ଉଠାଣି ରାସ୍ତା
ଉଠାଣି ରାସ୍ତା
ଜୀବନ ଏକ ଏମିତି ଉଠାଣି ରାସ୍ତା
ଯା'ର ନାହିଁ କିଛି ନିର୍ଦିଷ୍ଟ ଉଚ୍ଚତା
ଅବା ନାହିଁ ତା' ସ୍ଵତନ୍ତ୍ର ମାପ ପଦ୍ଧତିର ଏକକ
ଆଖି ଆଗରେ ପାଏନା ତାର ନଜର
ଯୋଜନ ଯୋଜନ ବ୍ୟାପି
ରହିଥାଏ ଲମ୍ଵି ଦିଗବଳୟକୁ କରି ସ୍ପର୍ଶ,
ଦୁଃଖ ସୁଖର ମାଟି ଗୋଡି ଅବା କଂକ୍ରିଟ
ରାସ୍ତା ସାରା ଦେଇଥିଲେ ବି ବିଛେଇ
ସେ ଖାଲ ଢିପ ବନ୍ଧୁର ଶିଳାଯୁକ୍ତ
ଅଙ୍କାବଙ୍କା ଉଠାଣି ଗଡାଣିର
ନେଇଥାଏ ସ୍ଵାଭାବିକ ସ୍ୱରୂପ।
ପ୍ରତିକୂଳର ତାଡନା ଏକ ଅବାଞ୍ଛିତ ଚାପ
ଅନୁକୂଳକୁ ପରୋକ୍ଷରେ କରେ ଅଭିବାଦନ
ଜଣାଇ ଆନ୍ତରିକ ଭାବେ ସ୍ଵାଗତ
ଭୂଗୋଲକରେ ନାହିଁ ଏମିତି ଏକ ରାସ୍ତା
କେବଳ ଥିବ ସମତଳ ହିଁ ସମତଳ
ନ ଥିବ ଉଠାଣି କି ଗଡାଣି
ଲମ୍ବିଥିବ ଦୂରନ୍ତ ବିସ୍ତାରୀ ତାର କଳେବର,
ପ୍ରତିଟି ରାସ୍ତାର ଗୋଟାଏ ରୂପରେଖ
ଅଙ୍କାବଙ୍କା ଦୋଛକି ଆଉ ଗଡାଣି ଉଠାଣି
ସେ ହୋଇଥାଉ ପାଦ ଚଲା ମାଟି ଗୋଡିର
ଅବା ହୋଇଥାଉ ଜାତୀୟ ରାଜପଥ
ସବୁଠି ତାର ଗୋଟାଏ ବିଶେଷତ୍ୱ।
ଜୀବନ ବି ସେମିତି ଏକ ଉଠାଣି ରାସ୍ତା
ଆଗକୁ ବଢି ଆଗେବାକୁ
ହେଲେ
ଅତିକ୍ରମ କରିବାକୁ ହେବ ଅନେକ କଷ୍ଟ
ଧୈର୍ଯ୍ୟ ସାହସକୁ ସାଥୀ କରି ଆପଣାର
ଥାପିବାକୁ ହେବ ଭରସା ବିଶ୍ଵାସର ଦୁଇପାଦ,
ଝୁଣ୍ଟି ପଡି ହେଲେ ବି ଲହୁଲୁହାଣ
ଅବଶ ବିବଶରେ କରି ପଥକ୍ଳାନ୍ତି ଦୂର
ଚଳାଇ ରଖିବାକୁ ହେବ ସେ ଅଭିଯାନ।
ସଫଳତା ହିମାଳୟର ଏଭାରେଷ୍ଟ ଶୃଙ୍ଗ ଭଳି
ଅନେକ ମେହନତି କରି ସେ ଦୁର୍ଗମଶିଳା
ପହଞ୍ଚିବାକୁ ହେବ ତାର ଶୀର୍ଷରେ
ସାଜାଇ ନିଜକୁ ଜଣେ ଦୁଃସାହସୀ ତେଞ୍ଜିଙ୍ଗ,
ଏକ ଅଦମ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମର କୌଶଳ ନେଇ
ଆଣିବାକୁ ହେବ ପୂର୍ଣ୍ଣ ସାର୍ଥକତା
ଉଠାଣି ରାସ୍ତା ଆହ୍ୱାନ ଦେଇ ଯୋଗାଏ ଇନ୍ଧନ
କହେ "ଆଗେଇ ଆସ, ଆଗେଇ ଆସ ଆଗକୁ
ମୋତେ ଜୟକରି ଉଡାଅ ବିଜୟର ଧ୍ଵଜା।
ସେ ସଫଳତା ପାଇଲା ପରେ
ହୃଦୟକୁ ତଲ୍ଲୀନ କରି ଓହ୍ଲାଇ ଆସ
ଜୀବନର ଗଡାଣିରେ ପାହାଡି ଝରଣା ସାଜି
ତୃଷାର୍ତ୍ତ ପ୍ରାଣର ତୃଷା ନିବାରଣ ପାଇଁ,
ତାହା ହିଁ ମହାନୁଭବତାର ପରିଚୟ
ଶ୍ରମ ସାଧନାର ପରିପକ୍ବ ସୁସ୍ୱାଦୁ ରସଯୁକ୍ତ ଫଳ"
ସୂଚାଇ ଦିଏ ଜୀବନର ଉଠାଣି ରାସ୍ତା।