ଆହତ ହୃଦୟ ଭାଗ ୧
ଆହତ ହୃଦୟ ଭାଗ ୧
ପ୍ରିୟା କଥା ଆଜି ମନେ ପଡ଼େ ମୋର
ସାଗର ଲହରୀ ପରି,
ମୋ ପ୍ରିୟା ସତେକି ଭୁଲିକି ଗଲାଣି
ବହିର କାହାଣି ପରି ।
ଗାଉଥିଲା ଦିନେ ପ୍ରୀତିର କବିତା
ମୋ ପାଖରେ ଦିନେ ବସି,
କହୁଥିଲା ମତେ ଭଲ ପାଏ ବୋଲି
ନିଜ ଠାରୁ ଅବା ବେଶୀ ।
ଆଙ୍କୁଥିଲା କେତେ କଳ୍ପନାର ଛବି
ଲାଜରେ ଅଳପ ହସି,
ଭାବୁଥିଲା ପୁଣି ସାଥି ହୋଇ ମୋର
ଆଣିଦେବ ସବୁ ଖୁସି ।
ଏବେ ସେ ଦେଖିଲେ ବାଟ କାଟିଦିଏ
ଦେଖି ନ ଦେଖିଲା ପରି,
ହେଲେ ମୁଁ ପାରୁନି ମୋ ପ୍ରିୟାକୁ ଭୁଲି
ଝୁରୁଥିବି ଏହି ପରି ।
ଗଢ଼ିଥିଲି କେତେ ସ୍ୱପ୍ନର ମନ୍ଦିର
ହୋଇଗଲା ଚୁରମାର,
ସିଏ ବହିଗଲା ନୂଆ ନଈ ହେଇ
ମତେ କରିଦେଇ ପର ।
ଭୁଲିଗଲେ ମତେ ଦୁଃଖ ନାହିଁ ମୋର
କାହିଁ ଭଲ ପାଉ ଥିଲା,
ଭଲ ପାଇବାର ବାହାନା ମଧ୍ୟରେ
ପ୍ରତାରଣା ବୋଧେ ଥିଲା ।
ସବୁ କିଛି ଆଜି ସହିଯିବି ପଛେ
ସମୟ ପଡ଼ିଲା ଫିକା,
ଜାଣି ମୁଁ ନ ଥିଲି ପ୍ରେମରେ ପଡ଼ିଲେ
ନିଶ୍ଚୟ ହେବି ମୁଁ ଏକା ।
ଲୁହର କାଳିରେ ଲେଖୁଛି କବିତା
ନିରବ ମନରେ ଆଜି,
କେହି ନ ବୁଝିଲେ ସାରା ଦୁନିଆରେ
ମୋ ପ୍ରିୟା ପାରିବ ବୁଝି ।
ମନ ମଶାଣିର ନିରବ ପଥକୁ
କେହି ତ ପାରେନା ଦେଖି,
ଜଣେ ତ ଦେଖିବ ଯେ ତାକୁ ଜାଳିଛି
ଇତିହାସ ମୂକ ସାକ୍ଷୀ ।
ଯଦି ତୋର ମନ ପାଇଛି କାହାକୁ
ବାଂଧିବୁ ତା ସାଥେ ଘର,
ସେଥିପାଇଁ ଆଜି ଦୁଃଖ ମନେ ନାହିଁ
କରିଦେବି ତତେ ପର ।
ଭଲପାଇବାଟା ପାପ କେବେ ନୁହେଁ
ପବିତ୍ର ବନ୍ଧନ ସେହି,
ମନ ରାଜି ହୋଇ ଯେ ବିଭା କରନ୍ତି
ଅସୁବିଧା କିଛି ନାହିଁ ।
ତୁମକୁ ମୋ ରାଣ ଭୁଲିଯିବ ସବୁ
ଘଟିଥିଲା ଯାହା କାଲି,
ବିଗତ ଦିନର ହଜିଲା ଦିନକୁ
