STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଷଟତିଳା ଏକାଦଶୀ

ଷଟତିଳା ଏକାଦଶୀ

3 mins
385


ପଦ୍ମନାଭ ପଦ୍ମହସ୍ତ ହେ ପଦ୍ମାପତି

ପଦ୍ମ ପାଦ ପଦ୍ମ ପାଣି ପଦ୍ମ ପ୍ରିୟଟି ।

ପଦ୍ମରେ ଶରଧା ଜାଣି ପଦ୍ମ ପୁରାଣ

ବ୍ୟାସଦେବ କଲେ ତୁମ ଲିଳା ବର୍ଣ୍ଣନ ।

ତୁମରି ମହିମା ପ୍ରଭୁ ପୂଜା ଅର୍ଚ୍ଚନା

ତୁମ ବ୍ରତ ଉପାସନା କଥା ବର୍ଣ୍ଣନା।

ତୁମ ଏକାଦଶୀ ବ୍ରତ ମହିମା କଳ୍ପ

ଯୁଧିଷ୍ଠିର କୃଷ୍ଣଙ୍କର ମଧ୍ୟେ ଆଳାପ।

ଯୁଧିଷ୍ଠିର ଗୋଟି ଗୋଟି ପ୍ରଶ୍ନ କରନ୍ତି

କାହାଣୀ ବଖାଣି କୃଷ୍ଣ ବାଟ ବତାନ୍ତି।

ତାଙ୍କରି କଥା କୁ କୃଷ୍ଣ କୁହନ୍ତି ନିଜେ

ଶୁଣି ଶୁଣି ଶ୍ରୋତା ମନ ଭକ୍ତିରେ ଭିଜେ ।

ଏକାଦଶୀ ବିଷ୍ଣୁଙ୍କର ପ୍ରିୟ ଦିନଟି

ବିଷ୍ଣୁ ଭକ୍ତ ସେହି ଦିନ ବ୍ରତ ରଖନ୍ତି।

ଭକ୍ତିବଳେ ଶକ୍ତି ମିଳେ ମିଳଇ ଶାନ୍ତି

ମୋକ୍ଷ ପ୍ରାପ୍ତି ପାଇଁ ବ୍ରତ ପୂଣ୍ୟ ମାର୍ଗଟି।

ମାଘ କୃଷ୍ଣ ଏକାଦଶୀ ମହିମା କଥା

ଜାଣିବାକୁ ଯୁଧିଷ୍ଠିର କରିଲେ ଚିନ୍ତା।

ଉତ୍ତର ଦେବାକୁ ଯାଇ କହିଲେ କୃଷ୍ଣ

ମନ ଦେଇ ଶୁଣ ଆହେ ଧର୍ମ ରାଜନ ।

ଜଣେ ଧର୍ମପରାୟଣା ବ୍ରାହ୍ମଣୀ ଥିଲେ

ପୂଜା ବ୍ରତ କରି ଦିନ ସେ କାଟୁଥିଲେ।

ସବୁବେଳେ ପ୍ରଭୁ ଙ୍କର ନାମ ଭଜନ

ଦିନରାତି କରୁଥିଲେ ପ୍ରଭୁଙ୍କ ଧ୍ୟାନ।

ଅନ୍ଯାୟ ଅଧର୍ମ ଠାରୁ ବହୁ ଦୂରରେ

ମଧୁର ବଚନ ସଦା ଥିଲା ତୁଣ୍ଡରେ ।

ହେଲେ କିନ୍ତୁ ବ୍ରାହ୍ମଣୀ ସେ ଭାରି କୃପଣ

ପାଆନ୍ତିନି ଭଲ କରିବାକୁ ସେ ଦାନ।

ପରୀକ୍ଷା କରିବା ପାଇଁ ବୈକୁଣ୍ଠ ପତି

ବ୍ରାହ୍ମଣ ଭିକ୍ଷୁକ ବେଶ ପ୍ରଭୁ ଧରିଟି,

ବ୍ରାହ୍ମଣୀର ଗୃହ ଦ୍ୱାରେ ଆସି ମିଳିଲେ

ଅନ୍ନ ମୁଠେ ମିଳୁ ମାଆ ଡାକି କହିଲେ।

ଭିକ୍ଷୁକ କୁ ଦେଖିଦେଲେ ଯେବେ ବ୍ରାହ୍ମଣୀ

ମନ କରିଦେଲେ ଉଣା ସେ ତତକ୍ଷଣି ।

ମୁଠାଏ ମାଟି ସେତ ହାତେ ଧରିଲେ

ବ୍ରାହ୍ମଣ ଥାଳରେ ନେଇ ସେ ଭରିଦେଲେ ।

