପାରିବେ ? ହେଉ ଦେଖିବା କାଲି କ'ଣ ହେଉଛି ?


    ରାତିସାରା କଡ଼ ଲେଉଟାଇ , ବାରମ୍ବାର ପରିସ୍ରା ଉଠି ବିତିଗଲା । ସକାଳୁ ଦେଖିଲେ ଆଖି ଅଳ୍ପ ଫୁଲି ଯାଇଛି , ଲାଲ୍ ପଡ଼ିଯାଇଛି ଆଉ ଯନ୍ତ୍ରଣା ବି ହେଉଛି । ଶ୍ରୀନିବାସଙ୍କୁ ଆଣିବା ପାଇଁ ବିଶୋରା ଛକକୁ ଗଲେ , ଦୁହେଁ ସାଥିହୋଇ ଘରକୁ ଫେରିଲେ । ପ୍ରଶାନ୍ତ ପଚାରିଲେ , ଜାଣିଛନ୍ତି କି ନୂଆପଡ଼ାରେ କିଏ ଭଲ ଆଖି ଡାକ୍ତର ଅଛନ୍ତି ? ଶ୍ରୀନିବାସଙ୍କର ଡାକ୍ତର ଆଉ ମେଡିକାଲ ସମ୍ଵନ୍ଧରେ ଭଲ ଜ୍ଞାନ । ସେ କ‌ହିଲେ , ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ସେଠାରେ ଡକ୍ଟର ସାହୁ ବୋଲି ଜଣେ ଆଖି ବିଶେଷଜ୍ଞ ଅଛନ୍ତି । ଦୁହେଁ ଚୁଡା ଗୁଡ଼ କଦଳୀ ଖାଇ ବାହାରିଲେ , ଆଖିରେ ପବନ ବାଜିବାରୁ ଅଧିକ କଷ୍ଟ ହେଉଥିଲା ତେଣୁ ପଛରେ ହେଲମେଟ ଲଗାଇ ବସିଲେ , ଶ୍ରୀନିବାସ ବିନା ହେଲମେଟରେ ଗାଡ଼ି ଚଲାଇଲେ ।


    ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିରାଟ ନୂଆକୋଠା ଦେଖିଲେ ନିଶ୍ଚୟ ରୋଗୀଙ୍କ ମନରେ ଏକ ସକରାତ୍ମକ ଭାବନା ଆସୁଥିବ । ଶ୍ରୀନିବାସ ପଶିଯାଇ ନମ୍ବର କରିନେଲେ । ଆଖି ବିଭାଗର ଏକ ସ୍ୱତନ୍ତ୍ର କୋଠାରେ ଏକ ମାତ୍ର ଡାକ୍ତର ସାହୁ ଥାଆନ୍ତି । ଦଶ ବାର ଜଣକ ପରେ ତାଙ୍କର ପାଳି ପଡ଼ିଲା । ସୌଜନ୍ୟମୂଳକ ସେ ଡାକ୍ତରଙ୍କୁ ନମସ୍କାରଟିଏ ଜଣାଇ ନିଜ ଆଖିର ସମସ୍ୟା ଦେଖାଇ ସବୁ କଥା କହିଲେ । ଡାକ୍ତର ନିଜର ସ୍ୱତନ୍ତ୍ର ଚଷମା ଲଗାଇ ଦଶରୁ ପନ୍ଦର ସେକେଣ୍ଡ ନିରୀକ୍ଷଣ କରି ଫଟାଫଟ୍ ଔଷଧ ଲେଖିଦେଇ ପରାମର୍ଶ ଦେଲେ , ଆଖି ଆଉ ଚତୁପାର୍ଶ୍ୱରେ ହାତ ନ ଲଗାଇବାକୁ , ପୋଖରୀ କି ନଦୀ ପାଣିରେ ନ ଗାଧୋଇ କଳ ପାଣିରେ ଗାଧୋଇବାକୁ ଆଉ ଦିନରେ ଦୁଇ ଦୁଇ ଘଣ୍ଟା ବ୍ଯବଧାନରେ ଆଖିରେ ଛଅଥର ଔଷଧ ପକାଇବାକୁ । 


