STORYMIRROR

ରମାକାନ୍ତ ରାଉତ

Tragedy Others

3  

ରମାକାନ୍ତ ରାଉତ

Tragedy Others

ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

2 mins
209

ଭାଗବତ ଟୁଙ୍ଗି ବନ୍ଧା ପଡ଼ିଛି 

କ୍ଲବ ଘର ଟା ନୂଆ ହୋଇଛି 

ତାସ୍ କ୍ୟାରମ ଖେଳା ଚାଲିଛି 

ପୋଥି ଭାଗବତ ମୂଷା ଖାଉଛି

ହରେ ରାମ ନାମ ସିଡି ଘୋଷୁଛି

ତଥାପି ମୋ ଗାଁ ହସୁଛି ।


ସରପଞ୍ଚ ଏଠି ପେଞ୍ଚ କରୁଛି

ପର ଘର ଭାଙ୍ଗି ଏକା ଯୋଡୁଛି 

ଗାଁ ଟାଉଟର ନେତା ସାଜୁଛି

ଭୋଟ ବେଳ ରେ ନୋଟ ଗଣୁଛି

ଦେଖିବାକୁ ଟିକେ କଷ୍ଟ ହଉଛି 

ତଥାପି ମୋ ଗାଁ ହସୁଛି ।


ସକାଳ ହୋଇଲେ ରାବୁନି କାଉ

ଛପର ନାହିଁ ଆଉ ମାଡିବ ଲାଉ

ଚାଷ ହେଉନାହିଁ ଭଲରେ ଆଉ

ଖାଆନ୍ତିନି କେହି ମାଣ୍ଡିଆ ଯାଉ

ସେସବୁ ପୁରୁଣା ହେଇଛି

ତଥାପି ମୋ ଗାଁ ହସୁଛି ।

 

ବଳଦ ପାଇଁ କି ଗୁହାଳ ନାହିଁ

ଲଙ୍ଗଳ ପାଇଁ କି ବଢ଼େଇ ନାହିଁ

ଅମଳ ପାଇଁ କି ଖଳାଟେ ନାହିଁ

ରଖିବା ପାଇଁ କି ଅମାର ନାହିଁ

ସବୁତ ବଦଳି ଯାଇଛି

ତଥାପି ମୋ ଗାଁ ହସୁଛି ।


ଓଷା ପରବରେ ଚିତା ପଡୁନି

ନୂଆବୋହୂ ଆଉ ଲାଜ କରୁନି

ପଖାଳ ଖାଇଲେ ଦେହେ ଯାଉନି

ବାଡ଼ିରେ ବି ଛତୁ ଆଉ ଫୁଟୁନି

ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି

ସବୁତ ବଦଳି ଯାଇଛି

ତଥାପି ମୋ ଗାଁ ହସୁଛି ।


ନଥାଉ ପଛକେ ଗୋଠରେ ଗାଈ

କଅଁଳା ବାଛୁରୀ ନଥାଉ ଡେଇଁ

ପୋଖରୀରେ ପଛେ ନଫୁଟୁ କଇଁ

ନ ମିଳୁ ପଛକେ ଗଛର ଛାଇ

ଶୋଭା ସିନା ହଜି ଯାଇଛି

ତଥାପି ମୋ ଗାଁ ହସୁଛି ।


ଗାଁଆ ପୁଅ ପଛେ ସହର ଧାଉଁ

ପାଠ ପଢି ପଛେ ବେକାର ହେଉ

ବିଷ ଖାଇ ପଛେ ଚାଷୀଟା ଶୋଉ

ଚାଷ ବାସ ପଛେ ଉଜୁଡି ଯାଉ

ଶାଢ଼ୀ ଛାଡି ବୋହୁ ଜିନ୍ସ ନାଉ

ମନଟାକୁ ସିନା ବାଧୁଛି

ତଥାପି ମୋ ଗାଁ ହସୁଛି ।


ମାଟିର ହାଣ୍ଡିରେ ବସୁନି ଭାତ

ବିଲରେ ପଡୁନି ଗୋବର ଖତ

ଚାଳ ଘର ସବୁ ହୋଇଛି ଛାତ

ପୁଅ ମାରୁଅଛି ବାପକୁ ନାତ

କାହାର କଅଣ ଯାଉଛି

ତଥାପି ମୋ ଗାଁ ହସୁଛି ।


ବୋଉ ପରା ଏବେ ମମି ସାଜିଛି

ବାପା ଡାକ ଏବେ ଡାଡି ହୋଇଛି

ପୋଷାକରେ ଦେହ ଦେଖା ଯାଉଛି

ସହରୀ ସହରୀ ଗାଁଆ ବାସୁଛି

ଆଧୁନିକତା ଛୁଆଁ ଦେଇଛି

ତଥାପି ମୋ ଗାଁଆ ହସୁଛି ।


ରଜରେ ଆଉ ଲାଗୁନି ଦୋଳି

ବାଡ଼ି ନାହିଁ ଆଉ ହୋଇବ କୋଳି

ପିଠା ପଣା ନାହିଁ ଭଳି କି ଭଳି

ବଗିଚା ନାହିଁ କାହୁଁ ଆସିବ ମାଳି

ସବୁ ସିନା ସ୍ମୃତି ହୋଇଛି

ତଥାପି ମୋ ଗାଁ ହସୁଛି ।


ବାପର ମଥାରେ ପୁଅ ଚରଣ

ପର ଝିଅ ବୋହୁ ନିତି ହରଣ

ନାବାଳିକା ଝିଅ ହୁଏ ଧର୍ଷଣ

ସେବା ନାହିଁ ଏଠି ଅଛି ଭାଷଣ

ଅନ୍ୟାୟ ଅନୀତି ଯେତେ ବଢିଛି

ତଥାପି ମୋ ଗାଁ ହସୁଛି ।


ଜମି ବାଡ଼ି ପଛେ ପଡୁ ପଡିଆ

ଦଳେ ଭରି ଯାଉ ଗାଁଆ ଗାଡିଆ

ହେଲେ ହେଉ ତାହା ଯେତେ ଅଳିଆ

ଲାଗି ରହିଥାଉ ଗଣ୍ଡ ଗୋଳିଆ

ଗାଁଆ ପଛେ ଯେତେ ନିନ୍ଦା ପାଉଛି

ତଥାପି ମୋ ଗାଁ ହସୁଛି ।


ନନଷ୍ଟିକ ସାଜିଛି ମାଟିର ହାଣ୍ଡି

ନାହିଁ ହାଣ୍ଡିଶାଳ ନାହିଁ ଦେଇପିଣ୍ଡି

ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି

ତଥାପି ପ୍ରେମରେ ରଖିଛି ବାନ୍ଧି

କର୍ପୂର ଉଡି କନା ପଡି ରହିଛି

ତଥାପି ମୋ ଗାଁ ହସୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy