STORYMIRROR

kalpana sahoo

Inspirational

3  

kalpana sahoo

Inspirational

ଆଦର୍ଶ

ଆଦର୍ଶ

3 mins
199


     ଆଜିବି ପୁଅ ଘରେ ନାହିଁ। ସକାଳୁ-ସକାଳୁ କେଉଁଆଡେ ଚାଲିଯାଇଛି, କାହାକୁ କିଛି ନଜଣେଇ। ବାପା ବ୍ୟସ୍ତ ହେଉଛନ୍ତି ଝିଅ ପାଇଁ। ପୁଅର କାମ ମଝିରେ ଝିଅର ଭବିଷ୍ୟତ ଯେମିତି ମଉଳିନଯାଏ। 


    

    ଝିଅଟି ବିବାହ ବୟସରେ ପାଦ ଦେଲାଣି, ଭଲ ପ୍ରସ୍ତାବଟିଏ ଦେଖି ହାତକୁ ଦିହାତ କରିଦେଲେ ବାପାଙ୍କର ଦାୟିତ୍ବ ଶେଷ। ଏଣୁତେଣୁ ଖୋଜି ଖୋଜି ଏତେ ଦିନପରେ ମନକୁ ପାଇଲାଭଳି ଘର ପରିବାରଟିଏ ମିଳିଛି। ବାପାଙ୍କର ଭାରି ଇଚ୍ଛା ସେଇଠି ମୋ ଝିଅର ବାହାଘର ହେଉ। ଝିଅକୁ ଦେଖିବାକୁ ପିଲା ଘରଲୋକ ଆସିଛନ୍ତି। ଝିଅଟି ତାଙ୍କର ପସନ୍ଦ ହେଲା, ସେମାନେ ମୁଦି ପିନ୍ଧାଇ ନିଜର ବୋହୁ ଭାବରେ ସ୍ବୀକାର କରି ଆର୍ଶୀବାଦ ଦେଇ ଚାଲିଗଲେଣି ।


     ଏଣେ କେତେ କାମ ପଡିଛି। ଗୋଟି ଗୋଟି କରି ସବୁ କାମକୁ ବାପା ନିଜ କାନ୍ଧରେ ପକାଇ କରୁଛନ୍ତି। ଟିକିଏ ନିଶ୍ବାସ ମାରିବା ପାଇଁବି ବାପାଙ୍କୁ ସମୟ ମିଳୁନି। ବିବାହରେ କିଛି ଅସୁବିଧା ନହେଉ ସେଥିପାଇଁ ଆଗୁଆ ଯୋଗାଡ କରି ରଖୁଛନ୍ତି ସବୁକିଛି। ଭଉଣୀ ବାହାଘର, ଭାଇର ଟିକେବି ଚିନ୍ତା ନାହିଁ ବୋଲି କହି ବାପା ପୁଅ ଉପରେ ବିଗୁଡୁଛନ୍ତି।



     କଥା ହେଇଛି ପୁଅ ଘର ଯୌତୁକ ନେବେ ନାହିଁ, କିନ୍ତୁ ନିଜର ପୁଣି ଗୋଟାଏ ବିବେକ ଅଛିକି ନାହିଁ ? ନିଜର ବିବେକ ମୁତାବିକ ବାପା ନିଜ ସକ୍ଷମ ଅନୁସାରେ ଜିନିଷପତ୍ର କିଣାକିଣି କରିଛନ୍ତି। ବାହାଘର ଦିନ ଯେତେ ପାଖେଇ ଆସୁଛି ବାପାଙ୍କର ଚିନ୍ତା ସେତେ ବଢିଚାଲିଛି। ଅଳ୍ପ କିଛି ଦିନରେ ଝିଅର ବିବାହ ସମ୍ପନ୍ନ ହେଲା। ହସଖୁସିର କୋଳାହଳ ଭିତରେ ଝିଅ ବିଦାବି ସରିଗଲା।



