ବର୍ଣ୍ଣବୋଧ
ବର୍ଣ୍ଣବୋଧ
ଓଡିଆ ଭାଷାର ସଙ୍କଟ ସମୟେ
ଉଭା ହେଲେ କେତେ ରଥୀ,
ଭାଷା ସୁରକ୍ଷାର ଦାୟିତ୍ୱ ନେଇଣ
ସୃଜିଲେ ଅମର କୃତି ॥
ଗୌରୀ ନୀଳମଣି କବି ରାଧାନାଥ
ମଧୁ ଫକୀରମୋହନ,
ଓଡିଆ ଭାଷାର ସୁରକ୍ଷା ସକାଶେ
କରିଲେ ଜୀବନେ ପଣ ॥
ପତ୍ରିକା ପ୍ରକାଶ ସାହିତ୍ୟ ସାଧନା
କାର୍ଯ୍ୟେ ହେଲେ ସର୍ବେ ରତ,
ଜ୍ଞାନ ମଧୁ ନେଲେ ପାଠ ପଢା ଲାଗି
ପାଠ୍ୟ ପୁସ୍ତକ ଦାୟିତ୍ୱ ॥
ପିଲାଏ ଓଡିଆ ଅକ୍ଷର ଚିହ୍ନିବେ
ପଢିବାରେ ହେବେ କ୍ଷମ,
ସେଥିଲାଗି ମଧୁ ପୁସ୍ତକ ଲେଖିଲେ
ବର୍ଣ୍ଣବୋଧ ଯାର ନାମ ॥
କ୍ରମ ଅନୁବର୍ତ୍ତୀ ସଜ୍ଜିତ ଅକ୍ଷର
ମାତ୍ରା ଯୁକ୍ତାକ୍ଷର ଫଳା,
ବର୍ଣ୍ଣବୋଧ ଗଢା ବିଜ୍ଞାନ ଭିତ୍ତିରେ
ବିଦ୍ୟମାନ ମଧୁକଳା ॥
ବର୍ଣ୍ଣ ମାତ୍ରା ଫଳା ଶିକ୍ଷା ସହାୟକ
ଅଟେ ମଧୁ ବର୍ଣ୍ଣବୋଧ,
ବର୍ଣ୍ଣବୋଧ ପଢି ଓଡିଆ ପିଲାଏ
ଲଭନ୍ତି ସାକ୍ଷର ପଦ ॥
ବର୍ଣ୍ଣବୋଧ ଅଟେ ମହୋଷଧି ତୁଲ୍ୟ
ଏକ ଦିବ୍ୟଜ୍ଞାନ ଗଦ,
ଓଡିଆ ଶିକ୍ଷାର ପ୍ରସ୍ତାବନା ସେଇ
ଭାଷା ଶିକ୍ଷା ଆଦ୍ୟ ପାଦ ॥
ଧନ୍ୟ ଧନ୍ୟ ପୂଜ୍ୟ ହେ ମଧୁସୂଦନ !
ଜାତି ପ୍ରାତଃ ସ୍ମରଣୀୟ,
ବର୍ଣ୍ଣବୋଧ ରଚି ଭାଷା ସାଙ୍ଗେ କଲ
ଓଡିଆ ଜାତିର ଜୟ ॥
