STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ସ୍ଵୟଂ ସମ୍ଭୂତ ଶ୍ରୀଜଗନ୍ନାଥ

ସ୍ଵୟଂ ସମ୍ଭୂତ ଶ୍ରୀଜଗନ୍ନାଥ

2 mins
20


ଭିନ୍ନ ଭିନ୍ନ ମତବାଦ ରହିଅଛି
ଦାରୁ ମୂର୍ତ୍ତି ଆଢ଼ୁଆଳେ 
ପୁରାଣ ପାଞ୍ଜି ଇତିହାସ ବିଶ୍ୱାସ
କିମ୍ବଦନ୍ତୀ କଥା ଆଳେ 
ନୀଳନଗନାଥ ସେ ଦାରୁଦେବତା
ସ୍ଵୟଂ ହୋଇଲେ ସମ୍ଭୂତ
ନୀଳାଚଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ
ବିଜେ ସ୍ୱୟଂ ଜଗନ୍ନାଥ
ସ୍ଵୟଂ ପରଂବ୍ରହ୍ମ ସ୍ଵୟଂ ବିରାଜିତ
ଦାରୁ ଦେବତା ରୂପରେ
ଭକ୍ତ ଭାବେ ରାଜା ଇନ୍ଦ୍ରଦ୍ୟୁମ୍ନ ମାତ୍ର
ଶୂନ୍ୟବାଣୀ ନିର୍ଦ୍ଦେଶରେ
ଦାରୁ କାଷ୍ଠ ପ୍ରାପ୍ତି ହେଲା ପରେ ଚିନ୍ତା
କିପରି ହେବ ନିର୍ମାଣ
ଅସମର୍ଥ ହେଲେ ବିଶ୍ଵକର୍ମା ଗଣ
କାଷ୍ଠ ନ ହେଲା ଛେଦନ
ସ୍ଵୟଂ ନାରାୟଣ ବିଶ୍ଵକର୍ମା ରୂପେ
ନିଜେ ବୃଦ୍ଧ ରୂପୀ ନର
ଇନ୍ଦ୍ରଦ୍ୟୁମ୍ନ ଯଦି ସର୍ତ୍ତ ରକ୍ଷା କରେ
ସାକାର ହେବ ଆକାର
ନିରନ୍ତର ବାଦ୍ୟ ନାଦ ଆୟୋଜନ
ନିର୍ମାଣ ସ୍ଥଳ ବାହାରେ
କ୍ଷଣେ ମାତ୍ର ବନ୍ଦ ହେବ ନାହିଁ ନାଦ
ଦାରୁ ଦିଅଁ ଗଢିବାରେ
ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ
ନିର୍ମାଣ ସ୍ଥଳ ବାରଣ
ନିର୍ମାଣ ଶବ୍ଦ ଶୁଣିଲେ ବିକଳାଙ୍ଗ
ନର୍କେ ଯିବେ ପିତୃଗଣ
ନିର୍ମାଣ ବିଧି ଘୋଷଣା ପରେ ପରେ
ରାଜା କଲେ ସର୍ତ୍ତ ରକ୍ଷା 
ନିର୍ମାଣ କାର୍ଯ୍ୟ ଅବଧି ପୂର୍ଣ୍ଣ ଯାଏଁ 
ଉତ୍କଣ୍ଠା ସହ ଅପେକ୍ଷା
ଅବଧି ପୂରଣ ମତାମତ ଭିନ୍ନ
ଏକୋଇଶି ବା ପନ୍ଦର
ଅବଧି ର ଦିନ ଯାହା ହେଲେ ସୁଦ୍ଧା
ମୂର୍ତ୍ତି ନିର୍ମାଣ ସାକାର
କଳ୍ପନା ରାଜ୍ୟରେ ରାଜା ଇନ୍ଦ୍ରଦ୍ୟୁମ୍ନ
ମାନସ ପୂଜା ମଣ୍ଡନ
ବିଗ୍ରହ ଦର୍ଶନ କରିବା ପ୍ରତୀକ୍ଷା
କ୍ରମେ ଅବଧି ପୁରଣ
ଉପସ୍ଥିତ ହେଲା ଶୁଭ ଅବସର
କୋଠରୀ ହେଲା ଉନ୍ମୁକ୍ତ
ଅବିକଳ ସ୍ୱପ୍ନାଦେଶେ ପୂର୍ବାଭାଷ
ମୂର୍ତ୍ତି ହୋଇଛି ନିର୍ମିତ
ନାହିଁ ଶିଳ୍ପୀ ଅବା କାଷ୍ଠାବଶିଷ୍ଠାଂଶ
ବିଚଳିତ ସେହି କ୍ଷଣି
ଭାବନାର ପୂର୍ଣ୍ଣଛେଦ ଟାଣି ହେଲା
ଅବିଳମ୍ବେ ଶୂନ୍ୟବାଣୀ
ଯାହା ଦ୍ଵାରା ଅସମ୍ଭବ ବି ସମ୍ଭବ
କରିବାର ଅଛି ଶକ୍ତି
ମହା ଦାରୁ ଦ୍ଵାରା ବିଗ୍ରହ ନିର୍ମିତ
ନିଜ ରୂପ ନିଜେ ମୂର୍ତ୍ତି
ଶୂନ୍ୟବାଣୀ ନିର୍ଦ୍ଦେଶରେ ପଟବସ୍ତ୍ର
ବିଗ୍ରହରେ ଆଚ୍ଛାଦିତ
ମୂଲ୍ୟବାନ ବସ୍ତ୍ର ଦ୍ଵାରା ସୁଶୋଭିତ
ଅତି ଯତ୍ନର ସହିତ
ସବୁକିଛି ଦାରୁ ଦେବତା ନିର୍ଦ୍ଦେଶେ
ନିୟମ ସହ ପାଳନ
ଆବରଣ ଶୂନ୍ୟ ବିଗ୍ରହ ମାନଙ୍କୁ
ଦର୍ଶନ ହେଲା ବାରଣ
ସେବକ ବ୍ୟତୀତ ମୁକ୍ତ ଅବୟବ
ନ ଦେଖନ୍ତୁ ଅନ୍ୟ କେହି
ଇନ୍ଦ୍ରଦ୍ୟୁମ୍ନ କିନ୍ତୁ ଆଦ୍ୟ ସେବକର
ଅନୁଗ୍ରହ ଥିଲେ ପାଇ
ବିଶ୍ଵାବସୁ ବିଦ୍ୟାପତି ବଂଶଧର
କଲେ ପ୍ରତିମା ସଂସ୍କାର
ଜନ୍ମ ବେଦୀ ରୁ ବିଗ୍ରହଙ୍କ ଆସ୍ଥାନ
ପ୍ରାୟତଃ ନ ଥିଲା ସ୍ଥିର
ଶୁନ୍ୟ ବାଣୀ ଧାରେ ଧାରେ କାର୍ଯ୍ୟ ପନ୍ଥା
ହୋଇଥିଲା ବି ନିଦାନ
ନୀଳ ନଗ ସ୍ଥିତ କଳ୍ପବଟ ଠାରୁ
ବାୟୁ କୋଣେ ଭବ୍ୟ ସ୍ଥାନ
ସହସ୍ର ହସ୍ତ ଉଚ୍ଚ ଓ ଆୟତରେ
ଦୃଢ଼ ପ୍ରାସାଦ ନିର୍ମାଣ
ସେହି ଠାରେ ବିଗ୍ରହଙ୍କର ସ୍ଥାପନ
କାର୍ଯ୍ୟ ହେବ ସମାପନ
ମନ୍ଦିର ପ୍ରତିଷ୍ଠା ନିମନ୍ତେ ବ୍ରହ୍ମାଙ୍କୁ
କରିବାକୁ ନିମନ୍ତ୍ରଣ 
ନାରଦ ସହିତ ରାଜା ଇନ୍ଦ୍ରଦ୍ୟୁମ୍ନ
ବ୍ରହ୍ମଲୋକ କୁ ଗମନ
ବ୍ରହ୍ମାଙ୍କର ଏକ ରାତି ବହୁ ବର୍ଷ
ଗଣା ମାନବ ବର୍ଷରେ
କାଳ କ୍ରମେ ଗାଲ ମାଧବ ରାଜୁତି
ଚାଲୁ ଥିଲା ଏ ମର୍ତ୍ତ୍ୟରେ
ବ୍ରହ୍ମା ସହ ଇନ୍ଦ୍ରଦ୍ୟୁମ୍ନ ଫେରି ଆସି
ବଦଳିଛି ଦୃଶ୍ୟ ଭାବ
ମନ୍ଦିର ଭିତରେ ଦେବୀ ବିମଳାଙ୍କୁ
ପୂଜୁଛି ଗାଲ ମାଧବ 
ଦ୍ଵନ୍ଦ ସମାଧାନ ହେଲା ପରେ ପରେ
ବିଗ୍ରହ ହେଲା ସ୍ଥାପନ
ଜୀବ ନ୍ୟାସ ବିନା ନୃସିଂହ ମନ୍ତ୍ରରେ
ବ୍ରହ୍ମା କଲେ ଆବାହନ
ପ୍ରକଟିତ ହେଲେ ନୃସିଂହ ଦେବତା
ଭୟେ ହେଲେ ଥର ହର
ଜଗନ୍ନାଥଙ୍କ ଆଦ୍ୟ ରୂପ ନୃସିଂହ
ଜାଣିଲେ ଭକ୍ତ ପ୍ରବର
ଶାନ୍ତି ମନ୍ତ୍ର ପାଠ କଲେ ପୁଣି ବ୍ରହ୍ମା
ନୃସିଂହ ହୋଇଲେ ଶାନ୍ତ
ସ୍ଵୟଂ ପରଂବ୍ରହ୍ମ ହିଁ ଦାରୁ ଦେବତା
ପାଲଟିଲେ ଶ୍ରୀଜଗନ୍ନାଥ
ଧନ୍ୟ ଇନ୍ଦ୍ରଦ୍ୟୁମ୍ନ ହେ ଆଦି ପୁରୁଷ
ଯୁଗ ଯୁଗ ପାଇଁ ଧନ୍ୟ
ବାଇଶି ପାହାଚେ ଶ୍ରାଦ୍ଧ ପିଣ୍ଡଦାନ
ଦେବ ଦୀପାବଳୀ ଦିନ
ଶ୍ରୀକ୍ଷେତ୍ର ମହିମା ବର୍ଣ୍ଣନା କରିବା
ନୁହଁଇ ଏତେ ସହଜ
ଚରଣେ ଶରଣ ଦିଅ ଜଗନ୍ନାଥ
ସିଦ୍ଧ ହେଉ ସବୁ କାର୍ଯ୍ୟ







 




















Rate this content
Log in

Similar oriya poem from Abstract