STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ଯା'ହେବାର ଥିଲା...ହେଲା

ଯା'ହେବାର ଥିଲା...ହେଲା

1 min
179

ଯା' ହେବାର ଥିଲା ... ହେଲା

ସବୁ ଦିଗରୁ ସଚେତନ ଥିବା ସତ୍ତ୍ୱେ

ଭବିତବ୍ୟକୁ ରୋକିବା ପାଇଁ

ନା ଅଛି ଶକ୍ତି ସାମର୍ଥ୍ୟ ଉଦ୍ୟମ ପ୍ରଚେଷ୍ଟା

ନା ଅଛି କିଛି ଉପାୟ କରିବାକୁ ଅନୁସରଣ

ଯେତେ ଯା' କଲେ ସବୁ ହୁଏ ବ୍ୟର୍ଥ

ପ୍ରକୃତିର ନିୟମକୁ କରି ହୁଏନା ଉଲଂଘନ

ତାକୁ ମାନି ଚଳିବା ହିଁ ଜୀବନ

ସେ ମାଡ଼ି ଆସେ ଝଡ଼ ପରି ଅଚାନକ 

ଘଟିଯାଏ ଘଟଣା ବହୁତ କିଛି

ନଥାଏ ତାହା ମଣିଷର ଅକ୍ତିଆରରେ

ଅଦୃଷ୍ଟ ସେ ... ବିଧିର ବିଧାନ ଅନିୟନ୍ତ୍ରିତ

ସମୟର ନୀତି ନିର୍ଘଣ୍ଟରେ ନିର୍ଦ୍ଧାରିତ

ହୋଇଥାଏ ବହୁ ପୂର୍ବରୁ ତାର ସବୁ ଖସଡ଼ା

ତାହା ହିଁ ପ୍ରାରବ୍ଧ ଭାଗ୍ୟ ବିଧାତା

ଜନ୍ମରୁ କିଏ ପାଇଥାଏ ଅନୁକୂଳ ପରିବେଶ

କିଏ ପ୍ରତିକୂଳରେ ଥାଏ ସଂଗ୍ରାମରତ

କିଏ ମଣି କାଞ୍ଚନର ସଂଯୋଗରେ

ହୋଇଥାଏ ଜ୍ୟୋତିର୍ମୟ ଜାଜ୍ଜ୍ୱଲ୍ୟମାନ

କିଏ ମଳିନତାର ଆବରଣରେ 

ଦିଶୁଥାଏ ନିଷ୍ପ୍ରଭ ନିସ୍ତେଜ ତେଜହୀନ

ସରସ ସୁନ୍ଦର ଜୀବନର ପରିକଳ୍ପନା ନେଇ

ଧରା ପୃଷ୍ଠରେ ଜନ୍ମ ହୁଏ ନାହିଁ କେହି

ଉଦ୍ୟମ ଅଧ୍ୟବସାୟର କ୍ରମାଗତ ଧାରା 

ଯଦିଓ ଜଣେ ମାନି ଚାଲିଥାଏ ନିୟମିତ

ଅଗ୍ରଗତି ତାର ହୁଏ ନାହିଁ ସନ୍ତୋଷଜନକ

ଆସେ ଯେତେ ଅବାଞ୍ଛିତ ଦୂରବସ୍ଥା

ଜରା ବ୍ୟାଧି ରୋଗ ଶୋକ ଅପମୃତ୍ୟୁ ମୃତ୍ୟୁ

ନିରୁପାୟରେ ମନରୁ ବାହାରି ଆସେ

ଯା' ହେବାର ଥିଲା ... ହେଲା

କଳ୍ପିତ କଳ୍ପନା ଜଳ୍ପନା ହୁଏ ନିରର୍ଥକ

ମୃତ୍ୟୁରେ ହୁଏ ସବୁ ବିଲୀନ ଶୂନ୍ୟ 

ଆତ୍ମା ହୋଇଥିଲେ ବି ଅବ୍ୟୟ ଅକ୍ଷୟ

ଅଜର ଅମର ଅବିନାଶୀ ବ୍ରହ୍ମ 

ଶରୀର ନେଇ ହେଉଥାଏ ସନ୍ତୁଳିତ

ଏକ ସୁସ୍ଥ ସବଳ ସୁନ୍ଦର ଶରୀର 

ପାଇବା ପାଇଁ ହିଁ ଲୋଡ଼ା ହୁଏ ସଂସ୍କାର

ପରଂବ୍ରହ୍ମକୁ ଧ୍ୟାୟୀ ଚାଲିଥାଏ ସତ୍ୟ ମାର୍ଗେ 

ମାତ୍ର କାମ ଅର୍ଥ ଧର୍ମ ମୋକ୍ଷ 

ଚତୁର୍ବର୍ଗ... ପୁରୁଷାର୍ଥ ଚତୁଷ୍ଟୟ 

ପାଇବାର ଅହେତୁକ କାମନାକୁ ନେଇ

ହୁଏ ଯେବେ ଷଡ଼ରିପୁର ବଶ

ନିଜ ଅଜ୍ଞାତରେ ଅକସ୍ମାତ୍ ଆସେ ଦୁର୍ଯୋଗ

ବୁଝେ ନାହିଁ ନିଜ କର୍ମର ଫଳ ଏ

ନିଜକୁ ସାନ୍ତ୍ଵନା ଦେବାକୁ କହେ

ଯା' ହେବାର ଥିଲା ... ହେଲା

ତାର ସୁସ୍ଥ ମାନସିକତାର ହୁଏ ଅବକ୍ଷୟ

କିଏ ସୁଧୁରି ଯାଏ କିଏ ରହେ ପୂର୍ବବତ୍

ବିଧିର ବିଧାନ ବି ସୂଚାଇ ଦିଏ

ଚିରନ୍ତନ ସତ୍ୟକୁ ନ ମାନିବାର ଏ କାରଣ

ଯା' ହେବାର ଥିଲା ...ହେଲା......।



Rate this content
Log in

Similar oriya poem from Tragedy