    ଶାଶୁଘରକୁ ଆସିବାପରେ ଝିଅର ଭାଗ୍ୟ ବଦଳିଯାଇଛି। ଝିଅ ପରି ରଖିବେ ବୋଲି କଥା ଦେଇ ଆସିଥିଲେ ବାପାଙ୍କୁ। କିନ୍ତୁ ବୋହୁର ସମ୍ମାନବି ମିଳୁନି ଝିଅକୁ। ସେମାନଙ୍କର ପ୍ରତିଟି କଥା ବଦଳିଯାଇଛି। ନିର୍ଯ୍ୟାତନା ଦିଆଯାଉଛି ଝିଅକୁ। ତଥାପି ସେ ମୁଣ୍ଡ ପାତି ସହିଯାଉଛି ସବୁ କଷ୍ଟକୁ। କେବଳ ମନେଅଛି ଆସିଲାବେଳେ ମା ଝିଅକୁ କହିଥିଲେ ଦୁହିତା ଦୁଇ କୂଳକୁ ହିତା। ମାରେ ତୁ ଏମିତି କିଛି କରିବୁନି ଯାହାଦ୍ବାରା ଦୁଇଟି ପରିବାରର ଅପମାନ ହେବ। ଝିଅ ମାଙ୍କ କଥାକୁ ବେଦର ଗାର ପରି ମାନିନେଇଛି। ଏମିତି ଛୋଟ ଛୋଟ କଳି ଝଗଡାତ ସମସ୍ତଙ୍କ ଘରେ ଅଛି ଭାବି ସହିଯାଉଛି ସବୁକିଛି।



     କିଛି ଦିନପରେ ଝିଅର କଷ୍ଟ ଆହୁରି ବଢିଯାଇଛି। ଏବେବି ମୁହଁ ଖୋଲୁନି ସେ ଘରର ବଦନାମ୍ ହେବା ଭୟରେ। ବହୁତ ଦିନ ହେଲାଣି ଝିଅର ବାହାଘର। ସେ ବାହାଘରପରେ କେବଳ ଗୋଟାଏ ଥର ବୁଲିବାକୁ ଯାଇଥିଲା ବାପ ଘରକୁ। ସେବେଠୁ ଆଉ ଯାଇନି। ବାପ ଘରୁ ଖବର ଆସିଛି ଘରକୁ ଯିବାକୁ। ଶ୍ବଶୂର ଘରଲୋକ କେତେ କଷ୍ଟରେ ଝିଅକୁ ଛାଡିବାକୁ ରାଜି ହେଇଛନ୍ତି। ଝିଅ ମନ ବହୁତ ଖୁସି, କେତେ ଦିନପରେ ପୁଣିଥରେ ସମସ୍ତଙ୍କ ସହ ଦେଖାହେବ। ହସ ଖୁସିରେ ଦି-ଚାରିପଦ କଥା ହେବ ମନଖୋଲି। 