    ପ୍ରଶାନ୍ତ ଶୁଣିଥିଲେ , ଡ଼ାକ୍ତରବାବୁ ବାହାରେ ବ୍ୟକ୍ତିଗତ ଭାବେ ଭଲ ଚିକିତ୍ସା କରନ୍ତି ତେଣୁ ପଚାରିନେଲେ , ବାହାରେ ଆପଣ ବ୍ୟକ୍ତିଗତ ଭାବେ କେଉଁଠି ଚିକିତ୍ସା କରନ୍ତି ? ଡାକ୍ତରବାବୁ ପ୍ରଶ୍ନର ଜବାବ ନଦେଇ ଅପେକ୍ଷାରତ ପରବର୍ତ୍ତୀ ରୋଗୀକୁ ଭିତରକୁ ଆସିବାକୁ ଇଶାରା କଲେ । ପ୍ରଶାନ୍ତ ଫେରି ଆସି ଶ୍ରୀନିବାସଙ୍କୁ କହିଲେ , ଡାକ୍ତର କିଛି କହିଲେନି । ଶ୍ରୀନିବାସ କହିଲେ ଏଠି ପଚାରିଲେ ସେ କହିବେନି ତେଣୁ ଆମେ ଅନ୍ୟତ୍ର କାହାକୁ ପଚାରି ତାଙ୍କର ବ୍ୟକ୍ତିଗତ ଚିକିତ୍ସାଳୟକୁ ଯିବା , ଏବେ ଯାହା ଔଷଧ ଲେଖିଛନ୍ତି ପକେଇ ଦେଖନ୍ତୁ । ଔଷଧ ଦୋକାନରେ ଚିଠା ଦେଖେଇ ଔଷଧ ନେଲା , ତିନିଟି ଭିନ୍ନ ଧରଣର ଆଇ ଡ୍ରପ ଆଉ ଅଏଣ୍ଟମେଣ୍ଟ । କେତେ ହେଲା ? ଆଠ ସହ ପଚାଶ ଟଙ୍କା ଦୋକାନୀ କହିଲେ । ସେ ଆଶା କରିନଥିଲେ ଏତେ ହେବ ବୋଲି ।


    ଶ୍ରୀନିବାସ ହରିଶଙ୍କର ବୁଲିବା ଉଦ୍ଦେଶ୍ୟରେ ହିଁ ଆସିଥିଲେ , ପ୍ରଶାନ୍ତଙ୍କର ଇଚ୍ଛା ନଥାଇ ବି ବାହାରିଲେ । ପୂରା ରାସ୍ତା ପଛରେ ହେଲମେଟ ଲଗାଇ ବସିଲେ , ଦୁଇ ଦୁଇ ଘଣ୍ଟା ବ୍ଯବଧାନରେ ରାସ୍ତାରେ ରହି ଶ୍ରୀନିବାସଙ୍କ ସହାୟତାରେ ଆଖିରେ ଔଷଧ ପକାଇଲେ । ନୂଆପଡାରୁ କୁରୁମପୁରୀ ସେଠୁ ବାଞ୍ଜିବାହାଲ୍ , ଲଖନା , ଷଡ଼ଙ୍ଗୀପାଲିରୁ ସିଧା ଲାଠୋର ସେଠୁ ହରିଶଙ୍କର । ଚାରି ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିଲା , କାରଣ ରହି ରହି ଯିବାକୁ ହେଲା । ଫେବୃଆରୀ ମାସ ଶେଷ ଆଡ଼କୁ ଶୀତ ନଥାଏ କି ସେତେ ଗରମ ନଥାଏ । ରାସ୍ତାର ଦୂଇ କଡ଼ରେ କେତେ ପାହାଡ଼ , ଜଙ୍ଗଲ , ଗାଁ ଗଣ୍ଡା ଆଉ କ୍ଷେତର ମନମୁଗ୍ଧକର ଦୃଶ୍ୟ ସବୁ ହେଲେ ପ୍ରକୃତି ପ୍ରେମୀ ପ୍ରଶାନ୍ତ ଟିକିଏ ବି ଉପଭୋଗ କରିପାରିନଥିଲେ । ଶ୍ରୀନିବାସ ହରିଶଙ୍କରର ଝରଣା ପାଣିରେ ଗାଧୋଇଲେ ତାଙ୍କର ଇଚ୍ଛା ଥାଇ ବି ଆଖି ଯୋଗୁଁ ବଞ୍ଚିତ ହେଲେ । ଫେରିଲା ବେଳକୁ ସନ୍ଧ୍ୟା ଦୃଶ୍ୟସବୁ ଆହୁରି ରମଣୀୟ ଥିଲା ହେଲେ ସବୁଥିରୁ ସେ ବଞ୍ଚିତ ହେଲେ । ସୁସ୍ଥ ଆଖି ବିନା ସୌନ୍ଦର୍ଯ୍ୟର ମୂଲ୍ୟ କି ମହତ୍ତ୍ଵ କିଛି ନାହିଁ । 


