ସନ୍ଦେହୀ ପ୍ରିୟତମା
ସନ୍ଦେହୀ ପ୍ରିୟତମା
ସଂସାରଚକ୍ରରେ ଏ ମଣିଷ ଘୂରେ
ପ୍ରେମକୁ କରି ପାଥେୟ
ବିବାହ ବନ୍ଧନ କେବଳ କାରଣ
ନବ ସୃଷ୍ଟିର ଉଦୟ ।
ପ୍ରେମ ପରିଭାଷା ଦାମ୍ପତ୍ୟ ଭରସା
ଜୀବନଟି ମଧୁମୟ
ସନ୍ଦେହୀ ଯେବେ ହେଲା ପ୍ରିୟତମା
ଉଭୟ ମନ ଅଥୟ ।
ସନ୍ଦେହର ଘୁଣ କୋରି କୋରି ଖାଏ
ହୃଦୟ-ବାଉଁଶଟିକୁ
ଅଳପ ଦିନରେ ଭାଙ୍ଗି ଖଣ୍ଡ ଖଣ୍ଡ
ହରାଇ ନିଜ ବଳକୁ ।
ପ୍ରିୟ ମଣିଷଠୁ ଦୂରେଇ ଯିବାକୁ
ସଂକଳ୍ପ କରି ମନରେ
ଦଗ୍ଧୀଭୂତ ହେବା ସାର ହୋଇଥାଏ
ନିତି ଯନ୍ତ୍ରଣା ଜୁଇରେ ।
ପ୍ରିୟାଠୁ ନଶୁଣି ମଧୁର ବଚନ
ପ୍ରିୟ ହୁଏ ଛଟପଟ
ଦିନୁଦିନ ବଢ଼ି କଳିତକରାଳି
ସମ୍ପର୍କରେ ହୁଏ ଫାଟ ।
ପିତାମାତାଙ୍କର ଅଶାନ୍ତି ଝଡ଼ରେ
ସନ୍ତାନଟି କ୍ଷତିଗ୍ରସ୍ତ
ହୁଅଇ ବୃଥା ସେ ବିବାହ ବନ୍ଧନ
ସମ୍ପର୍କଟି ଯେବେ ଅସ୍ତ ।
ରହିଲା କେଉଁଠି ସନ୍ଦେହର ମୂଳ
ଖୋଳିଲେ ସିନା ତାହାକୁ
ଆପୋଷ ବୁଝାମଣାରେ କାଟି ଦେଲେ
ବଢ଼ିବନି ସେ ଆଗକୁ ।
ଯେବେ ସେ ସନ୍ଦେହ ସତ୍ୟର ଆଭାସ
କରି ମନୋବଳ ଦୃଢ଼
ବୁଝାଏ ପ୍ରିୟକୁ ପ୍ରେମବାରି ସିଞ୍ଚି
ଜିତଇ ହୃଦୟ-ଗଡ଼ ।
ନାରୀଟିଏ ପରା ଜନନୀ ଭଗିନୀ
ଜାୟା ରୂପେ ଅବତୀର୍ଣ୍ଣା
ପତି ସୁହାଗିନୀ ପ୍ରିୟତମା ବନି
ହୁଅଇ କର୍ମ ନିପୁଣା ।
ସନ୍ଦେହର ବିଷ ଧସେଇ ପଶିଲେ
ତାକୁ କରି ଉଦ୍ଗୀରଣ
ଅମୃତ ବାଣୀରେ ପାରିଲେ ତୋଷାଇ
ସୁଖେ କଟିବ ଜୀବନ ।
