ତୁଳସୀ ବିବାହ
ତୁଳସୀ ବିବାହ
ମରିଗଲାଣି କନ୍ଦରାସୁର
ସରିଗଲାଣି ଯୁଦ୍ଧ,
ଏଥର ସବୁ ବ୍ୟବସ୍ଥା କର
ବିବାହ ବେଦୀ ବାନ୍ଧ।
ଚନ୍ଦ୍ରବଦନୀ ତୁଳସୀ ରାଣୀ
ସହିପାରୁନି ଆଉ,
ବାଈ କଲାଣି ରସିକ ବର
ଶ୍ରୀ ବଳଦେବଜୀଉ।
କୋଟି କନ୍ଦର୍ପ ଯେ ପରାଜିତ
ସେ ପ୍ରଭୁ କାମପାଳ,
ଲକ୍ଷେ ସୁନ୍ଦରୀ ହୁଅନ୍ତି ଝୁରି
ଦେଖି ସେ କଳେବର।
ତୁଳସୀ ପରି ସୌଭାଗ୍ୟବତୀ
ଆଉ ତ କେହି ନାହିଁ,
ବ୍ରହ୍ମାଣ୍ଡ ନାଥ ମହାପ୍ରଭୁଙ୍କୁ
ପତି ରୂପରେ ପାଇ।
ପ୍ରଭୁଙ୍କ ବାହାଘର ହୋଇବ
ଆଜି ତୁଳସୀ ସାଥେ,
ପବିତ୍ର ଦିନ ଶୁଭ ଲଗନ
ଯେ ଯାହା ବିଧିମତେ।
ଜଗାର ଗୋଡ଼ ତଳେ ଲାଗୁନି
ଭାଇଙ୍କ ବାହାଘର,
ତୁଳସୀକ୍ଷେତ୍ରେ ପହଞ୍ଚି ଗଲା
ଛାଡି ସେ ନୀଳାଚଳ।
ରସିକବର ସାଜି ଦେବର
ଭାଉଜ ପାଖେ ବସି,
ଗେଲ ନକଲ ହୁଏ ତୁଳସୀ
ଲାଜେ ଦିଅନ୍ତି ହସି।
ଶୁଭଦ୍ରା ଗୋଡ଼ କଚାଡ଼ି ପୁଣି
ଭାଉଜ ପାଖେ ଅଳି,
ଦିଅ ନଣନ୍ଦ ପୁଟୁଳି ଶୀଘ୍ର
ଆଉ କରନା ଡେରି।
ଶ୍ରୀମହାଲକ୍ଷ୍ମୀ ମାଆ ତୁଳସୀ
ହୋଇଲେ କୋଳାକୋଳି,
ଏ ସୁଖ ଦେଖି ଗୁଣ୍ଡିଚା ମାଆ
ଆଖିରୁ ଗଡ଼େ ପାଣି।
ବ୍ରହ୍ମା ଶଙ୍କର ଇନ୍ଦ୍ର କୁବେର
ସମସ୍ତ ଦେବାଦେବୀ,
ବନ୍ଧୁ ବାନ୍ଧବ ଲାଗେ ଗହଳ
କିବା ଉପମା ଦେବି।
ଗରୁଡ଼ ଆଉ ହନୁମାନଙ୍କ
ଖୁସି କେ ପାରେ କହି,
ଅତିଥି ସେବା କରୁଥାଆନ୍ତି
ପ୍ରଭୁଙ୍କ କାର୍ଯ୍ୟ ପାଇଁ।
ରସାବଳି ଓ ପୋଟଳି ପିଠା
ଛପନ ଭୋଗ ସାଥେ,
ଯେ ଯେତେ ପେଟ ପୁରାଖାଉଛି
ବୋହି ନେଉଛି କେତେ।
ଗଣେଶଙ୍କର ଭୋଜନ କିନ୍ତୁ
କେବେ ସରୁ ନ ଥାଏ,
ପାର୍ବତୀ ଲକ୍ଷ୍ମୀ ସାବିତ୍ରୀଙ୍କର
ଖୁସି ଯେ ବଢିଯାଏ।
ନାରଦ ଭଲ ମନ୍ଦ ବୁଝନ୍ତି
ଅତିଥି ଦେବଙ୍କର,
ଶ୍ରୀ ପ୍ରଜାପତି ମୁରବୀ ଏଠି
ପ୍ରଭୁଙ୍କ ବାହାଘର।
ତୁଳସୀ କ୍ଷେତ୍ର ତୁଳସୀ ବନ
ଗୋପ ମଣ୍ଡପ ସ୍ଥାନ,
ବଡଦେଉଳୁଁ ପାଲିଙ୍କି ଚଢି
ଆସିବେ ଶଙ୍କର୍ଷଣ।
ଶଙ୍ଖ ଟେକିଣ ବରୁଣରଜା
କରିବେ କନ୍ଯା ଦାନ,
ମନ୍ତ୍ର ଉଚ୍ଚାରି ଶ୍ରୀ ବୃହସ୍ପତି
କରିବେ ବେଦଗାନ।