     ଝିଅ ବାପଘରେ ପହଞ୍ଚିବାପରେ ମା-ବାପା ଭାରି ଖୁସି ଝିଅ-ଜ୍ବାଇଁକୁ ଦେଖି। ଖିଆପିଆ ଚାଲିଲା, ମଜ୍ଜାମସ୍ତିବି ଚାଲିଲା। ଯେତେବେଳେ ଘରୁ ବିଦା ହେବାର ବେଳହେଲା ଝିଅ କାନ୍ଦି ପକାଇଲା। ମା ପଚାରିବାରୁ ଝିଅ କହିଲା, ଏମିତି ହୁଅନ୍ତାନି ମୁଁ ଏଇଠି ସବୁଦିନ ରହିଯାଆନ୍ତି। ମା ହଠାତ୍ କିଛି ବୁଝି ପାରିଲେନି। କ'ଣ ହେଉଛି ବୋଲି ପଚାରିବାରୁ ଝିଅ ମାଙ୍କୁ ଜାବୁଡି ଧରିଲା ଆଉ ଜୋର୍ ରେ କାନ୍ଦିବାକୁ ଲାଗିଲା। ମା ବୁଝେଇ ସୁଝେଇ ପଚାରିବାରୁ ଝିଅ ତା'ଉପରେ ହେଉଥିବା ଅତ୍ୟାଚାର ବିଷୟରେ ସବୁକିଛି କହିଲା। ମା ଏସବୁ ଶୁଣି ଆଶ୍ଚର୍ଯ୍ୟ। ସେ କହିଲେ ଏତେସବୁ ହେଉଛି ତୋ ସହ,ତୁ ସେଠି ଏତେ କଷ୍ଟରେ ଅଛୁ ଅତଚ ଆମକୁ ଟିକିଏ ଜଣେଇଲୁନାହିଁକି ଜାଣିବାକୁବି ଦେଲୁନି। ତୁ ମହାନ ମା! ତୋ ଛାତିକୁ ପଥର କରି ତୁ ଏତେ ସବୁ କଥା ଆମଠୁ ଲୁଚେଇରଖିଛୁ। ଏତିକି କହି ମା ଝିଅକୁ ଛାତିରେ ଜାବୁଡି ପକାଇଲେ ଆଉ ଝିଅର କଷ୍ଟ ଶୁଣି ମାଙ୍କ ଆଖିରେବି ଲୁହ ଆସିଗଲା। ମା-ଝିଅଙ୍କ କାନ୍ଦ ଦେଖି କ'ଣ ହେଇଛିବୋଲି ବାପା ପଚାରିଲେ। ମା ବାପାଙ୍କୁ ଗୋଟି ଗୋଟି କରି ସବୁ କହିଲେ।



    ବାପା ଏସବୁ ଶୁଣିଶାରିବାପରେ ପଚାରିଲେ, ମାରେ ତୁ ଏସବୁ ଆମକୁ କାହିଁକି ଜଣେଇଲୁନାହିଁ? ନହେଲେ ତୁତ ମୁର୍ଖ ନୁହେଁ, ନିଜେବି କିଛି କରିପାରିଥାନ୍ତୁ, କିନ୍ତୁ ସେମିତି କିଛି ନକରି ସେମାନଙ୍କର ଅତ୍ୟାଚାର ତୁ କାହିଁକି ସହୁଥିଲୁରେ ମା? ନିଜକୁ ଟିକେ ଦେଖିଲୁ, ଏସବୁ ଚିନ୍ତାରେ ତୁ କେମିତି ଦେଖାଗଲୁଣି। ଝିଅଟି କହେ ବାପା ଏଇଟା ପରା ତୁମ ଆଦର୍ଶ। କୁକୁର ଆମକୁ କାମୁଡିଲା ବୋଲି ତେବେ କ'ଣ ଆମର ମାନବିକତା ହରେଇ ଆମେ କୁକୁରକୁ କାମୁଡିବା ପାଇଁ ତା'ପଛରେ ଧାଇଁଯିବା? ମୋତେ ଆଉ କିଛି ଦରକାର ନାହିଁ ବାପା, ଖାଲି ଏଇଠି ରହିବାକୁ ମୋତେ ଟିକିଏ ଅନୁମତି ଦେଇଦିଅ।



     ବାପା କୁହନ୍ତି, ମୋ ଝିଅକୁ ସେମାନେ ଏତେ କଷ୍ଟ ଦେଇଛନ୍ତି ମୁଁ ସେମାନଙ୍କ ନାଁରେ case କରିବି। ଝିଅ ବାପାଙ୍କୁ ଏସବୁ ନକରିବାକୁ ବୁଝାଏ। ବାପାଙ୍କର ଆଦର୍ଶକୁ ବଞ୍ଚେଇ ରଖିବାପାଇଁ ନିଜେ ଜଳିବାକୁ ପ୍ରସ୍ତୁତ ରହେ।





          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from kalpana sahoo

Similar oriya story from Inspirational