ବ୍ରାହ୍ମଣ ବେଶ ରେ ବିଷ୍ଣୁ ଦେଖି ଏହାକୁ

ହସିହସି ଚାଲିଗଲେ କହି ତଥାସ୍ତୁ ।

ବ୍ରାହ୍ମଣୀ ଯେବେତ ତାଙ୍କ ଦେହ ଛାଡ଼ିଲେ

ପୂଣ୍ୟବତୀ ବୋଲି ସେତ ବୈକୁଣ୍ଠେ ଗଲେ ।

ତାଙ୍କ ପାଇଁ ମାୟାଧର ମାୟା ରଚିଲେ

ସୁନ୍ଦର ପ୍ରାସାଦେ ସ୍ଥାନ ତାଙ୍କୁ ଯେ ଦେଲେ ।

 ସବୁ ସୁବିଧା ଥିଲା ତାଙ୍କ ପାଇଁ ତହିଁ

 ନଥିଲା ତ ଅନ୍ନଜଳ ଭୁଞ୍ଜିବା ପାଇଁ ।

ଉପବାସେ ବ୍ରାହ୍ମଣୀ ଯେ ଦିନ କାଟିଲେ

ପ୍ରଭୁ ଙ୍କ ପାଖରେ ଯାଇ ଗୁହାରି କଲେ ।

ବୈକୁଣ୍ଠ ପୁରରେ ଯଦି ଆହାର ନାହିଁ

କି ଲାଭ ବୈକୁଣ୍ଠେ ଆସି କୁହ ହେ ସାଇଁ ।

ବ୍ରାହ୍ମଣୀ ଙ୍କୁ ବୁଝାଇଲେ ଶ୍ରୀ ନାରାୟଣ

ଏହା ତୁମ କର୍ମ ଫଳ କଥାଟି ଜାଣ ।

ଧର୍ମ କର୍ମେ ମନ ସଦା ଥିଲା ତୁମର

ସେଥିପାଇଁ ଆସିଲ ଏ ବୈକୁଣ୍ଠ ପୁର ।

ଦାନ ଦେବା ପାଇଁ ତୁମେ ଚାହୁଁ ନଥିଲ

ଭିକ୍ଷାର୍ଥୀ ଙ୍କୁ ଖାଲି ହାତେ ଫେରାଉ ଥିଲ।

ସେଲାଗିତ ଉପାସରେ କାଟୁଛ ଦିନ

ଷଟତିଳା ବ୍ରତ କର ଯିବ ଦୁର୍ଦ୍ଦିନ ।

ମାଘ ମାସ କୃଷ୍ଣପକ୍ଷ ଏକାଦଶୀଟି

‘ଷଟତିଳା’ ନାମରେ ତା ରହିଛି କ୍ଷାତି।

ସର୍ବପାପନାଶକ ସେହି ପୂଣ୍ୟ ବ୍ରତ

ଋଷି ଦାଲଭ୍ୟ ଙ୍କୁ କହିଥିଲେ ପୁଲସ୍ତ୍ୟ।

ମୁନିଶ୍ରେଷ୍ଠ କହିଥିଲେ ବ୍ରତ କାହାଣୀ

ଷଟତିଳା ବ୍ରତ ସେତ ପାପହାରିଣୀ ।

 ପୁଲସ୍ତ୍ଯ ଙ୍କୁ ଦାଲଭ୍ଯ ଯେ କରିଲେ ପ୍ରଶ୍ନ

ଜାଣିବାକୁ ଇଚ୍ଛା ମୋର କରୁଛି ମନ ।

ଜାଣନ୍ତେ ବା ଅଜାଣତେ କେତେ କୁକର୍ମ

କରିଥାଏ ପ୍ରାଣୀ ନେଇ ମଣିଷ ଜନ୍ମ।

ପାପ କଲେ କପାଳରେ ନରକେ ଗତି

ଅସହ୍ୟ ଯନ୍ତ୍ରଣା ତହିଁ ନାହିଁ ମୁକତି।

ନର୍କ ଯନ୍ତ୍ରଣା ରୁ ପ୍ରାଣ ନିସ୍ତାର ପାଇଁ

ମୁନି ଶ୍ରେଷ୍ଠ ଉପାୟ ହେ ଦିଅ ବତାଇ।

ପୁଲସ୍ତ୍ଯ କହିଲେ ଶୁଣ ଋଷି ଦାଲଭ୍ଯ

ମଣିଷ ଜନମ ସେତ ଅଟେ ଦୁର୍ଲ୍ଲଭ ।

ମର୍ତ୍ତ୍ୟରେ ଜନମି ପ୍ରାଣୀ ସବୁ ଭୁଲଇ

ମାୟାରେ ହୋଇ ସେ ବାଇ ପାପ କରଇ ।

ପାପ ରୁ ମୁକତି ପାଇଁ ଗୋଟିଏ ବାଟ

