ଟିକି ଭକତ
ଟିକି ଭକତ
ଆମେ ଟିକି ଶିଶୁ ଟିକି ଭକତ
ଭଜୁଛୁ ଭଜନ ଶୁଣ ଆରତ ।
ଦୁଃଖ ଶୋକ ତାପ ପ୍ରବାହ ଭୀତି
ହରି ନିଅ ପ୍ରଭୁ ଦିଅ ସୁଗତି ।
ଗୁହାରୀ କରୁଛୁ ତୁମ୍ଭ ପୟରେ
ଆରତ ନାଶନ , ତୁମ୍ଭ ସେବାରେ ।
ବିତି ଯାଉ ଆମ୍ଭ ଏଇ ଜୀବନ
ଟିକି ଭକତ ଙ୍କ ଗୁହାରୀ ଶୁଣ ।
ଅନ୍ତରରେ ଭରି ଭକତି ଭାବ
ସେବୁଛୁ ପୟରେ ହେ , ଗୁରୁ ଦେବ ।
କରୁଣା ଆଶିଷ ବରଷି ଦିଅ
ଆହେ ମହା ପ୍ରଭୁ ହେ ଦୟାମୟ ।
ଟିକି ହାତେ ଧୂପ ଦୀପ ଉଠାଇ
ଦେଉ ଅଛୁ ପ୍ରଭୁ ଆମେ ବନ୍ଦାଇ ।
ଫୁଲ ଫଳ ଭୋଗ କରି ଅର୍ପଣ
ଭକତ ବତ୍ସଳ କର ଗ୍ରହଣ ।
ଦିଅ ଭକ୍ତି ଭାବ ଅନ୍ତରେ ଭରି
କରୁଛୁ ନିକଟେ ଆମ୍ଭେ ଗୁହାରୀ ।
ଦିଅ ବିପଦେ ସାହସ ଶକତି
ସତ୍ୟ , ଧର୍ମ , ନ୍ୟାୟେ ରଖାଅ ମତି ।
ଦିଅ ବିଦ୍ୟା ବୁଦ୍ଧି , ଶୁଭ ଆଶିଷ
ଜୀବନେ ହୋଇବା ଭଲ ମଣିଷ ।
ଭବିଷ୍ୟ ଜୀବନେ ହସ ଖୁସିରେ
ଯଶ ରଖି ଯିବା ଏଇ ମହୀରେ ।
