ଉପାୟ ଆଢ଼ୁଆଳେ
ଉପାୟ ଆଢ଼ୁଆଳେ
ବିଶ୍ୱାସ ଅବିଶ୍ବାସ ଅନ୍ଧବିଶ୍ୱାସ
ଏବେ ବି ସମାଜରେ ରାଜୁତି କରୁଛି
ସ୍ଥାନ କାଳ ପାତ୍ର ଅଲଗା ଅଲଗା
ସବୁ ଗ୍ରହଣୀୟ ନୁହେଁ ତଥାପି ମାନ୍ୟତା
ସ୍ଵଚକ୍ଷୁରେ ଦେଖିଲେ ସମ୍ପୂର୍ଣ୍ଣ ବିଶ୍ୱାସ
ନ ଦେଖି ବି କେତେ କଥା ବିଶ୍ୱାସ ଯୋଗ୍ୟ
ଯେମିତି ସୂର୍ଯ୍ୟ ପୂର୍ବ ଦିଗରେ ହିଁ ଉଦିତ
ପଶ୍ଚିମରେ ଅସ୍ତ ଯୁଗ ଯୁଗରୁ
ବିଶ୍ୱାସ ଯୋଗ୍ୟ ଓ ଚିରନ୍ତନ ସତ୍ୟ
ଇଶ୍ୱରୀୟ ସତ୍ତା ବି ବିଶ୍ୱାସ ଆଧାରିତ
ଅଥଚ ଖାଲି ଆଖିରେ ଦେଖିବା ବୃଥା
ବାୟୁର ଯେପରି ଅସ୍ତିତ୍ବକୁ ଅନୁଭବ
କିନ୍ତୁ ଦେଖିବା ବୃଥା
ଠିକ୍ ସେପରି ଇଶ୍ଵରୀୟ ସତ୍ତା
ଗ୍ରହ ରାଶି ଜ୍ୟୋତିଷ ପାଠ
ବିଶ୍ୱାସ ଓ ଅବିଶ୍ବାସ ଉଭୟ ପରିଲିଖିତ
ବିଜ୍ଞାନ ର ଅଗ୍ରଗତି ପ୍ରତି ଅନୁରୁକ୍ତ
ସେପଟେ ଗ୍ରହ ମାନଙ୍କୁ ଡର
କର କୋଷ୍ଟି କପାଳର ବି ଭୂମିକା
କଣ କରିବ ଏ କ୍ଷଣସ୍ଥାୟୀ ମଣିଷ !!!
କେଉଁ ବିଭାଗରେ ଭର୍ତ୍ତି ହେବ !!!
ରାଜଦଣ୍ଡ ଗ୍ରହ ଦୋଷ ବାସ୍ତୁ ଦୋଷ
ମାଙ୍ଗଳିକ କାଳସର୍ପ ଯୋଗ
ପିତୃ ଦୋଷ ବନ୍ଧ୍ୟା ଦୋଷ ପୁଣି ପୂର୍ବଜନ୍ମ ଦୋଷ
ଏ ମଣିଷ ପାଇଁ କାହିଁକି ଏତେ ଦୋଷ !!!
ଭଲ ବେପାର ବିଶ୍ୱାସ ଥାଉ କି ନ ଥାଉ
ସମସ୍ୟାରେ ଜର୍ଜରିତ ଅଭାବୀ ମଣିଷ
ଦୋଷ ଦେଖୁ ଦେଖୁ ସରୁଛି ଆୟୁଷ
ଗୋରୁ କନ୍ୟା ଜମି ଯୋଗାଯୋଗ କଥା
ଯୋଗ ନ ଥିଲେ କୁଆଡେ଼ ହିନସ୍ଥା ଅବସ୍ଥା!!
ପାଖରେ ପଇସା ଥିଲେ ବି
ଯୋଗ ନ ଥିଲେ ଦୂରବସ୍ଥା
ଜ୍ୟୋତିଷ କଥା ଶୁଣିଲେ ଉପାୟ ଅଛି!!
ଉପାୟ ଆଢ଼ୁଆଳେ ବଢିଆ ବେପାର
ରତ୍ନ ପଥର ଡେଉଁରିଆ ତମ୍ବାପତ୍ରରେ ୟନ୍ତ୍ର
ଆହୁରି ହୋମ ହେବ ଖାଣ୍ଟି ଗୁଆ ଘିଅରେ !!
ଦେହ ଖରାପ ହେଲେ ଶାରୀରିକ ଦୋଷ
ଡାକ୍ତରଙ୍କ ପରମର୍ଶ ହିଁ ଉପାୟ
ଗ୍ରହ ମାନଙ୍କ ଠିକଣା ଜାଣିଥିବା ଜ୍ୟୋତିଷ
ହୋମ କରୁଥିବା ନୈଷ୍ଠିକ ବ୍ରାହ୍ମଣ
ବାସ୍ତୁ ସିଦ୍ଧାନ୍ତ ଜାଣି ଥିବା ଶିଳ୍ପୀ ଶାସ୍ତ୍ରୀ
ଦେହ ଖରାପ ହେଲେ ଡାକ୍ତରଙ୍କ ପାଖେ ଉଭା
ହେଲେ ସେମାନଙ୍କ ବିଶ୍ୱାସ ଯୁକ୍ତ ଶାସ୍ତ୍ର !!
ସେଇଟା ଅନ୍ୟ ମାନଙ୍କ ପାଇଁ ଉଦ୍ଦିଷ୍ଟ
ସେମାନଙ୍କର ଦୋଷ ନାହିଁ ସବୁ ଦୋଷରୁ ମୁକ୍ତ !!
ମରିଗଲା ପରେ ବି ଦୋଷ
ପୁଷ୍କର ପୁଣି ପାଦ ହିସାବରେ
ଯେତେ ଅଧିକ ପାଦ ଖର୍ଚ୍ଚାନ୍ତ ସେଇ ପରିମାଣରେ
କ୍ରମେ ବର୍ଷକୁ ବର୍ଷ ଶ୍ରାଦ୍ଧ ନ ହେଲେ ଦୋଷ
ଅକାଳ ମୃତ୍ୟୁ ଯୋଗ ବି ଆଉ ଏକ ଅଧ୍ୟାୟ
ସବୁ ଦୋଷର ଅଲଗା ଅଲଗା ଉପାୟ
ତେଣୁ ଦୋଷ ବିଶାରଦ ସଂଖ୍ୟା ବଢି ଚାଲିଛି
ଦୁର୍ଘଟଣାରେ ପ୍ରାଣ ହରାଇବା ଭୟଙ୍କର କଥା
ଏହା ଅକାଳ ମୃତ୍ୟୁ ଅଧ୍ୟାୟରୁ ଉଦ୍ଧୃତ
ହେଲେ ସମସ୍ତଙ୍କର କଣ ଅକାଳ ମୃତ୍ୟୁ ଯୋଗ !!
ଯେଉଁଠି ଏକାଧିକ ଏକା ସମୟରେ ହିଁ ମୃତ୍ୟୁ
ଏଇଠି ବିଶ୍ୱାସ ନା ଅବିଶ୍ବାସ !!
ମୃତ୍ୟୁ ଅନିବାର୍ଯ୍ୟ କାଳ କି ଅକାଳ
ହେଲେ ଏ ଅକାଳ ନାଁ ରେ ବିକଳ କାହିଁକି !!
ଆମ ଚାରିପାଖେ ଦୋଷ ନାଶକାରୀ ବେପାରୀ
ଆମର ସମସ୍ୟା ହିଁ ସେମାନଙ୍କ ଭାଷାରେ ଦୋଷ
ପିଲା ପାଠ ନ ପଢିଲେ ଫେଲ୍ ହେବ ଦୋଷ କଣ!
ଡାକ୍ତର ପରାମର୍ଶରେ ହିଁ ପିଲା ହେବ ଦୋଷ କଣ!
ଜମିରେ ବିହନ ବୁଣିଲେ ଗଜା ହେବ ଦୋଷ କଣ!
ଆମର ସମସ୍ୟା ହିଁ ଦୋଷର ସୁରାକ
ପିଲାଦିନରୁ ଦୋଷ ବିଷୟରେ ଶୁଣିଶୁଣି
ଏବେ ବୟସ ସରିଲାଣି
ତଥାପି ଦୋଷ ସରୁ ନାହିଁ ଦିନକୁ ଦିନ ନୂଆ ଦୋଷ
ଗୃହ ଦୋଷର ନୂଆ ନାଁ ବାସ୍ତୁ
ବାସ୍ତୁ ଦୋଷର କଥା ଆଗ ବାସ ପରେ ଚାଷ
ନ ହେଲେ ଦେଖୁ ଦେଖୁ ଦୋଷ ସରିବ ଆୟୁଷ ।