    ରାତିରେ ସେ ଶ୍ରୀନିବାସଙ୍କ ସହ ବାଞ୍ଜୀବାହାଲ୍ ହାଇସ୍କୁଲରେ ରହିଲେ । ସେଠାରେ ପ୍ରଧାନ ଶିକ୍ଷକଙ୍କ ସାଥିରେ ସେ ରହୁଥିଲେ । ଆଗରୁ ହେଡମାଷ୍ଟରଙ୍କ ସହ ଦୁଇ ତିନିଥର ଦେଖା ହୋଇଛି , ଘଣ୍ଟା ଘଣ୍ଟା ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ହୁଏ କିନ୍ତୁ ସେଦିନ କ୍ଷମା ମାଗି ଶୋଇବାକୁ ଚେଷ୍ଟାକଲେ । ସକାଳୁ ଗାଧୋଇ ଗାଡ଼ିଧରି ବାହାରି ଗଲେ , ସେଠାରୁ ପଚାଶ କିଲୋମିଟର ଦୂରରେ ଥିବା ତାଙ୍କ ସ୍କୁଲକୁ । ଶ୍ରୀନିବାସ ବଡ଼ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ସାଙ୍ଗରେ ଥିଲେ ଏହା ଇଶ୍ୱରଙ୍କ ତାଙ୍କ ଉପରେ କୃପା ବୋଧହୁଏ ଥିଲା । ଗୋଟିଏ ଆଖିରେ ଅନେଇ ଗାଡ଼ି ଚଳେଇବା କଷ୍ଟ ହେଉଥିଲା , ଧିରେ ଧିରେ ରହି ରହି ସେ ସ୍କୁଲରେ ପହଞ୍ଚିଲେ । ଦୁଇଦିନ ଏମିତି କଷ୍ଟ ସହିବାକୁ ହେଲା ତା'ପରେ ବାରମ୍ବାର ଔଷଧ ପକାଇବାରୁ କମିଗଲା । ମନେ ମନେ ସେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ।


    ଆଠଦିନ ଭିତରେ ପ୍ରାୟତଃ ଭଲ ହୋଇ ଯାଇଥିଲା ଆଉ ସେ ଔଷଧ ପକାଇବା ମଧ୍ୟ ଜାରି ରଖିଥିଲେ । ଦଶବାର ଦିନ ପରେ ପୁଣି ଯେଉଁ କଥାକୁ ସେଇ କଥା । ଡ଼ାକ୍ତରଙ୍କ ବ୍ୟକ୍ତିଗତ ଚିକିତ୍ସାଳୟକୁ ଯାଇ ଦେଖେଇବାକୁ ଚାହୁଁଥିଲେ ହେଲେ ସନ୍ଧ୍ୟାରେ ସତୁରି କିଲୋମିଟର ଏକା ଯିବା ଆସିବା କରିବା ପାଇଁ ତାଙ୍କର ସାହସ  ନଥିଲା । ଏଥିପାଇଁ କାହାରିକୁ ବି ସାହାଯ୍ୟ ମାଗି ପାରୁନଥିଲେ ତେଣୁ ବାଧ୍ୟ ହୋଇ ସକାଳୁ ଏକା ଏକା ବାହାରିଗଲେ ନୂଆପଡ଼ା ମୁଖ୍ୟ ଡ଼ାକ୍ତରଖାନାକୁ । 


