STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ସତ୍ୟ କ'ଣ ମରିପାରେ

ସତ୍ୟ କ'ଣ ମରିପାରେ

1 min
133

ସତ୍ୟ କ'ଣ ମରି ପାରେ

ଏମିତି ସାଧାରଣ ଭାବରେ ରାସ୍ତାଘାଟରେ

କି ଦୟନୀୟ ଅବସ୍ଥାରେ ରୋଗାକ୍ରାନ୍ତ ହୋଇ

ସତ୍ୟର ମୃତ୍ୟକୁ କେହି ଦେଖିଛନ୍ତି କି

ନିଜର ଆଖି ସାମ୍ନାରେ ସଦ୍ୟ ଦିବାଲୋକରେ

ହୁଏତ କେହି କହି ପାରେ ହଁ ଦେଖିଛି

କେହି କହି ପାରେ ନା ମିଛ ଗୁଜବ

ସୂର୍ଯ୍ୟ ଅସ୍ତ ହେଲା ପରେ କ'ଣ 

ଆଲୋକର ମୃତ୍ୟୁ ହୁଏ କି

ଅନ୍ଧାର ଆସିବାର ଅର୍ଥ ସତ୍ୟର ମୃତ୍ୟୁ ନୁହେଁ

କେବେ ତାର ମୃତ୍ୟୁ ନାହିଁ କି ହେବ ନାହିଁ

ଏ ସାମୟିକତାର ଏକ ଚଳନ୍ତି ଧାରା

ପୃଥିବୀର ଆବର୍ତ୍ତନ ଗତିର ପ୍ରଭାବ

ଠିକ୍ ସେମିତି ସତ୍ୟ ଯା' ପାଖରେ ନାହିଁ

ସତ୍ୟ ମରି ଯାଇଛି ବୋଲି ଭାବିବା

ଏକ ଅବଚେତନାର ଭ୍ରମ ମାତ୍ର

ମିଥ୍ୟାଶ୍ରୟୀ ହୋଇ ଜଣେ ପ୍ରବଞ୍ଚନା କରିପାରେ

ତା' ଅର୍ଥ ନୁହେଁ ସତ୍ୟର ଅସ୍ତିତ୍ଵ

ଅନ୍ତଃକରଣରୁ ଲୋପ ପାଇ ଗଲା

ତାର ମୃତ୍ୟୁ ହୋଇଗଲା

ସତ୍ୟ ପାଉଁଶ ତଳ ନିଆଁ ଭଳି ଶାନ୍ତ ସୁଧାର

କେତେ ବେଳେ ବି ଜାଳି ଦେଇ ପାରେ

ସେ ଆସେ ଅନ୍ଧାରକୁ ସମାଧି ଦେବାକୁ

ବିଜୁଳିର ଝଟକରେ ବଜ୍ରାଘାତ କଲା ପରି

ପବନରୁ ଝଡ଼ ବାତ୍ୟାର ରୂପ ନେଇ

ସଂସାରକୁ ଜଳମୟ କରି ବନ୍ୟା ରୂପରେ

ତାର ରୂପ ନିର୍ଦ୍ଦିଷ୍ଟ କରି କହି ହୁଏନା

ଅନ୍ୟାୟ ଅନୀତି ହୁଅନ୍ତି ଥରହର

ସୂର୍ଯ୍ୟକୁ ଯେମିତି ସିଧା ସଳଖ

ଚାହିଁ ହୁଏ ନାହିଁ ଆଖି ବୁଝି ହୋଇଯାଏ

ଏତେ ଆଲୁଅ ବି ଅନ୍ଧ କରିଦିଏ

ସେମିତି ସତ୍ୟକୁ ସାମ୍ନା କରିବା ସହଜ ନୁହେଁ

ସତ୍ୟ ହିଁ ସତ୍ୟକୁ ସାମ୍ନା କରିପାରେ

ସତ୍ୟ ମରି ଯାଇଛି ବୋଲି

ଅନ୍ଧବିଶ୍ୱାସରେ ଯିଏ ବଞ୍ଚିଛି ସେ ବଞ୍ଚିନି

ମରି ସାରିଛି ସେଦିନରୁ

ଯେଉଁଦିନୁ ଭାବି ନେଇଛି ସତ୍ୟ ମରିଗଲା

ସତ୍ୟ କ'ଣ ମରି ପାରେ

ଅସମ୍ଭବ ସତ୍ଯ ମରେ ନାହିଁ ସେ ଚିରନ୍ତନ

ସେ ମାରି ଚାଲେ ଅଧର୍ମକୁ ପାପକୁ

ସତ୍ୟ ବ୍ୟକ୍ତି ବିଶେଷ ନୁହେଁ

ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇଥିବ

ସେ ଏକ ଆହ୍ଵାନ ଏକ ପ୍ରେରଣା

ଏକ ଦିବ୍ୟ ଚେତନାର ଶକ୍ତି ଉତ୍ସ

ଆତ୍ମସଂସ୍କାର କରିବାର ପବିତ୍ର ମହାମନ୍ତ୍ର

କାଳ ରାତ୍ରୀର ଅବସାନ ପରେ ପରେ

ଉଇଁ ଆସିବ ପୁଣି ଥରେ ନବ ପ୍ରଭାତରେ

ସତ୍ୟ କ'ଣ ମରି ପାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action