ସୁଯୋଗରେ ମନୁଷ୍ୟର ସତ୍ୟତା ପଡେ ଜଣା
ସୁଯୋଗରେ ମନୁଷ୍ୟର ସତ୍ୟତା ପଡେ ଜଣା
ହେଉ ସତ୍ୟ, ତ୍ରେତୟା, ଦ୍ୱାପର ଅବା କଳି ଯୁଗ,
ମଣିଷ ଭିତରେ ଅଧର୍ମୀ ଓ ଧାର୍ମିକ ବ୍ୟକ୍ତି ସର୍ବଦା ପାଇବ
ଅଧର୍ମୀ ଛା଼ଡି ସତ୍ୟପଥ ଅନ୍ୟାୟ, ଅତ୍ୟାଚାର,
ଚୋରି ଅପକର୍ମେ ମାତି କଳିରେ ରହିବାକୁ ସଦା ଭଲ ପାଇବ ।
ସ୍ରଷ୍ଟାଙ୍କର ସୃଷ୍ଟି ଅଟେ ବଡ଼ ବିଚିତ୍ର, ଯୁଗେ ଯୁଗେ
ମଣିଷ ପକ୍ଷରେ ସତ୍ୟ ପଥ ବାଛି ଚାଲିବା ଭାରି ଖସଡ଼ା
ଅଟଳ ନିଶ୍ଚଳ ନିର୍ମଳ, ହାତେ ମାପି ଚାଖଣ୍ଡେ ଓ
ସଠିକ ଢଙ୍ଗରେ ନଚାଲିଲେ ପାଇବ ଚକିତ ଶକ୍ତ କଚଡା ।
ମନରେ ରଖିବାକୁ ହେବ ଏ ଘୋର ସତ୍ୟ ବଚନ,
ଜୀବନଟା ପାଣିର ଫୋଟକା ଭଳି, ଆଜି ଅଛି କାଲି ନାହିଁ
ମୃତ୍ୟୁ ସୁନିଶ୍ଚିତ, ଧନୀ ଗରୀବ ସମାନ, ଏ ନିଷ୍ଠୁର
କବଳୁ କେହିତ କେବେ ମୁକୁଳିବାର ଅନ୍ୟ ପନ୍ଥା ନାହିଁ ।
ସୁଯୋଗ ମିଳିଲେ ମନୁଷ୍ୟର ସତ୍ୟତା ସାଧୁତାର
କର୍ମପନ୍ଥାର କେବଳ ପରୀକ୍ଷା ହୋଇପାରେ ଓ ପଡେ ଜଣା
ନଚେତ ସମସ୍ତ ମଣିଷ ସତୁଆ ଓ ସାଧୁ ବୋଲି
ବଜାରେ ବାଟରେ ସଭା ସମିତିରେ ବଜାଏ ତାହାର ବୀଣା ।
ଯିଏ ପ୍ରତାରଣା ମିଥ୍ୟା ପ୍ରବଞ୍ଚନାର ତରଙ୍ଗେ ଭାସେ,
ସେ କି ଛାଡି ଅଧର୍ମ ଅସତ୍ୟର ବାଟ, ସତ୍ୟପଥେ ଚାଲି ପାରିବ
ଜାଣିନକି ସବୁ ଭଉଣୀ ଭାଇ, ଏ ଗୂଢ ତତ୍ତ୍ୟକୁ
ନିମ୍ବ ଗଛ ମୂଳେ ଚିନି ଅଜାଡିଲେ ନିମ୍ବ କି ମଧୁର ହେବ ।
ଅନ୍ଧତ୍ୱରେ, ଅଜ୍ଞାତ ସାରରେ, ଅନ୍ୟ ପ୍ରରୋଚନାରେ,
ମାତିଯାଇ, ଅସତ୍ୟ ଅନ୍ୟାୟ ପଥରେ ପଦ ଯିଏ ଥାପିଥାଏ
ଜ୍ଞାନ ଆହରଣ କରିବା ମନୋବୃତ୍ତି ଥିଲେ, ଜ୍ଞାନୋଦୟ
ହେଲେ ଅପଥକୁ ତେଜି ସୁପଥେ କେବଳ ସେ ଫେରିଥାଏ ।
ପାଶ୍ଚାତ୍ୟ ସଂସ୍କୃତି ପାଶ୍ଚାତ୍ୟ ଶିକ୍ଷା ପାଶ୍ଚାତ୍ୟ ପରମ୍ପରା
ଯେତେବେଳେ ନଥିଲା, ନଥିଲେକି କଂସ, ରାବଣ, ଦୁର୍ଯ୍ୟୋଧନ
ନଥିଲାକି ଏ ଭାରତବର୍ଷରେ, ଦୁର୍ନୀତି, ଅତ୍ୟାଚାର, ପାପ,
ଅଧର୍ମ, ଅବିଶ୍ୱାସ ଶଠତା ଲାଞ୍ଛନା, ପ୍ରତାରଣା ଓ ନାରୀ ହରଣ।