    ଡ଼ାକ୍ତରଙ୍କର ସେହି ସମାନ ନିର୍ଲିପ୍ତ ଭାବ , ବିଶେଷ କିଛି ପ୍ରତିକ୍ରିୟା ନଥିଲା । ଆହୁରି ଦାମୀ ଔଷଧ ଲେଖିଦେଇ ସମାନ ପରାମର୍ଶ ଦେଇ ଛାଡ଼ିଦେଲେ । ଔଷଧର ଦାମ ଥିଲା ଏଗାର ଶହ ଟଙ୍କା ଏଥର । ସେ ଚିନ୍ତା କଲେ , ବିନା ଡ଼ାକ୍ତର ଫିସରେ ଖାଲି ଔଷଧ ବାବଦ ଯିବା ଆସିବା ସବୁ ମିଶି ଦୁଇ ହଜାରରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେଇ ସାରିଲାଣି ଛୋଟ ଏକ ଆଖିରେ ଅସୁବିଧା ପାଇଁ । ତେବେ ଚିକିତ୍ସା କେତେ ମହଙ୍କା ହୋଇଗଲାଣି ସତେ ! ଗୋଟିଏ ଖଟିଖିଆ ମଜୁରିଆ ଆଉ ଗରିବ ଲୋକଟିଏ କେମିତି ବଞ୍ଚିଛି ? ବୋଧହୁଏ ଭଗବାନ ଆଉ ଭାଗ୍ୟର ଭରସାରେ ।


    ଏଥର ଡ଼ାକ୍ତର ସାହୁଙ୍କ ଔଷଧ ପୂର୍ବ ଭଳି ଆଉ କାଟୁ କରିଲା ନାହିଁ । ଆଖିରୁ ଅହରହ ପାଣି ସହ ପୋଡ଼ାଜଳା ହେଉଥିଲା । ଶ୍ରୀନିବାସ ,‌ ଦେବାର୍ଚ୍ଚନ ଆଉ ରଜତ ଏହି ତିନି ସାଙ୍ଗକୁ ଫୋନ୍ କରି କଟକ ଆଉ ଭୁବନେଶ୍ୱରରେ ଭଲ ଆଖି ଡ଼ାକ୍ତରଙ୍କ ବିଷୟରେ ପଚାରିଲେ । ସେଠୁ ସ୍କୁଲରୁ ଛୁଟି ନେଇ ତତ୍କାଳ ଟିକେଟ କାଟି ଭୁବନେଶ୍ୱର ସ୍ଥିତ ଏଲ୍ . ଭି ପ୍ରସାଦ , ପ୍ରସିଦ୍ଧ ଆଖି ଡ଼ାକ୍ତରଖାନା ଅଭିମୁଖେ ବାହାରିଲେ । ଆଗରୁ କେବେ ଟ୍ରେନ୍ ଯାତ୍ରା ତାଙ୍କ ପାଇଁ ଏତେ ବିରକ୍ତିକର ହୋଇ ନଥିଲା । ଏହି ଦଶ ବାର ଦିନରେ ସବୁଠୁ ବଡ଼ କଷ୍ଟ ଥିଲା , ନା ସେ ମୋବାଇଲ ସ୍କ୍ରିନକୁ ଅନାଇ ପାରୁଥିଲେ , ନା ଫର୍ଦ୍ଦଟିଏ ପଢ଼ିପାରୁଥିଲେ । ଆଜିକାଲି ବିନା ମୋବାଇଲ ଦେଖି ଦଶ ବାର ଦିନ କାଟିବା କେତେ କଷ୍ଟ ସମସ୍ତେ ଅନୁମାନ କରି ପାରୁଥିବେ । ଦିନରେ ଯେଣେତେଣେ ସ୍କୁଲରେ କଟିଯାଏ ରାତିଟା ଏକା ଏକା , ତାଙ୍କୁ ମାଡ଼ିପଡେ ।


    ଭୁବନେଶ୍ବରରେ ପହଞ୍ଚି ବୋମିଖାଲରେ ରହୁଥିବା ବଡ଼ ଭାଇଙ୍କ ଘରକୁ ଗଲେ । ବଡ଼ ଭାଇ ଭାଉଜ ଆଖିର ଏ ଅବସ୍ଥା ଦେଖି ଚିନ୍ତିତ ଆଉ ବିରକ୍ତ ହେଲେ । ନିଜେ ଭାଇ ଫୋନ୍ କରି ଡ଼ାକ୍ତରଙ୍କ ଆପଣ୍ଟମେଣ୍ଟ ନେଲେ ଆଉ ବାଇକରେ ନେଇ ଛାଡ଼ିଦେଇ କିଛି ସମୟ ଜଗି ରହିଲେ ଅଫିସ ସମୟ ହେବାରୁ ବାହାରିଗଲେ । ଭାଇ ସାଥିରେ ସବୁ ସହଜ ହେଇଯାଏ , ଏଥିପାଇଁ ବୋଧହୁଏ କୁହାଯାଏ ଭାଇ ଭଳି ବନ୍ଧୁ ନାହିଁ ।


