ଆକବର ବିରବଲ - ୨୨
ଆକବର ବିରବଲ - ୨୨
କର୍ମ ହେଉଛି ଭଗବାନ୍
ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି ବିରବଲଙ୍କୁ ଅପମାନିତ କରିବେ ସବୁ ସମୟରେ ସୁଯୋଗ ଖୋଜୁ ଥାଆନ୍ତି । ଦିନେ ମୁଲ୍ଲା ସଭାରେ ସମସ୍ତେ ଉପସ୍ଥିତ ଥିବାବେଳେ ବିରବଲଙ୍କୁ ପଚାରିଲେ, “ମହାଶୟ! ଆପଣ ଏଠାରେ ମନ୍ତ୍ରୀପଦ ପାଇବା ପୂର୍ବରୁ କ’ଣ କରୁଥିଲେ?” ବିରବଲ ସଂଗେ ସଂଗେ ଉତ୍ତର ଦେଲେ, “ମୁଁ କୃଷି କାର୍ଯ୍ୟ କରୁଥିଲି ।”
ଏହାପରେ ମୁଲ୍ଲା ପଚାରିଲେ, “ତୁମର ବାପ, ଅଜାମାନେ କ’ଣ କରୁଥିଲେ?” ବିରବଲ ସେମାନେ ମଧ୍ୟ କୃଷିକାର୍ଯ୍ୟ କରୁଥିବା କଥା କହିଲେ । ମୁଲ୍ଲା ପୁଣି ପଚାରିଲେ, ସେମାନେ କିପରି ମୃତ୍ୟୁବରଣ କଲେ?” ବିରବଲ କହିଲେ, “ବାପା କୃଷିକାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କଲେ ଏବଂ ଅଜା ପାଣି ମଡାଇବା ପାଇଁ କୂପରୁ ପାଣି ଉଠାଉଥିବା ସମୟରେ କୂପ ମଧ୍ୟରେ ପଡି ମୃତ୍ୟୁ ବରଣ କଲେ ।” ବିରବଲଙ୍କ କଥା ଶୁଣିବା ପରେ ମୁଲ୍ଲା କୃଷି ଜୀବିକାକୁ ହେୟଜ୍ଞାନ କଲାପରି ନାନାଦି କଥା କହିଲେ । ଏଥିରୁ ତାଙ୍କର କୃଷି ପ୍ରତି ଥିବା ଘୃଣା ମନୋଭାବ ସୂଚିତ ହେଉଥାଏ ।
ମୁଲ୍ଲାଙ୍କ କଥା ଶୁଣିବା ପରେ ବିରବଲ କି’ ତାଙ୍କୁ ଛାଡନ୍ତି । ସେ ମଧ୍ୟ ସଂଗେ ସଂଗେ ତାଙ୍କ ପୂର୍ବଜମାନଙ୍କର ଜୀବିକା ସଂପର୍କରେ ପଚାରିଲେ । ମୁଲ୍ଲା ଜଣେ ସୈନିକଙ୍କର ସନ୍ତାନ ବୋଲି କହିଲେ ଏବଂ ତାଙ୍କର ପିତା ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିଥିବା କଥା ପ୍ରକାଶ କଲେ । ଏହାପରେ ବିରବଲ ସୈନିକ ମାନଙ୍କ ବିରୋଧରେ ନାନାଦି କଥା ପ୍ରକାଶ କଲେ । ବିରବଲଙ୍କ କଥାଶୁଣି ମୁଲ୍ଲା ଏକଦମ୍ ଚୁପ୍ ହୋଇ ତଳକୁ ମୁହଁ କରିଥାଆନ୍ତି ।
ମୁଲ୍ଲାଙ୍କୁ ଅପମାନିତ ହେବା ମନେ କରି, ବିରବଲ କହିଲେ, “ମହାଶୟ! ଆପଣଙ୍କ ପିତା ଯେଉଁ କାର୍ଯ୍ୟ କରୁଥିଲେ ତାହା ଯେମିତି ଏକ ମହାନ୍ କାର୍ଯ୍ୟ, ମୋ ପିତାଙ୍କର କୃଷିକାର୍ଯ୍ୟ ମଧ୍ୟ ଏକ ମହାନ୍ କାର୍ଯ୍ୟ । ଯେଉଁ କାର୍ଯ୍ୟ କର ପଛକେ, ତାକୁ ସୂଚାରୁ ରୂପେ ସଂପାଦନ କରିବା ଆବଶ୍ୟକ, କାରଣ କର୍ମ ହେଉଛି ଭଗବାନ୍ ।”