STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଶୂନ୍ୟ

ଶୂନ୍ୟ

1 min
393

'ଠ' ଆକାରଟି ରୂପ ଗୋଲାକାର 

  ନାଁ ଟି ତାହାର ଶୂନ୍ୟ  

ସମସ୍ତେ କୁହନ୍ତି ଶୂନ୍ୟ କିଛି ନୁହେଁ 

  ଶୂନ୍ୟ ଏଠି ମୂଲ୍ୟହୀନ।


ସେହି ଶୂନ୍ୟଟିକୁ ସଂଖ୍ୟାର ଡାହାଣେ

  ଯଦି ପୁଣି ବସାଯାଏ 

ଶୂନ୍ୟ ସେଠି ପୂର୍ଣ୍ଣ ଭାବକୁ ପ୍ରକାଶେ

  ମୂଲ୍ଯ ତାର ବଢିଯାଏ।


କିନ୍ତୁ ଶୂନ୍ୟଟିଏ କେବେ ଶୂନ୍ୟ ନୁହେଁ

  ପୂର୍ଣ୍ଣ ମୂଳବୀଜ ସିଏ 

ପୂର୍ଣ୍ଣଚ୍ଛେଦ ନାହିଁ ସେ ଶୂନ୍ୟଶବ୍ଦରେ

  ଅନାମିକା ପଦଟିଏ।


 ଶୂନ୍ୟଟି ଅସୀମ ଶୂନ୍ୟଟି ନିଗମ

  ଶୂନ୍ୟଟି ଅରୂପାନନ୍ଦ 

ଅନାଦି ଅବ୍ୟକ୍ତ ଅଲେଖ ଅନନ୍ତ

  ଶୂନ୍ୟ ପୁଣି ବ୍ରହ୍ମାନନ୍ଦ।


ବ୍ରହ୍ମ ଅଣାକାର ନିରାମୟ ସେହୁ

  ପରିବ୍ୟାପ୍ତ ଶୂନ୍ୟତାରେ 

ଅଧେ ବ୍ରହ୍ମାଣ୍ଡକୁ ଗୁପତେ ରଖିଛି

  ଜ୍ଞାନୀ ତାହା ଜାଣିପାରେ।


ତେଜମୟ ଧାପ ଅସହ୍ୟ ପ୍ରକୋପ

  ସେହି ଶୂନ୍ୟ ଆଦିମୂଳ 

ମହାଶୂନ୍ୟ ମଧ୍ୟେ କରୁଅଛି ଖେଳ

  ଚତୁ଼ଃପାର୍ଶ୍ଵେ ତାର ଜଳ।


ଜଳ ମଧ୍ୟେ ଅନାହତ ଧ୍ଵନି ଜାଗେ

  ପ୍ରବଳ ତେଜକୁ ନେଇ 

ଶୂନ୍ୟରୁ ପୂର୍ଣ୍ଣତା ମହିମା ପ୍ରକାଶେ

  ସଂସାର ଉଦ୍ଧାର ପାଇଁ।


ଶୂନ୍ୟଦେହୀ ସିଏ ରୂପରେଖ ନାହିଁ

  ଶୂନ୍ୟରେ କରିଛି ଘର 

ସ୍ଵାମୀ ପତ୍ନୀ ରୂପେ ସଂସାର କରନ୍ତି

  ଶୂନ୍ୟତାରେ ଖେଳଘର।


ଶୂନ୍ୟ ଶୂନ୍ୟ ପୁଣି ମହାଶୂନ୍ୟ ଏଠି

  ଶୂନ୍ୟ ବ୍ରହ୍ମା ବିଷ୍ଣୁ ଶିବ 

ଶୂନ୍ୟ ହସ୍ତ ନେଇ ସେ ଶୂନ୍ୟ ମଣ୍ଡଳେ

  ମିଶିବାକୁ ଦିନେ ହେବ।


ଶୂନ୍ୟକୁ ଶୂନ୍ୟରେ ଯୋଗଟି କରିଲେ

  ମିଶାଣ ଫଳଟି ଶୂନ୍ୟ 

ଶୂନ୍ୟ ସଂସାରରେ ଶୂନ୍ୟ ଘରଟିରେ

  କାହିଁ ଏତେ ଅଭିମାନ?


ଶୂନ୍ୟ ଯଦି ଆମ ଶେଷ ବନ୍ଧୁଟିଏ

  ପୂର୍ଣ୍ଣତାରେ କାହିଁ ଲୋଭ 

ଯୁଗଳ ଲୀଳାଟି ଦିନେ ଭାଙ୍ଗି ଯିବ

  ଭାଙ୍ଗି ଯିବ ସବୁ ଦମ୍ଭ।


ଯଦି ସବୁ ଶୂନ୍ୟ ବୃଥା ଏ ସପନ

  ମାୟା ମୋହେ ନାହିଁ ଲାଭ 

ଶୂନ୍ୟ କାଳେ ଶୂନ୍ୟ ରାମ ନାମ ପଦେ

  ପଥକୁ ଶଙ୍ଖାଳି ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy