ସମ୍ପର୍କର ସଂକ୍ଷିପ୍ତ ଟିପ୍ପଣୀ
ସମ୍ପର୍କର ସଂକ୍ଷିପ୍ତ ଟିପ୍ପଣୀ
ସମ୍ପର୍କ ବିନା ସଂସାରରେ ନାହିଁ
ବଞ୍ଚିବାର କିଛି ମାନେ
ଏକା ଏକା ଶାନ୍ତିରେ ପ୍ରଶ୍ୱାସ ନେବାକୁ ବି
ହୁଏ ବହୁତ କଷ୍ଟ ଯନ୍ତ୍ରଣାଦାୟକ
ଘନ ଘନ ଛାଡିବାକୁ ହୁଏ ଦୀର୍ଘନିଶ୍ୱାସ
ସମ୍ପର୍କ ଜୀବନକୁ ନିବିଡ଼ଭାବେ ଯୋଡ଼ି
କରିଥାଏ ଆନନ୍ଦମୟ ମଧୁମୟ
ଲୁହର ହେଉ କି ଲହୁର ହେଉ
ଏ ସଂପର୍କ ହିଁ ଜୀବନର ପରିଚୟ
ଉତ୍ଥାନ ପତନର କାରଣ
ଏ ଦୁନିଆଁରେ ଜନ୍ମ ହେବା ପରେ ପରେ
ସଂପର୍କ ସବୁ ହୋଇ ଯାଏ ସଭିଙ୍କ ସାଥୀରେ
ଦୁନିଆଁର ବଡ଼ଦାଣ୍ଡରେ ହସି ଖେଳି ମିଶି
ଗଢ଼ି ଚାଲୁ ଜୀବନକୁ ସରସ ସୁନ୍ଦର କରି
ଭାବ ଭାଷାର ବିନିମୟ ସୃଷ୍ଟିକରେ
ପରସ୍ପର ମଧ୍ୟରେ ଆତ୍ମୀୟତାର ଆପଣାପଣ
ମନକୁ ମନ ଆକର୍ଷିତ କରି
ଦୁଃଖରେ ସୁଖରେ ବାଣ୍ଟିଥାଏ ହାନିଲାଭ
ଜୀବନ ଥିବା ଯାଏଁ ସେ ସଂପର୍କ
ଭୁଲିବାକୁ ଚେଷ୍ଟା କରି ଭୁଲି ହୁଏନା
ଛାଡ଼ି ଯିବାକୁ ଇଚ୍ଛା କଲେ ବି ଛାଡ଼ି ହୁଏନି
ଦୂରରେ ଥାଉ କି ପାଖରେ ଥାଉ
ସବୁବେଳେ ସେ ରହିଥାଏ ହୃଦୟରେ
ସବୁ ତ୍ୟାଗ ସେବା ଯତ୍ନ ତା' ପାଇଁ
ଦାନ କରି ଚାଲେ ପ୍ରତିଦାନ ପାଇବାର
ଆଶା ନ ରଖି ମନରେ ତାର
ସେ ସବୁ ଲାଗେ ଜୀବନର ସାର୍ଥକତା
ଆସେନା ଜମାରୁ ଅନୁଶୋଚନା
କିଛି କରି ନ ପାରିଲେ ସାମର୍ଥ୍ୟତାକୁ ନେଇ
ଆସେ କେବଳ ଅବଶୋଷ
ସଂପର୍କର ଏ ମଧୁର ବନ୍ଧନ ଅଛିନ୍ନ ଅତୁଟ
ଅମ୍ଳାନ ଅନାବିଳ ରହିଥାଏ ଶେଷ ପର୍ଯ୍ୟନ୍ତ
ଯଦି ହୁଏ ସେ ସାମୟିକ ସମୟ ଅତିକ୍ରମର
ତା ସ୍ବାର୍ଥ ଲୋଭ ମୋହ ମାୟା ବଶତଃ
ଆସିଥାଏ ଅଚାନକ ଯାଏ ଅକସ୍ମାତ।
