ଉତ୍କଳ
ଉତ୍କଳ
ପବିତ୍ର ଭୂମି ଉତ୍କଳେ, ପୂଣ୍ୟ ମହୋଦଧି କୂଳେ
ଶଙ୍ଖନାଭି ମଣ୍ଡଳରେ, କଳପ ବର
ଦିବ୍ୟ କଳ୍ପବଟ ମୂଳେ, ବିଜେ ବଡଦେଉଳରେ
ଭାଇ ଭଉଣୀଙ୍କ ମେଳେ,କଳା ଠାକୁର।
ସେ ପୁଣ୍ୟକ୍ଷେତ୍ର ନୀଳାଞ୍ଚଳ,
ଶଙ୍ଖକ୍ଷେତ୍ର ସମ ନାହିଁ ମହୀମଣ୍ଡଳ ।୧।
ନବଦିନାତ୍ମକ ଯାତ କରିବେ ଜଗତ ନାଥ
ଭାଇ ଭଉଣୀ ସହିତ ଜନମ ସ୍ଥାନ
ମାତା ଗୁଣ୍ଡିଚା ଆଜ୍ଞାରେ ପ୍ରତି ବରଷରେ ଥରେ।
ଭକତ ଜନ ହିତରେ ସେ ଅଭିଯାନ
ପତିତ ଉଦ୍ଧାରିବା ପାଇଁ
ଭକ୍ତ ଗହଳିରେ ବିଜେ ଜଗତ ସାଇଁ।୨।
ଆଡ଼ପ ମଣ୍ଡପ ବିଜେ କରିବେ ଦେବାଧିରାଜେ
ଆଷାଢ଼ ଶୁକ୍ଳ ଦ୍ଵିତୀୟା ପୂଣ୍ୟ ତିଥିରେ
ରତ୍ନବେଦୀରୁ ବାହାରି, ପହଣ୍ଡିରେ ଦେବହରି
ତିନିରଥେ ବିଜେକରି,ଦଇତା ମେଳେ
ସେ ବିରଳ ରଥ ଯାତରା
ବିଶ୍ଵ ବ୍ରହ୍ମାଣ୍ଡେ ଦୂଲ୍ଲଭ ଏ ଲୀଳା ଖେଳା।୩।
ଆହା କି ଅପୂର୍ବ ଲୀଳା, ଭିଆଇଛୁ ଚକାଡୋଳା
ଆଡ଼ପ ମଣ୍ଡପେ ବିଜେ ଚତୁର୍ଦ୍ଧା ମୂର୍ତ୍ତି
ଦେଖି ଭକ୍ତ କୃତ୍ୟ କୃତ୍ୟ, ମନକୁ କରି ତୃପତ
ଲଭିଣ ପରମ ଶାନ୍ତି, ନେତ୍ର ସମ୍ପତ୍ତି
ଶ୍ରୀମନ୍ଦିରେ ନିତ୍ୟ ଦର୍ଶନ
ଆଡ଼ପ ମଣ୍ଡପେ ମିଳେ ତାଠାରୁ ପୂଣ୍ୟ।୪।
ଘୋଷଯାତ୍ରା କରି ଶେଷ ବାହୁଡିବେ ପୀତବାସ
ଲକ୍ଷ୍ମୀ ସାଆନ୍ତାଣୀ ରୋଷ କରି ସ୍ମରଣ
କରିବେ ମାନଭଞ୍ଜନ ରସଗୋଲା ଖୁଆଇଣ
ସକଳ ମାନବ ଲୀଳା କରି ସମ୍ପନ୍ନ
ବିଜେ ରତ୍ନ ସିଂହାସନରେ
ଆର ବରଷକୁ ଯିବେ ମାଉସୀ ଘରେ।୫।
