ସ୍ମାର୍ଟଫୋନ୍
ସ୍ମାର୍ଟଫୋନ୍
ସୂଚନା ପ୍ରଯୁକ୍ତି ବିଦ୍ୟାବଳେ ଯାହା
ସୁଲଭ ହେଲାଣି ଏବେ
ମନେ ପଡୁନାହିଁ ଚିଠି ଟେଲିଗ୍ରାମ
ବ୍ୟବହୃତ ଥିଲା କେବେ ।
ତାରଯନ୍ତ୍ର ପରେ ଦୂରଭାଷ ଯନ୍ତ୍ର
ଲାଗିଗଲା ଘରେ ଘରେ
କଥାବାର୍ତ୍ତା ହେବା ସହଜ ହୋଇଲା
ଦୂରସ୍ଥାନୁ ଥରେ ଥରେ ।
ଦେଶ ବିଦେଶରୁ ସମ୍ପର୍କ ବଢିଲା
ସମସ୍ତ ପ୍ରକାର କାମେ
ଲୋଡ଼ା ହେଲାନାହିଁ ଡାକବାଲା ଆଉ
ଯିବାକୁ ନଗରଗ୍ରାମେ ।
ଭ୍ରାମ୍ୟଭାଷ ଭଳି କ୍ଷୁଦ୍ର ଟେଲିଫୋନ
ପ୍ରଚଳନ ଯେବେ ହେଲା
ସେଇଠୁ ଆଗକୁ ବିକଶିତ ଏହି
ସୂଚନା କ୍ରାନ୍ତିର ବେଳା ।
ସ୍ମାର୍ଟଫୋନ୍ ନାମେ ଅତି ଆଧୁନିକ
ସ୍ପର୍ଶକ ପରଦା ତଳେ
ଏତେ ଯେ ପ୍ରୟୋଗ କମ୍ପ୍ୟୁଟର ଭଳି
ଇସାରା ପାଇଲେ ଚଳେ ।
ମନୋରଞ୍ଜନର ସାମଗ୍ରୀ ସହିତ
ଯେତେ ଯାହା ଉପଲବ୍ଧ
ଦିନକୁ ଦିନ ଏ' ନୂଆ କାରନାମା
କଲାଣି ସଭିଙ୍କୁ ସ୍ତବ୍ଧ ।
ଅସାଧୁ କାମରେ ଅପଯୋଗ ଦ୍ଵାରା
ସମାଜରେ ହୁଏ କ୍ଷତି
ଏଥିରୁ ନିର୍ଗତ ବିକିରଣ ଯୋଗୁଁ
ବିପଦ ପ୍ରାଣୀଙ୍କ ପ୍ରତି ।
