The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kulamani Sarangi

Inspirational

2  

Kulamani Sarangi

Inspirational

ଆକାଶକୁ ଥୁକିବା ଛେପ

ଆକାଶକୁ ଥୁକିବା ଛେପ

4 mins
100



ଅନିମେଶ ବାବୁ ସବୁବେଳେ ହସ ହସ। ମୁହଁରେ ସବୁବେଳେ ଖେଳୁଥାଏ ତୃପ୍ତିର ତରଙ୍ଗ। ସରକାରୀ ଚାକିରୀରୁ ଅବସର ନେବାପରେ,ସହରରୁ ଗାଁକୁ ଚାଲିଆସିଛନ୍ତି ସେ।ନିଜ ପୈତୃକ ଗାଁ ସାବିଦେଈପୁରଠାରୁ ଅଳ୍ପ ଦୂରରେ ବଗିଚା ଭିତରେ ଘରଟିଏ କରି ସନ୍ୟାସ ଜୀବନ ବିତାଉଥିଲେ ସେ।ପାଞ୍ଚବର୍ଷ ତଳେ ଅର୍ଦ୍ଧାଙ୍ଗିନୀ ତାଙ୍କୁ ଏକା ଛାଡ଼ି ଦେଇ ସେପାରିକୁ ଚାଲି ଯାଇଛନ୍ତି। ଏକମାତ୍ର ପୁଅ ପ୍ରଶାନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ନିଉ ଜେରେସୀ ରେ ଗୋଟିଏ ବଡ଼ କମ୍ପାନୀରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍।


ଦିନେ ମୁଁ ଗାଁ କୁ ଯାଇଥିବା ଅବସରରେ ଅନିମେଶ ବାବୁଙ୍କ ସହିତ ମୁହାଁମୁହିଁ ହୋଇ ଗଲି।ଏତେ ବଡ ସଂସାରରେ ପାଖରେ କେହି ନଥାଇ, ସମ୍ପୂର୍ଣ୍ଣ ଏକାକୀ ଜଣେ ଲୋକ କେମିତି ଏତେ ଖୁସି ମିଜାଜରେ ରହିପାରିବ,ମତେ ଆଶ୍ଚର୍ଯ୍ୟ ଲାଗୁଥିଲା।ପଚାରିଲି.. ଭାଇନା, ଏକା ଏକା ସମୟ କେମିତି କଟୁଛି?


ଅନିମେଶ ବାବୁ କହିଲେ...ଏ ଦୁନିଆରେ ଗହଳି ଭିତରେ ଥାଇ ମଧ୍ୟ ବିଜନତା ଲୋକଙ୍କ ମନକୁ ଯାବୁଡି ଧରୁଚି,ମୋ ପାଖରେ ତ ମୋ ଫୁଲଗଛ ମାନଙ୍କର ଢେର୍ କୋଳାହଳ ଅଛି, କୁକୁର ବିରାଡ଼ି,ଶୁଆ ଶାରୀଙ୍କର ଅଳି ଅର୍ଦ୍ଦଳି ରହିଛି। ସକାଳୁ ଉଠି ପୋଖରୀ କୂଳକୁ ଗଲେ ମୋ ମାଛ, କଇଁଛ ମାନେ ଅପେକ୍ଷା କରି ରହିଛନ୍ତି ମୋ ହାତରୁ ଦାନା ଖାଇବା ପାଇଁ,ଗୁହାଳରେ ଗାଈମାନେ ଅପେକ୍ଷା କରି ରହିଛନ୍ତି ମୋ ହାତରୁ ଘାସ ଖାଇବା ପାଇଁ।ସକାଳ-ସଞ୍ଜରେ ମନ୍ଦିରରେ ରାଧା-କୃଷ୍ଣ ଅପେକ୍ଷା କରିଛନ୍ତି ମୋ ହାତରୁ ଭୋଗ ଖାଇବା ପାଇଁ, ମୁଁ ଏକା କେମିତି ହେଲି କୁହନ୍ତୁ ତ?


