ଅବୁଝା ମନ
ଅବୁଝା ମନ
ସେ କାଳ ପଖାଳ ହଜି ତ ଗଲାଣି ମିଳୁନାହିଁ ଆଉ ତାହା,
ସବୁଠି ଭେଜାଲ ମିଶି ତ ଗଲାଣି ଦଇବ କେବଳ ସାହା!
ନାହିଁ ପୂର୍ବ ପ୍ରୀତି ସ୍ନେହ ଓ ମମତା ସ୍ୱାର୍ଥ କୁ ଆବୋରି ଧରି,
ସ୍ୱାର୍ଥ ର ଡୋରି ରେ ବନ୍ଧା ହୋଇ ସର୍ବେ ମିଛ ଅଭିନୟ କରି!
ସତ ଲୋକ ଆଉ ପାରେନି ଆଗେଇ ଅସତ୍ୟ ର ସାଥେ ରହି,
ସତ୍ଯ ବୋଲି ସିଏ ଯନ୍ତ୍ରଣା କେବଳ ଏକା ଯାଉଥାଏ ସହି!
ଈର୍ଷା ଅହଙ୍କାର ଗୋଡ ଟଣାଟଣି ନିତି ଦିନିଆ ଏ ଖେଳ,
କିଏ ପାଏ ସୁଖ କିଏ ଅବା ଦୁଃଖ କାହାର ପୂରେ ଯେ କାଳ!
ଭଲ ମନ୍ଦ ଆଉ ବିଚାର ତ ନାହିଁ ଆପଣାର ସ୍ୱାର୍ଥ ପାଇଁ,
ଅନ୍ୟପାଇଁ ତାହା ହେଉପଛେ କାଳ ନିଜେ ରହିଥାଉ ଜିଇଁ!
ଏମିତି ଭାବନା ନେଇକି ମଣିଷ ଚାଲୁଛି ଜୀବନ ପଥେ,
ସେଥିପାଇଁ ଆଜି କାଳ ମାଡିଆସେ କେ ବୁଝାଇବ ତାକୁ ଏତେ!
ଯେମିତି ବୁଣିବ ସେମିତି ପାଇବ ଏଇଟି ସଂସାର ସାର,
କିଏ ବୁଝାଇବ ସେ ଅବୁଝା ମନକୁ ଶତ୍ରୁ ହେବାପାଇଁ ତାର!
ସ୍ନେହ ସରାଗ ଟା କାଙ୍ଗାଳିଆ ଏଠି ନୀତି ଅନୀତି ର ହାଟ,
ମନ ଖାଲି ମୋର ଅମାନିଆ ହୁଏ ଯୋଡିବାର ତୁମ ହାର୍ଟ!
ମଣିଷତ୍ଵ ଏଠି ଅମାନତ ହାରେ ବିବେକୀ ଟା ହା ହା କାର,
ଚୋର ଘର ଏଠି ଆଲୁଅ ଆଲୁଅ ସିଷ୍ଠତା ମୁହଁ ଅନ୍ଧାର!
ବୁଝି ମୁଁ ପାରୁନି ଭୁଲି ତ ହଉନି ସେ କାଳ ଶରଧା ଆଉ,
କିଏ ପିଲେ ଟିକେ ବୁଝାଇ କହିବ ଜାଣିଥିଲେ ତୁମ ଭାଉ!
