ତୁମେ ତ ଅବର୍ଣ୍ଣନୀୟ-୨
ତୁମେ ତ ଅବର୍ଣ୍ଣନୀୟ-୨
ଗଙ୍ଗଶିଉଳିର ବାସ୍ନା କି ଗୋ ତୁମେ
ନାଲି କୃଷ୍ଣଚୂଡ଼ା ହସ
ସନ୍ଧ୍ୟା ଆକାଶର ରକ୍ତିମ ଆଭା କି
ପ୍ରେମିକର ମିଠାଶୋଷ ।।
ପାହାନ୍ତି ତାରାଠୁ ଚମକ ଆଣିଛ
ରୂପ ଯେ ପୂର୍ଣ୍ଣମୀ ଇନ୍ଦୁ
ସୁରିଲା ବଂଶୀର ସାତସୁର ତୁମେ
କଥାରୁ ଝରଇ ମଧୁ ।।
କୋଣାର୍କ ଛାତିରେ ନର୍ତ୍ତକୀଟେ ତୁମେ
ଅବା କେଉଁ ପ୍ରତିମୂର୍ତ୍ତି
ରୂପରେ ଗୁଣରେ ସର୍ବଶ୍ରେଷ୍ଠ ବୋଲି
ଈର୍ଷାକରେ ନାରୀଜାତି ।।
ରାଜଜେମା ତୁମେ ଅମରାବତୀର
ଦେହରୁ ଝରେ କସ୍ତୁରୀ
ମାନବୀ ରୂପରେ ଦେବୀଟିଏ ତୁମେ
କାହାଣୀର ନୀଳପରୀ ।।
ଆଖିରୁ ଝଲସେ ହୀରାର ଚମକ
ସୌନ୍ଦର୍ଯ୍ୟରେ ଅଦ୍ୱିତୀୟ
କବି ଶବ୍ଦହୀନ ତୁମରି ଆଗରେ
ତୁମେ ତ ଅବର୍ଣ୍ଣନୀୟ ।।

