ଶୁଭ ଦୀପାବଳି
ଶୁଭ ଦୀପାବଳି


ଆଲୋକର ପର୍ବ ଶୁଭ ଦୀପାବଳି
ଆଗମନେ ଜଳେ ଦୀପ
ପୁର ପଲ୍ଲୀ ଦିଶେ ଶୋଭାର ଆଧାର
ଦେବ ପୀଠେ ଜପ ତପ ।
ଶାନ୍ତି ଦୟା କ୍ଷମା ଅହିଂସା ଗୁଣରେ
ହୋଇ ସଦା ବିମଣ୍ଡିତ
ଆନନ୍ଦରେ ଜାଳ ଶାନ୍ତିର ପ୍ରଦୀପ
ଜ୍ଞାନ କରି ପ୍ରଜ୍ଜ୍ଵଳିତ ।
ଅନ୍ଧାରରେ ଦୀପ ବୁଣଇ ଆଲୋକ
ଧରା ଦିଶେ ଶୋଭାବନ୍ତ
ପବିତ୍ରତା ମନେ ଭକ୍ତି ପ୍ରେମ ସ୍ରୋତେ
ଭବୁ ଦୁଃଖ ହେଉ ଅନ୍ତ ।
ପିତୃ ପୁରୁଷଙ୍କୁ ଭକ୍ତି ଶ୍ରଦ୍ଧା ଭରେ
ଦେଇ ଶ୍ରାଦ୍ଧ ଏହି ଦିନ
ପୂର୍ବ ପୁରୁଷଙ୍କ ଆଶିଷ ଲଭନ୍ତି
ଉଲ୍ଲସିତ ହୁଏ ପ୍
ରାଣ ।
ଆଜି ଶୁଭ ଲଗ୍ନ ସର୍ବେ ଆନନ୍ଦିତ
ଆସିବେ ବଡ଼ ବଡ଼ୁଆ
ଅନ୍ଧାରରେ ଆସି ଯିବେ ଆଲୁଅରେ
ସଭିଙ୍କୁ କରି ସୁଦୟା ।
ଶଙ୍ଖ ହୁଳହୁଳି ଶବ୍ଦେ ପଡେ ହୂରି
ଆସୁଛନ୍ତି ଶ୍ୟାମା କାଳୀ
ପୂଜା ମଣ୍ଡପରେ ବିରାଜିତ ହେବେ
ସବୁ ପାପ ଦେବେ ଜାଳି ।
ହୃଦୟରେ ଜ୍ଞାନ କରି ପ୍ରଜ୍ଜ୍ଵଳିତ
ଦୂର କର ହିଂସା ଭାବ
ଅନ୍ୟାୟ ଅନୀତି ଅହଙ୍କାର ନିଶ୍ଚେ
ବିଶ୍ବରୁ ଦୂରେଇ ଯିବ ।
ପିଠା ପଣା ଖାଇ ଆତସ ବାଜିରେ
ହର୍ଷୋଳାସେ ଯିବା ଖେଳି
ପରକୁ ଆପଣା ଭାବ ହୃଦେ ବହି
ସର୍ବେ ହେବା କୋଳାକୋଳି ।