ବାଜା ବାଜିବ ରୋଷଣୀ ହେବ
କନ୍ଦରା ପୋଡ଼ି ହେବ,
ଜନ ସମୁଦ୍ରେ ରୋଷଣୀ ସ୍ଥାନ
ଆଜି ତ ଉଛୁଳିବ ।
ଶୁଭଦ୍ରା ବଡ଼ ଭାଇଙ୍କୁ ପୁଚ୍ଛେ
କନ୍ଦରାବଧ କଥା,
ଗେହ୍ଲୀ ଭଉଣୀ ଆଗରେ ଠିକେ
କୁହନ୍ତି ବଡ଼ ଭ୍ରାତା।
ଲଳିତ ଗିରି ଗୁମ୍ଫାରେ ରହି
ଥିଲା କନ୍ଦରାସୁର,
ପର୍ବତ ପ୍ରାୟ ଶରୀର ତାର
ବିଶାଳ କଳେବର।
ଦିନକୁ ଦିନ ତାର ଦୁଷ୍କର୍ମ
ହୋଇଲା ଅଣାୟତ୍ତ,
ସାଧୁ ସନ୍ନ୍ୟାସୀ ସଂସାର ବାସୀ
ଡାକିଲେ ପ୍ରଭୁ ରଖ।
ତେଣୁ ଅସୁର ସଂହାର ପାଇଁ
ହୋଇଲି ଆଗୁସାର,
ଅସୁରପରେ ଲଙ୍ଗଳ ଯହିଁ
କ୍ଷେପିଲି ଚାରିଥର।
ସେ ଜାଗା ହେଲା ଚାରିଲଙ୍ଗଳ
ଆଜି ବି ପରିଚିତ,
କେନ୍ଦ୍ରାପଡ଼ାରେ ଅସୁର ଆସି
ମୋ ଦ୍ଵାରା ହେଲା ହତ।
ଖଣ୍ଡଖଣ୍ଡ ମୁଁ କରି କ୍ଷେପିଲି
ଅସୁର ଶରୀରକୁ,
ତା'ଅଙ୍ଗ ନାମ ଅନୁକରଣେ
ଦେଖ ଏ ଅଞ୍ଚଳକୁ।
ଗଣ୍ଡି ପଡ଼ିଲା ବୋଲି ସେଠାରେ
ବଳଗଣ୍ଡି ସେ ସ୍ଥାନ,
ଅସୁର ଶିର ପଡିଲା ଯହିଁ
ସ୍ଥାନ ଅସୁରେଶ୍ଵର।
ଅସୁର କଟି କାଟି ଫିଙ୍ଗିଲି
କଟିକଟା ସେ ସ୍ଥାନ,
ଅଙ୍ଗୁଳି ଯହିଁ ପଡ଼ିଲା ସ୍ଥାନ
ଅଙ୍ଗୁଳେଇଟି ଜାଣ।
ନାଭିମଣ୍ଡଳ ଅସୁରଟିର
ଯେଉଁଠି ପଡ଼ିଥିଲା,
ନାଆଖଣ୍ଡ ଯେ ସେ ସ୍ଥାନ ନାଁ
ସେହିଦିନଠୁଁ ହେଲା।
ମଧୁ ଅସୁର ନାମରେ ସ୍ଥାନ
ମଧୁ ସାଗର ଅଛି,
ଶଙ୍କୁକର୍ଣ୍ଣଙ୍କ ସମେତ ବହୁ
ରାକ୍ଷସ ବିନାଶିଛି।
ଏମିତି କଥା ଭାଇଙ୍କ ଠାରୁ
ଶୁଭଦ୍ରା ଶୁଣୁଥିଲା,
ସେ ପଟେ ଶଙ୍ଖ ହୁଳହୁଳିରେ
ସେ ସ୍ଥାନ କମ୍ପୁଥିଲା।
କହିଲେ କଥା ସରିବନି ଏ
ପ୍ରଭୁଙ୍କ ଖେଳା ଲୀଳା,
ପବିତ୍ର ଜମ୍ବୁ ଉପକୂଳ ଏ
ନାମ ତା'କେନ୍ଦ୍ରାପଡା।
ଏ ଗୁପ୍ତ କ୍ଷେତ୍ର ତୁଳସୀ କ୍ଷେତ୍ର
ପବିତ୍ର ବ୍ରହ୍ମକ୍ଷେତ୍ର,
ଯେ ସ୍ଵୟଂ ବ୍ରହ୍ମ ମଣିବିଗ୍ରହ
ଏ କ୍ଷେତ୍ରେ ବିରାଜିତ।
ଏ ପୁଣ୍ୟ ଧାମେ ଗଡୁଛି ବ୍ରହ୍ମ
ତାଳଧ୍ଵଜ ସେ ରଥ,
ବାହୁଟେକିକି କୃପା କରନ୍ତି
ପ୍ରଭୁ ତୁଳସୀନାଥ।
ଅପର୍ତ୍ତି ଡାକେ ଆସ ପାଠକେ
ତୁଳସୀ କ୍ଷେତ୍ର ବୁଲି,
ଦେଖିବ ନେତ୍ରେ କନ୍ଦରା ପୋଡ଼ି
ଖାଇବ ରସାବଳି।
(୍