    ଆଖି ଉପରେ ଗବେଷଣା ଆଉ ଚିକିତ୍ସାକୁ ନେଇ ଏଡ଼େ ବଡ଼ ଡ଼ାକ୍ତରଖାନା ବିଷୟରେ ସେ ଆଗରୁ ଜାଣି ନଥିଲେ । ସମୟ ହାତରେ ଥାଏ ତେଣୁ ହସ୍ପିଟାଲ ବୁଲି ଦେଖିଲେ , ସ୍ଥାପତ୍ୟ ଦୃଷ୍ଟିରୁ ହସ୍ପିଟାଲ କୋଠାଟି ଆକର୍ଷଣୀୟ ଥିଲା , ସବୁ କାନ୍ଥରେ  ପେଣ୍ଟିଂମାନ ଝୁଲୁଥିଲା , ପୂରା ସଫାସୁତୁରା ପରିବେଶ ଆଉ ଆଗରେ ସୁନ୍ଦର ବଗିଚାଟିଏ । ଡ଼ାକ୍ତରଖାନା ଭଳି ଲାଗୁନଥାଏ । ସରକାରୀ ଆଉ ବେସରକାରୀ ଅନୁଷ୍ଠାନମାନଙ୍କ ମଧ୍ୟରେ ଏଇତ ସବୁଠୁ ବଡ଼ ଫରକ୍ ।


    ଆଗରୁ ଏଲ୍. ଭି ପ୍ରଶାଦଙ୍କୁ ସେ ଜଣେ ପ୍ରସିଦ୍ଧ ଆଖି ଡ଼ାକ୍ତର ଭାବିଥିଲେ । ହସ୍ପିଟାଲ କାନ୍ଥରେ ଲାଗିଥିବା ତାଙ୍କର ବଡ଼ ବଡ଼ ଛବି ସହ ବିବରଣୀରୁ ଜାଣିବାକୁ ପାଇଲେ , ସେ ଥିଲେ ଜଣେ ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ ମହାନ ତେଲୁଗୁ , ତାମିଲ ଆଉ ହିନ୍ଦୀ ସିନେମାର ନିର୍ଦ୍ଦେଶକ , ଅଭିନେତା ଆଉ ପ୍ରଯୋଜକ । ସିନେମା ଦେଖିବା , ତିଆରିବା ପୁରା ପ୍ରକ୍ରିୟାରେ ଆଖି ହିଁ ମୂଖ୍ୟ ଏହି କଥାଟିର ମର୍ମ ବୁଝିପାରିି ସେ  ନିଜ ଅର୍ଜିତ ଧନ ବ୍ୟୟ କରି ନିଜ ମାଆଙ୍କ ସ୍ମୃତିରେ ପ୍ରଥମେ ନିଜ ମାତୃଭୂମି ପରେ ଦେଶରେ ବିଭିନ୍ନ ସ୍ଥାନରେ ଜନକଲ୍ଯାଣ ପାଇଁ ଆଖି ହସ୍ପିଟାଲମାନ ନିର୍ମାଣ କରେଇଥିଲେ ।