ଭାବି ନେବ ମିଛ ବୋଲି ।
ମୁଁ କହୁନାହିଁ ସମୟ କହୁଛି
ଆଜି ଯେ ପଡ଼ିଲା ଜଣା,
ତୁମେ ଯେ ପ୍ରେମର ମିଛ ଅଭିନୟ
ସତ ଖାଲି ପ୍ରତାରଣା ।
ଏକା ଏକା ମତେ ଭଲ ଲାଗିବନି
ତୁମେ ଯଦି ଯିବ ଚାଲି,
ସମୟକୁ କେବେ ପଚାରିବି ନାହିଁ
କେବେ ଦେଖା ହେବ ବୋଲି ।
ଅବାସ୍ତବ ସ୍ବପ୍ନ ସବୁ ଦେଖିଥିଲି
ରହିଥିଲା ଯାହା ବାକି,
ହାରିଗଲି ଆଜି ତୁମରି ପାଖରେ
ଜୀବନ ଯାଇଛି ଠକି ।
ଦୁନିଆଁ କହୁଛି ମତେ ଦୋଷୀ ବୋଲି
ନାହିଁ କାଳେ ତୋର ଦୋଷ,
ମତେ ଭୁଲି ଯାଇ ଭଲରେ ରହିବୁ
ରଖିବୁନି ମନେ ରୋଷ ।
ରାଗ ରୋଷ ଯଦି ମନେ ରଖିଥିବୁ
ଦୁଃଖ ହେବ ନାହିଁ ଦୂର,
ଖୁସିରେ ରହ ତୁ ସାରା ଜୀବନରେ
ସୁଖ ହେଉ ଭରପୂର ।
ଭାବିନେବୁ ମତେ କଣ୍ଟାଟିଏ ହୋଇ
ତୋ ପାଖରେ ରହିଥିଲି,
ସେହି କଣ୍ଟାଟିକୁ ଦେଇଛୁ ଆଡେଇ
ସୁଖରେ ରହିବୁ ବୋଲି ।
ଜୀବନଟା ଏକ ବାଲିଘର ନୁହେଁ
ସାଗରେ ହୋଇଛି ଲୀନ,
ଅନେକ ଆଶାର ସ୍ବପ୍ନ ଦେଖିଥିଲେ
ଭାଙ୍ଗିଯିବ ଖାଲି ମନ ।
ଭୁଲ ମୁଁ କରିଛି ଅତୀତରେ ଯାହା
ଈଶ୍ୱର କରିବେ କ୍ଷମା,
ଭଲ ପାଇଥିଲି ହୃଦୟକୁ ଦେଇ
ନାହିଁ ତାର ପରିସୀମା ।
କେତେ ପରକାରେ ବୁଝାଇ କହିବି
କେମିତି ଅବୁଝା ହୁଅ,
ପରିସ୍ଥିତି ଆଜି ନିରବ ରଖୁଛି
ଝରୁଛି ଆଖିରୁ ଲୁହ ।
ଅନୁତାପେ କେତେ ଜଳୁଛି ଆଜି ମୁଁ
ତୁମକୁ ପାଇବା ପାଇଁ,
ତୁମେ ଆଜି ପ୍ରିୟ ବୁଝୁନାହଁ ମତେ
କେମିତି ରହିବି ମୁହିଁ ।
ଭଲ ପାଇଥିଲି ଯେବେ ବି ତୁମକୁ
ଦେଇଥିଲି ସବୁ କିଛି,
ସବୁ ଜାଣି ଯଦି ଅବୁଝା ରହିବ
କହିବିନି ଆଉ କିଛି ।
ତୁମେ ଗଲା ପରେ ରହିଛି ଅନାଇ
ଖୋଜୁଛି ମୁଁ ବାଟ ଚାହିଁ,
ଆଖି ମୋ ଆଗରେ ଚାଲିଆସ କେବେ
କେବେ ଧରା ଦିଅ ନାହିଁ ।
