ୟୂରେକା
ୟୂରେକା
ନିରୋଳା ପ୍ରହରେ ବସି ଏକାନ୍ତରେ
ମନେ ମନେ କିଛି ଉକ୍ତି ଉଙ୍କିମାରେ
ଯୁକ୍ତିର ଶବ୍ଦ ଇଙ୍ଗିତରେ
ସୁକ୍ତିର ଗୂଢ ଇଶାରାରେ ।
ପୁରୁଷ କ'ଣ ଖୋଳପା ବେଶ
ପୋଷାକ ପରିଚ୍ଛଦରେ ଆବୃତ ଜୀବକୋଷ
ଅବା ଅବ୍ୟକ୍ତ ଢ଼ାଙ୍କୁଣି ଘୋଡ଼ା ମଣିଷ ବଂଶ ।
କହିବା ବାହୁଲ୍ୟ
ପୁଅ ପିଲାକୁ ପୁରୁଷର ମୁକୁଟ ପିନ୍ଧେଇ
ଦାୟିତ୍ଵ କର୍ତ୍ତବ୍ୟର ଗେଣ୍ଡୁମାଳ ଜଡେଇ
ମୁରବି ପଣିଆର ସିଂହାସନରେ ବସେଇ
ସମସ୍ତେ ଆସ୍ଵସ୍ଥ ଚିନ୍ତାମୁକ୍ତ ।
ମାୟା ବନ୍ଧନର ବାଧ୍ୟବାଧକତା ଆଗେ
ଘର ପରିବାର ଗ୍ରାମ ସମାଜ
ବଂଶ ବୁନିୟାଦି ନୀତି ଆବାଜ
ପ୍ରାଥମିକତା ପ୍ରାସଂଗିକତା ବାଗେ ବୈରାଗେ ।
ଲାଗୁଥାଏ
ପ୍ରାଚୀରତୁଲ୍ୟ ସଂସ୍କାର ପରମ୍ପରାର ବାହକ
ଅତୀତ ବଂଶାବଳୀର ବାହୁବଳୀ ଦାୟାଦ
ଅଳି ଅର୍ଦ୍ଦଳି ସହୁଛି ହସି ହସି
ଆଶା ଆକାଂକ୍ଷା ପାଇଁ ଗଳଦଘର୍ମ ବେଶି
କାନ୍ଧରେ ବୋହି
ମୁଣ୍ଡରେ ମୁଣ୍ଡେଇ
ଥକି ଗଲାଣି ସେ କ୍ଳାନ୍ତ ନୟାନ୍ତ ପେଶି ।
କିନ୍ତୁ ମୋତେ ଲାଗେ
ଅଭ୍ୟନ୍ତରରେ ଅବିରତ ଚାପ
ଧରିରଖେ ଅମାପ ଅବ୍ୟକ୍ତ କୋପ
ଦରସିଝା ଗର୍ବ ଦର୍ପ ଅଭିମାନ
ଦେବାଳିଆ ଦୟନୀୟ ମାନ
ଦରପୋଡ଼ା ସମ୍ମାନ ।
ନିରୋଳା ବେଳାରେ ଆସି
ବିପଦେ ବିପତ୍ତି ସାଥେ ମିଶି
ବିଦାରି ଦିଅନ୍ତି
ଝୁଣି ପକାନ୍ତି
ଲହୁ ଲୁହାଣ କରି ଦିଅନ୍ତି
ମାରାତ୍ମକ କୀଟ ପରି ପିଡ଼ା ଦିଅନ୍ତି
ନୟନ ବେନି ଅଶ୍ରୁ ସଜଳ
ପ୍ରକ୍ଷାଳନ୍ତି ଆମୂଳଚୁଳ ।
ଜାଣି ହୁଏନା
ଭୁଲ କେଉଁଠି ରହିଛି
ଦଣ୍ଡ ପୁରୁଷ ଜାତିକୁ କାହିଁକି ମିଳୁଛି
କଟୁକ୍ତିର କଟାକ୍ଷ
ବିକ୍ରୋକ୍ରିର ବୃଶ୍ଚିକ
ଗାଳି ଗୁଲଜର ଚାବୁକ
ଆଘାତର କଣ୍ଟକ
ସୁଦିର୍ଘ ସପ୍ତଫେଣି ସାରଣୀ
କାହିଁକି କେଜାଣି ?
ମିଳିଗଲା ମୋତେ ସୂତ୍ର
ସମାଧାନ ପତ୍ର
ୟୂରେକା ୟୁରେକା ୟୁରେକା
ପାଇଗଲି ପାଇଗଲି ପାଇଗଲି ।
ନାରୀ ପୁରୁଷ ପରା ପ୍ରକୃତି ପୁରୁଷ
ଏକ ବୃନ୍ତେ ଖିଲି ଖିଲି
ଅର୍ଦ୍ଧ ନାରୀଶ୍ଵର ପୁରୁଷ ପୌରୁଷ
ଯୁଗେ ଯୁଗେ ଆସେ ଚାଲି ।
ମନନ ମନ୍ଦିରେ ହୃଦୟ ଆତ୍ମାରେ
ବିଚାର ବିମର୍ଶ ସାଥେ
ପୁରୁଷ କୌନ୍ଦ୍ରୀକ ନୀତିରେ କଳଙ୍କ
ଶେଷହେବ ଆମ ହାତେ ।
ଚିନ୍ତାରୁ ମୁକତି ଲଭିବ ସମାଜ
ରୋଗଜ୍ଵାଳା ଯିବ କମି
ନାରୀ ପୁରୁଷଙ୍କୁ ଯମଜ ମୁଦ୍ରାରେ
ମାନୁଥାଇ ସର୍ବକ୍ଷମି ।