    ଆମର ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜଣେ ଭିକାରୁଣୀର ଆଖି ଭଲ କରେଇବାର ପ୍ରଚେଷ୍ଟାକୁ ନେଇ ଭୁବନେଶ୍ୱରରେ ଏଲ୍ .ଭି ପ୍ରସାଦଙ୍କୁ ଆମନ୍ତ୍ରଣ କରି ହସ୍ପିଟାଲ ନିର୍ମାଣ କରେଇବାର ଏକ ଚମତ୍କାର କାହାଣୀ ଏହିଠାରେ ଜାଣିବାକୁ ପାଇଲେ । ହସ୍ପିଟାଲ ଉଭୟ ଥିବା ବାଲା ଆଉ ନଥିବାବାଲାଙ୍କର ମଙ୍ଗଳ ସାଧନ କରୁଛି ବୋଲି ତାଙ୍କର ବୋଧ ହେଲା । କାରଣ ଖୁବ୍ କମ୍ ପଇସାରେ ଏମିତିକି ନିଶୁଳ୍କରେ ଚିକିତ୍ସା ଯୋଗାଇ ଦେଉଛି ବୋଲି ଜାଣିବାକୁ ପାଇଲେ । ନିଜ ସ୍କୁଲରୁ ଗୋଟିଏ ପିଲା ଅତି କମ୍ ଖର୍ଚ୍ଚରେ ଗୁରୁତ୍ୱପୂର୍ଣ୍ଣ ସଫଳ ଅସ୍ତ୍ରୋପଚାର କରାଇଛି ବୋଲି ଜାଣିଥିଲେ ଆଗରୁ ।


    ଡ଼ାକ୍ତର ନିହାରୀକା ସାହୁଙ୍କ ସହ ଆପଣ୍ଟମେଣ୍ଟ ଥିଲା । ପରୀକ୍ଷା ନିରୀକ୍ଷାର ତିନି ପାହାଚ ଅତିକ୍ରମ କରି ଡ଼ାକ୍ତରଙ୍କ ପାଖରେ ପହଞ୍ଚିଲେ । ଡ଼ାକ୍ତର ମ୍ଯାଡମ ଯୁବତୀ , ସୁନ୍ଦରୀ ତ ଥିଲେ ତାହା ସହ ଅବିବାହିତ  ବୋଲି ସେ ଅନୁମାନ କଲେ । ତାଙ୍କର ଅଧା ରୋଗ ଭଲ ହୋଇଗଲା ପରି ଲାଗିଲା । ଡ଼ାକ୍ତର ଧୈର୍ଯ୍ୟର ସହ ସବୁ ଶୁଣିଲେ ଆଉ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ପରୀକ୍ଷା କରି ପାଇଲେ କି ଆଖିରେ ଏକ କ୍ଷୁଦ୍ର ଲୋମ ଅଛି । 


    ମନେ ପଡ଼ିଲା , ତାଙ୍କର ମାସେ ପୂର୍ବର ଏକ ଘଟଣା । ମହୁମାଛି ପଚାଶ ଷାଠିଏ ସରିକି ତାକୁ ଗୋଡ଼େଇ ଗୋଡ଼େଇ କାମୁଡ଼ି ଥିଲେ । ଗୋଟିଏ କାମୁଡ଼ି ଥିଲା ସେ ଆଖି ପତା ତଳକୁ । ସମ୍ଭବତ ଲୋମଟିଏ ପଶି ରହିଯାଇଥିଲା ସେବେ । ସେ ଯାହାହେଉ , ଡ଼ାକ୍ତର ଲୋମଟିକୁ ତାଙ୍କ ଯନ୍ତ୍ର ସାହାଯ୍ୟରେ ଅଚିରେ ବାହାର କଲେ । ସାଙ୍ଗେ ସାଙ୍ଗେ ଏକ ବିରାଟ କଣ୍ଟା ଯେମିତି ଗଳାରୁ ଖସିଗଲା ପରି ଲାଗିଲା । ପଇଁଚାଳିଶ ଟଙ୍କାର ଔଷଧ ଲେଖିଦେଲେ , ସ୍ୱତନ୍ତ୍ର ରେଜିଷ୍ଟ୍ରେସନ ତିନିଶହ କେତେ ଟଙ୍କା ବୋଧହୁଏ ଥିଲା । ମୋଟାମୋଟି ଚାରିଶହ ଟଙ୍କାରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ସେ କରିଥିଲେ । ଆଉ ଥରେ ଅନୁଧ୍ୟାନ ପାଇଁ ତାକୁ ଡ଼କା ଯାଇଥିଲା । ସେ ଡାକ୍ତର ମ୍ଯାଡମଙ୍କ କଥା ଚିନ୍ତା କରି କରି ଖୁସିରେ ଯାଇଥିଲେ , ନଯାଇଥିଲେ ବି ଚଳିଥାନ୍ତା । ସେ ଭାବିଲା , କାଳେ ଏହି ବାହାନାରେ ଡ଼ାକ୍ତରଙ୍କ ସହ ବନ୍ଧୁତା ବଢ଼ିଯିବ ହେଲେ ସେମିତି କିଛି ହେଲାନି ସେ ନିଜର କୃତଜ୍ଞତା ଜଣାଇ ନିଜ କର୍ମକ୍ଷେତ୍ରକୁ ଫେରିଆସିଲେ ।


