ସୁନେଲୀ ରାକ୍ଷୀ
ସୁନେଲୀ ରାକ୍ଷୀ
ଶ୍ରାବଣ ମାସର ପୁନେଇଁ ଆସିଲା
ଆଣିଛି ରାକ୍ଷୀ ପରବ ।
ଉଷତ ହେଲାଣି ଭଉଣୀର ମନ
ଭାଇକୁ ରାକ୍ଷୀ ବାନ୍ଧିବ ।୧।
ବାଛି ଆଣିଅଛି ସୁନେଲୀ ରାକ୍ଷୀଟି
ଦିଶୁଛି କେଡେ ଡଉଲ ।
ଭାଇ ହାତେ ନେଇ ରାକ୍ଷୀଟି ବାନ୍ଧିବ
ରାକ୍ଷୀ ତ ଅମୂଲ ମୂଲ ।୨।
ସଜାଡି ଆଣିଲା ଥାଳିଆରେ ରାକ୍ଷୀ
କୁସୁମ ଚନ୍ଦନ ଆଦି ।
ସିନ୍ଦୂର ଚାଉଳ ଘିଅଦୀପ ମିଠା
ସବୁ ଦରବ ସମ୍ପାଦି ।୩।
ଚନ୍ଦନ ସିନ୍ଦୁର ଟୀକା ଲଗାଇଲା
ଭାଇର ମଥାରେ ନେଇ ।
କୁସୁମ ଚାଉଳ ବେଗେ ନେଇଦେଲା
ସେ ଟୀକା ପରେ ଛୁଆଇଁ ।୪।
ସୁନେଲୀ ରାକ୍ଷୀଟି ଭାଇର ହାତରେ
ବାନ୍ଧିଲା ଭଉଣୀ ନେଇ ।
ବନ୍ଦାପନା କଲା ଦୀପଟିକୁ ଧରି
ମିଠାକୁ ଦେଲା ଖୁଆଇ ।୫।
ଭାଇ ହାତେ ତୋର ରାକ୍ଷୀଟି ବାନ୍ଧିଲି
ସୁରକ୍ଷା ପାଇଁକି ତୋର ।
ରାକ୍ଷୀ ଆମ ସାକ୍ଷୀ ରହିଲା ସୁରକ୍ଷା
ସଦା କରିବୁ ତୋ ମୋର ।୬।
ସୁନେଲୀ ରାକ୍ଷୀଟି ଭାଇ ଭଉଣୀଙ୍କ
ସେନେହ ପ୍ରୀତିର ଡୋର ।
ବରଷକେ ଥରେ ଆସଇ ତା ସ୍ମୃତି
ରହଇ ଚିର ଭାସ୍ୱର ।୭।