ଷଟତିଳା ଏକାଦଶୀ ଭାବର ବ୍ରତ।

ମାଘମାସ କୃଷ୍ଣ ପକ୍ଷେ ପଡେ ଏ ତିଥି

ତିଳ ତରପଣ ଧ୍ୟାନ ନିଷ୍ଠା ଭକତି।

ତିଳ ତୈଳ ଦେହେ ଘଷି କରିବ ସ୍ନାନ

ସ୍ନାନ ପରେ ପୂର୍ବଜଙ୍କୁ ତିଳ ତର୍ପଣ।

ତିଳ ତୈଳେ ଦୀପ ଦାନ ଯଜ୍ଞ ଅର୍ପଣ

ତିଳ ଦାନ ସାଥେ ପୁଣି ତିଳ ଭୋଜନ।

ଛଅ ଗୋଟି ଉପାୟେ ତିଳ ଉପଚାର

ତେଣୁ ଷଟତିଳା ବ୍ରତ ନାମଟି ସାର ।

ଷଟତିଳା ଏକାଦଶୀ ବ୍ରତ ର ବିଧି

ଉପଚାର ଉପାସନା ସାଧନା ସିଦ୍ଧି।

ପ୍ରଭାତ ରୁ ସ୍ନାନ ଆଦି କାର୍ଯ୍ୟ ସାରିବ

ଭକ୍ତି ନିଷ୍ଠାରେ ବିଷ୍ଣୁଙ୍କ ନାମ ସ୍ମରିବ ।

ଲୋଭ କାମ କ୍ରୋଧ ଠାରୁ ଯିବ ଦୂରେଇ

ବାଦ ହିଂସା ଇର୍ଷା ଭାବ ଆଣିବ ନାହିଁ।

ଚୁଆ ଚନ୍ଦନ କର୍ପୁର ଅଗୁରୁ ଦେଇ

ଫୁଲ ଫଳ ନଇବେଦ୍ଯ ସମର୍ପି ତହିଁ,

ପ୍ରଭୁ ଙ୍କ ନାମକୁ ବସି କରିବ ଧ୍ୟାନ

ଆନମନା ହେବନାହିଁ ଯମା ସେଦିନ।

ପ୍ରଭୁ ଙ୍କ ପ୍ରାର୍ଥନା ମନ୍ତ୍ର ଭକ୍ତିରେ ଗାଇ

ମନ ପ୍ରାଣ ଢାଳିଦେବ ଆଶିଷ ପାଇଁ।

ବ୍ରାହ୍ମଣୀ ପ୍ରଥମେତ ନିଷ୍ଠାର ସହିତ

ଆରମ୍ଭ କରିଥିଲେ ଷଟତିଳା ବ୍ରତ ।

ବ୍ରତ ପାଳନ ବିଧି ପୂଜା ଉପଚାର

ପୁଲସ୍ତ୍ଯ ମୁନି ମର୍ତ୍ତ୍ୟେ କରିଲେ ପ୍ରଚାର।

କୃଷ୍ଣଙ୍କଠୁ ଯୁଧିଷ୍ଠିର ସବୁ ଶୁଣିଲେ

ବ୍ରତର ମହିମା କଥା ସେତ ଜାଣିଲେ ।

ବ୍ରତ ମୂଳରେ ନିଜେ ପ୍ରଭୁ ନାରାୟଣ

ଚକାଡୋଳା ଚକା ଆଖି ଚକାନୟନ।

ମହାପ୍ରଭୁ ଙ୍କୁ ସେଦିନ କଲେ ଦର୍ଶନ

ଅବସାଦ ଦୂର ହୁଏ ଜୀବନ ଧନ୍ଯ।

ବିଷ୍ଣୁ ଭକ୍ତମାନେ ସବୁ ବ୍ରତ ରଖନ୍ତି

ପ୍ରଭୁଙ୍କ ପାଦେ ନିଜକୁ ସମର୍ପି ଥାନ୍ତି।

ମନ୍ଦିର ଶିଖରକୁ ଉଠେ ମହାଦୀପ

ଦର୍ଶନ କରିଲେ ଯାଏ ଧୋଇଯେ ପାପ ।

ଭକତେ କରନ୍ତି ଅଳି ଦୀପକୁ ଚାହିଁ

ଦୁନିଆରୁ ଅନ୍ଧକାର ଦିଅ ହେ ଧୋଇ ।

ଷଟତିଳା ଏକାଦଶୀ ବ୍ରତ ଆଶିଷ

ସବୁରି ଓଠରେ ପ୍ରଭୁ ଉକୁଟୁ ହସ ।


Rate this content
Log in

Similar oriya poem from Classics