    ଭୁବନେଶ୍ବରରୁ ନୂଆପଡ଼ା ଫେରିଲା ବେଳେ ସବୁ ତାକୁ ନୂଆ ଲାଗୁଥାଏ , କେତେଦିନ ହେଲା ଏହି ସାମାନ୍ୟ ଟିକିଏ ଲୋମ ପାଇଁ ତାଙ୍କ ଜୀବନ ଦୁର୍ବିସହ ଆଉ ଯନ୍ତ୍ରଣାଦାୟକ ହୋଇଯାଇଥିଲା । ଗୋଟିଏ ପଟେ ନୂଆପଡ଼ାର ଦାୟିତ୍ଵହୀନ ଆଉ ଆଧୁନିକ ଯନ୍ତ୍ରପାତି ଶୂନ୍ୟ ରୁକ୍ଷ ଡ଼ାକ୍ତର ସାହୁଙ୍କ ପ୍ରାଣଘାତୀ , ବ୍ୟୟବହୁଳ ଚିକିତ୍ସା ଆଉ ଅନ୍ୟପଟେ ଯୁବତୀ ସୁନ୍ଦରୀ ଦାୟିତ୍ଵବାନ ଆଉ ଆଧୁନିକ ଯନ୍ତ୍ରପାତି ସହ ଡ଼ାକ୍ତର ନିହାରୀକା ସାହୁଙ୍କ ଜୀବନଦାୟୀ ଚିକିତ୍ସା । ଆକାଶ ପାତାଳର ଫରକ୍ ! କାହିଁକି ସରକାରୀ ଆଉ ବେସରକାରୀ ଚିକିତ୍ସା ମଧ୍ୟରେ ଏ ଆକାଶ ପାତାଳ ଫରକ୍ ? ଏଇମିତି ଆଧୁନିକ ଆଉ ଉତ୍କୃଷ୍ଟ ଚିକିତ୍ସା କ'ଣ ସଭିଙ୍କ ମୌଳିକ ଅଧିକାର ନୁହେଁ ‌।  ଏଇଭଳି ନିମ୍ନମାନ ଆଉ ଦାୟିତ୍ଵହୀନ ଚିକିତ୍ସା ପାଇଁ କେତେ କିଏ ତାଙ୍କର ମୂଲ୍ୟବାନ ଆଖି ହରାଉଥିବେ ସବୁଦିନ ପାଇଁ । ତାଙ୍କ ଯାଗାରେ ଯଦି ଅଭ୍ୟନ୍ତରୀଣ ଇଲାକାର ଏକ ଅସଚେତନ ଗରିବ ଲୋକଟିଏ ହୋଇଥାନ୍ତା ତେବେ କ'ଣ ହୋଇଥାଆନ୍ତା ? ଏଇମିତି ନାନାଦି ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଶେଷରେ ଚିନ୍ତା କଲେ , ଏ ଶରୀର କି ବିଚିତ୍ର ! ଯେଉଁଠି ଏ ଦେହ କେତେ କଥା ହଜମ କରିଦେଉଛି ଆଉ ଆଖିକି ଦେଖାଯାଉନଥିବା ସାମାନ୍ୟ ଏକ ଅତୀବ କ୍ଷୁଦ୍ର ଲୋମ କେମିତି ସବୁ ଓଲଟ ପାଲଟ କରିପକାଉଛି । ଏ ଦେହ ଯାହା ଆଦରି ନ ପାରେ ଏମିତି ନାଟ ଲଗେଇ ସୁଚିତ କରିବାକୁ ଚାହେଁ କି ଜଲଦି କର ! ନହେଲେ ପରେ ମୋତେ ଦୋଷ ଦେବନି ।


 

 

      


Rate this content
Log in

More oriya story from Sriman Bapu

Similar oriya story from Inspirational