ଯା' ଦେବୀ ସର୍ବଭୂତେଷୁ
ଯା' ଦେବୀ ସର୍ବଭୂତେଷୁ
ଆଦିଶକ୍ତି ଆଦିମାତା ନାହିଁ ତାଙ୍କର ଆଦି ଅନ୍ତ
ସଂହାରି ଦୁଷ୍ଟ ପାପୀକୁଳ ପାଳିଥାନ୍ତି ସାଧୁ ସନ୍ଥ ।
ଯୁଗେ ଯୁଗେ ବିଶ୍ବ ବ୍ରହ୍ମାଣ୍ଡର କଲ୍ୟାଣକାରିଣୀ
ଜଗତ ଜନନୀ ଦେବୀ ମା' ଦୁର୍ଗା ଦୁର୍ଗତିନାଶିନୀ ।
ବ୍ରହ୍ମା ବିଷ୍ଣୁ ମହେଶ୍ଵରଙ୍କର ତେଜରୁ ସେ ସମ୍ଭୁତା
ମାତୃଶକ୍ତି ସ୍ଵରୂପରେ ଦେବୀ ହୁଅନ୍ତି ଆବିର୍ଭୂତା ।
ପୁରୁଷ ଶକ୍ତି ହୁଅଇ ଯେବେ ବ୍ୟର୍ଥ କି ପରାସ୍ତ
ମାତା ଅବତରୀ ଆସି କୁଶକ୍ତିର କରନ୍ତି ସମାପ୍ତ।
ଆଦ୍ୟାଶକ୍ତି ଯୋଗମାୟା ଦେବୀ ମାଆ ଦୁର୍ଗା
ମହା ମହା ବିପତ୍ତିର ତାରଣେ ସେ ସୁଯୋଗ୍ୟା ।
ତାଙ୍କଠାରେ ପରାସ୍ତ ହୋଇଥାନ୍ତି ମହାପରାକ୍ରମୀ
ସୃଜନେ ମହା ସରସ୍ଵତୀ ପାଳନେ ମହାଲକ୍ଷ୍ମୀ ।
ଦିବ୍ୟରୂପ ଧାରଣ କରି ହୋଇଥାନ୍ତି ଅଷ୍ଟଭୁଜା
ସଂହାର କାଳରେ ହୁଅନ୍ତି ମହାକାଳୀ ଦଶଭୁଜା ।
ହୋଇ ଥିଲେ ହେଁ ଦେବୀ ଦୁର୍ଗା ସହସ୍ର ଭୁଜା
ଅଷ୍ଟାଦଶ ଭୁଜା ରୂପରେ ସଦା ପାଆନ୍ତି ପୂଜ୍ୟା ।
ବ୍ରହ୍ମଶକ୍ତି ହିଁ ଚଣ୍ଡି ସେ ଅନନ୍ତ ଶକ୍ତି ସ୍ଵରୂପିଣୀ
ସେ ସ୍ନେହମୟୀ ମମତାମୟୀ ରକ୍ଷାକାରିଣୀ ।
ସେ ନାରୀ ହୃଦୟର ଅନ୍ତର୍ନିହିତ ଦିବ୍ୟ ଜ୍ୟୋତି
ତାଙ୍କ ଉତ୍ସାହ ପ୍ରେରଣାରେ ଜୀବନର ପ୍ରଗତି ।
ଦୁର୍ଗ ଅସୁରକୁ ନିଧନ କରି ଘେନିଲେ ଦୁର୍ଗା ନାମ
ଦୁର୍ଗତିନାଶିନୀ ଭାବରେ ତାଙ୍କୁ ଜାଣିଲା ଧରାଧାମ ।
ତ୍ରିପୁରେ ପଡିଲା ଆତଙ୍କ ଥରହର ହେଲେ ସର୍ବେ
ମହିଷାସୁର ସ୍ବର୍ଗ ମର୍ତ୍ତ୍ୟ ଜିଣି ଫାଟି ପଡିଲା ଗର୍ବେ ।
ସେ ଦେବ ଦାନବ ମାନବଙ୍କୁ କଲା ଦାସାନୁ ଦାସ
ତା' ଅତ୍ୟାଚାରେ ସବୁରି ମୁହଁରୁ ଲିଭିଗଲା ହସ ।
ସର୍ବ ଦେବାଦେବୀ ଏକତ୍ରେ ତାଙ୍କୁ କଲେ ଯେ ସ୍ତୁତି
ଦିବ୍ୟ ଅସ୍ତ୍ର ଶସ୍ତ୍ର ଦେଇ ଚାହିଁଲେ ଜଗତର ଶାନ୍ତି ।
ମାତା ମୋହିନୀ ରୂପରେ ମହିଷାସୁରକୁ ଆକର୍ଷି
ତ୍ରିଶୂଳ ଆଘାତେ ଦେଲେ ତାକୁ ଜୀବନରୁ ନାଶି ।
ପାପ ତାପ ଭାରାରୁ ତ୍ରାହି ପାଇଲା ସଚରାଚର
ମହିଷାସୁରର ଗର୍ବ ଅହଂକାର ହେଲା ଛାରଖାର ।
ଦ୍ବାପର ଯୁଗରେ କଂସରାଜା ଥିଲା ଅତ୍ୟାଚାରୀ
ରୋହିଣୀ ଗର୍ଭେ ଜନ୍ମିଲେ ତା' ବିନାଶର ସୂତ୍ରଧରି ।
ବିଜୁଳି କନ୍ୟା ରୂପେ କୃଷ୍ଣଙ୍କୁ କଲେ ସହାୟତା
ପଥ ପ୍ରଦର୍ଶନ କରାଇଲେ କଂସର ନିଧନେ ମାତା ।
ତ୍ରେତୟାରେ ସୀତାଦେବୀ ଚଣ୍ଡିଙ୍କୁ କରି ସ୍ମରଣ
ପୁଷ୍ପଧନୁ ଆଣି ତାଙ୍କଠୁ ଶ୍ରୀରାମଙ୍କୁ କଲେ ଅର୍ପଣ ।
ସେ ଧନୁ ତେଜେ ଗୁଣେ ନିବୀର୍ଯ୍ୟ ହେଲା ରାବଣ
ସ୍ବର୍ଣ୍ଣଲଙ୍କା ଧ୍ଵଂସକରି ହେଲା ତା' ମୃତ୍ୟୁର କାରଣ ।
ଯୁଗେ ଯୁଗେ ମାତା ଅଛନ୍ତି ଜଗତର କଲ୍ୟାଣେ
ତାଙ୍କ ଆଶିଷ ଲଭେ ଶ୍ରଦ୍ଧାଳୁ ଭକ୍ତ ରହି ଶରଣେ ।
ପ୍ରାଣ ଶକ୍ତି ରୂପରେ ଦେବୀ ମା' ଅଛନ୍ତି ସର୍ବଭୂତେ
ହୃଦେ ଆଣନ୍ତି ଜାଗରଣ ସାରା ସଂସାରର ହିତେ ।
ଅନ୍ତରରୁ ନାଶି ପାରେ ଯିଏ ଆସୁରିକ କୁପ୍ରବୃତ୍ତି
ବାଧା ବିଘ୍ନରୁ ମୁକୁଳି ଯାଏ ମୋକ୍ଷ ହୁଏ ତାକୁ ପ୍ରାପ୍ତି।