ତୁମେ ମୋର ଗତି ତୁମେ ମୋର ମୁକ୍ତି
ତୁମେ ମୋର ପ୍ରାଣପତି,
କିପରି ତୁମକୁ ଭୁଲିବି ଜୀବନେ
ଶେଷେ ଦେଇପାରେ ପ୍ରୀତି ।
ତୁମ ପାଇଁ ମୁହିଁ ଜାଳିଣ ଜାଗର
ଈଶ୍ୱରଙ୍କ ପାଶେ ଯାଇ,
ମୋର ମନ କଥା ଗୋଟି ଗୋଟି କରି
କହିଛି ତାଙ୍କୁ ବୁଝାଇ ।
ତୁମକୁ ଜୀବନେ ନ ପାଇଲେ ନାହିଁ
ଜାଣିବି ଈଶ୍ୱର ନାହିଁ,
ମିଛରେ ଜାଗର ଜାଳିଥିଲି ମୁହିଁ
ପଥର ପାଖରେ ଯାଇ ।
ପ୍ରଭୁଙ୍କ ମୁଣ୍ଡରୁ ଖସିଥିଲା ଫୁଲ
ମୋର ମନ କଥା ଜାଣି,
ସେହି ଦିନ ଠାରୁ ତୁମକୁ ଦେବତା
ସ୍ୱାମୀ ପଦେ ମନେ ଉଣି ।
ତୁମରି ଛବିକୁ ହୃଦୟ ମନ୍ଦିରେ
ରଖି ପୂଜା କରେ ମୁହିଁ,
ତୁମେ ମୋ ଦେବତା ମୋ ହୃଦ ଚନ୍ଦନ
ଅବୁଝା ହୋଇବ ନାହିଁ ।
ତୁମକୁ ମୋ ରାଣ ବିକିଛି ପୂରଣ
ତୁମରି ପାଦର ତଳେ,
ଆସିବ ଦେବତା ପଢ଼ି ମୋ କବିତା
ଚାହିଁ ଥିବି ସବୁବେଳେ ।
ହୃଦୟ ମନ୍ଦିରେ ଲୁଚାଇ ରଖିବି
ନ ପାଇବେ କେହି ଖୋଜି,
ତୁମକୁ ଜୀବନେ ପାଇଛି ମୁଁ ଭଲ
ମନ ମୋର ଅଛି ରାଜି ।
ଗରିବ ଘରର ଝିଅଟିଏ ବୋଲି
କେତେ ଯେ କରନ୍ତି ଥଟ୍ଟା,
ଆଜି ମୁଁ ଭାବୁଛି ସତେ କି ହେଇଛି
ମୋର କପାଳ ଟା ଫଟା ।
ସବୁରି କଥାକୁ ଶୁଣି ଶୁଣି ମୁହିଁ
ମୋ କାନୁ ଅତଡ଼ା ଖସି,
ପ୍ରୀତିଭରା ଲୁହ ହୃଦ ଭରା କୋହ
ମୋ ବୁକୁ ଧରିଛି ଗ୍ରାସୀ ।
କିପରି ତୁମକୁ ପାଇବି ପ୍ରକାଶ
କୁହ ମତେ ଥରେ ଖୋଲି,
ବୋଉ ମୋ ଖୋଜୁଛି ତୁମକୁ ହେ ପ୍ରିୟ
ଦେଖା ଦିଅ ଆସି କାଲି ।
କେତେ ଥର ମତେ ମୋ ବୋଉ ପଚାରେ
ପ୍ରକାଶର ଦେଖା କାହିଁ,
ଧନୀ ଘର ପୁଅ ଗରିବ ଘରକୁ
ଆସିବ କାହିଁକି ଧାଇଁ ।
ଦୁଃଖ ଯନ୍ତ୍ରଣାକୁ ଭୁଲି ପାରୁନାହିଁ
ପାଖରେ ରହିଛି ମୁହିଁ,
ତୁମେ ଆସିଗଲେ ସବୁ କିଛି ମୋର
ଯିବ ତ ନିଶ୍ଚେ ଉଭେଇ ।
