STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ଉତ୍କଳର ବରପୁତ୍ର - ବିଜୁ ପଟ୍ଟନାୟକ

ଉତ୍କଳର ବରପୁତ୍ର - ବିଜୁ ପଟ୍ଟନାୟକ

1 min
393


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ୍ 

ମରି ପାରେ କି ରେ ଭାଇ?

ମରେ କେବେ କି ରେ ଯଶସ୍ବୀ ପୁରୁଷ,

କାହିଁ କେବେ ଶୁଣା ନାହିଁ !


ଗ୍ରାସଇ ଶ୍ମଶାନ ମର ଦେହ ସିନା,

ନ ହୁଏ ଯଶ ମଳିନ

ଦେଶ ଓ ଜାତିର ବରପୁତ୍ର ସଦା,

ଯଶୋଦେହେ ଆୟୁଷ୍ମାନ ।


ଆସିଲା ଝଡର ଇଗଲ୍ ପରି ସେ,

ଉତ୍କଳର ଭାଗ୍ୟାକାଶେ

ଲଢିଣ ଅଦମ୍ୟ ଉତ୍ସାହେ ଝଡରେ,

ଜିତିଲା ସେ ଅବଶେଷେ ।


କୁଳବୃଦ୍ଧ ଆଉ ସେନାପତି ଆଉ,

କବିବର ଆଦି ଯେତେ,

ଏ ଜାତିର ଯେତେ ନିର୍ମାତା ଗଣ,

ଗଢିଥିଲେ ଯେଉଁ ମତେ ।


ଅଧାଗଢା ସେହି କାମକୁ ନେଲା ସେ

ଉଦ୍ୟମେ ନିଜ ଆଗେଇ, 

ଶୈଶବରୁ ଧରି ହାତ ଏ ଜାତିର

ହେବା ଯାଏ ଯୁବା ସେହି ।


ରଚିବାକୁ ଶିଳ୍ପ ବିପ୍ଲବ ସେହୁ

ଗଢି କେତେ କାରଖାନା,

ଏ ଜାତି ହାତରେ ପୁଣି ଅକାତରେ

 ପରେ ଟେକି ଦେଲା ସିନା ।


ପ୍ରତିଷ୍ଠା କଲା ସେ ବିଶ୍ବ ଦରବାରେ

ନିଜ ଜାତି ଗଉରବ,

ଜାଣିଲା ଦୁନିଆ କରେନି ଓଡିଆ

ଖାଲି ମିଛ କଳରବ ।


ଗଢିପାରେ ଏହି ଜାତି ନିଜ ହାତେ

ଇସ୍ପାତର କାରଖାନା,

ଗଢିପାରେ ସେହୁ ବନ୍ଦର ପୁଣି

ଜଗତେ ଯାହା ନମୁନା ।


ପାରେ ନେଇ ସେହୁ ନେତୃତ୍ବ ସଂଗ୍ରାମେ,

ହୋଇ ଯୁଦ୍ଧ ପାଇଲଟ

ଯାଇପାରେ ସାତ ସମୁଦ୍ର ଲଂଘି ସେ,

ଚଳାଇ ଲଢୁଆ ଜେଟ୍ ।


ମୁକ୍ତି ସଂଗ୍ରାମୀଙ୍କ ସାଥୀ ହୋଇ ନିଜ

ଜୀବନ ବାଜିରେ ରଖି,

କରିପାରେ ଅଗ୍ନି-ସଂଯୋଗ ଶତ୍ରୁର

ସୁବର୍ଣ୍ଣ ଲଙ୍କାରେ ପଶି ।


ବିଜୁ ପଟ୍ଟନାୟକ୍ ନାହିଁ ଆଜି ସତେ

                ବିଶ୍ବାସ ତ ହେଉ ନାହିଁ !

ମରେ ସିନା ସେହି ନର ଏହି ଭବେ,

                ବଂଚେ ଯିଏ ନିଜ ପାଇଁ ।


ମରି ପାରେ କି ରେ ଏପରି ମଣିଷ

ହେବାପାଇଁ ସ୍ବର୍ଗବାସୀ?

ମୁଣ୍ଡନ ହୁଅନ୍ତି ଯାହାର ମୃତ୍ୟୁରେ

ସମସ୍ତ ଉତ୍କଳବାସୀ !


ବିଜୁ ପଟ୍ଟନାୟକ୍ ମରେ ନାହିଁ କେବେ,

                ମରି ନାହିଁ ମଧ୍ୟ ଆଜି

କାର୍ତ୍ତବୀର୍ଯ୍ୟ ସେ ଅଛି ଏ ଜାତିର,

                ଶିରା ପ୍ରଶିରାରେ ଭେଦି ।



Rate this content
Log in

Similar oriya poem from Inspirational