ଅନିମେଶ ବାବୁଙ୍କ ଜୀବନଚର୍ଯ୍ୟା ଶୁଣି ଖୁସି ଲାଗିଲା।ପୁଅ ପ୍ରଶାନ୍ତର ଭଲ-ମନ୍ଦ କଥା ପଚାରୁ ପଚାରୁ କହିଲି.. ଭାଇନା,ଆପଣ ପୁଅ ପାଖକୁ ଚାଲି ଯାଉନାହାନ୍ତି,ଆରାମରେ ସମୟ କଟନ୍ତା ଆପଣଙ୍କର।ଶୁଣିଚି ସେଠି କୁଆଡେ ବହୁତ୍ ବଡ଼ କମ୍ପାନୀରେ ଚାକିରୀ କରିଚି ପ୍ରଶାନ୍ତ, ଅପର୍ଯ୍ୟାପ୍ତ ଅର୍ଥର ମାଲିକ ସେ। ଅବଶ୍ୟ ଆଜିକାଲି ପିଲାଙ୍କ କଥା କ'ଣ କହିବା,ନିଜ ଚିନ୍ତାରେ ମଗ୍ନ ସେମାନେ,ବାପା ମାଆଙ୍କ କଥା ପଚାରେ କିଏ?


କିଛି ସମୟ ଚୁପ୍ ରହି ଅନିମେଶ ବାବୁ କହିଲେ.. ଆଜିକାଲି, ଯୁବପିଢୀକୁ ଗାଳିଦେବାଟା ଆମ ପିଢୀର ଲୋକ ମାନଙ୍କର ଗୋଟେ ବଦଭ୍ୟାସ ହେଲାଣି।ସମସ୍ତେ ଖରାପ ନୁହଁନ୍ତି। ମୋ ପୁଅର ପାଠପଢା ଆରମ୍ଭ ସମୟରେ ତାକୁ ଖେଳକୁଦର ଟିକିଏ ବି ସ୍ବାଧୀନତା ନଦେଇ ମୁଁ କହିଥିଲି...ପ୍ରଶାନ୍ତ,ତତେ କ୍ଲାସରେ ଫାଷ୍ଟହେବାକୁ ହିଁ ପଡ଼ିବ।ମତେ ଖୁସି କରିବା ପାଇଁ ଦିନରାତି ଏକ କରି ସେ ପାଠ ପଢିଲା।ତା ସଫଳତାକୁ ପାଥେୟ କରି ମୁଁ ସବୁଆଡେ ଗର୍ବରେ ଛାତି ଫୁଲେଇ ବୁଲିଲି।ତାକୁ କଷ୍ଟିଙ୍ଗ୍ କରିବାକୁ ମୁଁ ପ୍ରେରଣା ଦେଲି, ଅହମଦାବାଦରେ‌ ଆଇଆଇଏମ୍ ରେ ଏମ୍ ବି ଏ କରିବାକୁ ମୁଁ ତାକୁ ମଧ୍ୟ ପ୍ରେରଣା ଦେଲି। ସବୁବେଳେ ସେ ମୋ କଥା ଅନୁସାରେ କାମ କରୁଥିଲା। 


ଆମେରିକାରେ ସେ ଯେତେବେଳେ ବଡ଼ ଚାକିରୀ ପାଇଲା,ତାର ଶ୍ରେୟ ମୁଁ ନେଇ ଗର୍ବରେ ଛାତି ଫୁଲେଇ ବାଟଚାଲିଲି। ଯେତେବେଳେ "ମୋପୁଅ"ର ପ୍ରଶଂସା ମୁଁ ଗାଇବୁଲେ ସେତେବେଳେ ମୁଁ ମୋର ପ୍ରଶଂସା କରେ,ପୁଅର ନୁହେଁ।

ଏତେ ପାଠ ପଢେଇ ମୁଁ ଯେବେ କହିବି ପୁଅ ମୋ ପାଖରେ ରହି କାହିଁକି ଭଲ-ମନ୍ଦ ବୁଝିଲା ନାହିଁ, ତାହେଲେ ପୁଅ ପ୍ରତି ତାହା ଅନ୍ୟାୟ ହେବ ନାହିଁ?ମୋ ସ୍ତ୍ରୀ ମରିଯିବା ସମୟରେ ପୁଅ ତା ସ୍ତ୍ରୀ ସହିତ କ୍ରିୟାକର୍ମ କରିବାକୁ ଗାଁ କୁ ଆସିଥିଲା। ଗାଁରେ ତାକୁ କିଏ କଣ କହିଲା,ବଡ଼ ମନଦୁଃଖର ଆସି ମତେକହିଲା..ବାବା ! ମୁଁ ଚାକିରୀ ଛାଡ଼ିଦେଇ ଗାଁ କୁ ଚାଲି ଆସିବି,ତମ ପାଖରେ ରହି ଜମିବାଡ଼ି ଚାଷବାସ କରିବି,ତୁମକୁ ଏକା ରହିବାକୁ ଦେବିନି।