ସବୁ କିଛି ସହି ମରି ବଞ୍ଚି ଅଛି
ତୁମକୁ ପାଇବା ପାଇଁ,
ତୁମେ ଯଦି ମତେ ପର କରିଦେବ
କେମିତି ବଞ୍ଚିବି ମୁହିଁ ।
ଜଣା ରାସ୍ତାରେ ଅଜଣା ହେଇଛି
ଆଖିରୁ ଆସୁଛି ଲୁହ,
ଯେତେ ଚାହିଁଲେ ବି ଲୁଚାଇ ପାରୁନି
ହୃଦୟେ ଉଠୁଛି କୋହ ।
ଆସିବ ଆସିବ କହିଥିଲ ତୁମେ
ତୁମରି ପଥକୁ ଚାହିଁ,
ଅବୁଝା ମନକୁ ବୁଝାଇ ପାରୁନି
ତୁମେ ଅମାନିଆ ନଇ ।
ପ୍ରେମେ ପଥେ ମୁହିଁ ନିତି ଯେ କାନ୍ଦୁଛି
ତୁମ କଥା ଝୁରି ଝୁରି,
ସ୍ୱପନେ ତୁମକୁ କେତେ ଯେ ଦେଖିଛି
ସରମେ ଯାଉଛି ମରି ।
କଳିକା ବୟସେ ଅଳି କରୁଥିଲା
ବୟସର ପ୍ରଜାପତି,
ଚୁପି ଚୁପି ମନ ଖୋଜୁଥିଲା କେତେ
ତୁମକୁ ନିରୋଳା ରାତି ।
ଚହଟି ଫଗୁଣ ଚହଲି ଯାଏ ସେ
ପ୍ରୀତିର ପରଶ ପାଇ,
ନିତି ମୋ ଅବୁଝା ମନ ଖୋଜୁଥାଏ
ତୁମରି କୋଳକୁ ମୁହିଁ ।
ନିତି ସବୁଦିନ ସପନ ଦେଖେ ମୁଁ
ତୁମ କଥା ଭାବି ଭାବି,
ହୃଦୟ ଭିତରେ ନିତି ଆଙ୍କୁ ଥାଏ
ତୁମରି ରୂପର ଛବି ।
ସୁନ୍ଦରା ତୃପ୍ତିର ଅବସାଦ ନାହିଁ
ନୂଆ ସଦା ଦିଶୁଥାଇ,
ଯେତେ ଦେଖୁଥିଲେ ଅବୁଝା ଏ ମନ
ତୁମକୁ ସଦା ଖୋଜଇ ।
କେଉଁ ଦିନ ମତେ ବୋହୁ କରିନେବ
ବଜାଇ ମହୁର ବାଜା,
ପ୍ରୀତି ପାଲିଙ୍କିରେ ଚଢ଼ି ଯେ ଆସିବ
ଦିଶୁ ଥିବ କେତେ ମଜ୍ଜା ।
ମୋର ସାଙ୍ଗସାଥି ଝିଅ ବୋହୂ ମିଶି
ତୁମକୁ ଯେ ଦେଖୁଥିବେ,
ଲୁଚି ଛପି ଦେଖି ରୋଷଣୀ ଦାଣ୍ଡରୁ
ମୋ ଆଗେ ବଖାଣି ଯିବେ ।
ସାତରାଇଜର ଧନ ତୁମେ ପ୍ରିୟ
ରଖିବି ଲୁଚେଇ ମୁହିଁ,
ହୃଦୟ ଭିତରେ ଲୁଚାଇ ରଖିବି
ତୁମେ ଥିବ କୋଳେ ଶୋଇ ।
ତୁମ ବାପାଙ୍କର ତୁମେ ଜ୍ୟୋଷ୍ଠ ପୁତ୍ର
କିପରି ଅବୁଝା ହେଲେ,
ଧନ ଯୌତୁକ ଆଗ କରି ସେ ଯେ
ମାମାଲି ପାଶୋରି ନେଲେ ।
