ଠିକଣା ପାସୋରି ଦେଇଛି
ଠିକଣା ପାସୋରି ଦେଇଛି
ସୁଭାଷ ଚନ୍ଦ୍ର ଭୂତିଆ
ମଉଳି ଗଲାଣି ଦେଖ
ସତ୍ୟର ସେ ଅପୂର୍ବ କାନ୍ତି
ଗ୍ରାସୁଅଛି ଧିରେଧିରେ
ମାୟା ମୃଗତୃଷ୍ଣା ର ଶାନ୍ତି ।
ହୃଦ ସରୋବରେ ଦେଖ
ନଫୁଟେ ପ୍ରୀତିର କମଳ
ସ୍ୱାର୍ଥ କମଣ୍ଡଳୁ ବୃକ୍ଷେ
ଭରା ଲୋଭଜାତ ସେ ଜଳ ।
ନୟନ ସନ୍ଧାନେ ଦେଖ
ନାହିଁ ସେ ସଦ୍ଗୁଣ ସାରଣୀ
ଦୁର୍ଗୁଣ ଅରଣ୍ୟେ ଖୋଜେ
ସୁନା ହରିଣକୁ ନଜାଣି ।
କଣ୍ଟାର ପୋଷାକ ପିନ୍ଧି
ଶୋଅଇ ଫୁଲର ଶେଯରେ
ଆଖି ମୋଦି ଖୋଜିଥାଏ
ବାସ୍ତବତା ନିଜ ସ୍ୱପ୍ନରେ ।
କର୍ମରେ କର୍ତ୍ତବ୍ୟ ଛବି
ନଆଙ୍କି ଆଦର୍ଶ ଖୋଜଇ
ପୁଣ୍ୟଫଳ ପାଇବାକୁ
ସର୍ବଦା ତତ୍ପର ହୁଅଇ ।
ଭରା ଯୌବନ କାଳରେ
ନକରେ ମୁକ୍ତିର ପ୍ରୟାସ
ବାର୍ଦ୍ଧକ୍ୟ ସମୟେ ଖୋଜେ
ହରାଇ ନିଜର ଆୟୁଷ ।
ଦୁର୍ଲ୍ଲଭ ଜନମ ପାଇ
ମହତ୍ଵ ଜାଣି ନପାରିଛି
ସମୟ ସ୍ରୋତରେ ଭାସି
ଠିକଣା ପାସୋରି ଦେଇଛି ।