STORYMIRROR

Krushna Chandra Lenka

Romance

3  

Krushna Chandra Lenka

Romance

ସପନ ନାୟିକା

ସପନ ନାୟିକା

1 min
321

ଅନନ୍ତ ଗଗନେ ଉଠୁଥିଲେ ତାରା ହସି

ଶୟନେ ମଗନ ଥିଲେ ପୁର ପଲ୍ଲୀ ବାସୀ।

ନିବିଡ଼ ଜୋଛନା ତଳେ ଶୋଇଥିଲା ନିଶୀ

କିଏ ତୁମେ ସପନେ ମୋ ଉଭା ହେଲ ଆସି?


ନୀରବ ନିଶୀଥେ କାହୁଁ ଥିଲା କି ଶବଦ

ଅଚେତ ବଦନେ ବୁଡିଥିଲା ଏ ଅବୋଧ।

କିଏ ତୁମେ ସପନେ ମୋ ଉଭା ହେଲ ଆସି

ସହସା ବୁହାଇ କୁସୁମ ସୁବାସ ରାଶି।


ମଳୟ ପରଶେ ଯେହ୍ନେ ତୋଷେ ପ୍ରାଣୀ ମନେ

ଆନନ୍ଦ ଲହରୀ ଖେଳେ ପରାଣ ବଦନେ।

ତୁମେ ଯେହ୍ନେ ସପନେ ମୋ ଉଭା ହେଲ ଆସି

ମୋ ଦୁଃଖ, ଯାତନା ସବୁ କ୍ଷଣେ ଗଲା ନାଶି।


କେଡେ ସୁଖକର ମଣିଲି କ୍ଷଣକ ପାଇଁ

ଜୀବନେ ମୋହର ଏମନ୍ତ ଆନନ୍ଦ କାହିଁ?

ଧୀରେ ଯହିଁ ହସିଦେଲ ମୋର ମୁଖ ଚାହିଁ

ସେ ଚାହାଣି ହସ ମୋର ପ୍ରାଣେ ଯାଏ ବହି।


ହଜିଗଲା ବୁଦ୍ଧି ମୋର ସପନ କବଳେ

ବୁଡ଼ିଗଲା ଚେତନା ମୁଁ ପଡିଲି ଭୂତଳେ।

ଅଭିମାନେ ଯାଅ ନାହିଁ ମୋତେ ଏକା କରି

ସପନ ରାଇଜେ ମୋର ଦିଅ ହସ ଭରି।


ହେ, ବନହରିଣୀ ଆଗୋ କୁସୁମ ହାସିନୀ

ବନ ଜୋଛନାର ତୁ' କି ସେଇ ମାୟାବିନୀ!

ଦେଖିନି ନୟନେ ତତେ ଜାଣିନି ବି ତତେ

କି ମାୟା ଲଗାଇ ଦେଲୁ ଚିନ୍ତଇ ଚକିତେ!


କାହିଁ ତୁହି ଲାଗୁ ମୋତେ ଅତି ଆପଣାର

ସତେ କି ସମ୍ପର୍କ ଆମ୍ଭ ଜନ୍ମ ଜନ୍ମାନ୍ତର।

ହେବ କି ନହେବ କେବେ ତୋର ମୋର ଦେଖା

ନିତି ସପନେ ମୋ ଆସି ଦିଅ ତିଳେ ଦେଖା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance