ତମେ ଆସିବ ବୋଲି
ତମେ ଆସିବ ବୋଲି
ତମେ ଆସିବ ବୋଲି
ଶ୍ରାବଣର ସଜଳ ଆକାଶେ ଭିଜିଲେଣି
କୁନିକୁନି ଚିକିମିକି ତାରାଫୁଲ ,
ବାଦଲର ଆଢୁଆଳେ ମୁରୁକି ହସୁଛି
ପୁନେଇଁର ତୋଫା ଜହ୍ନ ,
ଚେନା ଚେନା ଜ୍ୟୋସ୍ନାର ସ୍ପର୍ଶରେ
ହସିଲାଣି ଦୂର ଶାଳବଣ
ନଈ, ନାଳ ,ସବୁଜ ଗାଲିଚା ,
ଦୂର ଦିଗ୍ବଳୟୁ ନଇଁ ନଇଁ ଆସିଲାଣି
ସ୍ନିଗ୍ଧ ସିକ୍ତ ସମୀରଣ
ଆଉ ଛୁଇଁଲାଣି ଧରିତ୍ରୀର ଆରକ୍ତ କପାଳ ,
ରଜନୀଗନ୍ଧାର ମହମହ ମହକରେ
ପୁଲକିତ ପ୍ରୀତିଗନ୍ଧା ନିରୋଳା ମୁହୂର୍ତ୍ତ ।
ରୋମାଞ୍ଚିତ ମନ ମୋର
ଖୋଜିଲାଣି ଶୀତଳ ସାନିଧ୍ୟ ,
କ୍ଳାନ୍ତ ଦେହ ଓ ପ୍ରାଣ
ହଜିଥିବା ଦିନ
ହଜିଥିବା ପୁରୁଣା ସପନ
ଫେରିଲେଣି ପର ଝାଡିଝାଡି ,
ହାତଠାରି ଡାକିଲେଣି ନଈପଠା
ଅସୁମାରି ମହୁଲଫୁଲର ବଣ
ସତେଜ ହୋଇଉଠୁଛି ଏକାମ୍ର କାନନ
ଶୁନଶାନ ନିଶବ୍ଦ ଜ୍ୟୋସ୍ନାଭିଜା ରାତିରେ ।
ରାତିର ନୀରବ ପ୍ରହରେ
ଶୁଭିଲାଣି ତମ ନୂପୁରର ଋଣୁଝୁଣୁ ଶବ୍ଦ
ପ୍ରାଣବନ୍ତ ହେଲାଣି ମୋ ସର୍ବାଙ୍ଗ ନିର୍ଜୀବ ସତ୍ତା
ଆଂଜୁଳାଏ ତମ ମୁକୁଳା ହସରେ ,
ଚିତ୍ରଟିଏ ଅଙ୍କିତ ହେଲାଣି
ମୋ ରିକ୍ତ ହୃଦୟର ସୁପ୍ତ ତନ୍ତ୍ରୀରେ
ଆଉ ଖସିପଡିଲାଣି ବିଚିତ୍ର ବର୍ଣ୍ଣର
ପେନ୍ଥା ପେନ୍ଥା ପ୍ରେମଫୁଲର ପାଖୁଡା
ଧରଣୀର ସିକ୍ତ ଅଞ୍ଚଳରେ ।
ଏକା ଏକା ଏତେବଡ ରାସ୍ତାରେ
ପାଦ ମୁଁ ଥାପିଛି ଓଦା ଜୁଡୁବୁଡୁ
ତମର ସେ କେଉଁ ଏକ
ଅନାବିଳ ପ୍ରେମର ଫଲ୍ଗରେ ,
ଭାସୁଛି ମୁଁ କୁଟାଖିଅଟିଏ
ଖାସ୍ କେଉଁ ଏକ ମୁଗ୍ଧ ଅନ୍ବେଷଣରେ ।।