ସେତେବେଳେ ମୁଁ ତାକୁ କହିଥିଲି.. ମୁଁ ତତେ ଭଗବତ୍ ଗୀତାର କର୍ମଯୋଗ ବୁଝାଇଥିଲି କଣ ପାଇଁ?ଯାହାର ଯେଉଁ ବିଦ୍ୟାରେ ପାରଦର୍ଶିତା ଥାଏ, ସେହି ବିଦ୍ୟା ସେ ଜଗତର କଲ୍ୟାଣ ପାଇଁ ସଦୁପଯୋଗ କରିବା ଉଚିତ।ତୁ କଷ୍ଟ୍ ଆକାଉଣ୍ଟାନ୍'ସି ପାଠପଢି ଚାଷକାମ କରିବୁ, ତାହା ପୁଣି ପିତୃତ୍ବ ମୋହରେ ! ଏ ଦୁର୍ବୁଦ୍ଧି ତତେ କିଏ ଦେଲା? ବୋହୂ ଜାଣିବା ଶୁଣିବା ଘରର ଝିଅ ;ସବୁ ଶୁଣିବା ପରେ ସେ କହିଲା..ବାବା,ଆପଣ ତାହେଲେ ଆମ ସାଙ୍ଗରେ ନିଉ ଜେରେସୀ ଯିବେ;ଆପଣଙ୍କୁ ଏକା ଛାଡ଼ି ଯିବାର ପ୍ରଶ୍ନ ଉଠୁନାହିଁ। ମୁଁ କହିଲି.. ଠିକ୍ ଅଛି ମା, ମୁଁ ଯିବି ଗୋଟିଏ ସର୍ତ୍ତରେ;ମତେ ସେଠାରେ ରହିବାକୁ ଭଲ ନଲାଗିଲେ ମୁଁ ଫେରିଆସିବି। ସର୍ତ୍ତରେ ପୁଅ-ବୋହୂ ରାଜି ହେଲେ ଏବଂ ମୁଁ ସେମାନଙ୍କ ସହିତ ନିଉଜେରେସୀ ଗଲି।


ସେଠାରେ କିନ୍ତୁ ଗୋଟିଏ ମାସ ମତେ ଗୋଟିଏ ବର୍ଷ ପରି ଲାଗିଲା।ପୁଅ-ବୋହୂ ଅଫିସ୍ ଚାଲିଗଲା ପରେ,ଘର ଭିତରେ ବସି ନିର୍ବାସିତର ବିଳାପ କରିବାକୁ ଲାଗିଲି।ସହଜେ ତ ମତେ ଟିଭି ଖୋଲିବାକୁ ଭଲ ଲାଗେନାହିଁ,କେତେ ବା ଦେଖିବି ପ୍ରାର୍ଥନା ଚ୍ୟାନେଲ? ଗାଁ ର ମୁକ୍ତ ବାତାବରଣ, ବଗିଚାର ଗଛପତ୍ର, ପୋଖରୀ,ମାଛ କଇଛ, ରାଧା କୃଷ୍ଣ ମନ୍ଦିରର ବେଢ଼ା ଆଳତି,ସବୁ ମନେପଡି ମତେ ବ୍ୟତିବ୍ୟସ୍ତ କରି ପକାଇଲେ।

ଶେଷରେ ଦିନେ ପୁଅ ବୋହୂ ଙ୍କୁ ଅନୁରୋଧ କଲି ମତେ ବନ୍ଦୀ ଜୀବନରୁ ମୁକ୍ତି ଦେବାପାଇଁ।


ପୁଅ ବୋହୂ ଫେରିବା ଟିକେଟ କାଟିଦେଲେ। ଏଠାରେ ପହଞ୍ଚି ମତେ ମୁକ୍ତ ଆକାଶର ବିହଂଗ ଭଲି ଲାଗିଲା।ଏକାକିତ୍ବ କଣ ମୁଁ ଆମେରିକାର ବସ୍ତୁବାଦୀ ଜୀବନ ଯାପନ କରି ଭଲଭାବରେ ହୃଦୟଙ୍ଗମ କରିଛି,ତେଣୁ ଏ ଜୀବନ ସେତେ ଏକାଟିଆ ଲାଗୁନାହିଁ।

ପୁଅ ବୋହୂ ପ୍ରତି ମୋର କୌଣସି ଅଭିଯୋଗ ନାହିଁ।ମୋର ସେମାନଙ୍କ ଠାରୁ କିଛି ଅର୍ଥ ଆଶା ମଧ୍ୟ ନାହିଁ। ସେଥିପାଇଁ ପୁଅ ଆସି ମୋ ପାଇଁ ସବୁ ବ୍ୟବସ୍ଥା କରିଦେଇ ଯାଇଛି। ଦୁଇଟି ଲୋକ ଅଛନ୍ତି ବାଡି ବଗିଚା କାମ କରିବା ପାଇଁ।ଜଣେ ରହିଛି ରୋଷେଇ ବାସ କରି ଦେବାପାଇଁ। ସେମାନଙ୍କ ଖର୍ଚ୍ଚ ସବୁ ପୁଅ ବୁଝୁଛି।ମତେ ପୁଅ ନିର୍ଦ୍ଦେଶ ଦେଇଛି ଯେ ମୋ ଅନ୍ତେ ମୋର ସ୍ଥାବର ଅବସ୍ଥାର ସମ୍ପତ୍ତି ସବୁ ଗାଁର ବୃଦ୍ଧାଶ୍ରମ ନାଁ ରେ ଉଇଲ୍ କରିଦେବା ପାଇଁ,କାରଣ ସେଠାରେ ପୁଅ ସ୍ଥାୟୀ ନାଗରିକତ୍ବ ନେଇସାରିଛି।


ଗାଁ ଲୋକଙ୍କର ହୃଦୟରେ ମୋ ପ୍ରତି ସ୍ନେହ ପ୍ରେମ ପୂର୍ଣ୍ଣ ହୋଇ ରହିଛି,କାରଣ ଭଲମନ୍ଦରେ ସମସ୍ତଙ୍କ ଦୁଆରେ ମୁଁ ଠିଆହୁଏ।ତେଣୁ ଗୋଟିଏ ପୁଅ ମୋର ଆମେରିକାରେ ଥିଲେ କଣ ହେଲା, ଗାଁ ସାରା ମୋର ପୁଅ ଝିଅ।କାଲି ମୁଁ ମରିଗଲେ ମତେ କାନ୍ଧ ଦେବାପାଇଁ ଶହଶହ ଲୋକ ଉଠି ଆସିବେ।ଜୀବନକୁ ବଞ୍ଚିବାର କଳା ଜଣାଥିଲେ ଜୀବନ ମଧୁମୟ ହୋଇଯାଏ। ଆଜି ଯିଏ ଗାଁରୁ ଗଲା ସେ ଗାଁକୁ ଫେରିବା ନାଁ ଧରୁନି। ଡାକ୍ତର ହେଉ, ଇଞ୍ଜିନିୟର ହେଉ,ଆଇଏଏସ ହେଉ ସମସ୍ତେ ସହରରେ ଘରକରି ରହିଲେ,ଚାକଚକ୍ୟରେ ହଜିଗଲେ। ଡ୍ରଇଂ ରୁମରେ ବନ୍ଦୀର ଜୀବନ ଗାଁର ମୁକ୍ତ ଆକାଶର ଜୀବନ ଠାରୁ ସେମାନଙ୍କୁ ଭଲ ଲାଗୁଛି,ଲାଗୁ, କିନ୍ତୁ ମାଟିର ଋଣ ଶୁଝିଲେ ମଣିଷ ପଣିଆ ହୁଅନ୍ତା।"


