" ସକାଳ ଜଣାଣ
" ସକାଳ ଜଣାଣ
ତୁମେ ତ ଗଢ଼ିଛ ଚତୁର୍ଦ୍ଦିଗେ ସବୁ
ଯାହା ମୁଁ ନିତି ଦେଖୁଛି
ତୁମ କରୁଣାର ଅପୂର୍ବ ପରଶ
ସବୁଠାରେ ତ ଲାଗିଛି ।
ପ୍ରଭାତ ହୋଇଲେ କାକିଳି ଶୁଭୁଛି
ଧରଣୀ ଉଠୁଛି ହସି
ଭ୍ରମର ଓ ମଧୁମକ୍ଷିକା ଛୁଟନ୍ତି
ଫୁଲ ପାଶେ ମଧୁ ଶୋଷି ।
ସନ୍ଧ୍ୟା ଆସିଗଲେ ପାହାଡ଼ ସେ ପାଖେ
ସୁରୁଜ ପଡ଼ୁଛି ଖସି
ଏ ନୀଳ ଗଗନେ ଶଶୀ ତାରା ମେଳେ
ଲୁଚକାଳି ଖେଳେ ହସି ।
ଗିରି, ବନ ଦେଇ ବହଇ ତରଣୀ
ମିଶଇ ସାଗରେ ଶେଷେ
ଜୀବନ, ମରଣ, ସୁଖ, ଦୁଃଖ, ଜରା
ବ୍ୟାଧିତ ତୁମରି ହାତେ ।
କରମ ପଥରେ ଧାଆଁନ୍ତି ସଭିଏଁ
ତୁମକୁ ମନରେ ସ୍ମରି
କର୍ମର ଫଳ ତ ତୁମ ହାତେ ଅଛି
କୁହ, "ଯାଅ କର୍ମ କରି " ।
ସଞ୍ଜ ଆଳତିରେ ସବୁରି କଣ୍ଠ ରୁ
ଝରି ପଡ଼େ ତୁମ ନାମ
ଅଗତିର ଗତି, ଅନାଥର ନାଥ
ତୁମେ ପ୍ରଭୁ ଅଭିରାମ. ।
ତୁମରି ସୃଷ୍ଟି ରେ ନ ରହୁ ହେ ପ୍ରଭୁ
କେହି ଦୁଃଖୀ, ଭୋକି, ଶୋଷି
ଜଗତ ପାଳକ ଆରତ ତାରଣ
ତୁମେ ପରା ଅବିନାଶୀ ।