ଉପଦେଶ
ଉପଦେଶ
ମନଟି ଆମର ଆନନ୍ଦ ହୁଅଇ ପସନ୍ଦର ଚିଜଥିଲେ,
ଦୁନିଆର ଲୋକେ ଆନନ୍ଦ ହୁଅନ୍ତି ଆମେ ଭଲଲୋକ ହେଲେ ।
ମୋର କିଛି ମୂଲ୍ୟ ନାହିଁ ଏ' ଜଗତେ ଏକଥା ଭାବିବା ନାହିଁ,
ଭାବିବାନି କେବେ ଏଇ ସହରରେ ସର୍ବଶ୍ରେଷ୍ଠ ଲୋକ ମୁହିଁ ।
ଆମେ ମଧ୍ୟ କିଛି କରିପାରୁ ପୁଣି ଜିତିପାରୁ ଅନ୍ୟପରି,
ଏପରି ଭାବନା ରହିଲେ ମଣିଷ ଥିବ ଉଚ୍ଚଆଶା ଧରି ।
ଗୋଟିଏ ମୁହୂର୍ତ୍ତ ଗୋଟିଏ ଘଟଣା ହୋଇପାରେ ଇତିହାସ,
ଏମିତି ବନ୍ଧୁଟି ମିଳିଯାଏ କେବେ ରହିଯାଏ ବର୍ଷବର୍ଷ ।
ବନ୍ଧୁତା ହେଉଛି ବିଜୁଳିର ତାର, ହୃଦୟେ ଜାଳେ ଆଲୋକ,
ଅସାବଧାନତା ହେଳାରେ ସେ ତାର ହୁଏ ପ୍ରାଣର ଘାତକ ।
ହାତେଥିଲେ ଧନ ଗର୍ବରେ ମଣିଷ ଭୁଲିଯାଏ ସଂସାରକୁ,
ଧନହୀନ ହେଲେ ଏ'ସାରା ସଂସାର ଭୁଲିଯାଏ ମଣିଷକୁ ।
ମୁହିଁ ନିଜେ ଜଣେ ଭଲବନ୍ଧୁ ବୋଲି କହି ପାରିବି କି ନାହିଁ,
କହିବି ଆପଣ ଭଲବନ୍ଧୁ ଜଣେ ହୋଇଛନ୍ତି ମୋର ପାଇଁ ।
