ସ୍ମୃତିର ଦହନ
ସ୍ମୃତିର ଦହନ
ମରଣ ଜଳୁଛି ଜୀବନ ଜୁଇରେ
ଆଖିରେ ଜଳୁଛି ସ୍ୱପ୍ନ
ବିସ୍ମୃତି ଜାଳୁଛି ଭିଜାମାଟି ଦେହ
ସ୍ମୃତିରେ ଜଳୁଛି ମନ ।
ପବନ ଦୋଳିରେ ଆକାଶ ଝୁଲୁଛି
ନଈରେ ଖେଳୁଛି ନାଆ
ଗୋଲାପ ବଣରେ ମଧୁପ ହଜିଛି
ଭୁଲି ଯାଇଛି ତା ନାଁ ।
ମାଟିରୁ ଆକାଶ ଆକାଶରୁ ମାଟି
ଇନ୍ଦ୍ରଧନୁ ଯାଏ ଛୁଇଁ
ବାଦଲ ଉହାଡେ ଜହ୍ନ ଲୁଚିଯାଏ
ସରୋବରେ କାନ୍ଦେ କଇଁ ।
ବିଜୁଳିର ଛାଟ ପୃଥୀବି ଛାତିରେ
ଦିଏ କେତେ କ୍ଷତଚିହ୍ନ
ଝରକା ସେପାଖେ ବରଷା ଝରୁଛି
ଆନମନା କରେ ମନ ।

