ସୂର୍ପଣେଖାର ଖେଦ
ସୂର୍ପଣେଖାର ଖେଦ
ପ୍ରେମ ନିବେଦନ କରିଥିଲି ଦିନେ
ଶ୍ରୀରାମ ଲକ୍ଷ୍ମଣ ପାଶେ;
କି ହୀନ କୁତ୍ସିତ ପ୍ରକୃତି ଦୁହିଁଙ୍କ
ମତି ନାଶା କର୍ଣ୍ଣ ନାଶେ ॥
କି ଅବା ସେ ଭ୍ରମ, ତ୍ଯାଗ ପତିବତ୍ନୀ
ନାରୀ ହତ୍ୟାଠାରୁ ବଳି;
ବିବାହ ପ୍ରସ୍ତାବ କି ରକମ ଭ୍ରମ
ପାରୁନାହିଁ ଜମା କଳି ॥
କହନ୍ତି ନିଲୋର୍ଜୀ ସର୍ବେ, ଆଧୁନିକ
ନାରୀ ପଥ ପ୍ରଦର୍ଶିକା;
ମୋ' ପଥେ ଗମିଲେ ନାରୀ ସମାଜଟି
ବିଶୃଙ୍ଖଳିତ ହେବା ପକ୍କା ॥
ହେଲେ ମନେରଖ ଆହେ ନରଗଣ
ଚାଲିବନି ତୁମ୍ଭ ରାଜ;
ନାରୀଏ ଉଠିବେ ସଂଗ୍ରାମ କରିବେ
ଯେହ୍ନେ ଜନ ସାଥେ ଗଜ ॥
ସାମାନ୍ୟ ବିବାହ ପ୍ରସ୍ତାବ ତ ଦେଲି
ହେଲା କି ବେଦ ଅଶୁଦ୍ଧ;
ତୁମ୍ଭେ ନିଅନି କି ବିବାହ ପ୍ରସ୍ତାବ
କୁହ, ଦେବା ଆଗେ ଅପବାଦ ॥
ପାର ନାହିଁ ଦେଖି ନିଜ ଦୋଷ ତ୍ରୁଟି
ଆନେ ଦିଅ ପଙ୍କେ ପୋତି;
ମୋ' ଲାଗି ସିନା ସେ ଦଶାନନ ବଧ
ରାମାୟଣ ପୂର୍ଣ୍ଣାହୁତି ॥
ଧନ୍ଯ ହେ ବାଲ୍ମିକୀ ! କେଉଁ ପୂଣ୍ୟ ଫଳୁଁ
ଦେଇଛ ଦିବ୍ୟ ଚରିତ୍ର;
ଭୟ ନାହିଁ ମୋର ବାଦ ଅପବାଦ
ଜଗତ କଲ୍ୟାଣେ ରତ ।।