ଶରଣ ଦିଅ ପ୍ରଭୁ
ଶରଣ ଦିଅ ପ୍ରଭୁ
ହେ ଦୀନବନ୍ଧୁ , ପତିତପାବନ
ଥରୁଟିଏ ଦିଅ ଦରଶନ
ଖୋଜେ ମୁଁ ତୁମକୁ
ଲତା ଗିରିବନ
ନ ପାଇ ତୁମକୁ
ବ୍ୟଥା ହୁଏ ମୋ ମନ ।
ସକାଳୁ ସନ୍ଧ୍ୟା
ଡାକେ ମୁଁ ତୁମକୁ
ଭଜନ , କୀର୍ତ୍ତନ , ଜଣାଣରେ
କେମିତି , କୋଉଠି ମିଳିବ ପ୍ରଭୁ
କହି ଦିଅ ଆସି
ଥରୁଟିଏ ସ୍ୱପ୍ନରେ ।
କରି ସ୍ୱପ୍ନାଦେଶ କହିଛ ରାଜାଙ୍କୁ
ପୁରାଣରୁ ଅଛି ଶୁଣି
ଏ ଦୁଃଖିନୀ କଥା ଶୁଣିବ କେବେ
ହଉଛି ମନେ ମୁଁ ଗୁଣୀ ।
ଅଛ ତୁମେ ସବୁଠି
ପ୍ରାଣ ପବନରେ ଆଉ
ଜ୍ୟୋତି କିରଣରେ
ସୃଷ୍ଟିକର୍ତ୍ତା ବୋଲି
ବୋଲାଅ ଏ ଦୁନିଆରେ
ଶରଣ ଦିଅ ପ୍ରଭୁ
ଖାଲି ତୁମ ଚରଣରେ ।
ହେ ଭାବଗ୍ରାହୀ ଭାବର ଠାକୁର
ଆଶୀର୍ବାଦ କର
ତୁମ ଦିବ୍ୟଜ୍ୟୋତିରେ
ସଦା ଭଜୁଥିବି , ମନପ୍ରାଣ ବଚନରେ
ହାରିବିନି କେବେ ଦୁଃଖରେ
କି ଭୁଲି ନ ଯିବି କେଉଁ ସୁଖରେ ।
ବାଲ୍ୟକାଳୁ ଦେଖୁଅଛି
ତୁମ ଅଧରରେ
ଫୁଟୁଥିବା ଖିଲିଖିଲି ହସ
କାହିଁ ମତେ ଦୁଃଖ ଦେଇ
ମୋ ଉପରେ କର
ତୁମେ ରାଗରୋଷ ।
କରୁଛି ଗୁହାରି ପାଦେ ମଥାରଖି
ମୋ ବ୍ୟାକୁଳଭରା ମନରେ
ଦବା ପାଇଁ ନାହିଁ ଆଉ
କିଛି ମୋ ପାଖରେ
ଭକ୍ତିରେ ବସାଇ
କରିବି ମୁଁ ପୂଜା
ମୋ ମନ ହୃଦୟ ମନ୍ଦିରରେ ।