ସେଥର ଗାଁ ରେ ମୁଁ ଦଶଦିନ ରହିଥିଲି।ଅନିମେଶ ଭାଇନାଙ୍କ ଲୋକପ୍ରିୟତା ମତେ ବିଭୋର କରିଥିଲା। ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା।

ଏ ଭିତରେ ଦୁଇବର୍ଷ ବିତି ଯାଇଥିଲା। ଦିନେ ହଠାତ୍ ଖବର ପାଇଲି ଯେ ଅନିମେଶ ଭାଇନା ଚାଲିଗଲେ। ଗାଁ କୁ ଗଲି ତାଙ୍କ ଦଶାହରେ ଯୋଗ ଦେବାପାଇଁ।ତାଙ୍କ ପୁଅ ପ୍ରଶାନ୍ତକୁ ଖୋଜିଲି ଦି'ପଦ କଥା ହେବାପାଇଁ। କିନ୍ତୁ ଶୁଣିଲି ପ୍ରଶାନ୍ତ ଆସିନାହିଁ।ଅନିମେଶ ଭାଇନାଙ୍କର ଜଣେ ପୁତୁରା କ୍ରିୟା ଧରୁଥିଲା। ପ୍ରଶାନ୍ତ ନଆସିବାରୁ କାରଣ ମୁଁ ଜାଣିବାକୁ ଉତ୍ସୁକ ହୋଇ ପଡିଲି। ମୋ ପ୍ରଶ୍ନ ଶୁଣି ମୋ ଜଣେ ଭାଇନା କହିଲେ...କୋଉ ମୁହଁରେ ଆସିଥାନ୍ତା?ବୁଢ଼ା ଯେତେବେଳେ ନିଉ ଜେରେସୀ ଯାଇଥିଲା,ବୋହୂ ପରା ସବୁଦିନ ମଦପିଇ ବୁଢାକୁ ଗାଳିଗୁଲଜ କରେ।ପୁଅ ବି ସ୍ତ୍ରୀ କୁ କିଛି କହେନାହିଁ।ଶେଷରେ ଦିନେ ମଦ ନିଶାରେ ବୋହୂ ଶଶୁରଙ୍କୁ ଘରୁ ଧକ୍କା ମାରି ତଡିଦେଲା।ଆମ ଏପଟର ଜଣେ ଲୋକଙ୍କ ଦୟା ଯୋଗୁଁ, ବୁଢ଼ା କୌଣସି ପ୍ରକାରେ ଟିକେଟ କାଟି ଗାଁ କୁ ଫେରିଆସିଲା। ଗାଁ କୁ ଆସିବା ପରେ କେବେହେଲେ ପୁଅ ବୋହୂଙ୍କ ନାଁରେ ବୁଢା କାହାକୁ କିଛି କହେନାହିଁ।ଛେପ ଉପରକୁ ପକେଇଲେ ପରା ମୁହଁ ରେ ପଡ଼ିବ।ସବୁବେଳେ ପୁଅ-ବୋହୂର ପ୍ରଶଂସା କରେ ବୁଢା।

ନିଜ ସମ୍ପତ୍ତିବାଡି ବୃଦ୍ଧାଶ୍ରମ ନାଁ ରେ କରିଦେଇଥିଲା। ଏକଥା ଶୁଣିବା ପରେ ପୁଅ ଆହୁରି ବିଗିଡି ଗଲା।ବୁଢ଼ା ତାକୁ ତ୍ୟଜ୍ୟପୁତ୍ର କରିବ କଣ,ସେ ବୁଢାକୁ ତ୍ୟଜ୍ୟପିତା କରି ଦେଲା। ବୁଢ଼ା ସବୁକଥା ଏମିତି ଲୁଚେଇ ଥିଲା ଯେ ପୁଅ ଯଦି ଆସି କ୍ରିୟା କର୍ମ କରି ଥାନ୍ତା ତା'ହେଲେ କିଛି ଜଣା ପଡିନଥାନ୍ତା।ପୁଅ କିନ୍ତୁ ବୁଢାକୁ ଘରର ଗୁମର ସାଙ୍ଗରେ ନେଇ ଯିବାପାଇଁ ଦେଲାନି।


Rate this content
Log in

Similar oriya story from Inspirational