ଅବୁଝା ଲୋକଙ୍କୁ କିପରି ବୁଝାଇ
ତୁମେ ମତେ ବାହା ହେବ,
ସେପରି ଘରର ବଡ଼ ବୋହୂ ହୋଇ
କିପରି ମୋ ଦିନ ଯିବ ।
ତୁମରି କଥାରେ ବିଶ୍ୱାସ ରଖି ମୁଁ
ରହିବି ତୁମକୁ ଚାହିଁ,
ଏ ଜୀବନେ ଯଦି ପାଇ ନ ପାରିବି
ଆର ଜନ୍ମେ ଥିବି ଚାହିଁ ।
ବିଶ୍ୱାସରେ ତୁମେ ବିଷ ଭରି ଦେଲେ
ମୋ ପାଇଁ ଅମୃତ ସେହି,
ତୁମ ନାମ ଧରି ସେ ବିଷ ପିଇବି
ସତ କହୁଅଛି ମୁହିଁ ।
ତୁମେ କଲେ ପର ଖାଇବି ଜହର
ମନେ ମୁଁ କରିଛି ପଣ,
ତୁମରି ପ୍ରେମରେ ପ୍ରେମିକା ସାଜି ମୁଁ
ନ କରିବି ହଇରାଣ ।
ଅତୀତ ବିତିଛି ତୁମ ପଦଧ୍ୟାୟୀ
ତୁମେ ମୋର ଭବିଷ୍ୟତ,
କିପରି ଭୁଲିବି ତୁମକୁ ହେ ପ୍ରିୟ
ତୁମେ ମୋ ଜୀବନ ନାଥ ।
ମରିବି ପଛକେ ବିଷ ଖାଇ ମୁହିଁ
ଦି ଟୋପି ସାଜିବି ନାହିଁ,
ପର ପୁରୁଷର ବୁକୁରେ ଏ ଦେହ
କେବେ ତୋଳି ଦେବି ନାହିଁ ।
ତୁମରି ଚାକିରୀ ହୋଇଗଲା ପରେ
ଆସିବ ଏ ଦାସୀ ପାଶେ,
ତୁମକୁ ଭରଷା କରିଛି ପ୍ରକାଶ
କରିବନି ସର୍ବନାଶ ।
କହିଥିଲ ତୁମେ ସ୍ନେହ ଆଦରରେ
ସାଉଁଳି ଦେଇ ମୋ କେଶ,
ତୁମ ଦୁଃଖ ସୁଖ ମୋ କାନିରେ ବାନ୍ଧି
କରିଥିଲ ସହବାସ ।
ତୁମରି ପ୍ରେମକୁ ଭୁଲିପାରୁନାହିଁ
ମୋ ହୃଦେ ଜଳାଇ ପ୍ରୀତି,
ବିରହ ନିଆଁରେ ପୋଡ଼ି ଯେ ମାରୁଛ
ଏ ଜୀବନେ ନାହିଁ ଶାନ୍ତି ।
ପ୍ରେମ ପାରାଵାରେ ଭାସୁଥିଲେ ଆମେ
ପ୍ରେମେ ଫାଶେ ଛନ୍ଦି ହୋଇ,
ତୁମେ ହେ ଦେବତା ମୋ ହୃଦ ଚନ୍ଦନ
ମୁଁ ଯେ ଭୁଲି ପାରୁନାହିଁ ।
ତୁମରି ହସରେ ହସ ଭରିଦେଇ
ନାଚିଥିଲ ଥେଇ ଥେଇ,
କୋଳେ ଧରି ତୁମେ ଚୁମା ଦେଇ ଅଙ୍ଗେ
କାନେ କେତେ କଥା କହି ।
କହିଥିଲ ମତେ ଚୁପି ଚୁପି କରି
ଆଇ ଲଭ ୟୁ ବୋଲି,
ତୁମ ଓଠ ଝରା ସେହି କଥାକୁ ମୁଁ
ପାରୁନି ହେ ପ୍ରିୟ ଭୁଲି ।

